Indus Valley Times

ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ : ମାଓଗତିବିଧି ଓ ଗଂଜେଇ ଚାଲାଣକୁ ନେଇ ଅଧିକାରୀଙ୍କ ସହିତ କଲେ ଆଲୋଚନା

 Breaking News

ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ : ମାଓଗତିବିଧି ଓ ଗଂଜେଇ ଚାଲାଣକୁ ନେଇ ଅଧିକାରୀଙ୍କ ସହିତ କଲେ ଆଲୋଚନା

ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କଲେ ପୋଲିସ ମହାନିର୍ଦ୍ଦେଶକ : ମାଓଗତିବିଧି ଓ ଗଂଜେଇ ଚାଲାଣକୁ ନେଇ ଅଧିକାରୀଙ୍କ ସହିତ କଲେ ଆଲୋଚନା
October 19
09:46 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୯/୧୦: ମାଓ ପ୍ରବଣ ବୌଦ୍ଧଜିଲ୍ଲାରେ ମାଓ ଗତିବିଧି ବୃଦ୍ଧି ପାଉଥିବା ବେଳେ ଜିଲ୍ଲାରେ ମାଓ ସ୍ଥିତିର ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ,ବି. ଖୁରାନିଆ । ଗତକାଲି ସନ୍ଧ୍ୟାରେ ମାଓ ଅଧିସୁତ କଣ୍ଟାମାଳ ବ୍ଲକର ଘଣ୍ଟାପଡା ଥାନାକୁ ଯାଇ ମାଓ ସ୍ଥିତିର ସମୀକ୍ଷା କରିଥିଲେ । ସେଠାରେ ଥିବା ବିଏସଏଫ କ୍ୟାମ୍ପ ପରିଦର୍ଶନ କରି ସେଠାରେ ଜବାନଙ୍କ ସହିତ ଆଲୋଚନା କରିଥିଲେ ।
ଶୁକ୍ରବାର ସକାଳେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଜିଲ୍ଲାର ପୋଲିସ ଅଧିକାରୀ, ଏସଓଜି ଅଧିକାରୀ ମାନଙ୍କୁ ନେଇ ମାଓସ୍ଥିତିର ସମୀକ୍ଷା କରିଥିଲେ ଓ ରିଜର୍ଭ କାର୍ଯ୍ୟାଳୟକୁ ଯାଇ ତଦାରଖ କରିଥିଲେ । ଏହି ସମୟରେ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଖୁରାନିଆ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ କହିଲେ ଯେ, ବିଭିନ୍ନ ଥାନା ଅଂଚଳକୁ ଯାଇ ମାଓ ଦମନ ନେଇ ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ ।
ଜିଲ୍ଲାରେ ଯେଉଁ ସବୁ ସମସ୍ୟା ସରିଛି ଏଠାରୁ ଗଲାପରେ ଜିଲ୍ଲାର ସେହିସବୁ ସମସ୍ୟାକୁ ଦୂର କରିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ । ସେହିପରି ଜିଲ୍ଲାରେ ଚାଲୁଥିବା ଗଂଜେଇ ଚାଷକୁ ରୋକିବା ପାଇଁ ଜିଲ୍ଲାପାଳ ଓ ଡିଏଫଓଙ୍କ ସହିତ ସେ ସଂପର୍କରେ ଆଲୋଚନା କରାଯାଇଛି । ଜିଲ୍ଲାରେ କେଉଁ କେଉଁ ସ୍ଥାନରେ ଗଂଜେଇ ଚାଷ ହେଉଛି ସେହି ସବୁ ଅଂଚଳ ଗୁଡିକ ଚିହ୍ନଟ କରାଯାଇଛି । କିପରି ଅଧିକ ପରିମାଣର ଗଂଜେଇ ଚାଷକୁ ନଷ୍ଟ କରାଯାଇ ପାରିବ ସେଥିପାଇଁ ଅନ୍ୟ ବିଭାଗ ସହାୟତା ନେଇ କାର୍ଯ୍ୟକରିବୁ ବୋଲି କହିଥିଲେ । ପୋଲିସ ମହାନିର୍ଦ୍ଦେଶକ ତାଙ୍କ ଗସ୍ତ ସମୟରେ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରେ ଏସଓଜି ଜବାନଙ୍କ ସହିତ ସିଧାସଳଖ ଆଲୋଚନା କରିଥିଲେ । ଜିଲ୍ଲା ଗସ୍ତ ସମୟରେ ଆଇଜି ଅପରେସନ ଜୟନାରାୟଣ ପଙ୍କଜ, ଡିଆଇଜି ଏସଆଇଡ୍ଳ୍ୟୁ କାନୱାଲ ବିଶାଲ ସିଂ, ଡିଆଇଜି ସାର୍ଥକ ଷଢଙ୍ଗୀ, ଓ ବୌଦ୍ଧ ଏସପି ନାଗରାଜ ଦେଓରକୋଣ୍ଡା ଉପସ୍ଥିତ ଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ଉଚ୍ଚପଦସ୍ଥ ଅଧିକାରୀ ମାନେ ସାମିଲ ଥିଲେ । ସୂଚନା ମତେ, ବୌଦ୍ଧଜିଲ୍ଲାରେ ଗତ କିଛି ବର୍ଷ ମାଓ ଗତିବିଧି ଦିନକୁ ଦିନ ବୃଦ୍ଧି ପାଉଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ମନମୁଣ୍ଡା ଥାନା, କଣ୍ଟାମାଳ ଥାନା ଓ ଘଣ୍ଟାପଡା ଥାନା ଅଂଚଳରେ ଥିବା ଜଙ୍ଗଲ ମଧ୍ୟରେ ସେମାନଙ୍କ ଗତିବିଧି ସକ୍ରିୟ ରହିଛି । ଜିଲ୍ଲାରେ ପୋଲିସ ପକ୍ଷରୁ ମାଓ ଦମନ ଜାରି ରହିଥିବା ବେଳେ ବିଭିନ୍ନ ସମୟରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଫଳରେ ପୁଲିସ ପକ୍ଷରୁ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି । ଗତ ଏପ୍ରିଲ ମାସରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ଦୁଇ ଜଣ ମାଓବାଦୀ ନିହତ ହୋଇଥିଲେ । ସେହିପରି ଗତ ଜାନୁଆରୀ ମାସରେ ବାତେପଙ୍ଗା ଜଙ୍ଗଲରେ ଏସଓଜି ଜବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଆଇଡି ବିସ୍ପୋରଣ ଘଟି ତିନି ଏସଓଜି ଜବାନ ସାମାନ୍ୟ ଆହତ ହୋଇଥିଲେ । ଗତ ଫେବୃଆରୀ ଓ ମେ ମାସରେ ଏଗାର ଜଣ ମାଓବାଦୀ ଆତ୍ମ ସମର୍ପଣ କରିଥିଲେ । ଯାହାକି ଜିଲ୍ଲା ପୋଲିସ ପାଇଁ ଏକ ବଡ ସଫଳତା ହୋଇଥିଲା ।
ସରକାର ଆଳୁ ପାଇଁ ଜୁଝୁଛନ୍ତି : ପ୍ରେତ୍ସାହନ ଅଭାବ ଯୋଗୁଁ ବୌଦ୍ଧଜିଲ୍ଲାରେ ଚାଷୀ ଆଳୁ ଚାଷରୁ ମୁହଁ ଫେରାଉଛନ୍ତି
ସଂରକ୍ଷଣ ପାଇଁ ଜିଲ୍ଲାରେ ନାହିଁ ଶୀତଳ ଭଣ୍ଡାର
