Indus Valley Times

୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

 Breaking News

୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

୭୩ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ
January 19
22:04 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧: ବୌଦ୍ଧରେ ୭୩ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା । କେବଳ ପୋଲିସ ବାହିନୀ ଉତ୍ସବରେ ଅଂଶଗ୍ରହଣ କରିବାକୁ ନିଷ୍ପତି ଗ୍ରହଣ କରାଯିବା ସହିତ କୌଣସି ବିଦ୍ୟାଳୟ,ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସବସ୍ଥଳକୁ ଆସିବାକୁ ବାରଣ କରାଯାଇଛି । ସେହିପରି ଉତ୍ସବସ୍ଥଳରେ ଜନସମାଗମକୁ ସଂପୁର୍ଣ୍ଣ ଭାବରେ ବାରଣ କରାଯିବା ସହିତ ସିମିତ ସଂଖ୍ୟକ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯିବ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୮.୩୦ ମିନିଟ ସମୟରେ ମୁଖ୍ୟଅତିଥିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଜାତୀୟ ପତାକା ଉତ୍ତୋଳନ କରାଯିବ । ପ୍ରତ୍ୟୁଷରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାମଧୂନ ପ୍ରଚାର ପରେ ସକାଳ ୭ ରୁ ୭.୩୦ ମିନିଟ ମଧ୍ୟରେ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପରମ୍ପରା ଅନୁଯାୟୀ ସହରର ବିଭିନ୍ନ ଛକରେ ସ୍ଥାପିତ ପ୍ରତିମୂର୍ତ୍ତିରେ ପ୍ରଶାସନ ପକ୍ଷରୁ ମାଲ୍ୟାର୍ପଣ କରାଯିବ । ସେହିପରି ବ୍ଲକ ଓ ପଞ୍ଚାୟତ କାର୍ଯ୍ୟାଳୟଗୁଡିକରେ ନିର୍ଦ୍ଧାରିତ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରସ୍ତ୍‌ୁତି ବୈଠକରେ ଉପଜିଲ୍ଲାପାଳ ସନତ କୁମାର ନାଏକ,ନିଜାରତ ଅଧିକାରୀ ବିଜୟ କୁମାର ପ୍ରଧାନ,ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଞ୍ଜନ ପଣ୍ଡା,ରିଜର୍ଭ ଇନିସପେକ୍ଟର ମଧୁସୁଦନ ମହପାତ୍ର ଓ ଅଗ୍ନିଶମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ସ୍ୱାଗତ ଭାଷଣ ସହ ସଭା ସଂଯୋଜନା ଓ ଧନ୍ୟବାଦ ପ୍ରଦାନ କରିଥିଲେ ।
ସରସରା ଅନାମୁ ମିର୍ଦ୍ଧା ହତ୍ୟା ଘଟଣା , ଅଭିଯୁକ୍ତ ଗିରଫଧାର ୭ଶହ ଟଙ୍କାକୁ କେନ୍ଦ୍ର କରି ହୋଇଥିଲା ହତ୍ୟାକାଣ୍ଡ
