ବୌଦ୍ଧ ଗସ୍ତରେ ଓସ୍ସାଟ୍ ନିର୍ଦ୍ଦେଶକ : ମନରେଗା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଓ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୭ : ଓଡ଼ିଶା ସୋସାଇଟି ଫର୍ ସୋସିଆଲ୍ ଅଡିଟ୍, ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପାରେନ୍ସି (OSSAAT )ର ନିର୍ଦ୍ଦେଶକ ନିହାରରଞ୍ଜନ ସ୍ୱାଇଁ ଏବଂ ସୋସିଆଲ୍ ଅଡିଟ୍ ବିଶେଷଜ୍ଞ ଶ୍ରୀମତୀ ପୁଷ୍ପାଞ୍ଜଳି ସାୱତ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ମନରେଗା ଓ ଭି ବି ଜି ରାମ୍ ଜି ଯୋଜନାର ବିଭିନ୍ନ କାର୍ଯ୍ୟର ସାମାଜିକ ସମୀକ୍ଷା କରିବା ସହ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପ୍ରଥମେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା ଉଭୟଙ୍କୁ ସ୍ଵାଗତ କରି ଜିଲ୍ଲାରେ ମନରେଗା ଯୋଜନାରେ ଚାଲିଥିବା କାର୍ଯ୍ୟ ଓ ହୋଇଥିବା ସାମାଜିକ ସମୀକ୍ଷା ବିଷୟରେ ଅବଗତ କରାଇଥିଲେ ।
ଗସ୍ତ ଅବସରରେ ନିର୍ଦ୍ଦେଶକ ପ୍ରଥମେ ବୌଦ୍ଧ ବ୍ଲକର ତାଳସରଡ଼ା ଗ୍ରାମ ପଞ୍ଚାୟତ ପରିଦର୍ଶନ କରି ସରପଞ୍ଚ, ଜନପ୍ରତିନିଧି, ଭିଲେଜ୍ ରିସୋର୍ସ ପର୍ସନ ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ କ୍ଷ ମନରେଗା ଅଧୀନରେ କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପର ସାମାଜିକ ସମୀକ୍ଷା କରିଥିଲେ।
ଯୋଜନାର ବିଭିନ୍ନ କେସ ରେକର୍ଡ, ରେଜିଷ୍ଟର ଯାଞ୍ଚ କରି ହିତାଧିକାରୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ । ପରେ ସେ ମନରେଗା ଯୋଜନାରେ ନିର୍ମିତ ଡମରଗାଡ଼ ଗ୍ରାମର ନିର୍ମାଣାଧୀନ ରାସ୍ତା କାମ ପରିଦର୍ଶନ କରି ଏହାର ଅଗ୍ରଗତି ଓ ଗୁଣବତ୍ତା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।
ଅପରାହ୍ନରେ ବୌଦ୍ଧ ପଞ୍ଚାୟତ ଭବନଠାରେ ମନରେଗାର ସାମାଜିକ ସମୀକ୍ଷା ସମ୍ପର୍କିତ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦଣ୍ଡସେନା , ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ବୌଦ୍ଧ ବ୍ଲକ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ବିଭିନ୍ନ ଲାଇନ୍ ବିଭାଗର ଅଧିକାରୀ, ଯନ୍ତ୍ରୀ, ଏପିଓ, ବି ଏସ୍ ଏ ଓ ଭିଲେଜ୍ ରିସୋର୍ସ ପର୍ସନ ମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଅତିଥିମାନଙ୍କୁ ସ୍ୱାଗତ କରିଥିବାବେଳେ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦଣ୍ଡସେନା ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।
