Indus Valley Times

୬୫ତମ ଜିଲ୍ଲାସ୍ତରୀୟ ଶହିଦ ଦିବସ ପାଳିତ

 Breaking News

୬୫ତମ ଜିଲ୍ଲାସ୍ତରୀୟ ଶହିଦ ଦିବସ ପାଳିତ

୬୫ତମ ଜିଲ୍ଲାସ୍ତରୀୟ ଶହିଦ ଦିବସ ପାଳିତ
October 22
17:03 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୦: ବୌଦ୍ଧ ଜିଲ୍ଲା ପୋଲିସ ଓ ୫ମ ଆଇଆରବି ପକ୍ଷରୁ ବଲାସିଙ୍ଗା ସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ଠାରେ ସୋମବାର ଦିନ ୬୫ ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାଗରାଜ ଦେୱରକୋଣ୍ଡା ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିବା ସହିତ ଗତ ଏକବର୍ଷ ମଧ୍ୟରେ ଦେଶ ମାତୃକାର ସେବା କରି ସହୀଦ ହୋଇଥିବା ଯବାନଙ୍କ ନାମ ପାଠ କରିଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ଆରକ୍ଷୀ ଅଧିକ୍ଷକ ଶ୍ରୀ ଦେବରକୋଣ୍ଡା ଓ ସ୍ୱତନ୍ତ୍ର ଅତିଥି ଭାବରେ ଉପସ୍ଥିତ ଥିବା ବୌଦ୍ଧ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଅନ୍ୟାନ୍ୟ ପୁଲିସ ଅଧିକାରୀଙ୍କ ସହିତ ସହୀଦମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅପ୍ରଣ କରିଥିଲେ ଏବଂ ସହୀଦ ପରିବାରମାନଙ୍କ ପ୍ରତି ଅନ୍ତରରୁ ନିଜର ସମବେଦନା ଜ୍ଞାପନ କରି ପରିବାରବର୍ଗଙ୍କୁ ପୁଷ୍ପଗୁଛ ଓ ଉପେଢୌକନ ଦେଇ ସମ୍ବର୍ଦ୍ଧିତ କରିବାସହିତ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ ।
ଏହି ଅବସରରେ ବୌଦ୍ଧ ଆଇଆରବି ର ଯବାନ ସହୀଦ ପ୍ରଦ୍ୟୁମ୍ନ ପଣ୍ଡାଙ୍କ ମାଆଙ୍କୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ମାନୀତ କରାଯାଇଥିଲା । ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ୍ ବ୍ରହ୍ମାନନ୍ଦ ମଲିକ ପ୍ୟାରେଡ ପରିଚାଳନା କରିଥିଲେ ।
ଆଇଆରବି ଡେପୁଟି କମାଣ୍ଡାଣ୍ଟ୍ ସଦାଶିବ ଧରୁଆ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ରିଜର୍ଭ ଇନିସପେକ୍ଟର କୁଳମଣି ଗିରି ଧନ୍ୟବାଦ ପ୍ରଦାନ କରିଥିଲେ । ଜିଲ୍ଲାକୁ ତାଲିମ ପାଇଁ ଆସିଥିବା ଆଇପିଏସ ସୋନାଲି ସିଂ ପରମାର , ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି , ବୌଦ୍ଧ ଆଦର୍ଶ ଥାନା ଅଧିକାରୀ ରଞ୍ଜିତ କୁମାର ମୁନୀ ଓ ଜିଲ୍ଲା ସ୍ତରୀୟ ପୋଲିସ ଅଧିକାରୀ ମାନେ ଯୋଗ ଦେଇ ସହିଦ ମାନଙ୍କୁ ଶ୍ରଦ୍ଧାଂଜଳି ପ୍ରଦାନ କରିଥିଲେ । ଜିଲ୍ଲା ପୋଲିସ ଓ ପଂଚମ ଆଇଆରବି ବାଟାଲିଅନ ପକ୍ଷରୁ ପ୍ୟାରେଡ ଅନୁଷ୍ଠିତ ହୋଇଥିଲା ।
