Indus Valley Times

ଷ୍ଟେଜରେ ଭଜନ ଗାଉଥିଲେ ଅତିରିକ୍ତ ଜିଲାପାଳ, ଟଳି ପଡ଼ିଲେ

 Breaking News

ଷ୍ଟେଜରେ ଭଜନ ଗାଉଥିଲେ ଅତିରିକ୍ତ ଜିଲାପାଳ, ଟଳି ପଡ଼ିଲେ

July 11
17:48 2024

ଗଜପତି,୧୧/୭: ମୃତ୍ୟୁ କେତେବେଳେ ଆସେ ଜାଣି ହୁଏନି। ଖୁସି କି ଦୁଃଖର ସମୟ ବୁଝେନି ମୃତ୍ୟୁ। ଆଉ ଅଚାନକ ସମୁଦ୍ରର ଢେଉ ଭଳି ମାଡିଆସେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲାର ପାରଳାଖେମୁଣ୍ଡିରେ। ଖୁସିର ମାହୋଲରେ ଗୀତ ଗାଉ ଗାଉ ଚାଲି ଯାଇଛି ଜୀବନ। ଗୀତ ବୋଲୁଥିବାବେଳେ ଟଳି ପଡିଛନ୍ତି ଅତିରିକ୍ତ ଜିଲାପାଳ।
ଗୀତ ଗାଉଥିବା ବେଳେ ଜିଲା ରେଭିନ୍ୟୁ ଏଡିଏମ ବୀରେନ୍ଦ୍ର କୁମାର ଦାସଙ୍କ ମୃତ୍ୟୁ ହୋଇଛି। ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସରିବା ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଆଉ ନିର୍ବାଚନ ପରେ କିଛି ସମୟ ପାଇଁ ମନୋରଞ୍ଜନ କରିବାକୁ ଗୀତ କାର‌୍ୟ୍ୟକ୍ରମ ହୋଇଥିଲା। ଯେଉଁଥିରେ ଅତିରିକ୍ତ ଜିଲାପାଳ ବୀରେନ୍ଦ୍ର ଗୀତ ବୋଲିଥିଲେ। ଏଡିଏମଙ୍କ ଗୀତରେ ସମସ୍ତେ ଝୁମୁଥିଲେ। ହେଲେ ହଠାତ୍ ଘଟିଯାଇଥିଲା ଅଘଟଣ। ଗୀତ ଗାଉଥିବାବେଳେ ମଞ୍ଚରେ ଟଳି ପଡିଲେ ବୀରେନ୍ଦ୍ର। ତୁରନ୍ତ ସହଯୋଗୀ ଷ୍ଟାଫମାନେ ତାଙ୍କୁ ବ୍ରହ୍ମପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ସୂଚନାଥାଉ କି, ଗଜପତି ଜିଲା ଅତିରିକ୍ତ ଜିଲାପାଳ ବିରେନ୍ଦ୍ର ଦାସଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ବୁଧବାର ରାତିରେ ବିଏନ ପ୍ୟାଲେଶରେ ପ୍ରଶାସନ ଦ୍ୱାରା ଆୟୋଜିତ ଗୋଟେ ଭୋଜିରେ ଜଗନ୍ନାଥଙ୍କ ଜଣାଣ ଗାଇବା ସମୟରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସେଠାରୁ ତାଙ୍କୁ ସାଙ୍ଗେ ସାଙ୍ଗେ ପାରଳାଖେମୁଣ୍ଡି ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିଲା। ଯେଉଁଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଗତ ୨ବର୍ଷ ହେଲା ବୀରେନ୍ଦ୍ର ଦାସ ଅତିରିକ୍ତ ଜିଲାପାଳ ରାଜସ୍ବ ଦାୟିତ୍ୱରେ ରହିଥିଲେ । ତେବେ ରେଭିନ୍ୟୁ ଏଡିଏମଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସହଯୋଗୀ ଷ୍ଟାଫ । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31