Indus Valley Times

ଦାବି ଶୁଣୁ ନାହାନ୍ତି ସରକାର, ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

 Breaking News

ଦାବି ଶୁଣୁ ନାହାନ୍ତି ସରକାର, ଆଜିଠୁ ସମୂହ ଛୁଟିରେ ଯିବେ ପ୍ରାଥମିକ ଶିକ୍ଷକ

September 13
11:08 2023

ଭୁବନେଶ୍ବର,୧୩/୯: ଗଣଶିକ୍ଷା ସଚିବ କିମ୍ବା ବିଜେଡି ସାଙ୍ଗଠନିକ ସମ୍ପାଦକଙ୍କ ଆଶ୍ବାସନା କାମ ଦେଲାନି। ବାରମ୍ବାର ପ୍ରତିଶ୍ରୁତି ଦେଇ ଠକୁଥିବାରୁ ଶିକ୍ଷକ ସଂଘର ନେତାମାନେ ଆଉଏମାନଙ୍କୁ ବିଶ୍ବାସକୁ ନେଇ ନାହାନ୍ତି।
ଏଥର ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ସିଧା ସିଧା କହିଛନ୍ତି ଯେ ଦାବିଗୁଡ଼ିକ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ ଏବଂ ପ୍ରତିଶ୍ରୁତି ଦିଅନ୍ତୁ। ନ ହେଲେ ବୁଧବାରଠାରୁ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ଯିବେ।
ସ୍କୁଲ ଆସିବେ ନାହିଁ କି ତାଲା ଖୋଲିବେ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ। ପିଲାମାନଙ୍କ ଯେଉଁ କ୍ଷତି ହେବ ସେଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ।
ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାରରେ ଦରମା, କଳା ଓ କ୍ରୀଡ଼ା ଶିକ୍ଷକଙ୍କ କ୍ଷେତ୍ର କ୍ୟାରିଅର ଅଡଭାନ୍ସମେଣ୍ଟ ପଲିସି ଲାଗୁ, ଜୁନିଅର ଶିକ୍ଷକଙ୍କୁ ନିୟମିତ ମାନ୍ୟତା, ଗଣଶିକ୍ଷକଙ୍କ ଏକ୍ସ-କ୍ୟାଡର ହଟାଇବା ପରି ଦାବି ନେଇ ଚାଲିଥିବା ଆନ୍ଦୋଳନକୁ ଭଣ୍ଡୁର ପାଇଁ ରାଜ୍ୟ ସରକାର ଯଥାସମ୍ଭବ ଚେଷ୍ଟା କରିଥିଲେ। ଗଣଶିକ୍ଷା ମନ୍ତ୍ରୀଙ୍କୁ ପଛକୁ ଠେଲି ଦେଇ ନିଜେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କାର୍ପଟଦାର ସାଜି ଆନ୍ଦୋଳନ ଫୁସ୍କାଇଦେବେ ବୋଲି ସାମ୍ନାକୁ ଆସିଥିଲେ।
କଳବଳ କୌଶଳ ଲଗାଇ ଶିକ୍ଷକଙ୍କୁ ଆନ୍ଦୋଳନକୁ ପ୍ରଶମିତ କରିବା ଲାଗି କୌଣସି ସୁଯୋଗ ହାତ ଛଡ଼ା କଲେନି। ହେଲେ ଆଜି ରାତି ସୁଦ୍ଧା ସଫଳ ହୋଇ ନାହାନ୍ତି।
ବରଂ ଶିକ୍ଷକମାନେ ନିଜ ଜିଦ୍ରେ ଅଟଳ ରହିବା ସହ ଆନ୍ଦୋଳନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସେପଟେ ଯଦି ବୁଧବାର ରାଜ୍ୟର ଲକ୍ଷାଧିକ ଶିକ୍ଷକ ସମୂହ ଛୁଟିରେ ଯାଆନ୍ତି ତେବେ ପ୍ରାୟ ୫୦ ହଜାର ବିଦ୍ୟାଳୟରେ ପାଠପଢ଼ା ଠପ୍ ହୋଇଯିବ।
ପିଲାମାନଙ୍କ କ୍ଲାସ ହେବ ନାହିଁ। ସେମାନେ ପାଠ ଠାରୁ ଦୂରେଇ ଯିବାର ଆଶଙ୍କା ପ୍ରକାଶ ପାଇଛି। କେବଳ ଯେ ସେମାନଙ୍କ ପାଠପଢ଼ା ପ୍ରଭାବିତ ହେବ ତାହା ନୁହେଁ, ହଜାର ହଜାର ଛାତ୍ରଛାତ୍ରୀ ମଧ୍ୟାହ୍ନଭୋଜନ ପାଇବାରୁ ବଞ୍ଚିତ ହେବେ।
ବର୍ଷା ଦିନ ଜାରି ରହିଥିବାରୁ ଶିକ୍ଷକମାନେ ଏତେ ଦିନ ଛୁଟିରେ ରହିବା ଦ୍ବାରା ମଧ୍ୟାହ୍ନଭୋଜନ ସାମଗ୍ରୀଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।
୫ ଦିନର ଆନ୍ଦୋଳନ ପରେ ମଧ୍ୟ ଦାବି ପୂରଣ ନେଇ ସରକାରଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। ଏଣୁ ବୁଧବାରଠାରୁ ଚୂଡ଼ାନ୍ତ ଲଢ଼ାଇ ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ସଜବାଜ ଚଳାଇଛନ୍ତି।