ତାଲବାହାଲ ଲକ୍ଷ୍ମଣ ମିର୍ଦ୍ଧା ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ
ବୌଦ୍ଧ,୨୨/୧୦: ବୌଦ୍ଧ ଥାନା ହରଭଙ୍ଗା ବ୍ଲକ ତାଲବାହାଲ ଗ୍ରାମର ଲକ୍ଷ୍ମଣ ମିର୍ଦ୍ଧାକୁ ପୁରୁଣାକଟକ ଥାନା ମଣିପୁର ଗ୍ରାମର ମେଣ୍ଡିଖାଇ ପାହାଡ ନିକଟରେ ଥିବା ଏକ ନର୍ସରୀରେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ପୁରୁଣାକଟକ ପୋଲିସ ଘଟଣାର ଛଅ ଦିନ ପରେ ଆଜି ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଏହି ହତ୍ୟାକାଣ୍ଡ ପୁର୍ବଶତୃତାକୁ ନେଇ ହୋଇଥିବା ପୁରୁଣାକଟକ ପୋଲିସ ସୁଚନା ଦେଇଛି । ଗିରଫ ୍‌ଦୁଇ ଅଭିଯୁକ୍ତ ହେଲେ ବୌଦ୍ଧ ଥାନା ସରସରା ଗ୍ରାମର ପବିତ୍ର ମିର୍ଦ୍ଧା ( ୩୫) ଓ ତାଲବାହାଲ ଗ୍ରାମର ହରି ଓରଫ ହରିଶ୍ଚନ୍ଦ୍ର ମିର୍ଦ୍ଧା (୨୮) ବୋଲି ପୋଲିସ ସୂଚନା ଦେଇଛି । ମାମଲାରୁ ପ୍ରକାଶ ଯେ ଗତ ୧୪.୧୦.୨୪ରେ ବୌଦ୍ଧ ଥାନା ତାଲବାହାଲ ଗ୍ରାମର ଲକ୍ଷ୍ମଣ ମିର୍ଦ୍ଧାଙ୍କ ଶବ ପୁରୁଣାକଟକ ଥାନା ଅର୍ନ୍ତଗତ ମଣିପୁର ମେଣ୍ଡିଖାଇ ପାହାଡ ନିକଟରେ ଥିବା ଏକ ନର୍ସରୀରୁ ମିଳିଥିଲା । ଧାରୁଆ ଅସ୍ତ୍ରରେ ଲକ୍ଷ୍ମଣର ତଣ୍ଟି କାଟିବା ସହ ପେଟକୁ କାଟି ହତ୍ୟା କରାଯାଇଥିଲା । ଏନେଇ ପୁରୁଣାକଟକ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା । ଏନେଇ ପୁରୁଣାକଟକ ଥାନା କେସନଂ ୧୪୭/୨୪ରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ପୁଲିସ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ନେଇ ତଦନ୍ତ ଆରମ୍ଭ କରିଥିଲା । ଏହା ଏକ ହତ୍ୟା ବୋଲି ଜାଣିପାରିଥିଲା । ପୁରୁଣାକଟକ ପୋଲିସ ଘଟଣାର ଛଅ ଦିନ ପରେ ଏହି ହତ୍ୟା ମାମଲାରେ ବୌଦ୍ଧ ଥାନା ସରସରା ଗ୍ରାମର ପବିତ୍ର ମିର୍ଦ୍ଧା ( ୩୫) ଓ ତାଲବାହାଲ ଗ୍ରାମର ହରି ଓରଫ ହରିଶ୍ଚନ୍ଦ୍ର ମିର୍ଦ୍ଧା (୨୮)କୁ ରବିବାର ଦିନ ଲୁଣିବାହାଲ ଠାରୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ ମୃତ ଲକ୍ଷ୍ମଣର କପା ଚାଷକୁ ନେଇ ପବିତ୍ର ସହ ଶତୃତା ଥିବା ବେଳେ ହରିଶ୍ଚନ୍ଦ୍ର ସହ ପୂର୍ବରୁ ଶତୃତା ରହିଥିବା ନେଇ ସୁଚନା ଦେଇଛି ।
