Indus Valley Times

କୋରାପୁଟରେ ରେକର୍ଡ ୯୨୫.୨ମିଲିମିଟର ବର୍ଷା: ଫୁଲୁଛି କୋଲାବ, ତେଲିଙ୍ଗିରୀ ୧୦୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଲା

 Breaking News

କୋରାପୁଟରେ ରେକର୍ଡ ୯୨୫.୨ମିଲିମିଟର ବର୍ଷା: ଫୁଲୁଛି କୋଲାବ, ତେଲିଙ୍ଗିରୀ ୧୦୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଲା

September 10
12:30 2024

ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କ ରିପୋର୍ଟ
କୋରାପୁଟ, ୧୦/୯ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପର ଅବପାତ ପ୍ରଭାବରେ ଜିଲ୍ଲାରେ ବ୍ୟାପକ ଭାବେ ଲଗାଣ ବର୍ଷା ଲାଗି ରହିଛି ।
ଜିଲ୍ଲାର ସବୁ ବ୍ଲକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ରାସ୍ତା ଘାଟ ସବୁଠି ପାଣିର ଲହଡି ଭାଙ୍ଗୁଛି ବର୍ଷା ଜଳ ।ଅନ୍ୟପଟେ ଜିଲ୍ଲାର ଲମତାପୁଟରେ ଥିବା ମାଛକୁଣ୍ଡ ପାୱାର ହାଉସରେ ପସି ଯାଇଛି ବର୍ଷା ଜଳ । ମାଛକୁଣ୍ଡ ପାୱାର ହାଉସରେ ୨ ନମ୍ବର ୟୁନିଟ୍ ଭିତରେ ବର୍ଷା ଜଳ ପ୍ରବେଶ କରିଛି ।ଜଲାପୁଟ ଜଳଭଣ୍ଡାରର ଜଳସ୍ତର ଲଗାତାର ବୃଦ୍ଧି ପାଇବାରୁ ଏହି ଡ୍ୟାମର ୫ଟି ଓ ମାଛକୁଣ୍ଡ ଜଳବିଦ୍ୟୁତ ପ୍ରକଳ୍ପର ଡି.ଡ୍ୟାମର ଜଳସ୍ତର ବଢ଼ିବାରୁ ୪ଟି ଗେଟ ଖୋଲା ଯାଇଛି।ଫଳରେ ବିଦ୍ୟୁତ ଉତ୍ପାଦନ ବନ୍ଦ ରଖାଯାଇଛି ।
ଅନ୍ୟପଟେ ଉପରକୋଲାବ ଜଳଭଣ୍ଡାରରେ ଜଳସ୍ତର ବଢ଼ିଛି। ଉପରକୋଲାବ ଜଳଭଣ୍ଡାରର ଜଳଧାରଣ କ୍ଷମତା ୮୫୮ ମିଟର ସର୍ବୋଚ୍ଚ ସ୍ତର ଥିବାବେଳେ ଏବେ ଏହା ୮୫୬.୪୫ ମିଟରକୁ ପହଞ୍ଚିଲାଣି।ସେହିପରି ତେଲିଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ ଜଳଭଣ୍ଡାର ୬୩୩.୦୦ମିଟର ଥିବା ବେଳେ ଏହା ଭିତରେ ୬୩୧.୮୯ମିଟର ଜଳ ରହିଛି । ବର୍ଷାକୁ ଦେଖି ଜିଲ୍ଲା ପ୍ରଶାସନ ସଜାଗ ରହିଛି ବୋଲି କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ ଞାନଜିତ ତ୍ରିପାଠୀ ଓ ଅତିରିକ୍ତ ଜିଲ୍ଲାପାଳ ଆଲମଣି ସେଠୀ।
ଗତ ୭ତାରିଖ ଠାରୁ ଜିଲ୍ଲାରେ ବର୍ଷା ଜାରୀ ରହିଛି। ଜିଲ୍ଲାରେ ଆଜି ୯୨୫.୨ ମିଲିମିଟର ଓ ହାରାହାରି ୬୬.୦୯ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ ଞାନଜିତ ତ୍ରିପାଠୀ।ପାଣିପାଗ ‌ଦକ୍ଷିଣ ଓଡିଶାର ଅଭିବକ୍ତ କୋରାପୁଟ ଜିଲ୍ଲାର କୋରାପୁଟକୁ ଅରେଞ ୱାର୍ଣ୍ଣିଂ ଜାରୀ କରାଯାଇଥିବା ବେଳେ ଏବେ ରେଡ ଜାରୀ କରାଯାଇଛି।