ବୈାଦ୍ଧ,୧୯/୧୦: ବୌଦ୍ଧ ଏକ କୃିଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ପ୍ରାୟ ଅଶି ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଶିଳ୍ପ ବିହିନ ଏହି ଜିଲ୍ଲାରେ ଚାଷୀ ଧାନ ଚାଷ ସହିତ ବିଭିନ୍ନ ଡାଲି ଜାତୀୟ ଓ ପରିବା ଜାତୀୟ ଫସଲ ଚାଷ କରିଥାଏ । ହେଲେ ଚାଷୀ ଧାନ ଚାଷକୁ ଅଧିକ ଗୁରୁତ୍ୱ ଦେଇଥାଏ । ଜିଲ୍ଲାର ଭୌଗଳିକ ସ୍ଥିତିକୁ ଦେଖିଲେ ଜିଲ୍ଲାରେ ୩ ଲକ୍ଷ ୫୮ ହଜାର ୨୯୨ ହେକ୍ଟର ଜମି ରହିଛି । ସେଥିମଧ୍ୟରୁ ୮୫ ହଜାରରୁ ଉର୍ଦ୍ଧ୍ୱ ହେକ୍ଟର ଚାଷ ଜମିରେ ଚାଷ କରାଯାଇଥାଏ । ହେଲେ ଜିଲ୍ଲାରେ ଆଳୁଚାଷ ପାଇଁ ପର୍ଯ୍ୟପ୍ତ ପରିମାଣର ସୁବିଧା ରହିଥିଲେ ମଧ୍ୟ ଚାଷୀ ଆଳୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରୁନାହିଁ । ଜିଲ୍ଲାରେ ମହାନଦୀ, ବାଘନଦୀ, ସାଲୁଙ୍କି, ତେଲନଦୀ ଭଳି ଓଡିଶାର ପ୍ରମୁଖ ନଦୀମାନ ବୋହି ଯାଇଛି ।
ଏହି ନଦୀ ପଠାମାନଙ୍କରେ ଆଳୁ ଚାଷ ପାଇଁ ଉପଯୋଗୀ ହୋଇଥିଲେ ମଧ୍ୟ ଚାଷୀ ଆଳୁ ଚାଷରୁ ମୁହଁ ଫେରାଇ ନେଉଛି । ଜିଲ୍ଲାରେ ମହାନଦୀ ୧୧୦ କିଲୋମିଟରରୁ ଉର୍ଦ୍ଧ୍ୱ ପ୍ରବାହିତ ହେଉଥିବା ବେଳେ ତେଲନଦୀ ୭୦ କିଲୋମିଟରରୁ ଉର୍ଦ୍ଧ୍ୱ ବୋହିଯାଇଥିବା ଜଣାପଡିଛି । ସେହିପରି ବାଘନଦୀ ପ୍ରାୟ ୩୫ କିଲୋମିଟର ଓ ସାଲୁଙ୍କି ନଦୀ ପ୍ରାୟ ୩୫ କିଲୋମିଟର ବୋହିଯାଇଥିବା ଜଣାପଡିଛି । ନଦୀ କୂଳମାନଙ୍କରେ ଦୋରସା ଓ ବାଲିଆ ମାଟି ଆଳୁ ଚାଷ ପାଇଁ ଉପଯୋଗୀ ହୋଇଥିଲେ ମଧ୍ୟ ସରକାରୀସ୍ତରରେ ପ୍ରୋତ୍ସାହନ ଅଭାବ ଯୋଗୁଁ ଚାଷୀ ଆଳୁ ଚାଷ ପାଇଁ ମୁହଁ ଫେରାଉଛି । ହେଲେ ଜିଲ୍ଲା ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀଙ୍କୁ ଆଳୁ ଚାଷ ପାଇଁ ସଚେତନତା କରାଯାଉଥିଲେ ମଧ୍ୟ ଚାଷୀ ଆଗ୍ରହ ପ୍ରକାଶ କରୁନାହାନ୍ତି ।
କାରଣ ଏହି ସମୟରେ ଚାଷୀମାନେ ଧାନ ଚାଷରେ ବ୍ୟସ୍ତ ରହିଥାନ୍ତି । ଆଳୁ ଚାଷ ସାଧାରଣତଃ ନଭେମ୍ବର ମାସରେ ଆରମ୍ଭ ହୋଇଥାଏ । ଉଦ୍ୟାନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ, ଜିଲ୍ଲାରେ ଗତ ବର୍ଷ ୮୩ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିବା ବେଳେ ଚଳିତ ବର୍ଷ ତିନିଶହ ହେକ୍ଟର ଜମିରେ ଆଳୁ ଚାଷ କରିବା ପାଇଁ ଲକ୍ଷ୍ୟ ଦିଆଯାଇଛି । ଗତବର୍ଷ ଜିଲ୍ଲାର ବୌଦ୍ଧ ବ୍ଲକରେ ୨୦ ହେକ୍ଟର ଜମିରେ ଆଳୁ ଚାଷ କରାଯାଇଥିବା ବେଳେ କଣ୍ଟାମାଳ ବ୍ଲକରେ ୨୫.୬ ହେଲ୍ଟର ଓ ହରଭଙ୍ଗା ବ୍ଲକରେ ୩୬.