Indus Valley Times

୬ ବର୍ଷ ବିତିଯାଇଥିଲେ ମଧ୍ୟ ଧଳପୁର- ଆଠମଲ୍ଲି ଓ – ମର୍ଜାକୁଦ ସେତୁ କାର୍ଯ୍ୟ ଶେଷହେବ ନହେବାରୁ ଜନ ଅସନ୍ତୋଷ ବଢ଼ୁଛି

 Breaking News

୬ ବର୍ଷ ବିତିଯାଇଥିଲେ ମଧ୍ୟ ଧଳପୁର- ଆଠମଲ୍ଲି ଓ – ମର୍ଜାକୁଦ ସେତୁ କାର୍ଯ୍ୟ ଶେଷହେବ ନହେବାରୁ ଜନ ଅସନ୍ତୋଷ ବଢ଼ୁଛି

August 21
22:44 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୧/୮: ବୌଦ୍ଧଜିଲ୍ଲାର ବହୁ ପ୍ରତିକ୍ଷିତ ଧଳପୁର- ଆଠମଲ୍ଲି ଓ ବୌଦ୍ଧ- ମର୍ଜାକୁଦ ସେତୁ କାର୍ଯ୍ୟ ମନ୍ଥର ଗତିରେ ଚାଲୁ ରହିଥିବାରୁ ଏହାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ଠିକାସଂସ୍ଥା ନିଜ ମର୍ଜିରେ କାମ କରୁଥିବାରୁ ସେତୁ କାର୍ଯ୍ୟ ସରିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି । ସେତୁର ନିର୍ମାଣ କାର୍ଯ୍ୟ ସଂପୁର୍ଣ୍ଣ ହେବାର ଅବଧି ଶେଷ ହୋଇ ସାରିଥିବା ବେଳେ କାର୍ଯ୍ୟର ଅବଧି ବଡାଇ ସଂସ୍ଥା ପକ୍ଷରୁ କାମ ଚାଲୁ ରହିଛି । ମହାନଦୀରେ ଡଙ୍ଗା ସାହାର୍ଯ୍ୟରେ ବିପଦ ପୂର୍ଣ୍ଣ ଭାବରେ ଯିବା ଆସିବା କରିବା ସମୟରେ ବିଭିନ୍ନ ସମୟରେ ଡଙ୍ଗା ବୁଡି ଘଟଣାମାନ ଘଟୁଛି । ଯଦି ଠିକ ସମୟରେ ଏହି ଦୁଇ ସେତୁ କାର୍ଯ୍ୟ ଶେଷ ହୋଇ ପାରନ୍ତା ତାହାହେଲେ ଡଙ୍ଗା ବୁଡି ଘଟଣା ଦେଖିବାକୁ ମିଳନ୍ତା ନାହିଁ ଲୋକଙ୍କ ଧନ ଜୀବନ ସୁରକ୍ଷିତ ରହନ୍ତା ।
ମିଳିଥିବା ସୂଚନା ଅନୁଯାଇ, ଦକ୍ଷିଣ ଓଡିଶା ସହିତ ଉତ୍ତର ଓଡିଶା ମଧ୍ୟରେ ଗମନା ଗମନର ସୁବିଧା ପାଇଁ ମହାନଦୀ ଉପରେ ବୌଦ୍ଧଜିଲ୍ଲା ଧଳପୁର ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ମଧ୍ୟରେ ଏକ ସେତୁର ଆବଶ୍ୟକତାକୁ ଦେଖି ସରକାର ୨୦୧୫ ମସିହାରେ ଧଳପୁର- ଆଠମଲ୍ଲିକ ସେତୁର ଶିଳାନ୍ୟାସ କରିଥିଲେ । ହେଲେ ଏହି ଭିତରେ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁର ନିର୍ମଣା କାର୍ଯ୍ୟ ଶେଷ ହୋଇପାରୁ ନାହିଁ । ଯାହାଫଳରେ ସ୍ଥାନିୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ତିନି କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବା ଏହି ସେତୁର