ବୌଦ୍ଧ,୧୯/୧ : ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ଅର୍ନ୍ତଗତ ସରସରା ଗ୍ରାମର ୫୭ ନଂ ଜାତୀୟ ରାଜପଥ କଡରୁ ଗତ ସୋମବାର ଦିନ ରକ୍ତ ଜୁଡୁଜୁଡୁ ଅବସ୍ଥାରେ ଏକ ବିଲ ମଧ୍ୟରୁ ଅନାମୁ ମିର୍ଦ୍ଧା (୪୦)ଙ୍କ ମୃତ ଦେହ ପୁଲିସ ଉଦ୍ଧାର କରିଥିଲା । ଶବ ନିକଟରୁ ରକ୍ତ ଲଗା ଏକ ଟାଙ୍ଗିଆକୁ ମଧ୍ୟ ପୁଲିସ ଜବତ କରିଥିଲା । ଏନେଇ ବୌଦ୍ଧ ଥାନା କେସ ନମ୍ବର ୨୧/୨୨ରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ମଦ୍ୟପାନ ଘଟଣାକୁ ନେଇ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା ।
କିନ୍ତୁ ହତ୍ୟାକାଣ୍ଡର ତଦନ୍ତ ପରେ ପୁଲିସ ଧାର ଟଙ୍କାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସ୍ପଷ୍ଟ କରିଛି ଓ ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ପୁଲିସ ନିକଟରୁ ମିଳିଥିବା ସୂଚନା ମୁତାବକ ଏହି ହତ୍ୟା କାଣ୍ଡ ଘଟଣାରେ ମୃତକ ଅନାମୁ ଘଟଣା ଦିନ ଗାଁରେ କୁଆଡେ କୁଆଡେ ଯାଇଥିବା ଏବଂ ଗ୍ରାମର କାହାସହ ଶତୃତା ଥିଲା କି ଏହି ଅଧାରରେ ତଦନ୍ତ ଆରମ୍ଭ କରିଥିଲା । କିନ୍ତୁ ତଦନ୍ତ ପରେ ହତ୍ୟାକାଣ୍ଡ ସଂପର୍କରେ ନୂଆ ତଥ୍ୟ ସବୁ ପଦାକୁ ଆସିଥିଲା । ପୁଲିସର ତଦନ୍ତ ଅନୁଯାୟୀ ଗ୍ରାମର ଚନ୍ଦନ ମଲ୍ଲିକ(ବେଡା)ଙ୍କ ଦ୍ୱାରା ଅନାମୁ ମିର୍ଦ୍ଧା ଧାନ ଅମଳ କରିଥିଲା । ଧାନ ଅମଳ ବାବଦକୁ ଅନାମୁ ବେଡାକୁ ୭୦୦ ଟଙ୍କା ଦେବାକୁ ଥିଲା ।
ଗତ ୧୩ ତାରିଖରେ ବେଡା ଅନାମୁ ଘରକୁ ବାକି ପଇସା ମାଗିବାକୁ ଯାଇଥିଲା । କିନ୍ତୁ ଅନାମୁ ପରିବାର ଧାନ ବିକ୍ରି କଲାପରେ ଟଙ୍କା ଦେବୁ ବୋଲି କହିଥିଲେ । ପୁର୍ନବାର ଗତ ୧୪ ତାରିଖ ଦିନ ବେଡା ତାର ଜଣେ ସାଙ୍ଗ ସହ ମିଶି ଅନାମୁ ଘରକୁ ଯାଇ ମଦ ପିଇ ଗାଳିମନ୍ଦ କରିବପରେ ଅନାମୁ ସହ ଯୁକ୍ତିତର୍କ ହୋଇଥିଲା । ଏନେଇ କୁଆଡେ ବେଡା ତୋତେ ରାସ୍ତାରେ ଦେଖିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇ ପଲାଇଥିଲା । ଗତ ୧୬ ତାରିଖରେ ପୁନର୍ବାର ବେଡା ଓ ଅନାମୁ ମଧ୍ୟରେ ରାତି ୯ଟାରେ ଗାଁର ଏକ ଚାଉମିନ ଦୋକାନରେ ଧାର ଟଙ୍କାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଏହି ଘଟଣାରେ ବେଡା ଏକ ଟାଙ୍ଗିଆ ଆଣି ରାସ୍ତା କଡରେ ଲୁଚି ରହିଥିଲା । ଅନାମୁ ରାତିରେ ଘରକୁ ଫେରୁଥିବାବେଳେ ଲୁଚି ରହିଥିବା ବେଡା ଟାଙ୍ଗିଆ ଦ୍ୱାରା ହାଣି ଦେଇଥିଲା । ପୁଲିସ ଏହି ହତ୍ୟାକାଣ୍ଡ ଘଟଣାରେ ବୁଧବାର ଦିନ ସରସରା ଗ୍ରାମର ବେଡା ଓରଫ ଚନ୍ଦନ ମଲିକକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ମାଧବାନନ୍ଦ ନାଏକ ପ୍ରକାଶ କରିଛନ୍ତି । ଏସଡିପିଓ ଆନନ୍ଦବର୍ଦ୍ଧନ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାରେ ପୁଲିସ ସଫଳ ହୋଇପାରିଥିବା ଜଣାଯାଇଛି ।
ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ:ତୃତୀୟ ଦିନରେ ବିଭିନ୍ନ ପଦବି ପାଇଁ ୩୬୬ ଜଣ ନାମାଙ୍କନ ପତ୍ର ଦାଖଲ
ବୌଦ୍ଧ,୧୯/୧- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଚାଲୁ ରହିଥିବା ବେଳେ ବୁଧବାର ନାମାଙ୍କନ ପତ୍ରଦାଖଲର ତୃତୀୟ ଦିନ । ତୃତୀୟ ଦିନରେ ବୌଦ୍ଧଜିଲ୍ଲାରେ ଜିଲ୍ଲା ପରିଷଦ ପଦବି ପାଇଁ ଜଣେ ମଧ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିନଥିବା ବେଳେ ସରପଂଚ, ସମିତି ସଭ୍ୟ ଓ ୱାର୍ଡ ମେମ୍ବର ପଦବି ପାଇଁ ୩୬୬ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥିମଧ୍ୟରୁ ଜିଲ୍ଲାର କଣ୍ଟାମାଳ, ବୌଦ୍ଧ ଓ ହରଭଙ୍ଗା ବ୍ଲକର ୱାର୍ଡ ମେମ୍ବର ପଦବି ପାଇଁ ୨୬୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ସରପଂଚ ପଦବି ପାଇଁ ୬୧ ଜଣ ଓ ସମିତି ସଭ୍ୟ ପାଇଁ ୩୮ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଜିଲ୍ଲା ପଂଚାୟତ କାର୍ଯ୍ୟାଳୟରୁ ପ୍ରକାଶ ।
ବୌଦ୍ଧଜିଲ୍ଲାରୁ ଆଜି ୭୮ କରୋନା ଆକ୍ରାନ୍ତ ଚିହ୍ନଟ
ବୌଦ୍ଧ,୧୯/୧-ବୌଦ୍ଧଜିଲ୍ଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ବୁଧବାର ଜିଲ୍ଲାରୁ ୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାର ବୌଦ୍ଧ ବ୍ଲକରୁ ୧୯ ଜଣ, ହରଭଙ୍ଗା ବ୍ଲକରୁ ୧୫ ଜଣ, କଣ୍ଟାମାଳ ବ୍ଲକରୁ ୨୯ ଜଣ ଓ ବୌଦ୍ଧଗଡ ଏନଏସି ଅଂଚଳରୁ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ବରିଷ୍ଠ କ୍ରୀଡାବିତ ତଥା ସମାଜସେବୀ ତପନ ଦଳେଇଙ୍କ ପରଲୋକ