୭ ହେକ୍ଟର ଜାଗାରେ ଆଳୁ ଚାଷ କରାଯାଇଥିଲା । ଏକ ହେକ୍ଟର ଜମିରୁ ପ୍ରାୟ ୧୫୦ କ୍ୱୁଣ୍ଟାଲ ଆଳୁ ଉତ୍ସାଦନ ହୋଇଥାଏ । ସରକାରୀ ଭାବରେ ଜିଲ୍ଲାରେ ଚାରି ହଜାରରୁ ଉର୍ଦ୍ଧ୍ୱ ଚାଷୀ ପିଆଜ ଚାଷ କରିଥିବା ବେଳେ ଏହାବାହାରେ ଅନେକ ଚାଷୀ ନିଜସ୍ୱ ଉଦ୍ୟମ ଓ ଖର୍ଚ୍ଚରେ ମଧ୍ୟ ଆଳୁ ଚାଷ କରିଥାନ୍ତି । ଜିଲ୍ଲାରେ ଆଳୁ ଚାଷ ପାଇଁ ଉପଯୋଗୀ ହୋଇଥିବା ବେଳେ ଜିଲ୍ଲାବାସୀଙ୍କ ଚାହିଦା ମେଣ୍ଟାଇବା ସହିତ ଜିଲ୍ଲା ବାହାରକୁ ମଧ୍ୟ ପର୍ଯ୍ୟପ୍ତ ପରିମାଣର ଆଳୁ ପଠାଇ ପାରିବ ବୋଲି ଚାଷୀ ପ୍ରକାଶ କରିଛନ୍ତି । ହେଲେ ଉତ୍ପାଦିତ ଆଳୁକୁ କେଉଁଠି ସଂରକ୍ଷିତ କରି ରଖିବ ଚାଷୀ । ଯେହେତୁ ଜିଲ୍ଲାରେ ଶୀତଳ ଭଣ୍ଡାର ନାହିଁ ।
ତେଣୁ ଆଳୁକୁ ରଖିବା ପାଇଁ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । ଆଗ ଜିଲ୍ଲାରେ ପ୍ରଚୁର ପରିମାଣର ଆଳୁ ଚାଷ ହେଉଥିଲା । ହେଲେ ସଂରକ୍ଷଣ ଅଭାବ ଯୋଗୁଁ ଚାଷୀ ଆଉ ଆଳୁ ଚାଷ ବନ୍ଦ କରି ଦେବାକୁ ବାଧ୍ୟ ହେଲେ । ରାଜ୍ୟରେ ଦେଖାଦେଇ ଥିବା ଆଳୁ ସଂଙ୍କଟ ପାଇଁ ସରକାର ଜୁଝୁ ଥିବା ବେଳେ ଜିଲ୍ଲାରେ ଚାଷ ପାଇଁ ଭିତିଭୁମିର ସୁବିଧା ଥିଲେ ମଧ୍ୟ ସରକାରୀ ପ୍ରତ୍ସାହନ ଅଭାବ ଯୋଗୁଁ ଚାଷୀ ଆଳୁ ଚାଷ ପାଇଁ ଆଗ୍ରହ ପ୍ରକାଶ କରୁନାହିଁ ।
ଦୁର୍ଗମ ଅଞ୍ଚଳ ମହାଲିକପଡାରେ ମଶାରୀ ବଣ୍ଟନ
ବୌଦ୍ଧ,୧୯/୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ମହାଲିକପଡା ଗ୍ରାମ ପଞ୍ଚାୟତରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଶାରୀ ବଣ୍ଟନ କରାଯାଇଥିଲା । ମଶାରୀ ବଣ୍ଟନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀ ଜୟକୃଷ୍ଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନି ଦାସ ଓ ସମ୍ମାନୀତ ଅତିଥିଭାବେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ହରଭଙ୍ଗା ବ୍ଳକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ବ୍ଳକ ଉପାଧ୍ୟକ୍ଷ କାହ୍ନୁ ଚରଣ ନାଥ, ହରଭଙ୍ଗା ବ୍ଳକ ବିଡିଓ ଶରତ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇ ଥିଲେ ।
