Indus Valley Times

୨୦୨୪ ଫେବ୍ରୁଆରୀରେ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ୩ ଦିନ ଧରି ଅନୁଷ୍ଠିତ ହେବ

 Breaking News

୨୦୨୪ ଫେବ୍ରୁଆରୀରେ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ୩ ଦିନ ଧରି ଅନୁଷ୍ଠିତ ହେବ

୨୦୨୪ ଫେବ୍ରୁଆରୀରେ ହେବ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ, ୩ ଦିନ ଧରି ଅନୁଷ୍ଠିତ ହେବ
December 19
19:56 2023

ଭୁବନେଶ୍ୱର,୧୯/୧୨:ଆସନ୍ତାବର୍ଷ ଫେବୃୟାରୀ ମାସରେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ହେବ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ, ଆଜି ଐତିହ୍ୟ କ୍ୟାବିନେଟ୍ ବୈଠକରେ ଆସନ୍ତା ଫେବୃୟାରୀ ମାସରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ପାଇଁ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଏ ସମ୍ପର୍କରେ ଅଧିକ ସୂଚନା ଦେଇ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା ଓ ସଂସ୍କୃତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଥମଥର ପାଇଁ ଭୁବନେଶ୍ୱରରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ହେବ।
ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଭାଗରେ ଥିବା ଭାଷାବିତ୍ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ । ଏହି ସମ୍ମିଳନୀ ୩ଦିନ ଧରି ଚାଲିବ । ଏଥିରେ କେବଳ ଓଡ଼ିଆ ଭାଷା ନୁହେଁ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମସ୍ତ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଦିଗରେ ଅଧିକ କ’ଣ ପଦକ୍ଷେପ ନିଆଯାଇପାରିବ ତା’ଉପରେ ବିସ୍ତୃତ ଆଲୋଚନା ହେବ । ସମ୍ମିଳନୀକୁ ଆସିଥିବା ଗବେଷକ ଓ ବିଶେଷଜ୍ଞମାନଙ୍କ ମତାମତ ସଂଗ୍ରହ କରାଯିବ । ଭାଷା ବୈଜ୍ଞାନିକମାନଙ୍କୁ ମଧ୍ୟ ନିଜର ଗବେଷଣାଲବ୍ଧ ତଥ୍ୟ ଉପସ୍ଥାପନ କରିବାର ସୁଯୋଗ ମିଳିବ ।
ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଆ ଭାଷାର ପ୍ରଚାର-ପ୍ରସାର ଓ ସଂରକ୍ଷଣ ଏବଂ ଯୁବବର୍ଗଙ୍କ ମଧ୍ୟରେ ଓଡ଼ିଆ ଭାଷା ପ୍ରତି ଆକର୍ଷଣ ବୃଦ୍ଧି କରିବା । ଏହି ସମ୍ମିଳନୀରେ ଓଡ଼ିଆ ଭାଷାର ଗବେଷକଙ୍କ ସମେତ ବିଶ୍ୱରେ କାର୍ଯ୍ୟ କରୁଥିବା ବିଭିନ୍ନ ଭାଷାର ବୈଜ୍ଞାନିକ ଓ ଗବେଷକମାନଙ୍କୁ ଆମନ୍ତ୍ରଣ କରାଯିବ ।
ସ୍କୁଲ,କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ପିଲାମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରାଯାଇ ସେମାନଙ୍କ ମଧ୍ୟରେ ଭାଷା ଜ୍ଞାନକୁ କିଭଳି ଅଧିକ ରୁଦ୍ଧିମନ୍ତ କରିହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ଓଡ଼ିଆ ଭାଷାକୁ ପ୍ରଫେସନାଲ କୋର୍ସରେ କିଭଳି ସାମିଲ କରାଯିବ ଓ ଡିଜିଟାଲ ଯୁଗରେ ଓଡ଼ିଆ ଓ ସ୍ଥାନୀୟ ଭାଷାର ପ୍ରଚାରପ୍ରସାର ଉପରେ ମଧ୍ୟ ଏହି ସମ୍ମିଳନୀରେ ବିସ୍ତୃତ ଆଲୋଚନା ହେବ ।
ଏହି ୩ଦିନିଆ ସମ୍ମିଳନୀରେ ସଂସ୍କୃତି ବିଭାଗ ସମେତ ରାଜ୍ୟ ସରକାରଙ୍କ ଅନ୍ୟ ପ୍ରମୁଖ ବିଭାଗଗୁଡ଼ିକ ସାମିଲ ହେବେ । ବିଶ୍ୱରେ ରହୁଥିବା ବିଭିନ୍ନ ଓଡ଼ିଆ ସଂଗଠନ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର କରୁଥିବା ଗବେଷକ ଓ ବ୍ୟକ୍ତିମାନଙ୍କୁ ମଧ୍ୟ ଏହି ସମ୍ମିଳନୀରେ ସାମିଲ କରାଯିବ ବୋଲି ଶ୍ରୀ ଜେନା କହିଛନ୍ତି ।
ଖୁବଶୀଘ୍ର ସରକାରୀସ୍ତରରେ ବୈଠକ ବସି କେବେ ଏହି ସମ୍ମିଳନୀ ହେବ ତା’ର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘବର୍ଷ ପରେ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଓଡ଼ିଆ କାର୍ଡ ଖେଳିବା ଉଦ୍ଦେଶ୍ୟରେ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ର ଆୟୋଜନ କରୁଥିବା ଚର୍ଚ୍ଚା ହେଉଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930