Indus Valley Times

ଟାଙ୍ଗି-ତାପଙ୍ଗ ପାହାଡ଼ ଅଞ୍ଚଳରେ ବଡ଼ ଧରଣର ବିସ୍ପୋରକ କାରବାର ପର୍ଦ୍ଧାଫାଶ: ୧୦୦ ଡେଟୋନେଟର ୨୦୦ ଜିଲୋଟିନ ଷ୍ଟିକ ;୬.୮୦ ଲକ୍ଷ ଟଙ୍କା ଜବତ,୩ ଗିରଫ

 Breaking News

ଟାଙ୍ଗି-ତାପଙ୍ଗ ପାହାଡ଼ ଅଞ୍ଚଳରେ ବଡ଼ ଧରଣର ବିସ୍ପୋରକ କାରବାର ପର୍ଦ୍ଧାଫାଶ: ୧୦୦ ଡେଟୋନେଟର ୨୦୦ ଜିଲୋଟିନ ଷ୍ଟିକ ;୬.୮୦ ଲକ୍ଷ ଟଙ୍କା ଜବତ,୩ ଗିରଫ

ଟାଙ୍ଗି-ତାପଙ୍ଗ ପାହାଡ଼ ଅଞ୍ଚଳରେ ବଡ଼ ଧରଣର ବିସ୍ପୋରକ କାରବାର ପର୍ଦ୍ଧାଫାଶ: ୧୦୦ ଡେଟୋନେଟର ୨୦୦ ଜିଲୋଟିନ ଷ୍ଟିକ ;୬.୮୦ ଲକ୍ଷ ଟଙ୍କା ଜବତ,୩ ଗିରଫ
July 06
20:33 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୬/୭ : ଖୋରଧା ସଦର ଥାନା ପୁଲିସ ଏକ ବଡ଼ ଧରଣର ବେଆଇନ ବିସ୍ଫୋରକ ସାମଗ୍ରୀ କାରବାରର ପର୍ଦ୍ଦାଫାଶ କରିଛି। ତାପଙ୍ଗ ପାହାଡ଼ ନିକଟସ୍ଥ ଗ୍ରୀନ ଲେକ୍ ଅଞ୍ଚଳରେ ଚଢ଼ାଉ କରି ପୁଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା, ତିନୋଟି ମୋବାଇଲ୍ ଫୋନ୍, ଦୁଇଟି ମୋଟରସାଇକେଲ୍ ଏବଂ ଗୋଟିଏ ଅଶୋକ ଲେଲାଣ୍ଡ ପିକପ ଗାଡ଼ି ଜବତ କରିଛି।
ଏହି ଘଟଣାରେ ତିନିଜଣଙ୍କୁ ଗିରଫ କରାଯାଇଥିବା ବେଳେ ବେଆଇନ ବିସ୍ଫୋରକ କାରବାରର ଏକ ବୃହତ୍ ନେଟୱାର୍କ ଥିବା ସନ୍ଦେହରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ଏ ସମ୍ପର୍କରେ ଆଜି ଖୋରଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପରମାର ସ୍ମିଥ ପରୋଷୋତ୍ତମ ଦାସ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ଖୋରଧା ସଦର ଥାନାର ଏ.ଏସ.ଆଇ ପ୍ରଦୀପ କୁମାର ପ୍ରଧାନଙ୍କୁ ଗତ ୫ ଜୁଲାଇ ସନ୍ଧ୍ୟାରେ ତାପଙ୍ଗ ପାହାଡ଼ ନିକଟ ଗ୍ରୀନ ଲେକ୍ ଅଞ୍ଚଳରେ କିଛି ବ୍ୟକ୍ତି ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ କାରବାର କରୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା।
ସୂଚନା ପାଇବା ପରେ ସେ ଅନ୍ୟ ପୁଲିସ କର୍ମଚାରୀ ଓ ଦୁଇଜଣ ସ୍ୱାଧୀନ ସାକ୍ଷୀଙ୍କୁ ସାଙ୍ଗରେ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।
ଚଢ଼ାଉ ବେଳେ ତିନିଜଣ ସନ୍ଦିଗ୍ଧ ବ୍ୟକ୍ତି ବିସ୍ଫୋରକ ସାମଗ୍ରୀ ବିକ୍ରି ପାଇଁ ଆଲୋଚନା କରୁଥିବା ସମୟରେ ଧରାପଡ଼ିଥିଲେ। ସେମାନଙ୍କ ତଲାସି ସମୟରେ ୧୦୦ଟି ଡେଟୋନେଟର ଓ ୨୦୦ଟି ଜେଲାଟିନ ଷ୍ଟିକ୍ ଜବତ କରାଯାଇଥିଲା।