ଏହି ଓøଷଧିୟ ମଶାରୀ ବ୍ୟବହାର ଯୋଗୁଁ ମ୍ୟାଲେରିଆରୁ ମୁକ୍ତି ମିିଳିବା ସହ ବିଷଧର ସାପ କାମୁଡାରୁ ମଧ୍ୟ ରକ୍ଷା ମିଳିପାରିବ । ମହାଲିକପଡା ଗ୍ରାମପଞ୍ଚାୟତର ସମସ୍ତ ଗ୍ରାମରେ ଏହି ମଶାରୀ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ମଶାରୀ ବଣ୍ଟନ କାର୍ଯ୍ୟକ୍ରମରେ ଡ. ମଦନ ମୋହନ ପ୍ରଧାନ, ଡ, ଶ୍ରୀମନ୍ତ ସ୍ୱାଇଁ, ସ୍ଥାନୀ ୟ ସରପଞ୍ଚ, ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ, ଏନଏମ ଓ ଅଙ୍ଗନୱାଡି , ଅଶା କର୍ମୀ ସାମିଲ ଥିଲେ ।
ବୌଦ୍ଧରେ ଗଜଲକ୍ଷ୍ମୀ ପୂଜା
ବୌଦ୍ଧ,୧୯/୧୦: ବୌଦ୍ଧ ସହର ସମେତ ଗ୍ରାମଚଂଳରେ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହେଉଛି । ସହରର ବିଭିନ୍ନ ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି ।
ବୌଦ୍ଧ ସହର ବାଘଗୁଡା ଛକସ୍ଥିତ ଲକ୍ଷ୍ମୀ ବଜାରରେ ଗଜଲକ୍ଷ୍ମୀ ଆରମ୍ଭ ହୋଇଥିବା ବେଳେ ସହର ବୁଟୁପାଲି ଠାରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିିତ ହେଉଛି । ସେହିପରି ବାମଣ୍ଡା,ଦେବଗଡ,ପଙ୍କୁଆଳ ଆଦି ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନଷ୍ଠିତ ହେଉଛି । ପୂଜା ମଣ୍ଡପ ଗୁଡିକ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଛି । ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।
ଶ୍ରୀହୀନ ହୋଇ ପଡିଛି ଯାଯାବର
ବୌଦ୍ଧ,୧୯/୧୦: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ମଥୁରା ପଂଚାୟତ ଅନ୍ତର୍ଗତ ଖଜୁରୀପଡା ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡରେ ଜନସାଧାରଣଙ୍କ ସୁବିଧା ପାଇଁ ସରକାର ଏକ ସୁବିଧା କେନ୍ଦ୍ର ଯାଯାବର ନିର୍ମାଣ କରିଥିଲେ । ହେଲେ ବର୍ତ୍ତମାନ ପ୍ରାୟ ୯ ମାସ ହେବ ଉକ୍ତ କେନ୍ଦ୍ରଟି ବନ୍ଦ ହୋଇ ପଡିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଯାଯାବରଟି ବନ୍ଦ ହୋଇ ପଡିବା ଫଳରେ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳି ପାଲଟି ଥିବା ବେଳେ ସୌନ୍ଦର୍ଯ୍ୟ କରଣ ପାଇଁ ସେଠାରେ ଲାଗିଥିବା ବିଭିନ୍ନ ମୂଲ୍ୟବାନ ଜିନିଷ ସବୁ ଚୋରୀ ହୋଇଯାଇଥିବା ବେଳେ ଅନେକ ଭାଙ୍ଗି ରୁଜି ଯାଇଥିବା ଅଭିଯୋଗ ହେଉଛି । ଯାତ୍ରୀଙ୍କ ସୁବିଧା ପାଇଁ ଏହାର ପରିସରରେ ରେଷ୍ଟୁରାଣ୍ଟ, ମିଶନଶକ୍ତି କାଫେ, ମିନି ପାର୍କ ଆଦି ନିର୍ମାଣ ହୋଇଥିଲା ।