କାର୍ଯ୍ୟକୁ ଗୁଜୁରାଟ ରାଜ୍ୟର ଏକ ଠିକସଂସ୍ଥା କୁ ୧୬୮ କୋଟି ଅଟକଳ ରେ ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟାଦେଶ ମିଳିଥିଲା । ୨୦୧୯ ମସିହା ଡିସେମ୍ବର ଶେଷ ସୁଦ୍ଧା ପ୍ରକଳ୍ପ ସମାପ୍ତ କରିବା ପାଇଁ ଧାର୍ଯ୍ୟ ସମୟ ଦିଆଯାଇଥିଲା । ହେଲେ ଏହି ସେତୁ ନିର୍ମାଣ କାର୍ଯ୍ୟ ଆଣ୍ଟେଇ ପଡିଛି । କାର୍ଯ୍ୟ ମନ୍ଥର ଗତିରେ ଚାଲିଛି କାର୍ଯ୍ୟ । ଏହା ପୂର୍ତ୍ତ ବିଭାଗ ଅଧିନରେ ଚାଲୁ ରହିଥିବା ବେଳେ ଏହାର ସମସ୍ତ ତଦାରଖ କାର୍ଯ୍ୟ ଅନ୍ୟ ଏକ ସଂସ୍ଥା କରୁଛି । ଯାହାଫଳରେ ଠିକା ସଂସ୍ଥା ପୂର୍ତ୍ତ ବିଭାଗ ନିୟନ୍ତ୍ରଣ ବାହାରେ ରହିଛି । ଓଡିଶାର ଜୀବନ ରେଖା କୁହାଯାଇଥିବା ମହାନଦୀ ଉପରେ ଧଳପୁର- ଆଠମଲ୍ଲିକ ସେତୁ ନିର୍ମାଣ ସଂପୁର୍ଣ୍ଣ ହେଲେ ପଶ୍ଚିମ , ଉତ୍ତର ଏବଂ ଦକ୍ଷିଣ ଓଡିଶା କୁ ସଂଯୋଗ କରିବା ସହ ଦୂରତା ହ୍ରାସ ପାଇ ଗମନାଗମନ ର ସର୍ବନିମ୍ନ ବ୍ୟବଧାନ କୁ ଆଖି ଆଗରେ ରଖି ଅଂଚଳବାସୀ ଙ୍କ ଦାବୀ କୁ ଗୁରୁତ୍ୱ ଦେଇ ସରକାର ଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଛି ।
ଏହି ସେତୁ ଦ୍ୱାରା ବୌଦ୍ଧ ଏବଂ ଅନୁଗୋଳ ଜିଲ୍ଲାର ଜନସାଧାରଣଙ୍କ ଗମନାଗମନ ଓ ପରିବହନ କ୍ଷେତ୍ରରେ ବିଶେଷ ସୁବିଧାହୋଇ ପାରିବ । ଅଂଚଳର ପରିସ୍ଥିତି ,ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥନିତି ଓ ଗମନାମଗନ , ପରିବହନ କ୍ଷେତ୍ର କୁ ଗୁରୁତ୍ୱ ଦେଇ ସେତୁ ନିର୍ମାଣ କାର୍ଯ୍ୟ ତ୍ୱରାନିତ କରାଗଲେ ବହୁ ଦିନରୁ ପ୍ରତୀକ୍ଷା କରିଥିବା ଉଭୟ ଜିଲ୍ଲାର ଜନସାଧାରଣ ଉପକୃତ ହୋଇପାରିବେ । ସେହିପରି ବୌଦ୍ଧଗଡ ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ମର୍ଜାକୁଦକୁ ଏକ ସେତୁ ନିର୍ମାଣ ପାଇଁ ୨୦୧୮ ମସିହାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଶିଳାନ୍ୟାସ ପରେ ଆଶା କରାଯାଉଥିଲା ପ୍ରକଳ୍ପଟି ଅବଧି ସମୟ ସୀମା ମଧ୍ୟରେ ଶେଷ ହୋଇଯିବ ବୋଲି କିନ୍ତୁ ଅବଧି ସମୟ ଶେଷ ହୋଇଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସରିବାର ନା ଧରୁନାହିଁ । ବର୍ତ୍ତମାନ ଏହି ସେତୁର ନିର୍ମାଣ ଶେଷ ହେବାର ଅବଧି ୨୦୨୨କୁ ବୃଦ୍ଧି କରାଯାଇଥିବା ଜଣାପଡିଛି ।
