Indus Valley Times

ଶେଷ ହେଲା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କଲା ବିଜେଡି

 Breaking News

ଶେଷ ହେଲା ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ: ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କଲା ବିଜେଡି

ଶେଷ ହେଲା  ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ:  ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କଲା ବିଜେଡି
February 12
10:22 2022

ନୂଆଦିଲ୍ଲୀ,୧୨/୨:: ସଂସଦର ପ୍ରଥମ ପର‌୍ୟ୍ୟାୟ ବଜେଟ ଅଧିବେଶନ ଶୁକ୍ରବାର ଦିନ ଶେଷ ହୋଇଛି। ଏହି ସଂକ୍ଷିପ୍ତ ବଜେଟ ଅଧିବେଶନରେ ୧୦ଟି କାର‌୍ୟ୍ୟ ଦିବସ ଥିଲା। ଉଭୟ ସଦନରେ ଏଥିରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଏବଂ ସାଧାରଣ ବଜେଟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା।
ବିଜେଡି ପକ୍ଷରୁ ରାଜ୍ୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପସ୍ଥାପନ କରାଯିବା ସହିତ କିଛି ପ୍ରସଙ୍ଗରେ କେନ୍ଦ୍ର ଅବହେଳାକୁ ଦର୍ଶାଯାଇଥିଲା। ବିଜେଡି ସାଂସଦମାନେ ରଣନୀତି ଅନୁସାରେ ପ୍ରସଙ୍ଗଗୁଡିକ ଉପସ୍ଥାପନ କରିବା ପାଇଁ ପ୍ରୟାସ କରିଥିଲେ ଏବଂ ଅନେକାଂଶରେ ସଫଳ ହୋଇଥିଲେ। ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ) ରାଜ୍ୟରେ ଉଷୁନା ଚାଉଳ କିଣୁ ନଥିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପାଇବା ପାଇଁ ୬ ଲକ୍ଷ ଆଦିବାସୀଙ୍କୁ ଶୀଘ୍ର ଆବାସ ପୋର୍ଟାଲରେ ସାମିଲ କରିବା ପ୍ରସଙ୍ଗକୁ ବିଜେଡି କେବଳ ଶୂନ୍ୟକାଳରେ ସୀମିତ ରଖିନଥିଲା; ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ତଥା ବଜେଟ୍ ବିତର୍କରେ ଉଠାଇଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ ସ୍ବାମୀନାଥନ କମିଟି ରିପୋର୍ଟକୁ କାର‌୍ୟ୍ୟକାରୀ କରିବାରେ ଅବହେଳା ନେଇ ବିଜେଡି କେନ୍ଦ୍ରକୁ ଟାର୍ଗେଟ କରିଥିଲା। ରେଳ ବଜେଟରେ ରାଜ୍ୟକୁ ୯୭୦୦ କୋଟି ଟଙ୍କାର ମଂଜୁରି କରାଯାଇଥିବାରୁ ବଜେଟ ଆଲୋଚନାରେ ବିଜେଡି ସାଂସଦ ସୁଜିତ କୁମାର କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଇଏଏସ୍/ଆଇପିଏସ୍ କ୍ୟାଡର ସଂଶୋଧନ ପ୍ରସ୍ତାବରୁ ବିରତ ରହିବା ପାଇଁ ବିଜେଡି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଥିଲା।
ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ବେଳେ ବିଜେଡି ସାଂସଦ ପିନାକୀ ମିଶ୍ର ସରକାରୀ ଅଧିକାରୀଙ୍କ ନାମ ନ ନେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ବାରା ମାଡ଼ ମାରିବା ଘଟଣାକୁ ଉଲ୍ଲେଖ କରିଥିଲେ। ରାଜ୍ୟ ସ୍ବାର୍ଥ ତଥା ସାଧାରଣ ଜାତୀୟ ସମସ୍ୟା ଉପରେ ଦଳ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲି ବଜେଟ ଅଧିବେଶନରେ ବିଜେଡି ନିଜର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୋଲା ପ୍ରଶଂସା କରିବା ଗଣମାଧ୍ୟମର ଶିରୋନାମା ପାଲଟିଥିଲା। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ରାଜ୍ୟସଭାର ପ୍ରସନ୍ନ ଆଚାର‌୍ୟ୍ୟଙ୍କୁ ବାଜି ରାଉତ ସମେତ ଦେଶର ବାଲ୍ ବୀର ସହିଦଙ୍କ ସ୍ମାରକୀ ସ୍ଥାପନ କରିବାର ପରାମର୍ଶକୁ ମଧ୍ୟ ପ୍ରଶଂସା କରିଥିଲେ। ବଜେଟ୍ ଆଲୋଚନାରେ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେଡି ସାଂସଦ ଡଃ ଅମର ପଟ୍ଟନାୟକଙ୍କ ଦ୍ବାରା ବଜେଟର ବିଭିନ୍ନ ପ୍ରସଙ୍ଗରେ ଲୋଡ଼ାଯାଇଥିବା ସ୍ପଷ୍ଟୀକରଣ ରଖିଥିଲେ।
ରାଜ୍ୟର ବିଧାନ ପରିଷଦ ଗଠନ ସଂପର୍କିତ ପ୍ରସ୍ତାବନା କେନ୍ଦ୍ରକୁ ମିଳିନଥିବା କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଲିଖିତ ଉତ୍ତର ବିଜେଡି ସାଂସଦମାନଙ୍କୁ ନିରାଶ କରିଥିଲା। କେନ୍ଦ୍ର ଆଇନ ମନ୍ତ୍ରୀଙ୍କର ଏଭଳି ଉତ୍ତର ସଂପର୍କରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ବାରା ଶୂନ୍ୟକାଳରେ ଦୃଷ୍ଟି ଆକର୍ଷଣ କରାଯାଇ ବିଧାନସଭାରେ ବିଧାନ ପରିଷଦ ଗଠନ ସଂପର୍କିତ ପ୍ରସ୍ତାବ ପାରିତ କରାଯାଇ କେନ୍ଦ୍ରକୁ ପଠାଇ ଦିଆଯାଇଛି ବୋଲି ଅବଗତ କରାଯାଇଥିଲା। ଏମ୍ଏସ୍ପିରେ ଆଇନଗତ ପ୍ରାବଧାନ ତଥା ମାଓ ମୁକାବିଲା ପାଇଁ ରାଜ୍ୟକୁ ହେଲିକପ୍ଟର ଯୋଗାଇଦେବା ପ୍ରସଙ୍ଗରେ ବିଜେଡି ସାଂସଦଙ୍କ ପ୍ରଶ୍ନର କୌଣସି ସ୍ପଷ୍ଟ ଉତ୍ତର କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ମିଳିନଥିଲା। ବିଜେଡିର ୩ ଜଣ ସାଂସଦଙ୍କ ଦ୍ବାରା ସମୁଦାୟ ୭ଟି ବେସରକାରୀ ବିଲ୍ ଆଗତ କରାଯାଇଥିଲା। ରାଜ୍ୟସଭା ସାଂସଦ ଡ. ଅମର ପଟ୍ଟନାୟକ ୩ଟି ଓ ପ୍ରଶାନ୍ତ ନନ୍ଦଙ୍କ ଦ୍ବାରା ଗୋଟିଏ ଏବଂ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ବାରା ୩ଟି ବେସରକାରୀ ବିଲ ଆଗତ କରାଯାଇଥିଲା। ଚଳିତ ଅଧିବେଶନରେ ସଂସଦରେ ଓଡ଼ିଶାର ବିଜେପି ଓ କଂଗ୍ରେସ ସାଂସଦଙ୍କ ସକ୍ରିୟତା କମ୍ ଅନୁଭୂତ ହୋଇଥିଲା। ରାଜ୍ୟରେ ପଂଚାୟତ ନିର୍ବାଚନ ଯୋଗୁଁ କିଛି ସାଂସଦ ଅନୁପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031