ଏସବୁ ସ୍ୱତେ ଜିଲ୍ଲା ପ୍ରଶାସନର ଅଣଦେଖା କରି ଚାଲିଛି । ଏହି ଯାଯାବର କେନ୍ଦ୍ରଟି ୨୦୨୨ ମସିହାରେ କାର୍ଯ୍ୟକ୍ଷମ ହୋଇଥିଲା । ଏଠାରେ ସ୍ୱଂୟ ସହାୟୀକା ଗୋଷ୍ଠିର ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏହି ଯାଯାବର କେନ୍ଦ୍ରଟି ନିର୍ମାଣ କରାଯାଇଥିଲା । ଏବଂ ପ୍ରଥମେ ଏହାର ଦାୟୀତ୍ୱ ମହିଳା ସ୍ୱଂୟ ସହାୟୀକା ଗୋଷ୍ଠୀଙ୍କୁ ୍‌ଦିଆଯାଇଥିଲା । ହେଲେ ପରବର୍ତ୍ତି ସମୟରେ ପ୍ରଶାସନ ଜଣେ ଯୁବ ବ୍ୟବସାୟୀଙ୍କୁ ଡାକି ଏଠାରେ ରେଷ୍ଟୁରାଣ୍ଟ ଚଳାଇବାକୁ ଅନୁମତି ଦେଇଥିଲେ । ରେଷ୍ଟୁରାଣ୍ଟଟି ଖୋଲିବା ପରେ ଏଠାରେ ଭଲ ବ୍ୟବସାୟ ଆରମ୍ଭ ହୋଇଥିଲା ।
ଏହି ରାସ୍ତାଦେଇ ଯାଉଥିବା ଯାତ୍ରୀମାନେ ଏଠାରେ ରହି ଖାଦ୍ୟ ଖାଇ ଯାଉଥିଲେ । ଫଳରେ ଗହଳି ଗହଳି ଲାଗିରହିଥିଲା । ହେଲେ ପରବର୍ତ୍ତି ସମୟରେ ଅନେକ ପ୍ରଶାସନ ଅଧିକାରୀମାନେ ଏଠାକୁ ବୁଲି ବାକୁ ଆସିଥିବା ବେଳେ କିମ୍ବା ଏହି ରାସ୍ତା ଦେଇ ଯାଉଥିବା ସମୟରେ ସେଠାରେ ରହଣି କରି ଲମ୍ବା ଚଉଡା ବିଲ କରି ବାକି କରି ଚାଲିଯାଉଥିଲେ । ପଇସା ଦେବାର ନାଁ ଧରୁନଥିଲେ ।
କେତେକ ପ୍ରଶାସନିକ ଅଧିକାରୀମାନଙ୍କ ପାଇଁ ଏହା ମାଗଣା ଖିଆ କେନ୍ଦ୍ର ପାଲଟି ଯାଇଥିଲା । ଶେଷରେ ସେ ରେଷ୍ଟୁରାଣ୍ଟ ଛାଡି ଦେଇଥିଲେ । ପରବର୍ତ୍ତି ସମୟରେ ଯେଉଁମାନେ ହାତକୁ ନେଇଛନ୍ତି ପ୍ରଶାସନ ସେମାନଙ୍କୁ ଯେଉଁ ଭଳି ସହଯୋଗ କରିବା କଥା କଲା ନାହିଁ । ଫଳରେ ଏହା ଧିରେ ଧିରେ ବନ୍ଦ ହୋଇଯାଇଥିବା ଜଣାପଡିଛି । ଏହି ଯାଯାବର ନିର୍ମାଣ ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ଆର୍ଥିକ ଅନୁଦାନ ଦିଆଯାଇଥିଲା ।
ସେହିପରି ଏହାର ନିକଟରେ ସରକାର ଡବ୍ଲ୍ୟୁଡିସି ନନ୍ଦନ ବନ ପାଇଁ ଯୋଜନା ରଖିଥିବା ବେଳେ ତାହାର ମଧ୍ୟ କାର୍ଯ୍ୟ ଅଧାରେ ରହିଯାଇଛି । ନନ୍ଦନ ବନ ହେଲେ ଯାଯାବର ପର୍ଯ୍ୟଟକ ମାନେ ଏଠାରେ ଗାଡି ପାର୍କିଂ କରିବା ସହିତ ରେଷ୍ଟୁରାଣ୍ଟରେ ସେମାନେ ଭୋକ ମେଣ୍ଟାଇବାରେ ସହାୟକ ହୋଇ ପାରିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଏହି ଯାଯାବରକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନିୟ ବୁଦ୍ଧିଜିବୀମାନେ ପ୍ରୟାସ ଚଳାଇଛନ୍ତି ।
