Indus Valley Times

ଜରିପାଲ ଭିତରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ରୂପାଲିଙ୍କ ପରିବାର

 Breaking News

ଜରିପାଲ ଭିତରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ରୂପାଲିଙ୍କ ପରିବାର

ଜରିପାଲ ଭିତରେ ବିତୁଛି ଜୀବନ, ସରକାରୀ ସହାୟତା ଅପେକ୍ଷାରେ ରୂପାଲିଙ୍କ ପରିବାର
June 15
22:48 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୫/୬ : ସକାଳର ସୂର୍ଯ୍ୟ ଉଦୟ ସହିତ ଆରମ୍ଭ ହୁଏ ସଂଘର୍ଷର ଆଉ ଏକ ନୂଆ ଦିନ। ମୁଣ୍ଡ ଉପରେ ପକ୍କା ଛାତ ନାହିଁ, ରାତିରେ ଝଡ଼ବର୍ଷାର ଭୟ, ଦିନରେ ଖରାର ତାତି, ତଥାପି ଜୀବନ ଜିଇଁବାର ଆଶାକୁ ହାରି ନାହାନ୍ତି ଖୋରଧା ଜିଲ୍ଲା ବେଗୁନିଆ ବ୍ଲକ ପୋଡ଼ାଡିହ ଗ୍ରାମର ରୂପାଲୀ ନାୟକ। ତିନି ଜଣ କୋମଳମତି ଶିଶୁ ଏବଂ ରୋଗାକ୍ରାନ୍ତ ସ୍ୱାମୀଙ୍କୁ ନେଇ ଏକ ଜରିପାଲ ତଳେ ତାଙ୍କ ଜୀବନ ସଂଘର୍ଷ ଆଜି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଗ୍ରାମର ଶେଷ ମୁଣ୍ଡରେ, ଘାସବଣ ଏବଂ ଜଙ୍ଗଲ ମଧ୍ୟରେ ସରକାରୀ ଜମି ଉପରେ ଠିଆ ହୋଇଛି ଏକ ଅସ୍ଥାୟୀ ଆଶ୍ରୟସ୍ଥଳ। ଅଧା ମାଟି କାନ୍ଥ, କିଛି ବାଉଁଶ ଏବଂ ଉପରେ ଏକ ପୁରୁଣା ଜରିପାଲ ଏହା ହିଁ ରୂପାଲୀଙ୍କ ପରିବାରର ଘର।
ଘର ବୋଲି କହିଲେ ମଧ୍ୟ ଭୁଲ ହେବ ନାହିଁ, କାରଣ ଦିନରେ ଖରାର ପ୍ରଖର ତାପ ଏବଂ ରାତିରେ ଆକାଶର ତାରା ସ୍ପଷ୍ଟ ଭାବରେ ଦେଖାଯାଏ। ବର୍ଷା ହେଲେ ଜରିପାଲ ଫାଟ ଦେଇ ପାଣି ଘର ଭିତରକୁ ପଶିଯାଏ, ଆଉ ଶୀତ ରାତିରେ ଥଣ୍ଡା ପବନ ସମସ୍ତଙ୍କୁ ଅସହାୟ କରିଦିଏ।
କିନ୍ତୁ ଦାରିଦ୍ର‌୍ୟ ଓ ଅଭାବ ଆଗରେ ହାରମାନି ନାହାଁନ୍ତି ରୂପାଲୀ। ପ୍ରତିଦିନ ସକାଳ ହେଲେ ଏକ ଭଙ୍ଗା ଦଦରା ଟ୍ରଲି ରିକ୍ସାରେ ବାହାରି ପଡ଼ନ୍ତି ତାଙ୍କ ପରିବାର।
ରାସ୍ତା କଡ଼ରେ ପଡ଼ିଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ପଲିଥିନ ଏବଂ ଅନ୍ୟାନ୍ୟ ପରିତ୍ୟକ୍ତ ସାମଗ୍ରୀ ସଂଗ୍ରହ କରି କବାଡ଼ିଆଙ୍କୁ ବିକ୍ରି କରନ୍ତି। ଦିନ ଶେଷରେ ଯାହା କିଛି ଟଙ୍କା ମିଳେ, ସେହି ଟଙ୍କାରେ ପରିବାରର ପେଟ ପୋଷାଯାଏ।
କେବେ ଦୁଇ ବେଳା ଖାଦ୍ୟ ମିଳେ, ତ ଆଉ କେବେ ଅଧା ପେଟରେ ଶୋଇବାକୁ ପଡ଼େ। ରୂପାଲୀ ଙ୍କ ଏହି ଦୁଃଖର କାହାଣୀ ଆଜିର ନୁହେଁ। ପୋଡ଼ାଡିହ ଗ୍ରାମର ଝିଅ ରୂପାଲୀ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ଚନ୍ଦନଙ୍କୁ ବିବାହ କରିଥିଲେ। ବିବାହ ପରେ ସୁଖର ସଂସାର ଗଢ଼ିବାର ସ୍ୱପ୍ନ ଦେଖୁଥିବା ବେଳେ ଭାଗ୍ୟ ସେମାନଙ୍କ ସହ ନିଷ୍ଠୁର ପରିହାସ କରିଥିଲା। ଏକ ଦୁର୍ଘଟଣାରେ ଚନ୍ଦନଙ୍କ ହାତ ଭାଙ୍ଗି ଯାଇଥିଲା। ଚିକିତ୍ସା ପାଇଁ ସେ ନିଜର ଡେଲାଙ୍ଗ ସ୍ଥିତ ଘର ବିକ୍ରି କରିଦେଇଥିଲେ।