ଏହି ପ୍ରକଳ୍ପର ଲମ୍ବ ୯ ଶହ ୩୮ ମିଟର ହୋଇଥିବା ବେଳେ ୪୩ କୋଟି ଟଙ୍କାବ୍ୟୟରେ ହେବାକୁ ଥିଲା । ହେଲେ ପ୍ରକଳ୍ପରେ କିଛିଟା ପରିବର୍ତ୍ତନ କରାଯାଇ ପ୍ରକଳ୍ପର ଲମ୍ବା ବୃଦ୍ଧି କରାଯାଇ ମୂଲ୍ୟ ୬୨ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ଏହି ସେତୁ ପାଇଁ ମର୍ଜାକୁଦବାସୀ ଦାବି ଓ ଆନ୍ଦୋଳନ ମଧ୍ୟ କରିଥିଲେ । ଏହି ପ୍ରକଳ୍ପ ଦ୍ୱାରା ମର୍ଜାକୁଦ ଅଞ୍ଚଳର ପ୍ରାୟ ତିନି ହଜାର ଲୋକ ଉପକୃତ ହେବା ସହିତ ଏଠାରେ ଏକ ୟୁକୋ ଟୁରିଜିମ ପାଇ ଉଦ୍ୟମ ଚାଲିଛି । ଏହାର ଚାରିପଟେ ମହାନଦୀ ଘେରି ରହିଥିବା ବେଳେ ମର୍ଜାକୁଦବାସୀ ବର୍ଷ ତମାମ ଜଳବନ୍ଦୀ ଭାବରେ ଜୀବନ ବିତାଇ ଥାନ୍ତି । ଗମନା ଗମନ କହିଲେ ଡଙ୍ଗା ହିଁ ସେମାନଙ୍କ ଏକମାତ୍ର ଭରସା । ବର୍ଷା ଋତୁରେ ପୂର୍ଣ୍ଣଗଭା ମହାନଦୀରେ ଜୀବନକୁ ପାଣି ଛଡାଇ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ଯାତ୍ରା କରିଥାନ୍ତି । ଏପରିକି ଡଙ୍ଗାରେ ଯାଉଥିବା ସମୟରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟିଛି ।
ମର୍ଜାକୁଦବାସୀ ସେମାନଙ୍କ ଦୈନଦିନ ଜୀବିକା ପାଇଁ ବୈାଦ୍ଧ ସହର ଉପରେ ନିର୍ଭର କରି ଡଙ୍ଗାରେ ଯିବା ଆସିବା କରିଥାନ୍ତି । ସ୍ୱାସ୍ଥ୍ୟ,ଶିକ୍ଷା, ବ୍ୟବସାୟ, ଆଦି ସମସ୍ତ କାର୍ଯ୍ୟ ପାଇଁ ଏପରିକି ଛୋଟଛୋଟ କାମ ପାଇଁ ସହରକୁ ଆସିବାକୁ ପଡିଥାଏ । ତେଣୁ ଏଭଳି ଏକ ଗୁରୁତ୍ୱ ବହନ କରିଥିବା ପ୍ରକଳ୍ପର କାର୍ଯ ସଠିକ ଭାବରେ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି ।
ବୌଦ୍ଧ ନିର୍ବାଚନ ମଣ୍ଡଳୀ ଉନ୍ନୟନ କାର୍ଯ୍ୟର ସମୀକ୍ଷା ବୈଠକ
ବୌଦ୍ଧ,୨୧ା୮: ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟକୁ ନେଇ ଏକ ସମୀକ୍ଷା ବୈଠକ ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରସ୍ଥ ପଞ୍ଚାୟତ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ବିଧାୟକ ପ୍ରଦିପ କୁମାର ଅମାତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବା ସହିତ ଜିଲ୍ଲାରେ କୋଭିଡ ମହାମାରୀ ସମୟରେ ସମସ୍ତ ଜରୂରୀ ସେବା ଜିଲ୍ଲାରେ ଠିକ୍ ଭାବରେ କାର୍ଯ୍ୟକାରୀ କରିଥିବାରୁ ସମସ୍ତଙ୍କୁ ପ୍ରଶଂସା କରିଥିଲେ ।
ସମୀକ୍ଷା ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଉନ୍ନୟନ ସମ୍ବନ୍ଧୀୟ ତଥ୍ୟାବଳୀ ପାୱାର ପଏଣ୍ଟ୍ ମାଧ୍ୟମରେ ଉପସ୍ଥାପିତ କରାଯାଇଥିଲା । ତ୍ରୟୋଦଶ ଅର୍ଥ କମିଶନ ଅନୁଦାନରେ ମଂଜୁର ହୋଇଥିବା ୪ ଗୋଟି ଅଙ୍ଗନବାଡି କେନ୍ଦ୍ର ଅସମ୍ପୁର୍ଣ୍ଣ ଥିବାରୁ ସେଗୁଡିକୁ ତୁରନ୍ତ ସଂପୁର୍ଣ୍ଣ କରିବାକୁ ବିଧାୟକ ଶ୍ରୀଅମାତ ନିର୍ଦ୍ଦେଶ ଦେଇଥିଲେ ।
ବୌଦ୍ଧ ବ୍ଲକର ୨୩ ଗୋଟି ପଞ୍ଚାୟତ ମଧ୍ୟରୁ ୧୧ଗୋଟି ପଞ୍ଚାୟତ ଓ ହରଭଙ୍ଗା ବ୍ଲକର ୨୨ ଗୋଟି ପଞ୍ଚାୟତରେ ଗତବର୍ଷ ରାଜ୍ୟ ଅର୍ଥ କମିଶନ ଅନୁଦାନରୁ ବୌଦ୍ଧ ବ୍ଳକକୁ ୮୭ ଗୋଟି ଓ ହରଭଙ୍ଗା ବ୍ଲକକୁ ୧୮୭ ଗୋଟି ପ୍ରକଳ୍ପ ମଂଜୁର କରାଯାଇଥିବା ସୂଚନା ପ୍ରଦାନ କରାଯାଇଥିଲା । ଯାହାର ବ୍ୟୟ ଅଟକଳ ୪୮୩୦୬୨୫୧ ଟଙ୍କା, ଯାହା ୫ ଗୋଟି ମୁଖ୍ୟ ଉନ୍ନୟନ କାର୍ଯ୍ୟକ୍ରମ ବାବଦରେ ବ୍ୟୟ କରାଯିବାକୁ ଉଦ୍ଦିଷ୍ଟ ରହିଛି । ଏଥିରେ ରାସ୍ତା ନିର୍ମାଣ,ପୋଲ ଏବଂ କଲଭର୍ଟ ନିର୍ମାଣ,ସ୍ଥାୟୀ ଗୋଷ୍ଠୀ ସଂପତ୍ତି ସୃଷ୍ଟି ଏବଂ ଏହାର ରକ୍ଷଣା ବେକ୍ଷଣ ଅନ୍ତର୍ଭୁକ୍ତ ।
ଏହି ଅର୍ଥ ରାଶିକୁ ତୁରନ୍ତ ବିନିଯୋଗ କରି ବିନିଯୋଗର ଶତକଡା ୫୦ ଭାଗ ପ୍ରମାଣପତ୍ର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ମାସରେ ସମୀକ୍ଷା ବୈଠକ କରି ଉନ୍ନୟନ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବାକୁ ଶ୍ରୀ ଅମାତ ପରାମର୍ଶ ଦେଇଥିଲେ । ଜିଲ୍ଲାରେ ନିର୍ମାଣ ହୋଇଥିବା ଏସସି /ଏସଟି ଛାତ୍ରାବାସ ଗୁଡିକ ତୁରନ୍ତ ସଂପୁର୍ଣ୍ଣ କରିବାକୁ ପରାମର୍ଶ ଦେଇଥିଲେ । ଏସ/ଏସଟି ବିଭାଗର କୋଠା ନିର୍ମାଣ ନିମନ୍ତେ ମିଳିଥିବା ୪୫.୪୦ ଲକ୍ଷ ଟଙ୍କା ଅନୁଦାନ ମଧ୍ୟରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବୌଦ୍ଧ ଓ ହରଭଙ୍ଗା ବିଡିଓ ପ୍ରକାଶ କରିଥିଲେ । ଅବଶିଷ୍ଟ ରାଶିକୁ ବିନିଯୋଗ କରି ୫ ଗୋଟି କୋଠା ନିର୍ମାଣ ପାଇଁ ଶ୍ରୀ ଅମାତ ନିର୍ଦ୍ଦେଶ ଦେଇଥିଲେ ।