ବୌଦ୍ଧ,୧୯/୧: ବୌଦ୍ଧଜିଲ୍ଲାର ବରିଷ୍ଠ କ୍ରୀଡାବିତ ତଥା ସମାଜସେବୀ ତପନ ଦଳେଇଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ବୁଧବାର ରାତି ସାଢେ ଗୋଟାଏ ସମୟରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା । ତାଙ୍କର ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଥିଲା । ତାଙ୍କର ଶେଷ ଦର୍ଶନ ପାଇଁ ସହରର ନୂଆଁସାହି ସ୍ଥିତ ବାସଭବନରେ ଲୋକଙ୍କ ଭିଡ ଜମିଥିଲା । ସେ ଜଣେ ଜିଲ୍ଲାର ଜଣାଶୁଣା କ୍ରିଡାବିତ ଥିଲେ । ଆଥଲେଟିକ ଓ ଫୁଟବଳ ପ୍ରତିଯୋଗୀତା ଗୁଡିରେ ରେଫରୀ କରି ଉଚ୍ଚ ପ୍ରଶଂସିତ ହୋଇପାରିଥିଲେ । ବିଭିନ୍ନ ଅନୁଷ୍ଠାନରେ ସକ୍ରିୟ ସଦସ୍ୟ ଓ କର୍ମକର୍ତ୍ତା ଥିଲେ ଓ ବିଜେଡିର ସକ୍ରିୟ ସଦସ୍ୟ ଥିଲେ । ତାଙ୍କର ଶେଷ ଦର୍ଶନ ପାଇଁ ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ଜିଲ୍ଲା କଂଗ୍ରେସ କମିଟିର ସଭାପତି ନବ ମିଶ୍ର, ଜିଲ୍ଲା ଓକିଲ ସଂଘର ସଭାପତି ତାରେଣୀ ମହାପାତ୍ର, ଜିଲ୍ଲା କ୍ରୀଡା ସଂସଦର ସଂପାଦକ ରବିନ୍ଦ୍ର ରାଉତ, ବିଜେଡି ରାଜ୍ୟ ଯୁଗ୍ମ ସଂପାଦକ ଅଶୋକ ସାହୁ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ବସନ୍ତ ସ୍ୱାଇଁ, ଜିଲ୍ଲା ବିଜେଡି ଯୁବ ସଭାପତି ମୃତ୍ୟୁଜଂୟ ମିଶ୍ର, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ, ବରିଷ୍ଠ ଆଇନଜିବୀ ତାରେଣୀ ଜେନା, ବରିଷ୍ଠ କ୍ରୀଡାବିତ ରଂଜିତ ରାଉତ ପ୍ରମୁଖ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତଥିଲେ । ତାଙ୍କର ବିୟୋଗରେ ଜିଲ୍ଲା ଫୁଟବଲ ଆସୋସିଏସନ ତରଫରୁ ବରିଷ୍ଠ କ୍ରୀଡାବିତ ଫୁଟବଲ ଖେଳାଳୀ ଓ ଆସୋସିଏସନର ସଦସ୍ୟମାନଙ୍କୁ ନେଇ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଫୁଟବଲ ଆସୋସିଏସନର ସଭାପତି ଲମ୍ବଦୋର ପୁରୋହିତ, ସଂପାଦକ ଯୁଗଳ ସାମଲଙ୍କ ସମେତ ବହୁ କ୍ରୀଡାବିତ ଯୋଗଦେଇ ସ୍ମୃତି ଚାରଣ କରିଥିଲେ ।
ସରକାର ପ୍ରତିଶୃତି ରକ୍ଷା କରିବାକୁ ଚେତାବନୀ ଦେଲା ଡ୍ରାଇଭର ମହାସଂଘ :
ଦାବି ପୂରଣ ନହେଲେ ଫେବୃୟାରୀ ୧୦ ରୁ ଷ୍ଟେରିଂଛାଡ ଆନ୍ଦୋଳନ ସହ ବୌଦ୍ଧଜିଲ୍ଲାର ୧୦୬୬୮ ଡ୍ରାଇଭର ପରିବାର ମତଦାନରୁ ବିରତ ରହିବେ
ବୌଦ୍ଧ,୧୯/୧ : ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଜାରି ରହିଥିବାବେଳେ ବିଭିନ୍ନ ସଂଗଠନ ଦାବି ପୂରଣ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି । ଏହି ପରିପ୍ରେକ୍ଷିରେ କରୋନା ମହାମାରୀ ସମୟରେ ସବୁ୍‌ସ୍ତରରେ ଅବହେଳାର ଶିକାର ହୋଇଥିବା ରାଜ୍ୟର ଅଗଣିତ ଡ୍ରାଇଭର ପରିବାର ଶେଷରେ ସଂଘବଦ୍ଧ ହୋଇ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ବୌଦ୍ଧ ପଥପ୍ରାନ୍ତ ସାଧନ କେନ୍ଦ୍ରଠାରେ ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନିଜର ନ୍ୟାର୍ଯ୍ୟ ଦାବି ଉପସ୍ଥାପନ କରିବା ସହିତ ସରକାର ୮ ଦଫା ଦାବି ପୂରଣ ନେଇ ପୂର୍ବରୁ ଦେଇଥିବା ପ୍ରତିଶୃତି ପୂରଣ କରିବାକୁ ଦାବି କରାଯାଇଛି ।
ଦାବି ପୂରଣ ନହେଲେ ଆସନ୍ତା ଫେବୃୟାରୀ ୧୦ ତାରିଖରୁ ରାଜ୍ୟ ସଂଘର ଆହ୍ୱାନକ୍ରମେ ଜିଲ୍ଲାର ସମସ୍ତ ଡ୍ରାଇଭର ଷ୍ଟେରିଂଛାଡ ଆନ୍ଦୋଳନରେ ସାମିଲ ହେବା ସହିତ ସେମାନଙ୍କ ପରିବାରବର୍ଗ ମଧ୍ୟ ମତଦାନରୁ ବିରତ ରହିବେ ବୋଲି ଚେତାବନୀ ଦିଆଯାଇଛି । ସୂଚନା ମୁତବାକ ଜିଲ୍ଲାରେ ଅଟୋଚାଳକ ଠାରୁ ଆରମ୍ଭ କରି ଟ୍ରକ ଚାଳକ ପର୍ଯ୍ୟନ୍ତ ସମସ୍ତ ଯାନବହାନର ଚାଳକଙ୍କୁ ନେଇ ଗଠନ ହୋଇଥିବା ଡ୍ରାଇଭର ମହାସଂଘରେ ୧୦୬୬୮ ଜଣ ଗାଡିଚାଳକ ପଂଜିକୃତ ହୋଇଛନ୍ତି । ଯଦି ସେମାନଙ୍କ ପରିବାର ମତଦାନରୁ ବିରତ ରହିବେ ଜିଲ୍ଲାରେ ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଲୋକ ମତଦାନରୁ ବିରତ ହେବା ଯେକୌଣସି ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି । ସେହିପରି ୧୬ ତାରିଖରୁ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଗାଡିଚାଳକମାନେ ଷ୍ଟେରିଂ ଛାଡ ଆନ୍ଦୋଳନ କଲେ ନିର୍ବାଚନ ପରିଚାଳନା ହେବା ସମ୍ଭବପର ହୋଇପାରିବନାହିଁ । ଜେଲ ଯିବାକୁ ପ୍ରସ୍ତୁତ ଅଛୁ ପଛେ ସରକାର ଦାବି ପୂରଣ ନକଲେ ନିର୍ବାଚନ କାର୍ଯ୍ୟରେ ସାମିଲ ହେବୁନାହିଁ ବୋଲି ଡ୍ରାଇଭର ମହାସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚରମ ଚେତାବନୀ ଦିଆଯାଇଛି । ମିଳିଥିବା ସୂଚନା ମୁତାବକ ପ୍ରତ୍ୟେକ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପାଇଁ ଯାନବାହାନ ଯୋଗାଇଦେବାକୁ ନିର୍ଦ୍ଦେଶ ଜାରି କରାଯାଇଥିବାବେଳେ ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ସେମାନେ ପରିବହନ ଅଧିକାରୀଙ୍କ ଠାରୁ କୌଣସି ରକ୍ୟୁଜିସନ କାଗଜପତ୍ର ଗ୍ରହଣ ନକରିବା ସହିତ ମାଲିକମାନଙ୍କ ପାଖକୁ ପଠାଇବାକୁ କହୁଥିବା ଜଣାଯାଇଛି । ଏପଟେ ଟାକ୍ସି ଓ ଅନ୍ୟାନ୍ୟ ଗାଡିର ମାଲିକମାନେ ମଧ୍ୟ ଡ୍ରାଇଭର ସଂଘର ଆନ୍ଦୋଳନକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଗାଡି ଚାଳକ ନଆସିଲେ ନିର୍ବାଚନ କାର୍ଯ୍ୟରେ ଗାଡି ପଠାଇବା ସମ୍ଭବପର ନୁହେଁ ବୋଲି ଗାଡି ମାଲିକମାନେ ପ୍ରତିକ୍ରିୟାରେ ପ୍ରକାଶ କରୁଛନ୍ତି ।
ତେଣୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ଶାନ୍ତିପୂର୍ଣ୍ଣ ଭାବରେ ନିର୍ବାଚନ ପରିଚାଳନା ପାଇଁ ସରକାର ଡ୍ରାଇଭର ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ସେମାନଙ୍କ ଦାବି ସଂପର୍କରେ ବିଚାର କରିବାକୁ ଅନେକ ଗାଡିମାଲିକ ପ୍ରକାଶ କରିଛନ୍ତି । ଡ୍ରାଇଭର ସଂଘ ପକ୍ଷରୁ କରାଯାଇଥିବା ୧୧ ଟି ଦାବି ମଧ୍ୟରୁ ସରକାର ୮ ଗୋଟି ଦାବି ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ । କିନ୍ତୁ ପରବର୍ତ୍ତି ସମୟରେ ସେମାନଙ୍କ ଦାବିକୁ ଅବହେଳା କରାଯାଇଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି । କୋଭିଡ ମହାମାରୀ ସମୟରେ ଡ୍ରାଇଭରମାନେ ନିଜ ଜୀବନକୁ ପାଣି ଛଡାଇ ସମସ୍ତ କାର୍ଯ୍ୟରେ ନିୟୋଜିତ ହୋଇଥିବାବେଳେ ସରକାର ସେମାନଙ୍କୁ ଆଜିଯାଏ କରୋନା ଯୋଦ୍ଧାର ମାନ୍ୟତା ପ୍ରଦାନ କରିନହାନ୍ତି । ଏହାବ୍ୟତୀତ କୌଣସି ଦୁର୍ଘଟଣା ସମୟରେ ଜନସାଧାରଣଙ୍କ ଆକ୍ରୋଶର ଶୀକାର ହେଉଥିବା ଗାଡି ଚାଳକଙ୍କ ସୂରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ,ପ୍ରତି ଶହେ କିଲୋମିଟରେ ଗାଡି ପାଇଁ ପାର୍କିିଂ ଓ ଚାଳକଙ୍କ ପାଇଁ ବିଶ୍ରାମାଗାର ବ୍ୟବସ୍ଥା,୫୫ବର୍ଷ ବୟସ ପରେ ଗାଡିଚାଳକଙ୍କୁ ପେନସନ ବ୍ୟବସ୍ଥା, ଦୁର୍ଘଟଣାରେ ମୃତ ଗାଡିଚାଳକଙ୍କ ପରିବାର ପାଇଁ ୨୦ ଲକ୍ଷ ଓ ଆହତଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବୀମା ବ୍ୟବସ୍ଥା,ଡ୍ରାଇଭର ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ୫ ଲକ୍ଷ ଟଙ୍କାର ସହାୟତା,ପୁଅଝିଅମାନଙ୍କ ପାଇଁ ଉଚ୍ଚ ଶିକ୍ଷା ବ୍ୟବସ୍ଥା,ରାଜରାସ୍ତା ଉପରେ ଯାଞ୍ଚ ନାମରେ ଡ୍ରାଇଭରମାନଙ୍କୁ ଅଯଥା ହଇରାଣ କରାନଯିବା ଆଦି ପ୍ରମୁଖ ଦାବି ରହିଥିବା ଜଣାଯାଇଛି । ଜିଲ୍ଲା ଡ୍ରାଇଭର ମହାସଂଘର ସଭାପତି ବିପିନ ବିହାରୀ ବ୍ରହ୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସୁଜିତ କୁମାର ସ୍ୱାଇଁ,ବିଶ୍ୱାମିତ୍ର ବିଶି,ଅସିତ କୁମାର ସାହୁ ଓ ଦିଲ୍ଲିପ କୁମାର ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031