Indus Valley Times

୬ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

 Breaking News

୬ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

January 24
16:54 2024

ମୟୂରଭଞ୍ଜ,୨୪/୧ : ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ପୁଣି ଥରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଘାଟିରେ ଓଲଟିଲା ଯାତ୍ରା ପାର୍ଟି ଟ୍ରକ୍। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇଛନ୍ତି। ଦୁର୍ଘଟଣାର ଶିକାର ହୋଇଥିବା ଗାଡ଼ିଟି ଧଉଳି ଗଣନାଟ୍ୟର।
ଲାଇଟ୍ ଓ ବକ୍ସ ଆଦି ସରଞ୍ଜାମ ଭର୍ତ୍ତି କରି ଧଉଳି ଗଣନାଟ୍ୟର କର୍ମଚାରୀ ଆଜି ସକାଳେ ଏକ ଟ୍ରକ୍ରେ ରାଇରଙ୍ଗପୁରରୁ ଜଳେଶ୍ୱର ଅଭିମୁଖେ ଯାଉଥିଲେ। ଗାଡ଼ିଟି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ବାଙ୍ଗିରିପୋଷି ଘାଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶେଷ ମୋଡ଼ରେ ଭାରସାମ୍ୟ ହରାଇଥିଲା। ଗାଡ଼ିଟି ରାସ୍ତାର ପ୍ରାୟ ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ଗାଡ଼ିରେ ଥିବା ଲାଇଟ୍ ଓ ବାକ୍ସ ତଳେ ବହୁ ଲୋକ ଚାପି ହୋଇ ଯାଇଥିଲେ।
ଖବର ପାଇ ତୁରନ୍ତ ବାଙ୍ଗିରିପୋଷି ପୁଲିସ୍, ଅଗ୍ନିଶମ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୧୨ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେମାନଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।
ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିକୁ ମୟୂରଭଞ୍ଜ ଜିଲ୍ଲାର ଲାଇଫଲାଇନ୍ କୁହାଯାଉଥିବା ବେଳେ ଏବେ ଘାଟି ରାସ୍ତା ମରଣଯନ୍ତା ପାଲଟିଛି। ବାଙ୍ଗିରିପୋଷି ଘାଟିର ୯ କିଲୋମିଟର ରାସ୍ତା ଶିମିଳିପାଳ ଜୈବ ମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର ସମ୍ପ୍ରସାରଣ କାର‌୍ୟ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି। ଫଳରେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଲାଣି। ଏହି ଘାଟି ରାସ୍ତାରେ ଗତ ଦୁଇ ବର୍ଷ ମଧ୍ୟରେ ୧୬୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିଥିବା ବେଳେ ପ୍ରାୟ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ୨ ଶହରୁ ଅଧିକ ଗୁରୁତର ହୋଇ ପଙ୍ଗୁ ହୋଇଯାଇଛନ୍ତି।
ଆଜିର ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୃତକମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇଛନ୍ତି। ଏହା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଏବଂ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସେହିପରି ଏହି ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ସେ ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି ଯେ ଏହି ଘଟଣାକୁ ନେଇ ସେ ଅତ୍ୟନ୍ତ ଦୁଃଖିତ ଓ ଗଭୀର ଭାବରେ ମର୍ମାହତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସେ ଗଭୀର ସମବେଦନା ଜଣାଇବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031