Indus Valley Times

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

 Breaking News

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା

February 21
09:57 2025

କଟକ,୨୧/୨: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ଶେଷ ହେବ।
ସେହିପରି ଏକ ସଙ୍ଗେ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ଅନୁଷ୍ଠିତ ହେବ। ଏଥିପାଇଁ ବୋର୍ଡ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ପରୀକ୍ଷାର୍ଥୀମାନେ ସକାଳ ସାଢେ ୭ଟାରୁ ସାଢେ ୮ଟା ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ।
ସକାଳ ୯ଟାରେ ପରୀକ୍ଷା ଆରମ୍ଭ ହୋଇ ସାଢେ ୧୧ଟାରେ ଶେଷ ହେବ। ପରୀକ୍ଷା ସୁପରିଚାଳନା ପାଇଁ କଟକ ବଜ୍ରକବାଟି ରୋଡ୍‌ସ୍ଥିତ ବୋର୍ଡ ମୁଖ୍ୟାଳୟରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି।
ଏଥିସହ ରାଜ୍ୟର ୬୦୦ ପରୀକ୍ଷା କେନ୍ଦ୍ରରୁ ଲାଇଭ୍ ଯୋଗେ ବୋର୍ଡ ମୁଖ୍ୟାଳୟ ସହ ସଂଯୋଗ ରହିବ। ଏହାଦ୍ୱାରା ବୋର୍ଡ କାର୍ଯ୍ୟାଳୟରୁ ସିଧାସଳଖ ସେହି ପରୀକ୍ଷା କେନ୍ଦ୍ରଗୁଡ଼ିକର ପରୀକ୍ଷା ପରିଚାଳନାକୁ ନିୟନ୍ତ୍ରଣ କରାଯାଇପାରିବ।
ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ବୋର୍ଡ ମୁଖ୍ୟାଳୟକୁ ସିଧାସଳଖ ପରୀକ୍ଷାକେନ୍ଦ୍ର ଓ ନୋଡାଲ କେନ୍ଦ୍ରଗୁଡ଼ିକରୁ ଆସିବା ନିମନ୍ତେ ଅସ୍ଥାୟୀ ଭାବେ ବ୍ୟବସ୍ଥା କରାଯାଇଛି। ଏଥିସହ ମାର୍ଚ୍ଚ ୧୯ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି ବୋର୍ଡ ମୁଖ୍ୟାଳୟ ପକ୍ଷରୁ ଜଣାପଡିଛି।
ସୂଚନାନୁସାରେ, ରାଜ୍ୟର ମୋଟ୍ ୨୯୭୯ କେନ୍ଦ୍ରରେ ୫,୧୦,୭୭୮ ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ୧୦୨ଟି କେନ୍ଦ୍ରରେ ୭୭୬୬ ଜଣ ଓ ମଧ୍ୟମା ପରୀକ୍ଷା ୫୨ଟି କେନ୍ଦ୍ରରେ ୩୭୯୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
ତେବେ ତିନୋଟିଯାକ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ଭାବେ ଗଚ୍ଛିତ ରଖିବା ପାଇଁ ୩୦ଟି ଜିଲାରେ ୩୧୪ ନୋଡାଲ କେନ୍ଦ୍ର କରାଯାଇଛି। ସେଥିମଧ୍ୟରେ ପୋଲିସ ଥାନାରେ ୨୧ଟି ନୋଡାଲ କେନ୍ଦ୍ର ଓ ବିଟ୍ ହାଉସ୍‌ରେ ଗୋଟିଏ କେନ୍ଦ୍ର କରାଯାଇଛି।
ଚତୁଃସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା
ଶୃଙ୍ଖଳିତ ପରୀକ୍ଷା ପରିଚାଳନା ତଦାରଖ ପାଇଁ ଚତୁଃସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା କରାଯାଇଛି। ସମସ୍ତ ଜିଲା ଶିକ୍ଷାଧିକାରୀଙ୍କ ଦ୍ୱାରା ୭୦ଟି ଫ୍ଲାଇଂ ସ୍କ୍ବାଡ୍ ଗଠନ କରାଯାଇଛି।
ବୋର୍ଡ ମୁଖ୍ୟାଳୟ ପକ୍ଷରୁ ୪୨ଟି ସ୍ବତନ୍ତ୍ର ସ୍କ୍ବାଡ୍ ପରୀକ୍ଷା ପରିଚାଳନା ଯାଞ୍ଚ କରିବ। ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିକାରୀଙ୍କୁ ନେଇ ଗଠିତ ସ୍ବତନ୍ତ୍ର ସ୍କ୍ବାଡ୍ ଏବଂ ପ୍ରତି ଜିଲାରେ ବିଡିଓ, ତହସିଲଦାର ଓ ଜିଲା ପ୍ରଶାସନର ଅଧିକାରୀଙ୍କୁ ନେଇ ଗଠିତ ସ୍କ୍ବାଡ୍ ପରୀକ୍ଷା ପରିଚାଳନା ତଦାରଖ ନିମନ୍ତେ ପ୍ରସ୍ତୁତ ହୋଇରହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930