ଆମ ଗାଁ ଆମ ବିକାଶ ଯୋଜନାରେ ଚାଲୁଥିବା ୫୪ ଗୋଟି ପ୍ରକଳ୍ପକୁ ୫୨ ଲକ୍ଷ ୬୮ ହଜାର ବ୍ୟୟରେ ଶିଘ୍ର ସଂପୁର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ବାବୁ ଜଗଜୀବନରାମ ଛାତ୍ରାବାସ ନିର୍ମାଣ ବାବଦରେ ମିଳିଥିବା ୩ କୋଟି ଅର୍ଥରାଶିରେ ପ୍ରକଳ୍ପ କାର୍ଯ୍ୟ ଚାଲୁରହିଥିବା ସୂଚାନ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୨୬ ଗୋଟି କାର୍ଯ୍ୟ ଚାଲୁ ରହିଥିବାବେଳେ ଗୋଟିଏ କାର୍ଯ୍ୟ ସଂପୁର୍ଣ୍ଣ ହୋଇଛି ।
ପଞ୍ଚଦଶ ଅର୍ଥ କମିଶନ ଅନୁଦାନରେ ପାନୀୟଜଳ ପରିମଳ ଓ ରାସ୍ତାଘାଟ ନିର୍ମାଣ ,ଗୋଷ୍ଠୀ ସଂପଦ ସୃଷ୍ଟି ପାଇଁ ଜିଲାକୁ ମିଳିଥିବା ୨୨୯.୨୦ ଲକ୍ଷ (ବ୍ଲକ),୧୦୭.୭ ଲକ୍ଷ(ଜିଲ୍ଲାପ୍ରଶାସନ) ଅନୁଦାନରୁ ପ୍ରକଳ୍ପ ଖସଡା ଅନୁମୋଦନ ଏବଂ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମିଶନ ଶକ୍ତି ଗୃହ ପ୍ରତ୍ୟେକ ପଞ୍ଚାୟତ ଏବଂ ବ୍ଲକ ସ୍ତରରେ ନିର୍ମାଣ ପାଇଁ ୧୦୦ ଲକ୍ଷ ଅନୁଦାନ ମଧ୍ୟରୁ ୯ ଗୋଟି ଗୃହ ବୌଦ୍ଧ ଓ ହରଭଙ୍ଗା ବ୍ଲକରେ ସଂପୁର୍ଣ୍ଣ କରାଯାଇ ୬୫ ଲକ୍ଷ ଅନୁଦାନ ଖର୍ଚ୍ଚ କରାଯାଇ ବଳକା ୩୫ ଲକ୍ଷ ବିନିଯୋଗରେ ୧୧ ଟି ଗୃହର କାର୍ଯ୍ୟ ଚାଲୁ ରହିଥିବା ଜଣାଯାଇଛି । ନିର୍ବାହୀ ଅଧିକାରୀ ବୌଦ୍ଧ ଏନଏସି ଇଂ ମନୋରଂଜନ ପଣ୍ଡା ସହରାଞ୍ଚଳରେ ଆଦର୍ଶ ଶବଦାହ ଗୃହ,ସ୍ମାର୍ଟ ପାର୍କ,ଜରିଖଣ୍ଡିର ପୁନରୁଦ୍ଧାର,ନୂତନ ବସଷ୍ଟାଣ୍ଡ ନିର୍ମାଣ,ଜିଲ୍ଲାସ୍ତରୀୟ ପ୍ରେକ୍ଷାଳୟ୍ର ନିର୍ମାଣ,ନୂତନ ପ୍ରଣିତ ମୁକ୍ତା ଯୋଜନାରେ ମହାମାରୀ ପରବର୍ତ୍ତି ମୁଖ୍ୟମନ୍ତ୍ରୀଙ୍କ ଯୋଜନା ଚାଲୁ ରହିଥିବା ସୂଚନା ଦେଇଥିଲେ ।
ଏହାସହିତ କଚେରୀ ପଡିଆ,ଶ୍ରୀଜଗନ୍ନାଥ ମନ୍ଦିର,ଷ୍ଟାଡିୟମ ଆଦି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ,ପୁର୍ତ୍ତ ବିଭାଗ, କୃଷି ବିଭାଗ, ଉଦ୍ୟାନ ବିଭାଗ,ଜଳଛାୟା ପ୍ରକଳ୍ପ,ଜଙ୍ଗଲ ବିଭାଗ,ଉଠାଜଳସେଚନ ବିଭାଗ,କ୍ଷୁଦ୍ର ଏବଂ ବୃହତ୍ତ ଜଳସେଚନ ବିଭାଗ,ଜିଲ୍ଲା ଯୋଗାଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରାଯାଇଥିଲା । ପାୱାର ପଏ୍‌ଣ୍ଟ ଜରିଆରେ ଜିଲ୍ଲା ସାମାଜିକ ସମୀକ୍ଷକ ପ୍ରବୀର ମେହେର ଏବଂ ଜିଲ୍ଲା ପ୍ରକଳ୍ପ ପରିଚାଳକ ବିକ୍ରମ କୁମାର ସିଂହ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ବୈଠକରେ ଅତି
