Indus Valley Times

ବୌଦ୍ଧ ସଡକ ସୁରକ୍ଷା ସମିତି ବୈଠକ,ଟ୍ରାଫିକ ନିୟମ ପାଳନ ନହେଲେ ଦୁର୍ଘଟଣା ରୋକିବା ସମ୍ଭବ ନୁହେଁ

 Breaking News

ବୌଦ୍ଧ ସଡକ ସୁରକ୍ଷା ସମିତି ବୈଠକ,ଟ୍ରାଫିକ ନିୟମ ପାଳନ ନହେଲେ ଦୁର୍ଘଟଣା ରୋକିବା ସମ୍ଭବ ନୁହେଁ

ବୌଦ୍ଧ ସଡକ ସୁରକ୍ଷା ସମିତି ବୈଠକ,ଟ୍ରାଫିକ ନିୟମ ପାଳନ ନହେଲେ ଦୁର୍ଘଟଣା ରୋକିବା ସମ୍ଭବ ନୁହେଁ
October 01
16:51 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧/୧୦: ବୌଦ୍ଧଜିଲାରେ ଦୁର୍ଘଟଣା ହାର ହୁହୁ ହୋଇ ବୃଦ୍ଧି ପାଇଚାଲିଥିବାବେଳେ ବୌଦ୍ଧଜିଲା ସଡକ ସୁରକ୍ଷା ସମିତିର ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଆହ୍ୱାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ବୃଦ୍ଧି ପାଉଥିବା ଦୁର୍ଘଟଣାଜନିତ ମୃତ୍ୟୁକୁ ନେଇ ଜିଲାପାଳ ଶ୍ରୀପଣ୍ଡା ଉଦବେଗ ପ୍ରକାଶ କରିବା ସହିତ ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଜାତୀୟ ରାଜପଥରେ ଦୁର୍ଘଟଣାସ୍ଥଳ ଗୁଡିକୁ ଚିହ୍ନଟ କରାଯାଇ ଗାଡିଚାଳକମାନଙ୍କ ପାଇଁ ଉପଯୁକ୍ତ ସୂଚନା ଫଳକ ଲଗାଯାଉନଥିବାରୁ ନିଜର ଅସେନ୍ତୋଷ ପ୍ରକାଶ କରିଥିଲେ ।
ବିଶେଷ ଭାବରେ ବୌଦ୍ଧ ବାଇପାଶ ବିଜୁ ପଟ୍ଟନାୟକ ଛକ, ରଇଠାଣୀ ଛକ,ରାମ୍ଭିକଟା ଛକଠାରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ସେହି ସ୍ଥାନଗୁଡିକୁ ବ୍ଲାକ୍ ସ୍ପଟ ଭାବରେ ଚିହ୍ନଟ କରିବାକୁ ଜାତୀୟରାଜପଥ ବିଭାଗକୁ ଜିଲାପାଳ ଶ୍ରୀପଣ୍ଡା ନିର୍ଦ୍ଦେଶ ଦେଇଥିଲେ । ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକରେ ସ୍ପିଡ ବ୍ରେକର ଓ ସୂଚନାଫଳକ ଲାଗାଇବାକୁ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ତାଗିଦ କରାଯାଇଥିଲା ।
ସେହିପରି ଦୁର୍ଘଟଣା ସୂଚନା ମିଳିବାପରେ ତୁରନ୍ତ ଆମ୍ବୁଲାନସ ପହଞ୍ଚାଇବା ଏବଂ ଦୁର୍ଘଟଣାରେ ଆହତମାନଙ୍କୁ ମେଡିକାଲ ଆଣୁଥିବା ଲୋକଙ୍କ ନାମ ପଂଜିକୃତ କରିବା ସହିତ ସରକାରଙ୍କ ଦ୍ୱାରା ଘୋଷିତ ଆର୍ଥିକ ପୁରସ୍କାର ରାଶି ପ୍ରଦାନ ବ୍ୟବସ୍ଥା କରାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ ।
