Indus Valley Times

ଶ୍ରାବଣ ଦ୍ବିତୀୟ ସୋମବାର, ଧବଳେଶ୍ବର ପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ

 Breaking News

ଶ୍ରାବଣ ଦ୍ବିତୀୟ ସୋମବାର, ଧବଳେଶ୍ବର ପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ

ଶ୍ରାବଣ ଦ୍ବିତୀୟ ସୋମବାର, ଧବଳେଶ୍ବର ପୀଠରେ ଜଳଲାଗି କରୁଛନ୍ତି କାଉଡ଼ିଆ
July 17
11:30 2023

ଆଠଗଡ଼,୧୭/୭: ଶ୍ରାବଣ ମାସର ଦ୍ବିତୀୟ ସୋମବାର କଟକ ଜିଲ୍ଲା ଆଠଗଡ଼ସ୍ଥିତ ପ୍ରସିଦ୍ଧ ଶୈବକ୍ଷେତ୍ର ଧବଳେଶ୍ବର ପୀଠରେ ଜଳଲାଗି ପାଇଁ କାଉଡ଼ିଆ ଭିଡ଼ ବଢ଼ିବାରେ ଲାଗିଛି। ମଳମାସ ଯୋଗୁଁ ଦ୍ବିତୀୟ ସୋମବାର ପରେ ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ କାଉଡ଼ିଆମାନେ ଜଳଲାଗି କରିପାରିବେ।
ଏହାକୁ ଦୃଷ୍ଟିରେ ରଖି ଜଳଲାଗି ନିମନ୍ତେ ଦୂରଦୂରାନ୍ତରୁ ଧବଳେଶ୍ବର ପୀଠକୁ କାଉଡ଼ିଆଙ୍କ ଭିଡ଼ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ସୋମବାର ସଂକ୍ରାନ୍ତି ପଡ଼ୁଥିବାରୁ ଠାକୁରଙ୍କୁ ଦହି, ଘିଅ, କ୍ଷୀର, ମହୁ ଆଦିରେ ସୋମମତି ସ୍ନାନ କରାଯାଇ ମଙ୍ଗଳ ଆଳତି, ଘର୍ଷଣ ସହ ଭୋଗ ଅର୍ପଣ କରାଯିବା ପରେ କାଉଡ଼ିଆମାନେ ଜଳଲାଗି କରିବେ। ତେବେ ଦିନ ୧୧ଟାରେ ଠାକୁରଙ୍କ ମଧ୍ୟାହ୍ନ ଧୂପ ଅବକାଶରେ ପ୍ରାୟ ୧ ଘଣ୍ଟା ମନ୍ଦିର ପହୁଡ଼ ପଡ଼ିବ ଏବଂ ଜଳଲାଗି ଓ ଦର୍ଶନ ବନ୍ଦ ରହିବ।
ଏହାପରେ ପୂର୍ବ ପରି ଭକ୍ତମାନେ ଦର୍ଶନ ଓ ଜଳଲାଗି କରିପାରିବେ ବୋଲି ପୂଜକ ସମାଜ ପକ୍ଷରୁ ସଭାପତି ବିଷ୍ଣୁଚରଣ ପତ୍ରି ସୂଚନା ଦେଇଛନ୍ତି। ସନ୍ଧ୍ୟାରେ ପୀଠରେ ହୋମ କରାଯିବା ସହ ମେଳା ଅନୁଷ୍ଠିତ ହେବ। ଏହାପରେ ମଳମାସ ଆରମ୍ଭ ହେଉଥିବାରୁ କାଉଡ଼ିଆମାନଙ୍କ ଜଳ ଲାଗି ଏକମାସ ପାଇଁ ବନ୍ଦ ରହିବ। ଆସନ୍ତା ଅଗଷ୍ଟ ମାସ ୨୧ ଓ ୨୮ ତାରିଖରେ ପୁଣି ବୋଲବମ୍ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେବ।
ଏହି ସମୟରେ ପ୍ରତ୍ୟେକ ଦିନ ପରି ଠାକୁରଙ୍କ ନୀତିକାନ୍ତି ଓ ସର୍ବସାଧାରଣ ଦର୍ଶନ ଜାରି ରହିବ ବୋଲି ଜଣାପଡ଼ିଛି। ତେବେ ପ୍ରାୟ ଏକମାସ ପର‌୍ୟ୍ୟନ୍ତ ମାନସିକଧାରୀ କାଉଡ଼ିଆମାନେ ଜଳଲାଗି କରିପାରିବେ ନାହିଁ। ଏଥିପାଇଁ ଦ୍ବିତୀୟ ସୋମବାର ପୀଠରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଛି। ଏହାକୁ ଦୃଷ୍ଟିରେ ରଖି ପୀଠରେ ପୁଲିସ୍ ପ୍ରଶାସନ ଓ ମନ୍ଦିର ପୂଜକ ସମାଜ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଏଥିସହ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ସେହିପରି ପୀଠକୁ ଆସୁଥିବା ବୃଦ୍ଧବୃଦ୍ଧା, ଭିନ୍ନକ୍ଷମ ଓ ଅସୁସ୍ଥ ବ୍ୟକ୍ତିମାନଙ୍କୁ ସୁରୁଖୁରୁରେ ଠାକୁରଙ୍କ ଦର୍ଶନ କରାଇବା ପାଇଁ ପୂଜକ ସମାଜ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ୩ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟର, ୧୨ଜଣ ଏସ୍ଆଇ ଓ ଏଏସ୍ଆଇ, ୨୦ଜଣ କନଷ୍ଟେବଳ ଓ ହାବିଲଦାର, ୬୦ଜଣ ହୋମଗାର୍ଡଙ୍କ ସହ ୪ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିବା ଜଣାପଡ଼ିଛି।
ମନ୍ଦିର ପୂଜକ ସମାଜ ପକ୍ଷରୁ ସଭାପତି ଶ୍ରୀ ପତ୍ରୀଙ୍କ ସମେତ ସମ୍ପାଦକ ନରେନ୍ଦ୍ର ପଣ୍ଡା, ଉପସଭାପତି କୃତିବାସ ପତ୍ରୀ, ବରିଷ୍ଠ ସଭ୍ୟ କୁଳମଣି ପତ୍ରୀଙ୍କ ସହ ସମସ୍ତ ପୂଜକ ଠାକୁରଙ୍କ ନୀତିକାନ୍ତିରେ ସହଯୋଗ କରୁଛନ୍ତି ବୋଲି ପୂଜକ ସମାଜ ପକ୍ଷରୁ ସୂଚନା ଦିଆଯାଇଛି।
ଅପରପକ୍ଷରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ପୀଠକୁ ଦର୍ଶନ ପାଇଁ ଆସୁଥିବା କାଉଡ଼ିଆ ଓ ଭକ୍ତମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନୂତନ କଂକ୍ରିଟ୍ ସେତୁର ମଞ୍ଚେଶ୍ବର ପଟୁ ଧବଳେଶ୍ବର ପୀଠ ପର‌୍ୟ୍ୟନ୍ତ ଭକ୍ତମାନଙ୍କ ରହଣି ପାଇଁ ଅସ୍ଥାୟୀ କ୍ୟାମ୍ପ୍ କରାଯାଇ ନ ଥିବାରୁ ବର୍ଷାରେ ଭିଜିଭିଜି ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବାକୁ ଯାଉଛନ୍ତି। ପୀଠରେ ଅସ୍ଥାୟୀ କ୍ୟାମ୍ପ୍ ନିର୍ମାଣ କରିବା ପାଇଁ କାଉଡ଼ିଆ ଓ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031