Indus Valley Times

ରାମ ମନ୍ଦିର ଚାନ୍ଦା ପ୍ରସଙ୍ଗକୁ ନେଇ ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

 Breaking News

ରାମ ମନ୍ଦିର ଚାନ୍ଦା ପ୍ରସଙ୍ଗକୁ ନେଇ ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ରାମ ମନ୍ଦିର ଚାନ୍ଦା ପ୍ରସଙ୍ଗକୁ ନେଇ ଖୋରଧା ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
July 15
22:22 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୫/୭ : ଭଗବାନ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଉଦ୍ଦେଶ୍ୟରେ ଦେଶବ୍ୟାପୀ ସଂଗ୍ରହ କରାଯାଇଥିବା ଚାନ୍ଦା ଓ ଭେଟିର ପରିଚାଳନାକୁ ନେଇ ଦେଶରେ ଉଠିଥିବା ବିବାଦ ମଧ୍ୟରେ ଖୋରଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯାଇ କେନ୍ଦ୍ର ସରକାର, ବିଜେପି ଓ ଆର.ଏସ.ଏସ କୁ କଡ଼ା ସମାଲୋଚନା କରାଯାଇଛି।
ଜିଲ୍ଲା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶ୍ରୀରାମଙ୍କ ନାମରେ ଲୋକଙ୍କଠାରୁ ସଂଗ୍ରହ କରାଯାଇଥିବା ଭେଟି ଓ ଦାନର ସ୍ୱଚ୍ଛତାକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।
ଏହା କେବଳ ଏକ ଆର୍ଥିକ ଅନିୟମିତତାର ପ୍ରସଙ୍ଗ ନୁହେଁ, ବରଂ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ ଏକ ସମ୍ବେଦନଶୀଳ ବିଷୟ ବୋଲି କଂଗ୍ରେସ ମତ ପ୍ରକାଶ କରିଛି। ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକ କହିଥିଲେ ଯେ, ଯଦି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠନ କରାଯାଇଥିଲା, ତେବେ ବର୍ତ୍ତମାନ ଉଠିଥିବା ଅଭିଯୋଗ ପାଇଁ ଦାୟୀ କିଏ?
ସବୁକିଛି ସ୍ୱଚ୍ଛ ଥିଲେ ଟ୍ରଷ୍ଟର ତତ୍କାଳୀନ ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ ଟ୍ରଷ୍ଟି ଅନିଲ ମିଶ୍ରଙ୍କ ଇସ୍ତଫା କାହିଁକି ଗ୍ରହଣ କରାଗଲା ବୋଲି ସେ ପ୍ରଶ୍ନ ଉଠାଇଥିଲେ।
ଯଦି କୌଣସି ଅନିୟମିତତା ହୋଇନାହିଁ, ତେବେ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ସ୍ୱାଧୀନ ତଦନ୍ତ କରାଇବାକୁ ସରକାର କାହିଁକି ଏଡ଼ାଇ ଚାଲିଛନ୍ତି ବୋଲି ସେ ପଚାରିଥିଲେ।
କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଭଗବାନ ଶ୍ରୀରାମ କେବଳ ଏକ ଧାର୍ମିକ ପ୍ରତୀକ ନୁହନ୍ତି; ସେ ନ୍ୟାୟ, ସତ୍ୟ, ନୈତିକତା ଓ ମର୍ଯ୍ୟାଦାର ପ୍ରତୀକ। ତାଙ୍କ ନାମରେ ଦେଶର ଗରିବ ପରିବାର, ଚାଷୀ, ଶ୍ରମିକ, ମହିଳା ଓ ସାଧାରଣ ଭକ୍ତମାନେ ନିଜ କଷ୍ଟାର୍ଜିତ ଅର୍ଥ, ସୁନାଗହଣା ଓ ଅନ୍ୟାନ୍ୟ ଦାନ ସାମଗ୍ରୀ ଅର୍ପଣ କରିଥିଲେ। ତିନି ଦଶନ୍ଧି ଧରି ବିଜେପି, ଆର.ଏସ.ଏସ, ବିଶ୍ୱ ହିନ୍ଦୁ ପରିଷଦ ଓ ସଂଘ ପରିବାରର ବିଭିନ୍ନ ସଂଗଠନ ରାମ ମନ୍ଦିର ଆନ୍ଦୋଳନକୁ ଆଧାର କରି ଚାନ୍ଦା ସଂଗ୍ରହ କରିଥିଲେ ଏବଂ ସେହି ଆନ୍ଦୋଳନ ଉପରେ ନିଜର ରାଜନୈତିକ ଭିତ୍ତି ମଜବୁତ କରିଥିଲେ।
