Indus Valley Times

ଗଜପତି: ପାରଳାଖେମୁଣ୍ଡି ଠାରେ ପୀଠ ପରିଷଦ “ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ” ପକ୍ଷରୁ ପବିତ୍ର “ଗୋଷ୍ଠାଷ୍ଟମୀ ମହୋତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି: ପାରଳାଖେମୁଣ୍ଡି ଠାରେ ପୀଠ ପରିଷଦ “ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ” ପକ୍ଷରୁ ପବିତ୍ର “ଗୋଷ୍ଠାଷ୍ଟମୀ ମହୋତ୍ସବ” କାର୍ଯ୍ୟକ୍ରମ ଅନୁଷ୍ଠିତ

November 02
10:12 2022

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨/୧୧: ପବିତ୍ର କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଅବସରରେ ପାରଳାଖେମୁଣ୍ଡି ଠାରେ ପବିତ୍ର “ଗୋଷ୍ଠାଷ୍ଟମୀ ମହୋତ୍ସବ” କାର୍ଯ୍ୟକ୍ରମ ପାରଳାଖେମୁଣ୍ଡି ସ୍ଥିତ ପୁରୀ ଗୋବର୍ଦ୍ଧନ ପୀଠ ପରିଷଦ ଅନ୍ତର୍ଗତ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ଗଜପତି ଜିଲ୍ଲା ଶାଖା ପକ୍ଷରୁ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ସ୍ଥାନୀୟ ରାଜଗୁରୁ ସାହି ନିକଟସ୍ଥ ସଦାରାମ ମଠ ପରିସରରେ ଗୋ-ମାତା ମାନଙ୍କ ଗୋ-ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ପାରମ୍ପରିକ ରୀତିନୀତି ପ୍ରକାରେ ଗୋ-ମାତାଙ୍କ ଠାରେ ପୂଜାର୍ଚ୍ଚନା ଓ ଆଳତି କାର୍ଯ୍ୟ ସମ୍ପନ୍ନ ହେବା ପରେ ଉପସ୍ଥିତ ମହିଳା ମାନେ ଗୋ-ମାତାଙ୍କ ପାଦ , ମଥା ଓ ଦେହରେ ହଳଦୀ ଲଗାଇ ହଳଦୀ ପାଣିରେ ପାଦ ଧୋଇ ଦୁବ ଚାଉଳ ପକାଇ ପୂଜାର୍ଚ୍ଚନା କରିଥିଲେ । ପରେ ଉପସ୍ଥିତ କର୍ମକର୍ତ୍ତା ମାନେ ଗୋ-ମାତାଙ୍କୁ କଦଳୀ ଭୋଗ ଦେଇ ଘାସ ଖାଇବାକୁ ଦେଇଥିଲେ।
ଏହି ସମୟ ମଧ୍ୟରେ ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ସଙ୍କୀର୍ତ୍ତନ ଦଳଙ୍କ ଗିନି-ମୃଦଙ୍ଗ ବାଜଣାରେ ନଗର ପରିକ୍ରମା ବେଳେ ସାହିବସ୍ତି ମଧ୍ୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇ ଉଠିଥିଲା ।
ପରେ ସଂକୀର୍ତ୍ତନ ଦଳ ସହ ଗୋ-ମାତାଙ୍କୁ ନେଇ ଏକ ବିରାଟ ସଚେତନତା ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ସମୟ ମଧ୍ୟରେ ମାଇକ ଯୋଗେ ପୀଠ ପରିଷଦ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ପୁରାଣ ବର୍ଣ୍ଣିତ ପ୍ରକାରେ ଗୋମାତାଙ୍କ ଶରୀରରେ ୩୩ କୋଟି ଦେବତା ବିରାଜମାନ ହୋଇଥାନ୍ତି , ତେଣୁ ଭାରତୀୟ ସଂସ୍କୃତିରେ ଗୋ-ମାତାଙ୍କୁ ସୁରକ୍ଷା , ସେବା ଓ ପୂଜନ କରିବାର ସ୍ୱାତନ୍ତ୍ର‌୍ୟତା ଓ ମାହାତ୍ମ୍ୟ ରହିଛି। ।