ଫଳରେ ପୁର୍ବ ଶତୃତାକୁ ନେଇ ହତ୍ୟା କରାଯାଇଥିବା ପୁରୁଣାକଟକ ଥାନ ଅଧିକାରୀ ଶାରଦା ପ୍ରଶନ୍ନ ଦାସ ସୁଚନା ଦେଇଛନ୍ତି । ଏହା ସହ ଅଭିଯୁକ୍ତ ମାନଙ୍କ ଠାରୁ ଦୁଇଟି ଛୁରୀ ଓ ଗୋଟିଏ ମଟର ସାଇକେଲ ଜବତ ହୋଇଥିବା ସୁଚନା ଦେଇଥିଲେ । ଦୁଇ ଅଭିଯୁକ୍ତକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ଦାସ ସୁଚନା ଦେଇଥିଲେ ।
ଜିଲ୍ଲାରେ ଭିତି ଭୂମିର ଅଭାବ ଯୋଗୁଁ ଆଗକୁ ବଢି ପାରୁନାହାନ୍ତି ହକି ଖେଳାଳି
ବୌଦ୍ଧ,୨୨/୧୦: ବୌଦ୍ଧ ଜିଲ୍ଲାରେ ଖେଳାଳୀ ମାନଙ୍କ ପାଖରେ ନିଖୁଣ ପ୍ରତିଭା ଭରି ରହିଥିବା ବେଳେ ଭିତିଭୂମିର ଅଭାବ ରହିଛି । ଯାହାଫଳରେ ଖେଳାଳୀମାନେ ଆଗକୁ ବଢି ପାରୁନାହାନ୍ତି । ଯଦି ଭିତିଭୂମିର ବିକାଶ ନାହିଁ । ତାହାହେଲେ ସେ କ୍ରୀଡାର ବିକାଶ ହେବା କଷ୍ଟକର ହୋଇପଡିଥାଏ । କ୍ରିଡାର ବିକାଶ ପାଇଁ ଭିତିଭୂମିର ବିକାଶ ଆବଶ୍ୟକତା ରହିଛି । ଯାହାଦ୍ୱାରା ଉକ୍ତ କ୍ରୀଡାର ବିକାଶ ହୋଇପାରିବ । ବୌଦ୍ଧ ଜିଲ୍ଲାରେ ହକିର ବିକାଶ ପାଇଁ କିଣା ଯାଇଥିବା ହକି ଉପକରଣ ଭିତିଭୂମିର ଅଭାବ ଯୋଗୁଁ ଖେଳାଳୀମାନେ ଆଗକୁ ବଢି ପାରୁନାହାନ୍ତି । ସୂଚନା ମତେ,ବୌଦ୍ଧଜିଲ୍ଲାରେ ହକି ଖେଳର ବିକାଶ ପାଇଁ ୨୦୨୨ ମସିହାରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ବିଦ୍ୟାଳୟର ପାଣ୍ଠିରୁ ହକି ଉପକରଣ କିଣାଯାଇ ତାହାକୁ ଜିଲ୍ଲାର ୭୭ଟି ବିଦ୍ୟାଳୟରେ ବିତରଣ କରାଯାଇଥିଲା । ହେଲେ ବିଭିନ୍ନ ସମସ୍ୟା ବିଶେଷ କରି ପଡିଆ ସମସ୍ୟା ଯୋଗୁଁ ହାତ ଗଣତି କେତେକ ବିଦ୍ୟାଳୟରେ ଖେଳ ଖେଳାଯାଉଥିବା ବେଳେ ପ୍ରାୟ ସମସ୍ତ ବିଦ୍ୟାଳୟ ଗୁଡଡିକରେ ଉପକରଣ ବନ୍ଧା ହୋଇ ରହିଛି । ଜିଲ୍ଲାରେ ହକି ପାଇଁ ଉପକରଣ ସବୁ କିଣାଗଲା ହେଲେ କିପରି ଖେଳାଯିବ ତାହାର ଭିତିଭୂମି ଉପରେ ପ୍ରଶାସନ ଦୃଷ୍ଟି ଦେଲା ନାହିଁ । ଜିଲ୍ଲାର ଅନେକ ବିଦ୍ୟାଳୟରେ ପଡିଆର ଅଭାବ ରହିଛି । ଏବଂ ଯେଉଁ ବିଦ୍ୟାଳୟ ଗୁଡିକରେ ପଡିଆ ଅଛି ତାହା ହକି ଖେଳ ଉପଯୋଗୀ ନୁହେଁ ।
ଏପରି ସ୍ଥଳେ ଜିଲ୍ଲାର ଯେଉଁ କେତଟି ବିଦ୍ୟାଳୟରେ ହକି ଖେଳ ଖେଳାଯାଉଛି । ସେହି ବିଦ୍ୟାଳୟର ଛାତ୍ରମାନେ ୨୦୨୩ ବର୍ଷ ଜିଲ୍ଲାରୁ ରାଜ୍ୟସ୍ତୟରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷ ଜିଲ୍ଲା ଷ୍ଟାଡିୟମ ଠାରେ ମାତ୍ର ଚାରିଦିନ ଆବଡା ଖାବଡା ପଡିଆରେ ପିଲାଙ୍କୁ ତାଲିମ ଦିଆଯାଇଥିଲା । ଏବଂ ସୁନ୍ଦରଗଡ ଠାରେ ଚାଲିଥିବା ବିଦ୍ୟାଳୟ ହକି ପ୍ରତିଯୋଗୀତାରେ ଉତ୍ତମ କ୍ରୀଡା ପ୍ରଦର୍ଶନ କରି ପ୍ରଥମ ମ୍ୟାଚ ବିଜୟ ହେବାରେ ସଫଳ ହୋଇଛନ୍ତି । ଯଦି ଏହି ହକି ଖେଳାଳୀଙ୍କୁ ପ୍ରୋତ୍ସାହନ ଦିଆଯାଏ ତାହାହେଲେ ଆଗାମୀ ଭବିଶ୍ୟତରେ ସେମାନେ ହକିରେ ଜିଲ୍ଲା ପାଇଁ ଗୌରବ ଆଣିପାରିବେ ।
