Indus Valley Times

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାବାହୁ

 Breaking News

ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା, ଗଜାନନ ବେଶରେ ଦର୍ଶନ ଦେବେ ମହାବାହୁ

June 11
10:57 2025

ପୁରୀ, ୧୧/୬ : ଆଜି ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀରୁ ଓହ୍ଲାଇ ଆସି ସ୍ନାନବେଦୀରେ ବିଜେ କରିଛନ୍ତି କୋଟି ଓଡ଼ିଆଙ୍କ ମଉଡ଼ମଣି ଶ୍ରୀଜିଉ। ଦଇତାପତି ସେବାୟତମାନେ ଠାକୁରଙ୍କୁ ଧାଡ଼ି ପହଣ୍ଡିରେ ସ୍ନାନ ମଣ୍ଡପରେ ବିଜେ କରାଇଛନ୍ତି । ୧୦୮ ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି । ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି।
ପରମ୍ପରା ଅନୁଯାୟୀ ସ୍ନାନ ମଣ୍ଡପରେ ବିରାଜିତ ଶ୍ରୀଜୀଉମାନଙ୍କର ସ୍ନାନ ନୀତି ପରେ ଗୋପାଳ ତୀର୍ଥ ମଠ ଓ ରାଘବ ଦାସ ମଠରୁ ଆସିଥିବା ଗଜାନନ ବେଶ ଉପକରଣ ଯଥାକ୍ରମେ ବଳଭଦ୍ର, ଜଗନ୍ନାଥ, ସୁଭଦ୍ରା, ସୁଦର୍ଶନଙ୍କୁ ଲାଗି କରାଯାଏ। ଗଜାନନ ବେଶ ସମ୍ପର୍କରେ ଶ୍ରୀମନ୍ଦିର ସ୍ୱତ୍ୱଲିପିରେ ଉଲ୍ଲେଖ ଅଛି ଯେ, ସ୍ନାନ ମଣ୍ଡପରେ ଶ୍ରୀବିଗ୍ରହମାନଙ୍କର ଜଳ ଲାଗି ନୀତି ବଢିବା ପରେ ଲେଙ୍କା ଓ ଘଣ୍ଟ କାହାଳୀ ସହ ଗୋପାଳତୀର୍ଥ ମଠରୁ ବଡ଼ ବାଡ଼ (ବଳଭଦ୍ରଙ୍କ ବାଡ଼) ଓ ଶ୍ରୀସୁଦର୍ଶନଙ୍କର ଗଜାନନ ବେଶ ଉପକରଣମାନ ଆଣିବାକୁ ଯାଆନ୍ତି ।
ଏହା ପରେ ଗଜପତି ମହାରାଜା କିମ୍ବା ତାଙ୍କ ଅନୁପସ୍ଥିତରେ ମୁଦିରଥ ତିନି ବାଡ଼ରେ ରାଜ ନୀତି କରନ୍ତି । ରାଜ ନୀତି ବଢିବା ପରେ ସ୍ନାନ ମଣ୍ଡପରେ ଛେରା ପହଁରା ହୋଇଥାଏ। ତତ୍ପରେ ସୁଆରବଡୁ ସେବକ ପାଣି ପକାନ୍ତି। ପାଣି ପଡ଼ିଲା ପରେ ଜଗମୋହନରେ ଥିବା ବଡ଼ବାଡ଼ର (ବଳଭଦ୍ର) ବେଶ ଉପକରଣ ଓ ରାଘବ ଦାସ ମଠରୁ ଆସିଥିବା ଅନ୍ୟ ଦୁଇ ବାଡ଼ (ଜଗନ୍ନାଥ, ସୁଭଦ୍ରା)ର ବେଶ ଉପକରଣମାନ ସ୍ନାନ ମଣ୍ଡପରେ ରଖାଯାଏ ।
ଭିତରଚ୍ଛ, ଚଳିଚ୍ଛ, ପୁଷ୍ପାଳକ,ଖୁଣ୍ଟିଆ, ଦଇତାପତିମାନଙ୍କ ସହ ତିନିବାଡ଼ରେ ହାତୀ ବେଶ କରନ୍ତି । ବେଶ ବଢିବା ପରେ ତିନି ବାଡ଼ରେ କର୍ପୂର ଲାଗି ହୋଇଥାଏ ଏବଂ ପରେ ପରେ ସ୍ନାନ ବେଦୀ ଉପରେ ଶୋଧ କରାଯାଏ ଓ ଭୋଗ ପାଇଁ ପ୍ରସ୍ତୁତି ହୋଇଥାଏ। ସୂଚନାଯୋଗ୍ୟ ଯେ ଏହି ଦିନ ମାତ୍ର ଗୋଟିଏ ଭୋଗ ହୋଇଥାଏ। ଭୋଗ ଶେଷ ପରେ ସ୍ନାନ ବେଦୀ ଉପରକୁ ସର୍ବସାଧାରଣଙ୍କୁ ଦର୍ଶନ ନିମିତ୍ତ ଅନୁମତି ଦିଆଯାଏ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31