Indus Valley Times

ପିଏମ-କିଷାନ ଯୋଜନାରେ ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି

 Breaking News

ପିଏମ-କିଷାନ ଯୋଜନାରେ ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି

ପିଏମ-କିଷାନ ଯୋଜନାରେ ଓଡିଶାର ୩୪ ଲକ୍ଷରୁ ଉର୍ଦ୍ଧ୍ୱ କୃଷକ ପାଇଲେ ୬୮୪ କୋଟି
March 13
22:21 2026

ଭୁବନେଶ୍ବର, ୧୩/୩ : ଚାଷୀ ହେଉଛନ୍ତି ଆମ ସମାଜର ମେରୁଦଣ୍ଡ ଏବଂ ଆମ ଅର୍ଥନୀତିର ପ୍ରକୃତ ସାରଥି। “ଜୟ କିଷାନ”ର ନାରାକୁ ସାର୍ଥକ କରିବା ପାଇଁ କେନ୍ଦ୍ର ସରକାର ଓ ଆମ ସରକାର ସଦାସର୍ବଦା ଚେଷ୍ଟିତ। ଚାଷୀମାନଙ୍କର ଉନ୍ନତି ବିନା ଦେଶ କିମ୍ବା ରାଜ୍ୟର ବିକାଶ ଅସମ୍ଭବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୨ ତମ ପିଏମ୍ କିଷାନ ଉତ୍ସବ ଦିବସରେ କୃଷକ ସମ୍ମାନ ନିଧି ପ୍ରଦାନ କାର୍ଯ୍ୟକ୍ରମ ଅବସରରେ ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନ ଠାରେ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ଆସାମର ଗୌହାଟୀ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କିଷାନ ସମ୍ମାନ ନିଧିର ୨୨ତମ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ୨୨ତମ କିସ୍ତିରେ ଦେଶର ୯. ୩୨ କୋଟି କୃଷକଙ୍କୁ ପ୍ରାୟ ୧୯ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ସବୁ ରାଜ୍ୟର ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ଆୟୋଜନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶର କୃଷକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି ।
ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ କୃଷକ ମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ, ପିଏମ-କିଷାନ ଯୋଜନା ଚାଷୀଙ୍କୁ ବିହନ, ସାର ଏବଂ ଅନ୍ୟାନ୍ୟ କୃଷି ଉପକରଣ କିଣିବାରେ ସାହାଯ୍ୟ କରୁଛି । ଏହି ୨୦୦୦ ଟଙ୍କାର କିସ୍ତି ଏବଂ ତିନୋଟି କିସ୍ତିରେ ବର୍ଷକୁ ସର୍ବମୋଟ ୬ ହଜାର ଟଙ୍କା ହୁଏତ ସାଧାରଣ ଲୋକଙ୍କ ପାଇଁ ଏକ ସାମାନ୍ୟ ଅର୍ଥ ହୋଇପାରେ, କିନ୍ତୁ ଜଣେ କ୍ଷୁଦ୍ର ଚାଷୀ ପାଇଁ ଏହା ତାର ପରିଶ୍ରମର ଏକ ବଡ଼ ସମ୍ମାନ ।
ଆଜିର ଦିନକୁ, ସାରା ଦେଶ ତଥା ରାଜ୍ୟରେ ପି.ଏମ୍ କିଷାନ ଉତ୍ସବ ଦିବସ ଭାବରେ ପାଳନ କରୁଛି । ଏଥି ସହିତ ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା, ବ୍ଲକ, ପଞ୍ଚାୟତ, ପ୍ୟାକ୍ସ ଓ ମଣ୍ଡିରେ ମଧ୍ୟ ପାଳନ କରାଯାଉଛି । ଆମ ରାଜ୍ୟରେ, ୩୪ ଲକ୍ଷ ୨୪ ହଜାରରୁ ଉର୍ଦ୍ଧ୍ୱ ଯୋଗ୍ୟ ଚାଷୀ ଭାଇଭଉଣୀମାନଙ୍କୁ, ୨୨ ତମ କିସ୍ତି ବାବଦକୁ ୨ ହଜାର ଟଙ୍କା ହିସାବରେ ସମୁଦାୟ ୬୮୪ କୋଟି ଟଙ୍କାର ଆର୍ଥିକ ସହାୟତା ମୋଦୀ ଜୀ ଆଜି ପ୍ରଦାନ କରୁଛନ୍ତି ।
ପିଏମ୍ କିଷାନ ଯୋଜନାରେ ଦରକାର ହେଉଥିବା ସମସ୍ତ ବାଧ୍ୟତାମୂଳକ ମାନଦଣ୍ଡ ଯଥା ର-କଣଉ, ଜମିଜମାର ବିବରଣୀ, ଆଧାର-ବ୍ୟାଙ୍କ ଆକାଉଣ୍ଟ ଲିଙ୍କ୍, ଆଧାର ଅନୁଯାୟୀ ନାମ ସଂଶୋଧନ ଆଦି କାର୍ଯ୍ୟ ସମାପନ କରି ଏହି ଯୋଜନାର ସମସ୍ତ ସହାୟତା ଲାଭ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ଚାଷୀ ଭାଇ ଭଉଣୀଙ୍କୁ ଅନୁରୋଧ କରିଥିଲେ ।
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, କୃଷି ବିଭାଗ କମିଶନର ତଥା ଶାସନ ସଚିବ ସଚିନ ରାମଚନ୍ଦ୍ର ଯାଦବ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ, କୃଷି ଏବଂ ଖାଦ୍ୟ ଉତ୍ପାଦ ନିର୍ଦ୍ଦେଶକ ଶୁଭମ ସକ୍ସେନା, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ୠତୁରାଜ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031