Indus Valley Times

ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ; ଦାବି ପୂରଣ ପାଇଁ ସରକାର ଦେଲେ ପ୍ରତିଶୃତି

 Breaking News

ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ; ଦାବି ପୂରଣ ପାଇଁ ସରକାର ଦେଲେ ପ୍ରତିଶୃତି

March 17
18:46 2023

ଭୁବନେଶ୍ୱର,୧୭/୩: ଡ୍ରାଇଭର ଆନ୍ଦୋଳନ ସ୍ଥଗିତ। ଏନେଇ ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି।
ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜି ସମାନ କଥା ସେ ଗଣମାଧ୍ୟମ ଆଗରେ ଦୋହରାଇଛନ୍ତି। ଆନ୍ଦୋଳନ ଯୋଗୁ ଲୋକେ ଅସୁବିଧା ଭୋଗୁଛନ୍ତି।
ତେଣୁ ଲୋକଙ୍କ ଅସୁବିଧା ଓ ସରକାରଙ୍କ ପ୍ରତିଶ୍ରୁତିକୁ ଦେଖି ଆନ୍ଦୋଳନ ସ୍ଥଗିତ ରଖାଯାଇଛି। ଦାବି ପୂରଣ ନେଇ ସରକାର ୯୦ ଦିନ ସମୟ ନେଇଛନ୍ତି। ୯୦ରୁ ୯୧ ଦିନ ହେଲେ ଆମେ ଆନ୍ଦୋଳନକୁ ପୁଣି ଓହ୍ଲାଇବୁ। ଲକ୍ଷ ଲକ୍ଷ ଡ୍ରାଇଭର ନବୀନ ନିବାସ ଯିବେ ଓ ସମୂହ ଆତ୍ମାହୁତି ଦେବେ।
ସୂଚନା ଥାଉକି, ୧୦ ଦଫା ନେଇ ଗତ ୩ ଦିନ ହେବ ଡ୍ରାଇଭରମାନେ ଷ୍ଟିୟରିଂ ଛାଡ୍ ଆନ୍ଦୋଳନ କରୁଥିଲେ। ଫଳରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇପାରୁନି।
ଜରୁରୀ ଜିନିଷ ମଧ୍ୟ ରାଜ୍ୟରେ ପହଞ୍ଚି ପାରୁନି। ଡ୍ରାଇଭରମାନେ ରାଜରାସ୍ତା ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଥିବାରୁ ଆଇନଶୃଙ୍ଖଳା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ଆନ୍ଦୋଳନରୁ କ୍ଷାନ୍ତ ରହିବାକୁ ଡ୍ରାଇଭରମାନଙ୍କୁ ନିବେଦନ କରିଥିଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।
ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ମୁଖ୍ୟ ସଚିବ କହିଥିଲେ, ଡ୍ରାଇଭରଙ୍କ ଦାବି ଯଥାର୍ଥ । ଏ ସବୁ ପୂରଣ ପାଇଁ ସରକାର ୩ ମାସ ସମୟ ନେଇଛି।
ସେପଟେ ଆନ୍ଦୋଳନରତ ଡ୍ରାଇଭରଙ୍କୁ ସତର୍କ ଚେତାବନୀ ଦେଇଥିଲେ ଡିଜିପି ସୁନୀଲ ବଂଶଲ। ସେ କହିଛନ୍ତି, ପ୍ରତିଶ୍ରୁତି ସତ୍ତ୍ୱେ ଡ୍ରାଇଭର ମହାସଂଘ ଆନ୍ଦୋଳନ କରୁଛନ୍ତି।
ଏହା ବେଆଇନ୍। ଗତକାଲି ପୂଲିସକୁ ଆକ୍ରମଣ ହୋଇଛି। ଆଇନକୁକୁ ହାତକୁ ନିଆଯାଇଛି। ସେମାନଙ୍କ ବିରୋଧରେ ଦୃଢ଼ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ। ସେହିପରି ଡ୍ରାଇଭରମାନଙ୍କଠାରୁ ସହଯୋଗ ଲୋଡିଥିଲେ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ।
ଡ୍ରାଇଭର ମହାସଂଘ ପକ୍ଷରୁ ରଖାଯାଇଥିବା ଦାବିଗୁଡ଼ିକ ହେଲା ଡ୍ରାଇଭରମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା, ଲୋକଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଉଭରଙ୍କ ସୁରକ୍ଷା ନିମନ୍ତେ ସ୍ୱତନ୍ତ୍ର ଆଇନ ଆଣିବା, ୫୫ ବର୍ଷ ବୟସ ପରେ ମାସିକ ୫ ହଜାର ଟଙ୍କା ପେନସନ୍ ପ୍ରଦାନ ସହ ଗୃହ ନିର୍ମାଣ ନିମନ୍ତେ ୫ ଲକ୍ଷ ସହାୟତା ପ୍ରଦାନ, ରାସ୍ତାର ୧୦୦ କିମି ଅନ୍ତରରେ ଡ୍ରାଇଭରମାନଙ୍କ ନିମନ୍ତେ ବିଶ୍ରାମାଗାର ଓ ଗାଡି ପାର୍କିଂ ସ୍ଥଳ ନିର୍ମାଣ, ଦୁର୍ଘଟଣାରେ ପ୍ରାଣ ହରାଉଥିବା ଡ୍ରାଇଭରଙ୍କୁ ୨୦ ଲକ୍ଷ ଟଙ୍କା ବୀମା ଓ ଅର୍କମନ୍ୟ ହେଲେ ୧୦ ଲକ୍ଷର ବୀମା ସହ ଚିକିତ୍ସା ସହାୟତା, ଡ୍ରାଇଭର ସଂଖ୍ୟା ସର୍ଭେ ଓ କାର‌୍ୟ୍ୟ ସମୟସୀମା ଧାର‌୍ୟ୍ୟ କରିବା, ଡ୍ରାଇଭରଙ୍କୁ ଦ୍ୱିତୀୟ ସୈନିକ ମାନ୍ୟତା, ଡ୍ରାଇଭରଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷାର ବ୍ୟବସ୍ଥା କରିବା, ଗାଡ଼ି ଚେକିଂ ଆଳରେ ଡ୍ରାଇଭରଙ୍କୁ ହଇରାଣ ନକରିବା ଏବଂ ଡ୍ରାଇଭିଂ ଲାଇସେନ୍ସ ୧୫ ହଜାର ଟଙ୍କାରୁ କମାଇବା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031