Indus Valley Times

ସଂସ୍କୃତି ଭବନ ଉଦଘାଟିତ

 Breaking News

ସଂସ୍କୃତି ଭବନ ଉଦଘାଟିତ

ସଂସ୍କୃତି ଭବନ ଉଦଘାଟିତ
July 15
10:03 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୫/୭: ବୌଦ୍ଧ ସହରସ୍ଥିତ କଚେରୀରୋଡ ଠାରେ ମାଧବ ସେବା ଟ୍ରଷ୍ଟ ପକ୍ଷରୁ ସଂସ୍କୃତି ଭବନ କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି । ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରିୟ ସ୍ୱୟଂସେବକ ସଂଘର ପଶ୍ଛିମପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ମାନନୀୟ ବିଷ୍ଣୁ ଚରଣ ପାତ୍ର ଯୋଗଦେଇ ରାଷ୍ଟ୍ର ହିତପାଇଁ ସ୍ୱୟଂସେବକ ସର୍ବଦା ଉତ୍ସର୍ଗୀକୃତ ରହିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ, କଣ୍ଟାମାଳ ବିଧାୟକ କହ୍ନାଇ ଚରଣ ଡାଙ୍ଗ, ପୁର୍ବପ୍ରାନ୍ତ ଗ୍ରାମ ବିକାଶ ପ୍ରାନ୍ତ ସଂଯୋଜକ ଆଲୋକ ଖଟୁଆ, ଓଡିଶା ପଶ୍ଚିମ ଗ୍ରାମବିକାଶ ସଂଯୋଜକ ସ୍ୱପ୍ନେଶ୍ୱର ପ୍ରଧାନ, ସହପ୍ରାନ୍ତ ପ୍ରଚାର ପ୍ରମୁଖ ପ୍ରଣବ କୁମାର ନାୟକ, ଜିଲ୍ଲା ସଂଘ କର୍ମକର୍ତ୍ତା ଓ ସ୍ୱୟଂସେବକ ଯୋଗ ଦେଇଥିଲେ ।
ଏହି ଉଦଘାଟନ କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ମାନନୀୟ ଜିଲ୍ଲା ସଂଘ ଚାଳକ ସୂର୍ଯ୍ୟକାନ୍ତ ଦଳବେହେରା ସପନବୀକ ଯଜ୍ଞକାର୍ଯ୍ୟ ତୁଲାଇଥିଲେ । ଏହି ଉତ୍ସବରେ ଅନ୍ନଯଜ୍ଞ, ଘୃତଯଜ୍ଞ, ନାମଯଜ୍ଞ, ଜପଯଜ୍ଞ ଓ ବାଳକ ଭୋଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ତପସ୍ୱିନୀ ମାତୃମଣ୍ଡଳୀ, ବଜରଙ୍ଗ ଦଳ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସଦସ୍ୟ ଓ କର୍ମକର୍ତ୍ତା ଯୋଗଦେଇଥିଲେ ।
ଲକ୍ଷ୍ମଣପୁର ଗ୍ରାମରୁ ବୁଲେଟ ମଟର ସାଇକେଲ ଚୋରି
ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକରେ ଦିନକୁ ଦିନ ଗାଡି ଚୋରି ବୃଦ୍ଧି ପାଉଛି । କିଛି ମାସ ତଳେ ପୁରୁଣାକଟକ ଥାନାର ପୁରୁଣାକଟକ ଓ ଚାରିଛକ ବଜାରରୁ ବୁଲେଟ ମଟରସାଇକେଲ ଚୋରି ହୋଇଥିବା ବେଳେ ପୁଣି ଗତ ଶନିବାର ରାତିରେ ଏକ ବୁଲେଟ ମଟରସାଇକେଲ ଘର ବାରଣ୍ଡାରେ ଥିବା ବେଳେ ଚୋର ମାନ ଚୋରି କରିନେଇଛନ୍ତି ।
ମିଳିଥିବା ସୁଚନା ମୁତାବକ ପୁରୁଣାକଟକ ଥାନା ଅନ୍ତର୍ଗତ ଲକ୍ଷ୍ମଣପୁର ଗ୍ରାମର ଶୁଭ୍ରାଶୁଂ ସାହୁ ନିଜର ବୁଲେଟ ମଟସାଇକେଲ ( ଓଡି ୨୭-ଏ-୩୩୪୯) କୁ ଘରର ବାରଣ୍ଡାରେ ରଖି ପରିବାର ଲୋକ ଶୋଇଥିଲେ । ଚୋର ମାନେ କବାଟ ଖୋଲି ବୁଲେଟକୁ ଚୋରି କରିନେଇଛନ୍ତି । ରବିବାର ଭୋରରୁ ଉଠି ଦେଖିବାବେଳେ ବାରଣ୍ଡାରେ ବୁଲେଟ ନଥିଲା । ଏନେଇ ଶ୍ରୀ ସାହୁ ପୁରୁଣାକଟକ ଥାନାରେ ଏକ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ମିଠା ମିଠା କଥା କହି ବ୍ୟବସାୟୀଙ୍କୁ ଅପହରଣ : ସୁନା ମୁଦି,ଚେନ ଲୁଟ ଅଭିଯୋଗ
ବୌଦ୍ଧ,୧୫/୭: ବୌଦ୍ଧ ଥାନା ଅର୍ନ୍ତତ ଟୁଟୁସିଙ୍ଗା ଗ୍ରାମର ଜଣେ ବ୍ୟବସାୟୀଙ୍କୁ ମିଠା ମିଠା କଥାକହି ଅପହରଣ କରି ନେଇ ବାଟରେ ନିଶା ଦ୍ରବ୍ୟ ଖୁଆଇ ତାଙ୍କର ସୁନା ଚେନ, ମୁଦି, ମୋବାଇଲ ଓ କିଛି ଟଙ୍କା ଲୁଟ କରି ଦୁଇଜଣ ଦୁବୃର୍ତ୍ତ ନେଇ ଯାଇଥିବା ଅଭିଯୋଗ ହୋଇଛି ।