ଗତ କାଲି ସକାଳ ୮ଟାରୁ ଆଜି ସକାଳ ୮ଟା ଯାଏଁ ଜିଲ୍ଲାର ବୈପାରୀଗୁଡା ବ୍ଲକରେ ୧୯୮ ମିମି ବର୍ଷା ହୋଇଛି। ଗତ ଦୁଇ ଦିନ ମଧ୍ୟରେ ଏହି ବ୍ଲକରେ ସର୍ବାଧିକ ୩୬୮ମିମି ବର୍ଷା ହୋଇଛି।ସେହିପରି ଆଜି ଜୟପୁର ବ୍ଲକରେ ୮୬.୮ମିମି ବର୍ଷା ହେବା ସହ ଦୁଇ ଦିନରେ ୨୦୭ମିମି ବର୍ଷା ହୋଇଛି।
ସେହିପରି କୋରାପୁଟ ବ୍ଲକରେ ୬୯.୬ ମିମି, ଲମତାପୁଟ ବ୍ଲକରେ ୧୩୨ମିମି, ପଟ୍ଟାଙ୍ଗୀ ବ୍ଲକରେ ୫୬ମିମି, ଦଶମନ୍ତପୁର ବ୍ଲକରେ ୨୧ମିମି, ସେମିଳିଗୁଡା ବ୍ଲକରେ ୮୬ମିମି, କୁନ୍ଦ୍ରା ବ୍ଲକରେ ୬୯.୪ମିମି, କୋଟପାଡ଼ ବ୍ଲକରେ ୮୦.୨ମିମି , ବୋରିଗୁମ୍ମା ବ୍ଲକରେ ୧୮ମିମି , ‌ନନ୍ଦପୁର ବ୍ଲକରେ ୭୮ମିମି ଓ ନାରାୟଣପାଟଣା ବ୍ଲକରେ ୨୦.୨ମିମି , ବନ୍ଧୁଗାଁ ବ୍ଲକରେ ୨ମିମି ଓ ଲକ୍ଷ୍ମୀପୁର ବ୍ଲକରେ ୮ମିମି ବର୍ଷା ହୋଇଛି।ଜିଲ୍ଲାର ଜୟପୁର, ବୈପାରୀଗୁଡା, ନନ୍ଦପୁର, ଲମତାପୁଟ, ସେମିଳିଗୁଡା , କୋରାପୁଟ, କୋଟପାଡ, ଓ କୁନ୍ଦ୍ର ବ୍ଲକରେ ପ୍ରବଳ ବର୍ଷା ହେବା ଫଳରେ ସବୁ ନଦୀନାଳରେ ପାଣି ଭରି ଯାଇଛି।

ଚାଷ ଜମି ଗୁଡିକରେ ପାଣି ଜମା ହୋଇ ରହିଥିବା ଦେଖିବାକୁ ମିଳିଛି।ସେହିପରି ଜିଲ୍ଲାର ସବୁ ସହରାଂଚଳର ବସ୍ତି ଓନୂଆ କଲୋନୀ ଗୁଡିକର ସ୍ବେରେଜ୍ ତଥା ପାଣି ନିଷ୍କାସନ୍ ବ୍ୟବସ୍ଥା ଠିକ ନଥିବାରୁ ବହୁ ସ୍ଥାନରେ ପାଣି ଜମା ହୋଇ ରହିଛି।କୋଲାବ ନଦୀ ଓ ବିରୀଗାଡ଼ ସହ ଅନ୍ୟ ନାଳ ଗୁଡିକରେ ଅଧିକା ପାଣି ଚାଳୁଥିବା ଦେଖିବାକୁ ମିଳିଛି। ଜିଲ୍ଲାର ବୈପାରୀଗୁଡା, ଜୟପୁର , କୋରାପୁଟ, ବୋରିଗୁମ୍ମା, କୋଟପାଡ଼, କୁନ୍ଦ୍ରା ଆଦି ବ୍ଲକରେ ପ୍ରବଳ ବର୍ଷା ହେବା ସହ ଜମି ଗୁଡିକରେ ପାଣି ମାଡ଼ିଯାଇଛି। ଜିଲ୍ଲା‌ରେ ଶତାଧିକ ଘର ଭାଙ୍ଗିଥିବା ରିପୋର୍ଟ ଆସିଥିବା କହିଛନ୍ତି ଜିଲ୍ଲା ଜରୁରୀ ଅଧିକାରୀ।

ଜରୁରୀସ୍ଥାନରେ ପଲିଥିନ୍ ବିତରଣ ସହ ରନ୍ଧାଖାଦ୍ୟ ବିତରଣ କରିବାକୁ ସବୁ ପ୍ରସ୍ତୁତ କରି ରଖାଯାଇଛି ବୋଲି କହିଛନ୍ତି ଜିଲ୍ଲା୍ଜରୁରୀ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳ। ଏକର ଏକର ଜମିରେ ପାଣି ମାଡ଼ି ଯାଇଥିବା ଦେଖିବାକୁ ମିଳିଛି । ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ନଦୀପାଖ ଗାଁର କିଛି ପରିବାରକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ‌ଦିଆଯାଇଥିବା କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଆଲୋମଣି ସେଠି । ବର୍ଷା କମିବା ପ‌ରେ ହିଁ କେତେ ପରିମାଣର ଜମିର କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯିବ। ବୈପାରୀଗୁଡା ଓ କୁନ୍ଦ୍ରାବ୍ଲକର କିଛି ଗାଁର ରାସ୍ତା ସହ ପୋଲ ଭାସିଯାଇଛି।
ସଂପୁର୍ଣ୍ଣ ବର୍ଷା ଛାଡ଼ିବା ପରେ ହିଁ ଏସବୁ ସ୍ଥିତିର ନିରୀକ୍ଷଣକରି ସରକାରୀ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930