ବୌଦ୍ଧ ସହରର ଏନଏସି ଛକଠାରେ ସ୍ଥାପିତ ନୂତନ ଟ୍ରାଫିକ ସିଗନାଲକୁ ସକାଳ ୯ ଘଣ୍ଟାଠାରୁ ରାତ୍ରି ୯ ଘଣ୍ଟା ପର‌୍ୟ୍ୟନ୍ତ କାର୍ଯ୍ୟକାରୀ କରିବା,ଜାତୀୟ ରାଜପଥରେ ସମସ୍ତ ଦୁର୍ଘଟଣାସ୍ଥଳକୁ ଚିହ୍ନଟ କରାଯାଇ ଗତି କମାଇବାକୁ ଗାଡିଚାଳକମାନଙ୍କ ପାଇଁ ସୂଚନା ଫଳକ ଲଗାଇବା ଓ ବିପଦଜନକ ସ୍ଥାନରେ ରମ୍ବଲର ନିର୍ମାଣ କରାଇବା, ସିସିଟିଭି କ୍ୟାମେରା ଲଗାଇବା, ଫିଟନେସ ଏବଂ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଡ୍ରାଇଭିଂ ଲାଇସେନସ ରଦ୍ଦ କରାଯିବା, ଟ୍ରାକ୍ଟର ଚଳାଚଳ ଉପରେ ନଜର ରଖିବା ଉପରେ ବୈଠକରେ ନିର୍ଦ୍ଦେଶ ଦିଆଯାଇଥିଲା ।
ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଗାଡି ମୋଟର ଯାଞ୍ଚକୁ କଡା କଡି କରାଯିବା, ଦ୍ରୁତ ଗାଡିଚାଳନା,ହେଲମେଟ ବିନା ଡ୍ରାଇଭିଂ,ସିଟବେଲଟ ବ୍ୟବହାର ନକରିବା,ଟ୍ରିପଲ ରାଇଡିଂ,ଗାଡି ଚାଳନା ସମୟରେ ମୋବାଇଲ ଫୋନ ବ୍ୟବହାରକାରୀଙ୍କୁ ଧରିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ବୈଠକରେ ଦିଆଯାଇଥିବା ସୂଚନା ମୁତାବକ ୨୦୨୪ ଅଗଷ୍ଟ ମାସ ମଧ୍ୟରେ ୮୮ ଟି ଦୁର୍ଘଟଣା ଘଟି ୪୫ ଜଣଙ୍କ ମୃତ୍ୟୁ ହୋଇଛି ।
ସେହିପରି ବିଭିନ୍ନ ମାମଲାରେ ଅଗଷ୍ଟ ମାସ ସୁଦ୍ଧା ୧୧ଟି ଗାଡିର ଫିଟନେସ ରଦ୍ଦ କରାଯାଇଥିବାବେଳେ ସିଟବେଲଟ ପାଇଁ ୩୭ ଜଣଙ୍କୁ,ହେଲମେଟ ପାଇଁ ୨୫୫୫ ଜଣଙ୍କୁ,ଟ୍ରିପଲ ରାଇଡିଂ ପାଇଁ ୧୯୯ ଜଣଙ୍କୁ,ଗାଡି ଚଳନା ସମୟରେ ମୋବାଇଲ ଫୋନ ବ୍ୟବହାର ପାଇଁ ୧୬୯ ଜଣକୁ,ଦ୍ରୁତ ଗତି ପାଇଁ ୧୭୦୮ ଜଣକୁ,ଅନୁମତି ଠାରୁ ଅଧିକ ମାଲ ପରିବହନ ପାଇଁ ୯୫ ଜଣକୁ ଓ ମଦ୍ୟପାନ କରି ଗାଡି ଚାଳନା ଯୋଗୁଁ ୧୧୩ ଜଣଙ୍କ ଚାଲାଣ କଟାଯାଇଥିବାବେଳେ ୫୭୪ ଜଣଙ୍କ ଡ୍ରାଇଭିଂ ଲାଇସେନସ ରଦ୍ଦ କରାଯାଇଥିବା ଜଣାଯାଇଛି ।
ଏନଆଇସି ର ଡିଆରଏମ ନିତ୍ୟବ୍ରତ ଗଡତିଆ ରାସ୍ତା ଦୁର୍ଘଟଣାର ତଥ୍ୟ ସଂପର୍କିତ ଆପ ସଂପର୍କରେ ଆଲୋଚନା କରିଥିଲେ । ବୈଠକରେ ଜିଲାପରିଷଦର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅନିରୁଦ୍ଧ ପ୍ରଧାନ,ଡିଏସପି ଏ.କେ.ଡୁଙ୍ଗ ଡୁଙ୍ଗ,ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ, ଏମଭିଆଇ ଗୋଲାପ ଚରଣ ହାଂସଦା, ଜାତୀୟ ରାଜପଥ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ସିଂ.ପୁର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କୁନା ଚରଣ ସିଂହ,କନିଷ୍ଠ ଯନ୍ତ୍ରୀ ପଞ୍ଚାନନ ସାହୁ,ଏଡିପିଏଚଓ ଡ. ବିକେଆରସି ହେମ୍ବ୍ରମ,ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସଗୁ ନାଏକ,ଟ୍ରକ ମାଲିକ ସଂଘ ସଭାପତି ଶିବ ପ୍ରସାଦ ମିଶ୍ର ଏବଂ ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031