ସୂଚନା ମତେ, ଟୁଟୁସିଙ୍ଗା ଗ୍ରାମର ପୁରସ୍ତମ ପ୍ରଧାନ(୫୨) ପରିବା ବ୍ୟବସାୟ କରନ୍ତି । ଗତ ୧୨ ତାରିଖରେ ସେ ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାରକୁ ପରିବା ବିକ୍ରି କରିବାକୁ ଆସିଥିବା ବେଳେ ପ୍ରାୟ ଦିନ ୧୦ଟା ସମୟରେ ୍‌ଦୁଇ ଜଣ ବ୍ୟକ୍ତି ତାଙ୍କ ପାଖକୁ ଆସି ହରଭଙ୍ଗା ବ୍ଲକର ରାମ୍ଭୀକଟା ଗ୍ରାମ ନିକଟରେ ଆମର ସଂସ୍ଥା ରହିଛି ।
ସେଠାକୁ ଦୁଇ ତିନି ଦିନରେ ପ୍ରାୟ ୬୦ କିଲୋ ପରିବା ଯିବ । ତୁମେ ଦେବକୁ ବୋଲି କହିଥିଲେ । ପୁରସ୍ତମ ପରିବା ଦେବାକୁ ରାଜି ହୋଇଥିଲେ । ସେଥିପାଇଁ ତାଙ୍କ କାର୍ଯ୍ୟାଳୟକୁ ଯିବାକୁ କହି ସେଠାରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରି ଆସିବାକୁ କହିଥିଲେ । ପୁରସ୍ତମ ସେମାନଙ୍କ କଥାରେ ସହମତି ହୋଇଥିଲେ ।
ପ୍ରାୟ ଦିନ ୩ଟା ସମୟରେ ଉକ୍ତ ଦୁଇ ବ୍ୟକ୍ତି ଆସି ତାଙ୍କୁ ଯିବାକୁ ଡାକିଥିଲେ । ପୁରସ୍ତମ ଏକ ସ୍କୁଟିରେ ଆସି ବ୍ରିଜଛକ ଠାରେ ସ୍କୁଟିକୁ ରଖି ସେମାନଙ୍କ ବାଇକରେ ଯାଇଥିଲେ । ରାମ୍ଭୀକଟା ନିକଟ ହେବାରୁ ପୁରସ୍ତମ କେଉଁଠି ତୁମର ଅଫିସ ବୋଲି ପଚାରି ଥିଲେ । ଦୁବୃର୍ତ୍ତମାନେ ଆଗରେ ଅଫିସ ଅଛି ବୋଲି କହି ସେଠାରେ ବାଇକ କୁ ରଖି ଥିଲେ । ତାଙ୍କୁ ଆସ ଥଣ୍ଡା ପିଇବା ବୋଲି କହିଥିଲେ ।
ଏହି ସମୟରେ ପୁରସ୍ତମ ପରିଶ୍ରା ଯାଇ ଆସି ଥଣ୍ଡା ପିଇଥିଲେ ଓ କିଛି ସମୟ ପରେ ପୁରସ୍ତମ ସେଠାରେ ଅଚେତ ଅବସ୍ଥାରେ ପଡିଯାଇଥିଲେ । ଦୁବୃର୍ତ୍ତମାନେ ପୁରସ୍ତମର ବେକରେ ଥିବା ଏକ ସୁନା ଚେନ, ଦୁଇଟି ମୁଦି, ମୋବାଇଲ ଓ କିଛି ଟଙ୍କା ନେଇ ଫେରାର ମାରିଥିଲେ । ପୁରସ୍ତମର ସାମାନ୍ୟ ଚେତା ଫେରିବା ପରେ ସେଠାରେ ପଡି ରହିଥିବା ବେଳେ ପରିବାର ଲୋକ ସୁଚନା ପାଇ ରାତିରେ ତାଙ୍କୁ ଉଦ୍ଧାର କରି ଆଣି ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଏନେଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।
