Indus Valley Times

କନ୍ଧମାଳ -କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କୁମ୍ବିଂ ଅପରେସନ ଜୋରଦାର

 Breaking News

କନ୍ଧମାଳ -କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କୁମ୍ବିଂ ଅପରେସନ ଜୋରଦାର

କନ୍ଧମାଳ -କଳାହାଣ୍ଡି ସୀମାନ୍ତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ କୁମ୍ବିଂ ଅପରେସନ ଜୋରଦାର
January 22
18:08 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୨୨/୧: ଦେଶକୁ ନକ୍ସଲ ଏବଂ ମାଓବାଦୀ ମୁକ୍ତ କରିବା ପାଇଁ ଡେଡ଼ଲାଇନ ସମୟ ଯେତେ ପାଖେଇ ଆସୁଛି, ପୁଲିସ ଏବଂ ସୁରକ୍ଷା ବାହିନୀଙ୍କ କୁମ୍ବିଂ ଅପେରସନ ମଧ୍ୟ ସେତିକି ତୀବ୍ର ହେବାରେ ଲାଗିଛି ।
ସେହିଭଳି କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲା ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷାବାହିନୀ ସିଆରପିଏଫ୍‌, ବିଏସଏଫ୍ ମଳିତ ଭାବେ ଜିଲ୍ଲାର ବିଭିନ୍ନ ନକ୍ସଲ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳରେ କୁମ୍ବିଂ ଅପେରସନକୁ ତୀବ୍ର କରାଯାଇଛି ।
ଗୁରୁବାର ସକାଳୁ ଜିଲ୍ଲା ପୁଲିସ ର ଏସଓଜି, ଡିଭିଏଫ୍ ଏବଂ ସିଆରପିଏଫର ମିଳିତ ଭାବେ କନ୍ଧମାଳ-କଳାହାଣ୍ଡି ସୀମାନ୍ତବର୍ତ୍ତୀ ଗାଙ୍ଗେଲ ଜଙ୍ଗଲରେ ବଡ଼ ଧରଣର କୁମ୍ବିଂ ଅପେରସନ ଆରମ୍ଭ କରିଛନ୍ତି ।
ମିଳିତ ଟିମକୁ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ଜଙ୍ଗଲରେ ମିଳିତ ଟିମ ଏକ ମାଓ କ୍ୟାମ୍ପକୁ ଠାବ କରିଛି ଏବଂ କ୍ୟାମ୍ପରୁ ବହୁ ବନ୍ଧୁକ ସହିତ ବହୁ ପରିମାଣର ମାଓବାଦୀ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି ।
ମାଓ ସାମଗ୍ରୀ ମଧ୍ୟରେ ୧୩ ଟି ବନ୍ଧୁକ, ବହୁ ୱାକିଟକି, ସୋଲାର ପାନେଲ, ବିଦ୍ୟୁତ ତାର, ମେଡ଼ିସିନ ଭଳି ଅନେକ ମାଓବାଦୀ ବ୍ୟବହାର କରୁଥିବା ସାମଗ୍ରୀ ଜବତ ହୋଇଛି। ବହୁ ହାର୍ଡକୋର ମାଓବାଦୀ ଏହି ଜଙ୍ଗଲରେ ଲୁଚି ରହିଥିବା ସନ୍ଦେହରେ ମିଳିତ ଟିମ ଏବେ ମଧ୍ୟ କୁମ୍ବିଂ ଅପେରସନ କୁ ଜାରି ରଖିଛନ୍ତି ।
ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର: ମୋବାଇଲ ଲାଇଟ ରେ ହେଲା ଶବ ବ୍ୟବଚ୍ଛେଦ!
ରେଞ୍ଜରଙ୍କ ପତ୍ତା ମିଳୁନି
ବାଲିଗୁଡା, ୨୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟ ନିକଟରୁ ମିଳିଛି।
ସୂଚନା ଅନୁସାରେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା।
ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍‌ଓ ଏହି ଘଟଣାର ତଦନ୍ତ କରୁଥିଲେ ।
ବୁଧବାର ଜଏଣ୍ଟ୍ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ।
ହାତୀର ଶବ ପୋତିବା ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ।
ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ। ଜେସିବି ଦ୍ବାରା ମାଟି କଢା ଯାଇ ୭ ଫୁଟ୍ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ ।
ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି। ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା। ପରେ ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞ ମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ।
ଏହି ଖବରରୁ ସମସ୍ତଙ୍କୁ ଦୁରେଇ ରଖାଯାଇଥିଲା। ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଫଟୋ ନେବାରୁ ବାରଣ କରାଯାଇଥିଲା ବାଲିଗୁଡା ଡିଏଫ୍‌ଓଙ୍କ ତତ୍ତ୍ବାବଧାନରେ ଏହି ଅପରେସନ ହୋଇଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍‌ଓ କନ୍ଧମାଳ ଜିଲ୍ଲା ଘଟଣାର ଅପରେସନ କରୁଛି ବୋଲି କହିଥିଲେ।