ଏବଂ ବୈଠକ କରି ପ୍ରଶାସନ ଠାରେ ସେମାନଙ୍କର ଦାବି ଜଣାଇଛନ୍ତି । ହେଲେ ପ୍ରଶାସନ ସେମାନଙ୍କ ଦାବିକୁ ଗୁରୁତ୍ୱର ସହ ଗ୍ରହଣ କରୁନାହିଁ । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି ।
ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ
ବୌଦ୍ଧ,୧୯/୧୦ : ବୌଦ୍ଧରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅକ୍ଟୋବର ୨୮ ଠାରୁ ନଭେମ୍ବର ୩ ତାରିଖ ପର‌୍ୟ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଚୁଡାନ୍ତ କରାଯାଇଥିଲା ।
ଦୁର୍ନୀତି ବିରୋଧରେ ସଚେତନତା ପାଇଁ ୨୮ ଅକ୍ଟୋବର ୧୧ ଘଣ୍ଟା ସମୟରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମେତ ଜ଼ିଲ୍ଲା ର ସମସ୍ତ ସରକାରୀ,ବେସରକାରୀ କାର୍ଯ୍ୟାଳୟରେ ଅଧିକାରୀ ଓ କର୍ମଚାରୀମାନେ ସମୁହ ଶପଥ ପାଠ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
୨୯ ତାରିଖ ଦିନ ହରଭଙ୍ଗାବ୍ଲକ,୩୦ ତାରିଖରେ କଣ୍ଟାମାଳ ବ୍ଲକ ଏବଂ ୧ ନଭେମ୍ବର ରେ ବୌଦ୍ଧ ବ୍ଲକ ର ବିଭିନ୍ନ ଗ୍ରାମସଭାମାନଙ୍କରେ ଦୁର୍ନୀତି ନିବାରଣ ସଚେତନତା ସଭା ଅନୁଷ୍ଠିତ ହେବ ।
ବ୍ଲକର ବିଡିଓ ଏବଂ ତହସିଲଦାରମାନେ ଏହି କାର୍ଯ୍ୟକ୍ରମକୁ ଯୋଜନା ମୁତାବକ ସଫଳ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ନଭେମ୍ବର ୧ ରେ ଏକ ସଚେତନତା ଶୋଭାଯାତ୍ରା ଜିଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଦୁର୍ନୀତି ନିବାରଣ କାର୍ଯ୍ୟାଳୟରେ ପହଞ୍ଚିବ । ଦୁର୍ନୀତି ନିବାରଣ ସଚେତନତା ବାର୍ତ୍ତା ନେଇ ଏକ ସଚେତନତା ରଥ ବୌଦ୍ଧ ଜ଼ିଲ୍ଲା ପରିକ୍ରମା କରିବ ।
ନଭେମ୍ବର ୨ ତାରିଖରେ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସଭା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟଳେୟ ସ୍ଥିତ ସଦଭାବନା ଗୃହ ଠାରେ ଏବଂ ୩ ତାରିଖରେ ସାମାଜିକ ଗଣମାଧ୍ୟମ ଜରିଆରେ ସଚେତନତା ବାର୍ତା ପ୍ରଦାନ କରାଯିବ ।
ଏନେଇ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୁର୍ନୀତି ନିବାରଣ ସଚେତନତା ସଂପର୍କିତ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଚଳିତବର୍ଷ ଦୁର୍ନୀତି ବିରୋଧରେ ସଚେତନତା ପାଇଁ ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି ବିଷୟ ଆଧାରିତ ଆଲୋଚନା କରାଯିବ ବୋଲି ନିଷ୍ପତି ଗ୍ରହଣ କରାଯାଇଛି ।
