Indus Valley Times

ସରିଲା ଉପନିର୍ବାଚନ ମତଦାନ: ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

 Breaking News

ସରିଲା ଉପନିର୍ବାଚନ ମତଦାନ: ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

November 03
20:18 2020

ବାଲେଶ୍ୱର, ୩/୧୧: ବାଲେଶ୍ବର ଓ ତିର୍ତୋଲ ଉପନିର୍ବାଚନ ପାଇଁ ସରିଲା ମତଦାନ । ଇଭିଏମରେ ସିଲ୍ ହେଲା ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୬ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୭୦.୦୪ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ୍ କୁମାର ଲୋହାନୀଙ୍କ ସୂଚନା ଦେଇଛନ୍ତି । ଏହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୭୧ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୯.୯ ପ୍ରତିଶତ ରହିଛି। ଇଭିଏମରେ ସିଲ୍ ହୋଇଯାଇଛି ବାଲେଶ୍ବରରେ ୬ ଆଉ ତିର୍ତୋଲରେ ୯ ପ୍ରାର୍ଥୀଙ୍କ ଭାଗ୍ୟ ।
କିଛି ସ୍ଥାନରେ ଇଭିଏମ୍ରେ ତ୍ରୁଟି ଯୋଗୁଁ ଭୋଟଦାନ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହୋଇଥିଲା । ସେହିଭଳି ବାଲେଶ୍ବରରେ ଗୋଟିଏ ବୁଥରେ ପୋଲିସ କର୍ମଚାରୀ ଚିରିକୁଟି ବାଣ୍ଟୁଥିବା ଅଭିଯୋଗ ପରେ ସଂପୃକ୍ତ ବୁଥରୁ ୨ କର୍ମଚାରୀଙ୍କୁ ହଟାଇ ଦିଆଯାଇଥିଲା । ତଦନ୍ତରେ ପ୍ରମାଣ ମିଳିନଥିଲେ ମଧ୍ୟ ଜଣେ ବିଏଲଓ ଓ ଜଣେ ପୋଲିସ କର୍ମଚାରୀଙ୍କୁ ହଟାଇଦିଆଯାଇଥିବା କହିଥିଲେ ରାଜ୍ୟ ନିର୍ବାଚନ ଅଧିକାରୀ ।
ମଙ୍ଗଳବାର ଦିନ ସକାଳ ୭ଟାରୁ ଆରମ୍ଭ ହୋଇଯାଇଥିଲା ମତଦାନ ପ୍ରକ୍ରିୟା । ହେଲେ ସବୁଥର ଅପେକ୍ଷା ଏଥର ନିର୍ବାଚନରେ ଭୋଟଗ୍ରହଣ ବ୍ୟବସ୍ଥା ଥିଲା ଟିକେ ଅଲଗା । କରୋନା ମହାମାରୀ ସଂକ୍ରମଣ ସମୟରେ ଭୋଟିଂ ବ୍ୟବସ୍ଥା ନିର୍ବାଚନ କମିଶନଙ୍କ ପାଇଁ ଥିଲା ବଡ଼ ଆହ୍ବାନ । ଖାସ୍ ସେଇଥିପାଇଁ ଗୋଟିଏ ଗୋଟିଏ ବୁଥ୍ ପାଇଁ ମାତ୍ର ୧ ହଜାର ଭୋଟରଙ୍କ ମତ ସଂଗ୍ରହ ବ୍ୟବସ୍ଥା କରାଯାଇଥିଲା । ଯେଉଁଥିପାଇଁ ଉଭୟ ବାଲେଶ୍ବର ଓ ତିର୍ତେ୍ାଲରେ ବଢ଼ିଥିଲା ବୁଥ ସଂଖ୍ୟା । ବାଲେଶ୍ବରରେ ୧୯୮ବୁଥ ବଦଳରେ ୩୪୬ବୁଥ ଏବଂ ତିର୍ତୋଲରେ ୨୬୫ବୁଥ ବଦଳରେ ୩୭୩ବୁଥ କରାଯାଇଥିଲା । ସମସ୍ତ ବୁଥକୁ ସାନିଟାଇଜ୍ କରିବା ସହ ନିର୍ବାଚନ ଅଧିକାରୀଙ୍କୁ ପିପିଇ କିଟ୍ ଦିଆଯାଇଥିଲା ।
