Indus Valley Times

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ, ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

 Breaking News

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ, ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର

ଆଜି ରାଜଧାନୀ ପ୍ରତିଷ୍ଠା ଦିବସ, ୭୭ ବର୍ଷରେ ପାଦ ଥାପିଲା ଭୁବନେଶ୍ୱର
April 13
10:50 2025

ଓଡ଼ିଶା,୧୩/୪ : ଦିନ ଥିଲା ଭୁବନେଶ୍ୱର କହିଲେ ଓଲ୍ଡଟାଉନ୍‌, କପିଳ ପ୍ରସାଦ, କପିଳେଶ୍ୱର ଏବଂ ସାମନ୍ତରାପୁର ଆଦି ଅଞ୍ଚଳକୁ ବୁଝାଉଥିଲା। ଐତିହ୍ୟ, କଳା, ସଂସ୍କୃତି, ପରମ୍ପରା ଥିଲା ଏହି ମନ୍ଦିରମାଳିନୀ ସହରର ସ୍ବତନ୍ତ୍ର ପରିଚୟ। ୪୦ହଜାର ଜନସଂଖ୍ୟାକୁ ନେଇ ଭୁବନେଶ୍ୱରକୁ ରାଜ୍ୟର ରାଜଧାନୀ ଘୋଷଣା କରାଯିବା ସହ ୧୯୪୮ ଏପ୍ରିଲ ୧୩ରେ ଏଥିପାଇଁ ଶିଳାନ୍ୟାସ କରାଗଲା।
୧୯୫୨ ଅକ୍ଟୋବର ପହିଲାରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ୧୯୭୯ରେ ମ୍ୟୁନିସିପାଲିଟି ଓ ୧୯୯୪ରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମାନ୍ୟତା ପାଇଲା। ଏହା ପୂର୍ବରୁ ଅର୍ଥାତ୍ ୧୯୮୩ ଏପ୍ରିଲ ୧ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଗଠନ ହେବା ପରେ ସହର ବିକାଶର ମୂଳଦୁଆ ପଡିଥିଲା।
ଇତିମଧ୍ୟରେ ରାଜଧାନୀ ଭୁବନେଶ୍ୱର ୭୭ ବର୍ଷ ଅତିକ୍ରମ କରି ୭୮ ବର୍ଷରେ ପାଦ ଥାପିଥିବାବେଳେ ବିକାଶଧାରାର ନୂଆ କୀର୍ତ୍ତିମାନ ସ୍ଥାପନ କରିଛି। ଚାରିଦିଗରୁ ସହର ବଢ଼ିଚାଲିଛି। ଜନସଂଖ୍ୟା ମଧ୍ୟ ୧୩ ଲକ୍ଷ ଟପିଛି। ନୂଆ ନୂଆ ସହର ଗଢ଼ି ଉଠୁଥିବାବେଳେ ଶିକ୍ଷା, ସ୍ବାସ୍ଥ୍ୟ, ଖେଳ, ପର‌୍ୟ୍ୟଟନ, ଗମନାଗମନ, ଆତିଥେୟତା, ଷ୍ଟାର୍ଟଅପ୍ ଆଦି ବିଭିନ୍ନ କ୍ଷେତ୍ରରେ ଭୁବନେଶ୍ୱର ଆଗକୁ ବଢ଼ିଚାଲିଛି। ରାଜଧାନୀର ଏହି ଦୀର୍ଘ ସଫଳ ଯାତ୍ରାକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା ।
ସ୍ବଚ୍ଛ ସର୍ବେକ୍ଷଣରେ ୩୪ତମ ର଼୍ୟାଙ୍କ୍‌, ରାଜ୍ୟରେ ପ୍ରଥମ
କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ହୋଇଥିବା ସ୍ବଚ୍ଛ ସର୍ବେକ୍ଷଣ-୨୦୨୩ ଘୋଷଣା କରାଯାଇଥିବାବେଳେ ୮୦ତମ ର଼୍ୟାଙ୍କ୍‌ରୁ ଭୁବନେଶ୍ୱରକୁ ୩୪ତମ ର଼୍ୟାଙ୍କ୍ ମିଳିଥିଲା। ଏଥିସହ ଓ୍ବାଟର ପ୍ଲସ୍ ଏବଂ ଗାର୍‌ବେଜ୍ ଫ୍ରି ବା ଆବର୍ଜନାମୁକ୍ତ ସହର ଭାବେ ୩ ଷ୍ଟାର ରେଟିଂ ମିଳିବା ସହ ରାଜ୍ୟରେ ପ୍ରଥମ ସହର ଭାବେ ସ୍ଥାନ ଅଧିକାର କରିଛି।
ସ୍ବଚ୍ଛ ସର୍ବେକ୍ଷଣ ସର୍ଭେରେ ମୋଟ୍ ୯୫୦୦ ନମ୍ବର ମଧ୍ୟରୁ ଭୁବନେଶ୍ୱରକୁ ୭୩୧୪.୯୦ ନମ୍ବର ମିଳିଥିଲା। ଏଥିରୁ ୫୧% ଅର୍ଥାତ୍ ୪୮୩୦ ମାର୍କ ସର୍ଭିସ ଲେଭଲ ପ୍ରୋଗ୍ରେସ ବାବଦରେ ଥିବାବେଳେ ୨୬% ଅର୍ଥାତ୍ ୨୫୦୦ ମାର୍କ ସାର୍ଟିଫିକେଶନ୍ ଏବଂ ୨୩% ବା ୨୧୭୦ ମାର୍କ ସିଟିଜେନ୍ ଭଏସ୍ ବାବଦରେ ମିଳିଥିଲା।
ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭୁବନେଶ୍ୱର ବହୁ ସୁନାମ ଅର୍ଜନ କରିଛି। କ୍ୟାପିଟାଲ ହସ୍ପିଟାଲ ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଭଳି ମେଡିକାଲ କଲେଜ ରହିଛି। କ୍ୟାପିଟାଲ ହସ୍ପିଟାଲକୁ ‘ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ’ (ପିଜିଆଇଏମ୍‌ଇଆର୍‌) ଭାବେ ବିକଶିତ କରାଯାଇଥିବାବେଳେ ନିକଟରେ ପାନ୍‌କ୍ରିୟାସ୍ କ୍ୟାନ୍‌ସରର ବିରଳ ଲାପ୍ରୋସ୍କୋପି ଅସ୍ତ୍ରୋପଚାର କରି ବଡ଼ ସଫଳତା ହାସଲ କରିଛି।
ବିଏମ୍‌ସି ଅଧୀନରେ ଥିବା ୨୨ଟି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର(ୟୁପିଏଚ୍‌ସି) ଓ ୪ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘କାୟାକଳ୍ପ ପୁରସ୍କାର’ ମିଳିଛି। ସେହିଭଳି ବହୁ ଘରୋଇ ମେଡିକାଲ କଲେଜ ଆଣ୍ଡ୍ ହସ୍ପିଟାଲ ବିଶ୍ୱସ୍ତରୀୟ ଚିକିତ୍ସା ସେବା ପ୍ରଦାନ କରୁଛନ୍ତି।
ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ସହରର ସମ୍ପ୍ରସାରଣ ଏବଂ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। ସମୁଦାୟ ୧୪୩ଟି ନୂତନ ରାଜସ୍ବ ଗ୍ରାମକୁ ବିଡିଏ ସହ ସାମିଲ କରିବା ନେଇ ଅନୁମୋଦନ ମିଳିଛି। ବିଡିଏ ବର୍ତ୍ତମାନ ବିଏମ୍‌ସି, ଖୋର୍ଦ୍ଧା ପୌର ପରିଷଦ, ଜଟଣୀ ପୌର ପରିଷଦ ଏବଂ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଆଦି ୪ଟି ସହରାଞ୍ଚଳ ସହ ନିକଟବର୍ତ୍ତୀ ଗ୍ରାମପଞ୍ଚାୟତ ଅଞ୍ଚଳଗୁଡିକୁ ତଦାରଖ କରୁଛି।
ସହର ସମ୍ପ୍ରସାରଣ ଯୋଜନାବଦ୍ଧ ବିକାଶକୁ ପ୍ରୋତ୍ସାହନ କରିବା, ଭିତ୍ତିଭୂମିର ଉନ୍ନତି ତଥା ଦ୍ରୁତ ସହରୀକରଣରେ ବାଧକ ସାଜୁଥିବା ସମସ୍ୟାର ସମାଧାନ କରିବ। ୧୯୮୩ ମସିହାରେ ୧୧୬ଟି ରାଜସ୍ବ ଗ୍ରାମକୁ ନେଇ ବିଡିଏର ସହର ବିକାଶ ଆରମ୍ଭ ହୋଇଥିଲା। ତେବେ ନୂତନ ଗ୍ରାମଗୁଡିକ ମିଶିବା ପରେ ବିଡିଏ ଅଧିକୃତ କ୍ଷେତ୍ରରେ ଥିବା ମୋଟ୍ ଗ୍ରାମ ସଂଖ୍ୟା ୫୬୯ରୁ ବୃଦ୍ଧି ପାଇ ୭୧୨ରେ ପହଞ୍ଚତ୍ବ।
ବିମାନସେବା କ୍ଷେତ୍ରରେ ଭୁବନେଶ୍ୱର ଦିନକୁ ଦିନ ଅଗ୍ରଗତି କରି ଚାଲିଛି। ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ସହ ସିଙ୍ଗାପୁର, ବ୍ୟାଙ୍କକ୍‌କୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି। ସେହିପରି ଏପ୍ରିଲ୍ ୧ରୁ ଭୁବନେଶ୍ୱରରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେଉଛି। ଏହାଦ୍ୱାରା ଭୁବନେଶ୍ୱର ସଂଯୋଗୀକରଣର ଏକ ବଡ଼ ହବ୍ ହେବା ସହିତ ପର୍ଯ୍ୟଟକ, ନିବେଶକ ତଥା ପ୍ରବାସୀଙ୍କ ପାଇଁ ନିରାପଦ ତଥା ସୁଲଭ ଯାତ୍ରାର ସୁଯୋଗ ସୃଷ୍ଟି କରୁଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930