ରକ୍ତ ଜିଲ୍ଲାପାଳ ଅଶ୍ୱନୀ କୁମାର ମେହେର,ହରଭଙ୍ଗା ବ୍ଳକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର,ବୌଦ୍ଧ ବ୍ଲକ ଅଧ୍ୟକ୍ଷା ରେବତୀ ମହାଲିକ. ବୌଦ୍ଧ ଓ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିବାବେଳେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶିକା ବବିତାରାଣୀ ଦଳବେହେରା ଧନ୍ୟବାଦ ପ୍ରଦାନ କରିଥିଲେ ।
ୟୁଥ ଫର ଏକ୍ସନର ଜିଲ୍ଲା କମିଟି ଗଠିତ
ବୌଦ୍ଧ,୨୧ା୮: ଭୁବନେଶ୍ୱରର ସାଂସଦ ତଥା ବିଜେପିର ବରିଷ୍ଠ ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ଦ୍ୱାରା ପ୍ରତିଷ୍ଠିତ ୟୁଥ ଫର ଏକ୍ସନ ର ବୌଦ୍ଧଜିଲ୍ଲା କମିଟି ଗଠିତ ହୋଇଛି । ଏଥିରେ ସଭାପତି ଭାବରେ ଯୁବ ନେତା ସୁନିଲ କୁମାର କ୍ଷେତିଙ୍କୁ ଜିଲ୍ଲା କମିଟିର ସଭାପତି ଭାବରେ ମନୋନୀତ କରାଯାଇଥିବାବେଳେ ସେ ଖୁବ ଶିଘ୍ର ଜିଲ୍ଲା କମିଟି ଗଠନ କରି ଘୋଷଣା କରିବେ ବୋଲି ସୁଚନା ଦିଆଯାଇଛି । ବୌଦ୍ଧ ହୋଟେଲ ପାରିଜାତ ପ୍ୟାଲେସ ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ବୈଠକରେ ୟୁଥ ଫର ଏକ୍ସନର ରାଜ୍ୟ ସଂଯୋଜକ ସୁଜିତ ସିଂହ ଯୋଗଦେଇ ଏହି ସଂଗଠନ ଜରିଆରେ ତୃଣମୂଳସ୍ତରରେ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରି ତାହା ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରକାଶ କରିଥିଲେ । ସଂଗଠନ ସଂପୁର୍ଣ୍ଣ ରାଜନିତିରୁ ଉର୍ଦ୍ଧ୍ୱରେ ରହି କାର୍ଯ୍ୟ କରିବା ସହିତ ଲୋକଙ୍କୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ଯୋଗାଇଦେବ । କରୋନା ମହମାରୀ ସମୟରେ ସଂଗଠନ ପକ୍ଷରୁ ବହୁ ଭୋକିଲା ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଥିବାବେଳେ ,ବୃକ୍ଷରୋପଣ,ସ୍ୱଛଭାରତ କାର୍ଯ୍ୟକ୍ରମ ଓ ରକ୍ତଦାନ ଭଳି ଜନହିତକାରୀ କାର୍ଯ୍ୟକ୍ରମକୁ ସଂଗଠନ ପକ୍ଷରୁ ଗୁରୁତ୍ୱ ଦିଆଯିବ ବୋଲି ଶ୍ରୀସିଂହ ପ୍ରକାଶ କରିଥିଲେ । ତେବେ ଜିଲାସ୍ତରରେ ଲୋକଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ପରେ ତାହାକୁ ମଧ୍ୟ ରାଜ୍ୟସ୍ତରରେ ବ୍ୟାପକ ଆନ୍ଦୋଳନର ରୂପ ଦିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜୋନ ସଂପାଦକ ସାର୍ଥକ ମୁନୀ,ସାମାଜିକ ଗଣମାଧ୍ୟମ ସଂଯୋଜକ ଦିପ୍ତ ରଂଜନ ମହାନ୍ତି, ଯୁବନେତା ସୁଧାଂଶୁ ଡାଙ୍ଗ,ବନମାଳୀ ରଣା ପ୍ରମୁଖ ଯୋଗଦେଇଥିଲେ ।
ବୀରନରସିଂହପୁର ପଞ୍ଚାୟତରେ ଦୁର୍ନୀତି ଅଭିଯୋଗ; ସ୍ପେଶାଲ ଅଡିଟ ଦାବୀ କଲେ ୱାର୍ଡ ସଭ୍ୟ
ବୌଦ୍ଧ,୨୧ା୮: ପଞ୍ଚାୟତ ନିର୍ବାଚନ ପାଇଁ ଆଉ କିଛିମାସ ଥିବାବେଳେ ହରଭଙ୍ଗା ବ୍ଲକର ବୀରନରସିଂହପୁର ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆଣିଲେ ୱାର୍ଡ ସଭ୍ୟ ଓ ଗ୍ରାମବାସୀ । ଅଭିଯୋଗ ଅନୁଯାୟୀ ବୀରନରସିହପୁର ଗ୍ରାମମପଞ୍ଚାୟତରେ ବିଭିନ୍ନ ଯୋଜନାରେ ଆସିଥିବା ଅନୁଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ୭ ନଂ ୱାର୍ଡ ସଭ୍ୟ କେଦାର ମହାକୂୁଡ ଓ ଗ୍ରାମବାସୀ । ପଞ୍ଚାୟତରେ ବିନା ପଲ୍ଳୀ ସଭା, ଗ୍ରାମସଭାରେ ଲୋକଙ୍କୁ ନଜଣାଇ , ବିନା ଭିଜିଲାନସ କମିଟିରେ କାର୍ଯ୍ୟ କରିବା, ଶ୍ରମିକଙ୍କ ଶ୍ରମକାର୍ଡକୁ ଜାଲିଆତି କରି ମିଥ୍ୟା ବିଲ କରିବା ଆଦି ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି । ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାମ ଓ ପଞ୍ଚାୟତରେ ହୋଇଥିବା ସମସ୍ତ କାର୍ଯ୍ୟର ସ୍ପେଶାଲ ଅଡିଟ ଦାବୀ କରିବା ସହ ଶନିବାର ଏକ ଦାବୀପତ୍ର ୱାର୍ଡ ସଭ୍ୟ ଓ ଗ୍ରାମବାସୀଙ୍କ ଏକ ପ୍ରତିନିଧି ଦଳ ପଞ୍ଚାୟତର କାର୍ଯ୍ୟନିବାହୀ ଅଧିକାରୀଙ୍କ ଜରିଆରେ ଜିଲାପାଳ ଓ ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ । ଏହି ଦାବୀପତ୍ର ପ୍ରଦାନ ସମୟରେ ୱାର୍ଡ ସଭ୍ୟ କେଦାର ମହାକୁଡ, ହାଡିବନ୍ଧୁ ମହାକୁଡ, ନେତ୍ରାନନ୍ଦ କହଁର, ବାଲ୍ମିକୀ ମହାକୁଡ, ଚିତ୍ତରଞନ ସାହୁ, ବିଭୁତି ମହାକୁଡ ପ୍ରମୂଖ ଉପସ୍ଥିତ ଥିଲେ । ଯଦି କିଛି ପଦକ୍ଷେପ ନିଆନଯାଏ ତେବେ ଅଗାମୀ ଦିନରେ ଏକ ଜନ ଆନ୍ଦୋଳନ ହେବ ବୋଲି ପ୍ରତିନିଧି ମଣ୍ଡଳୀ ଚେତାବନୀ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031