Indus Valley Times

ସିଏମ କିଷାନ ଯୋଜନାର ଶୁଭାରମ୍ଭ, ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି

 Breaking News

ସିଏମ କିଷାନ ଯୋଜନାର ଶୁଭାରମ୍ଭ, ଚାଷୀଙ୍କ ଆକାଉଣ୍ଟକୁ ଗଲା ପ୍ରଥମ କିସ୍ତି

September 08
22:56 2024

ସମ୍ବଲପୁର, ୮/୯ : ଚାଷୀଙ୍କୁ ରାଜ୍ୟ ସରକାରଙ୍କ ନୂଆଁଖାଇ ଭେଟି। ଆସିଲା ସିଏମ୍ କିଷାନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁରରେ ଏହି ଯୋଜନାର ଶୁଭାରମ୍ଭ କରି ପ୍ରଥମ କିସ୍ତି ବାବଦ ୯୨୫ କୋଟିରୁ ଅଧିକ ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ପଠାଇଛନ୍ତି। ଏଥିସହ ସିଏମ୍ ଓ ପିଏମ୍ କିଷାନରେ ନୂଆ ହିତାଧିକାରୀଙ୍କ ନାମ ପଞ୍ଜିକରଣ ପାଇଁ ସିଏମ କିଷାନ୍ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସିଏମ୍ କିଷାନ୍ ଯୋଜନା ପାଇଁ ସମ୍ବଲପୁର ଜିଏମ୍ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଆୟୋଜିତ ହୋଇଥିଲା କାର‌୍ୟ୍ୟକ୍ରମ। ମୁଖ୍ୟମନ୍ତ୍ରୀ ଏଥିରେ ଯୋଗଦେଇ ସିଏମ୍ କିଷାନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ସିଏମ୍ କିଷାନ୍ ଯୋଜନାରେ ରାଜ୍ୟର ପ୍ରାୟ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ।
ଏଥିପାଇଁ ପ୍ରଥମ କିସ୍ତିରେ ଚାଷୀଙ୍କୁ ୯୨୫ କୋଟିରୁ ଅଧିକ ଟଙ୍କା ଡିବିଟି ମାଧ୍ୟମରେ ହସ୍ତାନ୍ତର କରାଯାଇଛି। ଉଭୟ ଖରିଫ ଓ ରବି ଫସଲ ପୂର୍ବରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷକଙ୍କ ଖାତାକୁ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ଲେଖାଏଁ ଯିବ। ଏଥିପାଇଁ ଚଳିତ ବଜେଟରେ ୧୯ ଶହ ୩୫ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ ରାଜ୍ୟ ସରକାର।
୨୦୧୯ ନିର୍ବାଚନକୁ ଯିବା ପୂର୍ବରୁ ଡିସେମ୍ବର ୨୦୧୮ରେ ଚାଷୀଙ୍କ ସହାୟତା ପାଇଁ କାଳିଆ ଯୋଜନାର ଶୁଭାରମ୍ଭ କରିଥିଲେ ତତ୍କାଳୀନ ରାଜ୍ୟ ସରକାର। ପ୍ରଥମେ ପ୍ରଥମେ ଦୁଇଟି କିସ୍ତିରେ ଚାଷୀଙ୍କୁ ୧୦ ହଜାର ଟଙ୍କା ଦିଆଯାଉଥିଲା। ହେଲେ ୨୦୧୯ରେ ମୋଦି ସରକାର ପିଏମ୍ କିଷାନ ସମ୍ମାନ ନିଧି ଘୋଷଣା କରିବାରୁ କାଳିଆକୁ ତା’ ସହ ମିଶାଇ ୧୦ ହଜାରରୁ ସହାୟତା ରାଶିକୁ ୪ ହଜାରକୁ ଖସାଇ ଦେଇଥିଲେ ନବୀନ ପଟ୍ଟନାୟକ ସରକାର।
ତେବେ ଗତମାସ ୩୧ ତାରିଖରେ ବିଧାନସଭାରେ କୃଷିମନ୍ତ୍ରୀଙ୍କ ତଥ୍ୟରୁ ପିଏମ୍ କିଷାନରେ ୨୯ ଲକ୍ଷ ୭୩ ହଜାର ୯୮୦ ଜଣ ଚାଷୀ ସାମିଲ ହୋଇଥିବାରୁ ବାଦ ପଡ଼ିଥିବା ଚାଷୀଙ୍କୁ ମଧ୍ୟ ଏଥିରେ ସାମିଲ କରିବାକୁ ଉଦ୍ୟମ କରିଛନ୍ତି ମୋହନ ସରକାର। ଏଥିପାଇଁ ଆଜି ସିଏମ୍ କିଷାନ୍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି।
ଯେଉଁଥିରେ ସିଏମ୍ ଓ ପିଏମ୍ କିଷାନରୁ ବଞ୍ଚିତ ଚାଷୀ ନାମ ପଞ୍ଜିକରଣ କରିପାରିବେ। ଆଜିଠୁ ଏହି ପଞ୍ଜିକରଣ ଆରମ୍ଭ ହୋଇଛି। ଯାହା ଆସନ୍ତା ୨ ମାସ ପର‌୍ୟ୍ୟନ୍ତ ଚାଲିବ। ତେଣୁ ନବୀନ ସରକାର ଅମଳରେ ସହାୟତା ଯୋଜନାରୁ ବଞ୍ଚିତ ଚାଷୀଙ୍କ ଭିତରେ ଏବେ ଆଶା ଜାଗିଛି।
ଏପଟେ ସିଏମ୍ କିଷାନ୍ ଆସୁ ଆସୁ ରାଜନୀତି ତେଜିଛି। ବିଜେଡି କହିଛି, ଏଥିରେ ଚାଷୀର କିଛି ଅଧିକ ଫାଇଦା ନାହିଁ। ଖାଲି ନାଁ ବଦଳେଇ ଆମ ଯୋଜନା ହିଁ ଆଣିଛନ୍ତି। ଯାହାର ଜବାବ ରଖିଛି ବିଜେପି।
ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ବିଧାୟକ ଜୟନାରାୟଣ ମିଶ୍ର ଓ ଭିସିରେ ଦୁଇ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂଦେଓ ଓ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ।
ଏହି ଅବସରରେ ଗୋଟିଏ ସ୍ଥାନରେ ବିଭିନ୍ନ କୃଷି ଓ ଆନୁଷଙ୍ଗିକ ବିଭାଗ ସମ୍ବଧୀୟ ଯୋଜନା ଲାଗି ଆବେଦନ ପାଇଁ କୃଷକ ଓଡ଼ିଶା ୟୁନିଫାଏଡ୍ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31