ଏଭଳି ସ୍ଥିତିରେ ଆଜି ଶ୍ରଦ୍ଧାଳୁମାନଙ୍କ ମନରେ ସଂଗ୍ରହ କରାଯାଇଥିବା ଅର୍ଥର ସ୍ୱଚ୍ଛ ପରିଚାଳନାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ବୋଲି କଂଗ୍ରେସ ଦାବି କରିଛି।
ଜିଲ୍ଲା କଂଗ୍ରେସ ଅଭିଯୋଗ କରିଛି ଯେ, ଏହି ପ୍ରସଙ୍ଗ କେବଳ ଆର୍ଥିକ ଅନିୟମିତତାରେ ସୀମିତ ନୁହେଁ, ବରଂ କୋଟି, କୋଟି ଶ୍ରଦ୍ଧାଳୁଙ୍କ ବିଶ୍ୱାସ ସହ ଜଡ଼ିତ। ଟ୍ରଷ୍ଟର କେତେକ ବରିଷ୍ଠ ପଦାଧିକାରୀଙ୍କ ଇସ୍ତଫା ଘଟଣା ଅଧିକ ସନ୍ଦେହ ସୃଷ୍ଟି କରୁଛି।
ସମ୍ପୂର୍ଣ୍ଣ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ଦଳ ପକ୍ଷରୁ କୁହାଯାଇଛି। ସାମ୍ୱାଦିକ ସମ୍ମିଳନୀରେ କଂଗ୍ରେସ ପ୍ରଶ୍ନ କରିଛି ଯେ, ଟ୍ରଷ୍ଟ ସହ ଜଡ଼ିତ ବରିଷ୍ଠ ବ୍ୟକ୍ତିମାନଙ୍କ ନାମ ସାମ୍ନାକୁ ଆସିଥିବା ସତ୍ତ୍ୱେ କାହିଁକି କାର୍ଯ୍ୟାନୁଷ୍ଠାନ କେବଳ କନିଷ୍ଠ କର୍ମଚାରୀଙ୍କ ମଧ୍ୟରେ ସୀମିତ ରହିଛି।
\”ଡବଲ୍ ଇଞ୍ଜିନ୍ ସରକାର\” କଣ ଦୋଷୀ ମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଦଳ ପ୍ରଶ୍ନ କରିବା ସହିତ, ସତ୍ୟ ପଦାକୁ ଆସିବା ପାଇଁ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ଏକ ନିରପେକ୍ଷ ତଦନ୍ତ ଅନିବାର୍ଯ୍ୟ ବୋଲି ଦାବି କରିଛି।
କଂଗ୍ରେସ ନେତାମାନେ କହିଛନ୍ତି ଯେ, ଧର୍ମ ଓ ଲୋକଙ୍କ ଆସ୍ଥାକୁ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରାଯିବା ଗଣତନ୍ତ୍ର ଓ ସାମାଜିକ ମୂଲ୍ୟବୋଧ ପାଇଁ କ୍ଷତିକାରକ।
ତେଣୁ ଏହି ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆସିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସ କମିଟିର ଉପସଭାପତି ଜୟନ୍ତ ଦାସ, ଜିଲ୍ଲା ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ଖୋରଧା ବ୍ଲକ ସଭାପତି ତାପସ ମିଶ୍ର, ନଗର ସଭାପତି ରଣଜିତ ମହାପାତ୍ର, ବରିଷ୍ଠ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ, ବରିଷ୍ଠ ଅଧିବକ୍ତା ଶିଶିର ପରିଡ଼ା, ଅଶୋକ ମଙ୍ଗରାଜ ଏବଂ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସୌମ୍ୟରଞ୍ଜନ ବରାଳଙ୍କ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031