ଚିକିତ୍ସା ପରେ ମଧ୍ୟ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିନଥିଲେ। ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରୁ ସେମାନେ ରୂପାଲୀଙ୍କ ପୈତୃକ ଘରକୁ ଫେରି ଆସିଥିଲେ। କିନ୍ତୁ ନିୟତିର ଆଉ ଏକ ନିର୍ମମ ଆଘାତ ସେମାନଙ୍କୁ ନିଃସ୍ୱ କରିଦେଇଥିଲା।
ଏକ ଅଗ୍ନିକାଣ୍ଡରେ ରୂପାଲୀଙ୍କ ପୈତୃକ ଘର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ବର୍ଷ ବର୍ଷ ଧରି ସଞ୍ଚୟ କରିଥିବା ସମସ୍ତ ସମ୍ପତ୍ତି ଆଖି ପିଛୁଳାକେ ପାଉଁଶ ହୋଇଯାଇଥିଲା। ତା’ପରେ ଗ୍ରାମବାସୀଙ୍କ ସହଯୋଗରେ ସରକାରୀ ଜମି ଉପରେ ଜରିପାଲ ଟାଣି ଆଶ୍ରୟ ନେଇଥିଲେ ଏହି ପରିବାର। ସେହି ଅସ୍ଥାୟୀ ଆଶ୍ରୟ ହିଁ ଆଜି ସେମାନଙ୍କ ସ୍ଥାୟୀ ଠିକଣା ପାଲଟିଯାଇଛି। ସବୁଠାରୁ
ବଡ଼ ଦୁଃଖର ବିଷୟ ହେଉଛି, ଏତେ ଦୁର୍ଦ୍ଦଶା ମଧ୍ୟରେ ରହୁଥିଲେ ମଧ୍ୟ ରୂପାଲୀଙ୍କ ନାମରେ କୌଣସି ରେସନ କାର୍ଡ ନାହିଁ। ଫଳରେ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ସୁବିଧା ତାଙ୍କ ପାଖରେ ପହଞ୍ଚି ପାରୁନାହିଁ।
ସେହିପରି ଆବାସ ଯୋଜନାରେ ମଧ୍ୟ ସେ ସାମିଲ ହୋଇନାହାନ୍ତି। ଏପରିକି ତିନୋଟି ଛୋଟ ଛୋଟ ପିଲାଙ୍କ ଭବିଷ୍ୟତ ନେଇ ମଧ୍ୟ ସେ ଗଭୀର ଚିନ୍ତାରେ ଅଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ରୂପାଲୀଙ୍କ ପରିବାର ପ୍ରକୃତରେ ସରକାରୀ ସହାୟତା ପାଇବା ପାଇଁ ଯୋଗ୍ୟ। ସେମାନଙ୍କୁ ତୁରନ୍ତ ଏକ ପକ୍କା ଘର, ରେସନ କାର୍ଡ, ସ୍ୱାସ୍ଥ୍ୟ ସହାୟତା ଏବଂ ଜୀବିକା ନିର୍ବାହ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବା ଉଚିତ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ଏପଟେ ସରକାର ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ବିଭିନ୍ନ କଲ୍ୟାଣମୂଳକ ଯୋଜନା ଘୋଷଣା କରୁଥିବା ବେଳେ ଅନ୍ୟପଟେ ରୂପାଲୀଙ୍କ ଭଳି ପରିବାର ସେହି ଯୋଜନାର ସୁବିଧାରୁ ବଞ୍ଚିତ ରହିବା ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ତିନିଟି ଶିଶୁର ଭବିଷ୍ୟତ, ରୋଗାକ୍ରାନ୍ତ ସ୍ୱାମୀଙ୍କ ଚିକିତ୍ସା ଓ ନିଜର ଜୀବନ ସଂଗ୍ରାମ ମଧ୍ୟରେ ରୂପାଲୀ ଏବେ କେବଳ ସରକାରୀ ସହାୟତାକୁ ଅପେକ୍ଷା କରି ରହିଛନ୍ତି।
ଏବେ ପ୍ରଶ୍ନ ଉଠୁଛି, ଜରିପାଲ ତଳେ ଜୀବନ କାଟୁଥିବା ଏହି ପରିବାରର ଆଖିର ଲୁହ କେବେ ପୋଛିବ ପ୍ରଶାସନ? କେବେ ମିଳିବ ମୁଣ୍ଡ ଉପରେ ପକ୍କା ଛାତ? ଏବଂ କେବେ ସରକାରୀ ଯୋଜନାର ପ୍ରକୃତ ଲାଭ ପହଞ୍ଚିବ ରୂପାଲୀଙ୍କ ଦ୍ୱାରରେ? ଏହାକୁ ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31