ଯଦି ଖେଳାଳିମାନଙ୍କ ପ୍ରଶିକ୍ଷଣ ପାଇଁ ଉତ୍ତମ ପ୍ରଶିକ୍ଷକ ଯୋଗାଇ ଦେବା ସହିତ ପଡିଆ ଗୁଡିକୁ ଖେଳ ଉପଯୋଗୀ କରାଯାଇ ପାରନ୍ତା ଏବଂ ଛାତ୍ରମାନଙ୍କୁ ପ୍ରତ୍ସାହନ ଯୋଗାଇ ଦିଆଗଲେ ଜିଲ୍ଲାରୁ ଆଗକୁ ବହୁ ହକି ଖେଳାଳି ବାହାରି ପାରନ୍ତେ ବୋଲି କ୍ରୀଡାବିତଙ୍କ ମହଲ ମତ ପ୍ରକାଶ ପାଉଛି । ଜିଲ୍ଲାରେ ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଦ୍ୟାଳୟ ଗୁଡିକରେ ଥିବା ପଡିଆର ବିକାଶ ପାଇଁ ଯଦି ପ୍ରଶାସନ ଆଗେଇ ଆସନ୍ତା ତାହାହେଲେ ପଡିଆର ସମସ୍ୟା ହୁଅନ୍ତା ନାହିଁ ।
ଓଏଏସ ପାଇଲେ ପ୍ରଭାକର ଦୀପ
ବୌଦ୍ଧ,୧୯/୧୦: ଓଡିଶା ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ପଂଚାୟତ ନୂଆପଡା ଗ୍ରାମର ପ୍ରଭାକର ଦୀପ ୧୫୪ ର‌୍ୟାଙ୍କ ରଖି ଉତିନ୍ନ ହୋଇଛନ୍ତି ।
ଏହି ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କ ପରିବାରରେ ଆନନ୍ଦର ଲହରି ଖେଳି ଯାଇଛି । ତାଙ୍କ ବାପା ଲକ୍ଷ୍ମୀଧର ଦୀପ ଶିକ୍ଷକତା କରୁଥିବା ବେଳେ ମା ସଂଯୁକ୍ତା ଦୀପ ଗୃହିଣୀ ଅଟନ୍ତି । ପ୍ରଭାକରଙ୍କ ଭାଇ ପ୍ରଦ୍ୟୁମ୍ନ ଦୀପ ମଧ୍ୟ ଗତ ବର୍ଷ ପ୍ରକାଶ ପାଇଥିବା ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଛା ମିଳିଛି ।
ଶିକ୍ଷକ ଦାବିରେ ଘୋରଡା ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ
ବୌଦ୍ଧ,୨୧/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବିରନରସିଂହପୁର ପଂଚାୟତର ଘୋରଡା ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖାଦେଇଥିବା ଶିକ୍ଷକ ସମସ୍ୟାର ସମାଧାନ ଦାବିରେ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ମାନେ । ସୂଚନା ମତେ, ଘୋରଡା ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଟି ଗୃହରେ ଜଣେ ମାତ୍ର ଶିକ୍ଷକରେ ଚାଲୁଅଛି । ଫଳରେ ଶିକ୍ଷାଦାନରେ ବାଧା ଉପୁଜୁଛି ଫଳରେ ଆଜି ଗ୍ରାମବାସୀ ଅତିଷ୍ଟ ହୋଇ ସ୍କୁଲ ଫାଟକରେ ତାଲା ପକାଇଛନ୍ତି । ମାତ୍ର ଜଣେ ଶିକ୍ଷକରେ ବିଦ୍ୟାଳୟ ଚାଲୁ ଥିବାରୁ ଶିକ୍ଷାଦାନ ଠପ ହୋଇପଡିଛି । ଛାତ୍ରଛାତ୍ରୀମାନଙ୍କ ଭବିଶ୍ୟତ ଦିନକୁ ଦିନ ଆନ୍ଧାର ଆଡକୁ ଠେଲି ହୋଇଯାଉଛି ।