ତେବେ ରାତିରେ ମୋବାଇଲ୍ ଲାଇଟ୍‌ରେ କିପରି ବ୍ୟବଚ୍ଛେଦ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବେଲଘର କାଠ ବଙ୍ଗଳାରେ ତଦନ୍ତ ପରେ କାଡ଼ାପାନା ନର୍ସରିରେ ହାତୀର ଶବ ପୋତା ଯାଇଥିବା ଅନୁମାନ କରି ଖୋଳାଖୋଳି ଆରମ୍ଭ ହୋଇଥିଲା ଏଠାରୁ ପଲିଥିନ୍‌ରେ ବନ୍ଧାଯାଇଥିବା କିଛି ମାଂସ ଜବତ ହୋଇଥିଲା।
ଆଜି ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ହାତୀର ଦେହାବଶେଷ ମିଳିବା, ଏହି ଘଟଣାକୁ ଆହୁରି ରହସ୍ୟକୁ ଠେଲିଦେଇଛି। ହାତୀ ମୃତ୍ୟୁ ଲୁଚାଇବାକୁ ରେଞ୍ଜର କିଭଳି ବଡ଼ଧରଣର ଜାଲ ବିଛାଇଥିଲେ, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ନିଲମ୍ବିତ ରେଞ୍ଜର୍‌ଙ୍କ ପତ୍ତା ମିଳୁନାହିଁ। ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହାନ୍ତ ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବିଏସ୍‌ଟିଏଫ୍ ତଦନ୍ତ ଦାବି କରିବା ସହ ଏଥିରେ ତଳତଳିଆ କର୍ମଚାରୀଙ୍କଠୁ ଆରମ୍ଭକରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପର‌୍ୟ୍ୟନ୍ତ ସଂପୃକ୍ତି ରହିଥିବା କହିଛନ୍ତି ।
ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ବିଜେଡି ନେତା ତଥା ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି, ଏହି ଘଟଣାରେ କେବଳ ତଳତଳିଆଙ୍କୁ ବଳି ପକାଇ ଡିଏଫ୍‌ଓ ଓ ଏସିଏଫ୍ ଖସି ଯିବାକୁ ଉଦ୍ୟମ କରୁଛନ୍ତି ।
ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୂଚନା ଥାଉ କି, ମୁଣ୍ଡୁଟି ଜଙ୍ଗଲରେ ଗତ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଶ୍ରୀ ବିଶି ଷଡ଼ଯନ୍ତ୍ର ରଚିଥିଲେ। ଘଟଣାକୁ ଲୁଚାଇବା ପାଇଁ ହାତୀ ମୃତଦେହକୁ ସେଠାରେ ନ ପୋତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵରରେ ଏକ ଜେଟିଏଫ୍ ଟିମ୍ ଗଠନ କରାଯାଇଛି। ଏଥିରେ ଡେପୁଟି କଞ୍ଜରଭଟର ରାମପଦ ଅରବିନ୍ଦ ମିଶ୍ର, ବିବେକ କୁମାର ଓ ଅବସରପ୍ରାପ୍ତ ଏସ୍‌ପି କିଶୋର ପାଣିଗ୍ରାହୀ ରହିଛନ୍ତି।
ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଆର୍‌ସିସିଏଫ୍ ବିଶ୍ବନାଥ ନୀଳାମ୍ବର ବାଲିଗୁଡ଼ା ଆସି ପ୍ରଥମିକ ତଦନ୍ତ ରିପୋର୍ଟ ନେଇଥିବା ଜଣାପଡ଼ିଛି!
ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିଗୁଡା, ୨/୧: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ବସ୍ତିଙ୍ଗିଆ ସରକାରୀ ଏସଏସଡ଼ି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ ରବିନାରାୟଣ ମହାନ୍ତିଙ୍କ ସଭାତିତ୍ୱରେ ଅନୁଷ୍ଠିତ ହୋଇଯାଇଛି କ୍ଷ ଏଥିରେ ମୁଖ୍ୟ ଅତିଥି ଭାବେ ଚକାପାଦ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବୈନେତ୍ରୀ କହଁର ଯୋଗାଇଥିବା ବେଳେ, ମୁଖ୍ୟବକ୍ତା ଭାବେ ଟିକାବାଲି କଲେଜ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ସଂସ୍କାର, ସଂସ୍କୃତି ଓ ଶୃଙ୍ଖଳା ରହିଲେ ପ୍ରତ୍ୟେକ ଛାତ୍ର, ଛାତ୍ରୀ ସଫଳ ମଣିଷ ଟିଏ ହୋଇପାରିବେ ବୋଲି ବକ୍ତବ୍ୟ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୋମନାଥ ବେହେରା, ସରପଞ୍ଚ ଚିରଞ୍ଜିବି କହଁର, ବ୍ଲକ ମଙ୍ଗଳ ଅଧିକାରୀ ସୁଶ୍ରୀ ଆଉସୀ ପ୍ରଧାନ, ଶିକ୍ଷା, ସ୍ୱାସ୍ଥ୍ୟ ର ସାଂସଦ ପ୍ରତିନିଧି ମାନସ ବେହେରା,ସମିତି ସଭ୍ୟା ଶ୍ରୀଦେବୀ କହଁର, ପ୍ରାକ୍ତନ ସରପଞ୍ଚ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ପିଇଓ ରାଜୀବ ସ୍ୱାଇଁ, ପ୍ରମୋଦ କୁମାର ସାହୁ, ଗୋପୀନାଥ କହଁର ଯୋଗ ଦେଇଥିଲେ ।
ଅତିଥି ପରିଚୟ ଓ ମଞ୍ଚ ସଂଯୋଜନା ଶିକ୍ଷୟିତ୍ରୀ ମିନତି ଦେବୀ କରିଥିବାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।
ସଫଳତା ପାଇଥିବା ଛାତ୍ର, ଛାତ୍ରୀଙ୍କୁ ପ୍ରମାଣପାତ୍ର ଓ ଟ୍ରଫି ଦେଇ ସମ୍ମାନିତ କରାଯାଇଥିଲା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031