ଗୋ-ମାତା ମାନବ ଜାତି ପାଇଁ ଏକ ଅପୂର୍ବ ଦାନ । ଗୋ-ମାତାଙ୍କ ସେବା ଦ୍ଵାରା ହିଁ ବିଶ୍ୱବାସୀଙ୍କ ମଙ୍ଗଳ ସାଧନ ହେବା ସହିତ ମାନବର ବୌଦ୍ଧିକ ଚେତନାର ଉନ୍ନତି ସାଧନ ହୋଇଥାଏ ।
ତେଣୁ କରି , ଗୋ-ସୁରକ୍ଷା , ଗୋ-ସେବା , ଗୋ-ବଂଶର ବିକାଶ ଓ ଗୋ-ଭକ୍ତିର ମାହାତ୍ମ୍ୟ ପ୍ରଭୃତି ଏହି ଗୋଷ୍ଠାଷ୍ଟମୀ ମହୋତ୍ସବର ପରମ ଆଭିମୁଖ୍ୟ ବୋଲି ନଗର ପରିକ୍ରମା ବେଳେ ଜନ-ସଚେତନ କରାଇଥିଲେ ।
ଏହି ନଗର ପରିକ୍ରମା ବେଳେ ବିଭିନ୍ନ ସାହି ବସ୍ତି\’ରେ ନଗର ପରିକ୍ରମାର ସଂକୀର୍ତ୍ତନ ଦଳ ଓ ଗୋ-ମାତାଙ୍କୁ ସ୍ଵାଗତ କରିବା ପାଇଁ ଘର ଆଗରେ କୁମ୍ଭ-କଳସୀ ଓ ଦୀପ ସହ ହଳଦୀ ,ସିନ୍ଦୂର , ଭୋଗରାଗ ପ୍ରଭୃତି ରଖି ସ୍ଵାଗତ କରିଥିଲେ । ଗୋ-ମାତାଙ୍କ ପୂଜାର୍ଚ୍ଚନା କରି ଖାଇବା ଦେଇଥିଲେ ।
ଗୋଷ୍ଠାଷ୍ଟମୀ ମହୋତ୍ସବର ନଗର ପରିକ୍ରମା ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ପହଞ୍ଚିବା ବେଳେ ସେଠାରେ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ଭବ୍ୟ ସ୍ଵାଗତ କରା ଯାଇଥିଲା । ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୋ-ପୁଜନ କାର୍ଯ୍ୟକ୍ରମ , ବିଦ୍ୟାମନ୍ଦିରର ସମସ୍ତ ଶିଶୁ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ଗୁରୁମା ଓ ଗୁରୁଜୀ ମାନଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା।
ପରେ ନଗର ପରିକ୍ରମା କରି ସଂକୀର୍ତ୍ତନ ଦଳ ଦୁର୍ଗକ୍ଷମାପେଟା ସାହି ସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପହଞ୍ଚିବା ପରେ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସେଠାରେ ପୀଠ ପରିଷଦ , ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ପ୍ରାୟ ୪ ହଜାର ଶ୍ରଦ୍ଧାଳୁଙ୍କ ନିମନ୍ତେ ଅନ୍ନ ପ୍ରସାଦ ସେବନର ସମସ୍ତ ବ୍ୟବସ୍ଥା କରା ଯାଇଥିଲା ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଆଦିତ୍ୟ ବାହିନୀର ଦକ୍ଷିଣ ବିଭାଗ ପ୍ରଭାରୀ ଶ୍ରୀ ଜଗନ୍ନାଥ ରଥ , ନଗର ଶାଖା ସଂପାଦକ ଶ୍ରୀ ସିମାଞ୍ଚଲ୍ ତ୍ରିପାଠୀ , ଜିଲ୍ଲା ପ୍ରଚାର ସଚିବ ଶ୍ରୀ ନୃସିଂହ ଚରଣ ମିଶ୍ର , ଦକ୍ଷିଣ ବିଭାଗ ସଦସ୍ୟ ଶ୍ରୀ ଅନିଲ ଜେନା , ସଂପାଦକ ଶ୍ରୀ ଗଣପତି ପ୍ରଧାନ , ଉପସଭାପତି ଶ୍ରୀ ଦେବୀ ପ୍ରସାଦ ବିନ୍ଧାଣି , ପୀଠ ପରିଷଦର ବରିଷ୍ଠ ସଦସ୍ୟ ଶ୍ରୀ ଲକ୍ଷ୍ମୀ ନୃସିଂହ ରଥ , ସାଂସ୍କୃତିକ ସଂଗଠକ ଶ୍ରୀ କୈଳାଶ ପଟନାୟକ , ସୂର୍ଯ୍ୟ ପ୍ରଧାନ , ଶ୍ରୀ ଲୋକନାଥ ମିଶ୍ର ପ୍ରମୁଖ ସାମିଲ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031