ଏହି ବୈଠକ ରେ ବ୍ରହ୍ମପୁର ଭିଜିଲାନସ ଆରକ୍ଷୀ ଅଧିକ୍ଷକ ଗଣେଷ ପ୍ରଧାନ ଧନ୍ୟବାଦ ପ୍ରଦାନ କରିବା ସହିତ ସୁସ୍ଥ ସମାଜ ଗଠନ ତଥା ଦୁର୍ନୀତିର ମୁଳୋତ୍ପାଟନ ପାଇଁ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଆହ୍ୱାନ କରିଥିଲେ । ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କୁ ସଫଳ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ କ୍ଷ
ଏହି ବୈଠକରେ ଡିଏସପି ଭିଜିଲାନସ ବୌଦ୍ଧ ସୁରେଶ କୁମାର କହଁର,ଇନିସପ୍ଟେର ଜଗବନ୍ଧୁ ଅଙ୍ଗାରିଆଙ୍କ ସମେତ, ତହସିଲଦାର, ବୌଦ୍ଧ ଲଗ୍ନଜିତ ବେହେରା, ତହସିଲଦାର, ହରଭଙ୍ଗା ବିଭୁ ପ୍ରସାଦ ସିଂ, ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରକ୍ଷ କୁଜୁର, ଜ଼ିଲ୍ଲା ମଙ୍ଗଳ ଅଧିକାରୀ ସୂର‌୍ୟ୍ୟ ନାରାୟଣ ବେହେରା ଏବଂ ଅନ୍ୟ ଜିଲାସ୍ତରୀୟ ଅଧିକାରୀ,ମାନେ ଉପସ୍ଥିତ ଥିଲେ ।

ବୌଦ୍ଧ ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସୃଜନୀ
ବୌଦ୍ଧ,୧୯/୧୦: ବୌଦ୍ଧ ନୀଳଚକ୍ର ସାହିତ୍ୟ ସଂସଦ ତରଫରୁ ଆଜି ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସାହିତ୍ୟ ସୃଜନୀର ସଫଳ ଆୟୋଜନ ହୋଇଯାଇଛି ।
ସଂସଦର ସଭାପତି ଡ଼. ସଞ୍ଜୟ କୁମାର ପଣ୍ଡା ଆବାହକତ୍ବରେଏହି ସମାବେଶରେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ଗୁରୁ , ଙ୍କ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ମ୍ବରୁଧର ଭୋଇ,ମୁଖ୍ୟ ବକ୍ତା ଭାବରେ ଡ଼.ଲକ୍ଷ୍ମୀ ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ଉତ୍ତମ କୁମାର ବେହେରା ଯୋଗ ଦେଇଥିଲେ ।
ସଂସ୍କୃତ ଅଧ୍ୟାପକ ଶିବଦତ୍ତ ପଟ୍ଟନାୟକ ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସଭାରେ ଅନେକ ଛାତ୍ରୀ ଆଶୁ କବିତା ରଚନା କରିବା ସହ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସାହିତ୍ୟ ରଚନାର କୌଶଳ ବିକାଶ ବିଷୟରେ ଆଲୋଚନା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031