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ବ୍ୟାନରରେ ସମସ୍ତ ପ୍ରାଥମିକ ଶିକ୍ଷକ ସଂଘ ମିଳିତ ଭାବେ ସରକାରଙ୍କ ବିରୋଧରେ ଲଢ଼େଇ ଡାକରା ଦେଇଛନ୍ତି। ଭୁବନେଶ୍ବରସ୍ଥିତ ଶିକ୍ଷକ ଭବନରେ ଆଜି ବସିଥିବା ଷ୍ଟିୟରିଂ କମିଟି ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ୧୩ ତାରିଖଠାରୁ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହିବେ। କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇ ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର‌୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ। ସମସ୍ତ ଶିକ୍ଷକ ସଙ୍ଗଠନର ୩ଜଣ ଶୀର୍ଷ ନେତୃତ୍ବ ଭୁବନେଶ୍ବରରେ ରହି ଆନ୍ଦୋଳନ ପରିଚାଳନା ଓ ସଫଳତା ଦିଗରେ କାର୍ଯ୍ୟ କରିବେ।
ଫେଡେରେସନ୍ ପ୍ୟାଡ୍ ବ୍ୟତୀତ ଅନ୍ୟ କୌଣସି ସଙ୍ଗଠନ ନିଜ ପ୍ୟାଡ୍ ବ୍ୟବହାର କରିପାରିବେ ନାହିଁ। ଫେସ୍ବୁକ୍, ହ୍ବାଟସପ୍ ଓ ଅନ୍ୟ କୌଣସି ସାମାଜିକ ଗଣମାଧ୍ୟମରେ କାହା ବିରୋଧରେ ଅଶାଳୀନ ମନ୍ତବ୍ୟ କିମ୍ବା ଆନ୍ଦୋଳନ ବାଧାପ୍ରାପ୍ତ ହେବା ଭଳି ମନ୍ତବ୍ୟ ଦେବେ ନାହିଁ।
ଯେଉଁ ସଙ୍ଗଠନର ସଦସ୍ୟ ଖରାପ ମନ୍ତବ୍ୟ ଦେବେ ସେମାନଙ୍କୁ ସଙ୍ଗଠନରୁ ସାମୂହିକତାରୁ ବାଦ୍ ଦିଆଯିବ। ଶିକ୍ଷକ ଶିକ୍ଷୟିତ୍ରୀ ନିଜ ବ୍ଲକ ଓ ଜିଲ୍ଲା ନେତୃତ୍ବଙ୍କ ସହ ଯୋଗାଯୋଗ କରି ସମସ୍ତ କାର‌୍ୟ୍ୟପନ୍ଥା ବୁଝିବେ ଓ ଆନ୍ଦୋଳନକୁ ଆଗେଇ ନେବେ। ରାଜ୍ୟ ସରକାରଙ୍କ ବିରୋଧରେ କେହି ଅଶାଳୀନ ମନ୍ତବ୍ୟ ପ୍ରଦାନ ନ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି।
ଫେଡେରେସନ୍ ମହାସଚିବ ଚାରୁଲତା ମହାପାତ୍ର ବୈଠକ ପରେ କହିଛନ୍ତି ଯେ ୮ ତାରିଖଠାରୁ ସମସ୍ତ ଜିଲ୍ଲା ଓ ବ୍ଲକରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଛି। ଗତକାଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ ଡକାଯାଇଥିଲା।
ସେଠାରେ ବିଭାଗୀୟ ସଚିବ ଓ ଅଧିକାରୀମାନେ ଦାବିଗୁଡ଼ିକୁ ସକରାତ୍ମକ ଭାବେ ନେଇଛନ୍ତି। ୫ଜଣିଆ ସବ୍ କମିଟି ମଧ୍ୟ ଗଠନ କରିଛନ୍ତି। ଉକ୍ତ ସବ୍ କମିଟି ମଧ୍ୟ ଆମ ଦାବିଗୁଡ଼ିକୁ ଆଲୋଚନା କରି ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟିକୁ ଦେବେ।
ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ତାହାକୁ କାର୍ଯ୍ୟକାରୀ କରିବେ ବୋଲି ଗତକାଲି ଶୁଣାଇଥିଲେ ଏବଂ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଥିଲେ। ସେହି ଅନୁଯାୟୀ ଆଜି ବସିଥିବା ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ଆମେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଓ ଅପିଲ୍କୁ ସମ୍ମାନ ଦେଉଛୁ।
ରାଜ୍ୟ ସରକାରଙ୍କ ଉପରେ ଭରସା ଅଛି ଦାବି ପୂରଣ ହେବ। ତାପରେ ବି ଦାବି ପୂରଣ ଦିଗରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ନିବେଦନ କରୁଛୁ। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପର‌୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031