ସେହିଭଳି ବୁଥକୁ ଆସୁଥିବା ଭୋଟରଙ୍କ ଟେମ୍ପରେଚର ମପାଯିବା ସହ ସେମାନଙ୍କୁ ଗୋଟିଏ ଗୋଟିଏ ଗ୍ଲୋବ୍ସ୍ ଯୋଗାଇଦିଆଯାଇଥିଲା । ମାସ୍କ ବାଧ୍ୟତାମୂଳକ କରାଯାଇଥିଲା । ଗ୍ଲୋବସ୍ ପିନ୍ଧି ସେମାନେ ଇଭିଏମ୍ ବଟନ୍ ଚିପିବା ପରେ ସେଇ ଗ୍ଲୋବ୍ସକୁ ପାଖରେ ଥିବା ଡଷ୍ଟବିନ୍ରେ ପକାଇବାର ବ୍ୟବସ୍ଥା କରାଯାଇଥିଲା । ସୋସିଆଲ୍ ଡିଷ୍ଟାନ୍ସ ମେଣ୍ଟେନ୍ କରିବା ସହ ଜଣ ଜଣ କରି ଭୋଟ୍ ଦେବାକୁ ଅନୁମତି ଦିଆଯାଉଥିଲା । ଅନେକ ବୃଦ୍ଧ ବୃଦ୍ଧା ଏବଂ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ହ୍ବିଲ୍ ଚେୟାର ବ୍ୟବସ୍ଥା କରାଯାଇଥିଲା । ଏସବୁ ଭିତରେ ମତଦାନ କରିବାକୁ ଆସିଥିବା ଯେଉଁ ଭୋଟରଙ୍କ ଶରୀରର ତାପମାତ୍ରା ଅଧିକ ରହୁଥିଲା ସେମାନଙ୍କୁ ଟୋକନ୍ ଦିଆଯାଇ ଅପେକ୍ଷା କରିବାକୁ କୁହାଯାଇଥିଲା । କୋଭିଡ୍ ଲକ୍ଷଣ ଥିବା କିମ୍ବା ଅଧିକ ଟେମ୍ପରେଚର ଥିବା ଭୋଟରଙ୍କ ପାଇଁ ସଂଧ୍ୟା ୫ଟାରୁ ୬ଟା ୧ଘଣ୍ଟା ପାଇଁ ଭୋଟ ଦେବାକୁ ବ୍ୟବସ୍ଥା କରାଯାଇଥିଲା । ଏହି ଭୋଟରମାନେ ଭୋଟ୍ ଦେବା ପରେ ବୁଥଗୁଡ଼ିକରେ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀମାନେ ପିପିଇ କିଟ୍ ପିନ୍ଧି ବସିଥିବା ଦେଖିବାକୁ ମିଳିଥିଲା । ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ପରଖି ପଞ୍ଚାୟତ ନନ୍ଦଚକର ଜଙ୍ଗଲ ଘେରି ଗାଁର ଲୋକେ ଭୋଟ୍ ବର୍ଜନ କରିଥିଲେ । ସେମାନଙ୍କ ରାସ୍ତା ସମସ୍ୟା ସମାଧାନ ହୋଇନଥିବାରୁ ଗାଁର ୧୨୬ଜଣ ଭୋଟର ମତଦାନ କରିନଥିଲେ । କୋଭିଡ୍ କଟକଣା ଭିତରେ ଭୋଟ୍ ହେଉଥିବାରୁ ଭୋଟରଙ୍କ ପାଇଁ ଏହା ଏକ ଭିନ୍ନ ଅନୁଭବ ସୃଷ୍ଟି କରିଥିଲା । ବାଲେଶ୍ବର ଓ ତିର୍ତେ୍ାଲ ଉଭୟ ନିର୍ବାଚନ ମଣ୍ଡଳୀର କିଛି ସ୍ଥାନରେ ଆଦର୍ଶ ବୁଥ କରାଯାଇଥିବା ବେଳେ ଅନ୍ୟ ବୁଥ ଗୁଡ଼ିକରେ ପିଇବା ପାଣି ବ୍ୟବସ୍ଥା କିମ୍ବା ଭୋଟରଙ୍କ ପାଇଁ ଟେଣ୍ଟ୍ ବ୍ୟବସ୍ଥା କରାଯାଇ ନଥିବାରୁ କିଛି ଯାଗାରେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ ଭୋଟର । ତେବେ କାଁ ଭାଁ ଗଣ୍ଡଗୋଳକୁ ବାଦ୍ ଦେଲେ ଉଭୟ ନିର୍ବାଚନମଣ୍ଡଳୀର ପ୍ରାୟ ସବୁ ଯାଗାରେ ଶାନ୍ତି ଶୃଙ୍ଖଳାରେ ସରିଛି ଉପନିର୍ବାଚନ ମତଦାନ ପ୍ରକ୍ରିୟା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031