ଅଡିଟ ଅଧିକାରୀ ପ୍ରବିର ମେହେର ପାୱାର ପଏଣ୍ଟ ମାଧ୍ୟମରେ ଜିଲ୍ଲାର ଭି ବି ଜି ରାମ୍ ଜି କାର୍ଯ୍ୟ ଅଗ୍ରଗତି ପ୍ରଦର୍ଶନ କରିଥିଲେ । ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁ ସାମାଜିକ ସମୀକ୍ଷାକୁ ଗୁରୁତ୍ୱ ଦେଇ କହିଥିଲେ ଯେ, ସୋସିଆଲ୍ ଅଡିଟ୍ ହେଉଛି ଏକ \”ଫ୍ୟାକ୍ଟ ଫାଇଣ୍ଡିଂ ପ୍ରକ୍ରିୟା\”, ଯାହା ମାଧ୍ୟମରେ ଯୋଜନାର କାର୍ୟ୍ୟାନ୍ୱୟନରେ ଥିବା ତ୍ରୁଟିଗୁଡ଼ିକୁ ଚିହ୍ନଟ କରାଯାଇ ସଂଶୋଧନ କରାଯାଇପାରିବ।
ମନରେଗାରେ ବର୍ତ୍ତମାନ ନୂତନ ପ୍ରଯୁକ୍ତିର ବ୍ୟବହାର ହେଉଥିବାରୁ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ଆହୁରି ସୁଦୃଢ଼ ହୋଇଛି। ସେ କହିଥିଲେ ଯେ, ଏହି ଯୋଜନା କେବଳ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି କରୁନାହିଁ, ବରଂ ସ୍ଥାୟୀ ସମ୍ପତ୍ତି ସୃଷ୍ଟି କରି ଗ୍ରାମୀଣ ବିକାଶକୁ ମଧ୍ୟ ତ୍ୱରାନ୍ୱିତ କରୁଛି।
ଜଳ ସଂରକ୍ଷଣ, ଜୀବିକା ବିକାଶ, ବିପର୍ୟ୍ୟୟ ପରିଚାଳନା, ବୃକ୍ଷରୋପଣ ଭଳି କ୍ଷେତ୍ରରେ ମନରେଗା ଅଧୀନରେ ବୃହତ୍ ପ୍ରକଳ୍ପ ଗ୍ରହଣ କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।
ସମୀକ୍ଷାରୁ ଜଣାପଡ଼ିଥିଲା ଯେ, ବିଗତ ଆର୍ଥିକ ବର୍ଷରେ ବୌଦ୍ଧ ବ୍ଲକରେ ୫,୭୫,୯୯୪, ହରଭଙ୍ଗା ବ୍ଲକରେ ୩,୭୧,୩୪୭ ଏବଂ କଣ୍ଟାମାଳ ବ୍ଲକରେ ୫,୮୧,୮୩୦ ପର୍ସନ୍-ଡେ\’ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାରେ ସର୍ବମୋଟ ୧୫,୨୯,୧୭୧ ପର୍ସନ୍-ଡେ\’ ସୃଷ୍ଟି ହୋଇଛି।
ଏହାବ୍ୟତୀତ ଜିଲ୍ଲାର ବିଭିନ୍ନ ବ୍ଲକରେ ୮,୫୮୧ଟି ଏବଂ ବିଭିନ୍ନ ଲାଇନ୍ ବିଭାଗ ଅଧୀନରେ ୧,୧୩୬ଟି ପ୍ରକଳ୍ପ ଏପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅବସ୍ଥାରେ ଅଛି।
ସେହିପରି ଜିଲ୍ଲାର ୧,୦୦,୩୩୨ ଜଣ ମନରେଗା ଶ୍ରମିକଙ୍କ ମଧ୍ୟରୁ ୯୭,୩୧୬ ଜଣଙ୍କ ଆଧାର ଇ-କେୱାଇସି ସମ୍ପୂର୍ଣ୍ଣ ହୋଇଥିବା ସୂଚନା ଦିଆଯାଇଥିଲା।
ବୈଠକରେ ସାମାଜିକ ସମୀକ୍ଷାକୁ ଆହୁରି ଫଳପ୍ରଦ କରିବା, ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ଏବଂ ମନରେଗା ଯୋଜନାର ସୁଫଳ ଗ୍ରାମାଞ୍ଚଳର ପ୍ରତ୍ୟେକ ଯୋଗ୍ୟ ପରିବାରଙ୍କ ପାଖରେ ପହଞ୍ଚାଇବା ଉପରେ ଅଡିଟ ଏକ୍ସପର୍ଟ ଶ୍ରୀମତୀ ସାବତ ବିଶେଷ ଗୁରୁତ୍ୱାରୋପ କରିଥିଲେ।