ଏଥିସହିତ ପ୍ରଥମ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ହିରୋ ସ୍ପ୍ଲେଣ୍ଡର ମୋଟର ସାଇକେଲ୍ ଓ ଗୋଟିଏ ଓପୋ ମୋବାଇଲ୍, ଦ୍ୱିତୀୟ ଅଭିଯୁକ୍ତଙ୍କ ନିକଟରୁ ୬ ଲକ୍ଷ ୮୦ ହଜାର ଟଙ୍କା ନଗଦ, ଗୋଟିଏ ଭିଭୋ ମୋବାଇଲ୍ ଓ ଅଶୋକ ଲେଲାଣ୍ଡ ଗାଡ଼ି, ଏବଂ ତୃତୀୟ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଭିଭୋ ମୋବାଇଲ୍ ଓ ଗୋଟିଏ ହୋଣ୍ଡା ଏସପି-୧୨୫ ମୋଟର ସାଇକେଲ୍ ଜବତ କରାଯାଇଛି।
ପ୍ରାଥମିକ ପଚରାଉଚରା ବେଳେ ଅଭିଯୁକ୍ତମାନେ ବେଆଇନ ଭାବେ ବିସ୍ଫୋରକ ସାମଗ୍ରୀ କାରବାର କରି ଅଳ୍ପ ସମୟ ମଧ୍ୟରେ ଅଧିକ ଲାଭ କମାଇବା ଉଦ୍ଦେଶ୍ୟରେ ସେଠାରେ ଏକାଠି ହୋଇଥିବା କଥା ସ୍ୱୀକାର କରିଥିବା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଥିଲେ ।
ଏହାପରେ ସମସ୍ତ ଜବତ ସାମଗ୍ରୀ ସହ ତିନି ଅଭିଯୁକ୍ତଙ୍କୁ ଥାନାକୁ ଆଣି ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ପଳାଶପିଠିଆ ଗ୍ରାମର ବିଶ୍ୱନାଥ କଁହର ଓରଫ ବିଶୁ, ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ଜାକରା ଗ୍ରାମର ପିଣ୍ଟୁ ପ୍ରଧାନ ଏବଂ ଖୋରଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଗଡ଼ନିଆଳ ଗ୍ରାମର ରବିନାରାୟଣ ଖଟେଇ ଓରଫ ରବି।
ଏହି ଘଟଣାରେ ଖୋରଧା ସଦର ଥାନାରେ କେସ୍ ନମ୍ବର ୩୦୯/୨୦୨୬ ଅନୁଯାୟୀ ଭାରତୀୟ ନ୍ୟାୟ ସଂହିତାର ଧାରା ୨୮୮ ଓ ୬୧(୨) ସହ ବିସ୍ଫୋରକ ପଦାର୍ଥ ଆଇନ, ୧୯୦୮ର ଧାରା–୫ରେ ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ ଉପନିରୀକ୍ଷକ ସୁଜାତା ପଲେଇ କରୁଛନ୍ତି।
ଏହି ଚଢ଼ାଉ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପରମାର ସ୍ମିଥ ପରୋଷୋତ୍ତମ ଦାସ ତତ୍ତ୍ୱାବଧାନରେ ଏବଂ ଖୋରଧା ଏସ.ଡି.ପି.ଓ ପଙ୍କଜ କୁମାର ମାଝୀଙ୍କ ନିର୍ଦ୍ଦେଶରେ ହୋଇଥିଲା।
ସଦର ଥାନା ଆଇ.ଆଇ.ସି ବାସୁଦେବ ଜୟସିଂହଙ୍କ ସମେତ ଏ.ଏସ.ଆଇ ପ୍ରଦୀପ ପ୍ରଧାନ, ଏ.ଏସ.ଆଇ ମନଜିତ ଏକ୍କା ଓ ଅନ୍ୟ ପୁଲିସ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।
ତେବେ ଏତେ ପରିମାଣର ଡେଟୋନେଟର ଓ ଜେଲୋଟିନ ଷ୍ଟିକ୍ କେଉଁଠାରୁ ଆସିଥିଲା, କାହାକୁ ବିକ୍ରି କରିବା ପାଇଁ ଚୁକ୍ତି ହୋଇଥିଲା, ଏବଂ ଏହି କାରବାର ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି।
ବେଆଇନ ଖଣି ଓ ପଥର ଖାଦାନରେ ବିସ୍ଫୋରକ ସାମଗ୍ରୀର ଅପବ୍ୟବହାର ସହ ଏହି ଘଟଣାର କୌଣସି ସମ୍ପର୍କ ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତ ପରିସରକୁ ଆସିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31