ନୂତନ ଶିକ୍ଷକଙ୍କ ଯୋଗଦାନକୁ ବିରୋଧ କରି ବିଦ୍ୟାଳୟକୁ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ
ବୌଦ୍ଧ,୧୫/୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଶଙ୍କୁଲୋଇ ପଞ୍ଚାୟତର ରାଉତପଡା ପ୍ରାଥମିକ ବିଦ୍ୟାଳୟରେ ଏବେ ଅଚଳାବସ୍ଥା ଦେଖାଦେଇଛି । ବିଦ୍ୟାଳୟରେ ଜଣେ ସହାକାରୀ ଶିକ୍ଷକଙ୍କ ଯୋଗଦାନକୁ ନେଇ ଗତ ୮ ତାରିଖରୁ ଏହି ଅଚଳାବସ୍ଥାର ଦେଖାଦେଇଛି । ମିଳିଥିବା ସୁଚନା ମୁତାବକ ରାଉତପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚ ମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ବିଦ୍ୟାଳୟରେ ୪୨ଜଣ ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କିନ୍ତୁ ଗତ ୫ ତାରିଖରେ ଶିକ୍ଷା ବିଭାଗ ପକ୍ଷରୁ ଜଣେ ସହକାରୀ ଶିକ୍ଷକଙ୍କୁ ଉକ୍ତ ବିଦ୍ୟାଳୟକୁ ନିଯୁକ୍ତି ଦିଆଯାଇଛି ।
ମାତ୍ର ନୂତନ ଭାବେ ଯୋଗଦାନ କରିଥିବା ଶିକ୍ଷକଙ୍କୁ ଅଭିଭାବକ ମାନେ ଘୋର ବିରୋଧ କରିଛନ୍ତି । ତୁରନ୍ତ ବିଦ୍ୟାଳୟରୁ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବୀ କରିଛନ୍ତି । ଏନେଇ ଗତ ୮ ତାରିଖରେ ଅଭିଭାବକ ମାନେ ହରଭଙ୍ଗା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଜଣାଇବା ସହ ବିଦ୍ୟାଳୟକୁ ପିଲାଙ୍କୁ ଛାଡୁ ନାହାନ୍ତି । କିନ୍ତୁ ଘଟଣାକୁ ଶିକ୍ଷା ବିଭାଗ ହାଲୁକା ଭାବେ ନେଉଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନ ବିଦ୍ୟାଳୟକୁ କାଁଭାଁ ପିଲା ଆସୁଥିବା ବେଳେ ବହୁ ପିଲା ଅନୁପସ୍ଥିତ ରହୁଛନ୍ତି । ଏନେଇ ଗ୍ରାମରେ ଶନିବାର ବୈଠକ ହୋଇଥିବା ବେଳେ ଗ୍ରାମବାସୀ ନିଜ ଜିଦରେ ଅଟଳଥିବା ଜଣାପଡିଛି । ଶିକ୍ଷା ବିଭାଗ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

August 2024
M T W T F S S
 1234
567891011
12131415161718
19202122232425
262728293031