ଏ ସଂପର୍କରେ ଶିକ୍ଷା ବିଭାଗର ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ ଫଳ ଶୂନ୍ୟ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ଏହି ବିଦ୍ୟାଳୟଟି ୧୮୯୦ ମସିହାରେ ସ୍ଥାପନ ହୋଇଥିବା ବେଳେ ଏହା ଏକ ପୁରାତନ ବିଦ୍ୟାଳୟ ଅଟେ । ଗ୍ରାମବାସୀମାନଙ୍କ ଦାବିକୁ ଶିକ୍ଷା ବିଭାଗ ଅଣଦେଖା କରିବାରୁ ଆଜି ବାଧ୍ୟ ହୋଇ ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ । ଏହି ଆନ୍ଦୋଳନରେ ମଧ୍ୟ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ଖବର ପାଇ ଏବିଓ ଓ ସିଆରସିସି ଘଟଣାସ୍ଥଳରେ ପହଂଚି ଦାବି ପୂରଣ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନ କାରୀମାନେ ଆନ୍ଦୋଳନରୁ ଓହରିଥିଲେ ।
ପୁରୁଣାକଟକ ଠାରେ ଉଦଘାଟିତ ହେଲା ଶ୍ରମିକ ସମବାୟ ସମିତି ସପିଙ୍ଗ ମଲ
୨୧/୧୦: ଓଡିଶା ରାଜ୍ୟ ଶ୍ରମିକ ସମବାୟ ସମିତି ପକ୍ଷରୁ ଆଜି ପୁରୁଣାକଟକ ଠାରେ ହିତାଧିକାରୀ ଙ୍କ ପାଇଁ ରିହାତି କିରାନା ଦୋକାନ ବା ସପିଙ୍ଗ ମଲ ଉଦଘାଟିତ ହୋଇଯାଇଛି ।
ଅନୁଷ୍ଠାନର ସହରର ଟିଭିଏସ୍ ଶୋରୁମ୍ ସମ୍ମୂଖ ଠାରେ ଆରମ୍ଭ ହୋଇଥିବା ଏହି ଦୋକାନରୁ ଅନୁଷ୍ଠାନ ରେ ପଞ୍ଜିକୃତ ହିତାଧିକାରୀ ମାନେ ରିହାତି ମୂଲ୍ୟରେ ସମସ୍ତ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ ଘର ବ୍ୟବହାର ସାମଗ୍ରୀ ପାଇପାରିବେ । ଏହି ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବ ରେ ସ୍ଥାନୀୟ ସରପଞ୍ଚ ଆଶୋକ ସେଠୀ ଯୋଗଦେଇ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ମଲ ଲୋକଙ୍କର ଆବଶ୍ୟକତା ପୂରଣ କରିବାରେ ନିଶ୍ଚିତ ସହାୟକ ହେବ । ଏହି ଯୋଜନାରେ ଅଧିକରୁ ଅଧିକ ଲୋକଙ୍କୁ ଯୋଡିବା ପାଇଁ ଶ୍ରୀ ସେଠି ପରାମର୍ଶ ଦେଇଥିଲେ ।
ଏହି ଜନକଲ୍ୟାଣ ଯୋଜନା ସାଧାରଣ ଗରିବ ଲୋକଙ୍କର ଆସ୍ଥା ଭାଜନ ହୋଇ ପାରିବ ବୋଲି ସେ ଆସ୍ଥା ପ୍ରକଟ କରିଥିଲେ । ଏହି ଉଦଘାଟନୀ ସମାରୋହରେ ଅନ୍ୟ ମାନଙ୍କ ମଧ୍ୟରେ ଜ଼ିଲ୍ଲା ଶାଖା ପରିଚାଳକ ରୂପେଶ କୁମାର ଦାଶ, ଅବିଏମ୍ ବବିତା ସାହୁ, ପିଇଓ ଶାନ୍ତନୁ ନାଏକ୍ ସମେତ ଅନ୍ୟାନ କ୍ଷେତ୍ର କର୍ମଚାରୀ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031