ବୌଦ୍ଧ ଶାଖା ପକ୍ଷରୁ ଆଜି ସ୍ଥାନୀୟ ଦିବ୍ୟ ପ୍ରକାଶ ଭବନ ପରିସରରେ ଏକ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୫/୮: ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ବୌଦ୍ଧ ଶାଖା ପକ୍ଷରୁ ମଙ୍ଗଳବାରସ୍ଥାନୀୟ ଦିବ୍ୟ ପ୍ରକାଶ ଭବନ ପରିସରରେ ଏକ ନିଶାମୁକ୍ତି ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।
ସମାଜରୁ ନିଶାସକ୍ତି ଦୂର କରି ଏକ ସୁସ୍ଥ, ସୁନ୍ଦର ଓ ସଂସ୍କାରବାନ୍ ସମାଜ ଗଠନର ଲକ୍ଷ୍ୟ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାବାସୀଙ୍କୁ ବୌଦ୍ଧକୁ ସମ୍ପୂର୍ଣ୍ଣ ନିଶାମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସାମୂହିକ ଉଦ୍ୟମ କରିବାକୁ ଆହ୍ୱାନ ଜଣାଇଥିଲେ।
କେନ୍ଦ୍ର ପରିଚାଳିକା ବି.କେ. ମାମିନାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ବି.କେ. ସରୋଜ,, ଅଧ୍ୟାପକ ଡଃ ପ୍ରବୀର କୁମାର ଦାସ ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ।
ମୁଖ୍ୟ ଅତିଥି ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବୌଦ୍ଧ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟରେ ଭରପୂର ଏକ ସୁନ୍ଦର ଜିଲ୍ଲା। ଏଠାରେ ନଦୀ, ପାହାଡ଼, ଝରଣା ଏବଂ ପ୍ରାକୃତିକ ସମ୍ପଦ ସହ ଲୋକମାନଙ୍କର ସରଳତା ଏହାର ପ୍ରକୃତ ପରିଚୟ।
କିନ୍ତୁ ନିଶାସକ୍ତି ଅନେକ ପରିବାରକୁ ବିପଥଗାମୀ କରୁଛି। ଏହା ଦୁର୍ଘଟଣା, ପାରିବାରିକ କଳହ, ଆର୍ଥିକ କ୍ଷତି ଓ ଶିଶୁମାନଙ୍କ ଭବିଷ୍ୟତକୁ ବିପନ୍ନ କରୁଛି।
ତେଣୁ ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ସାଧାରଣ ଜନତାଙ୍କ ସମ୍ମିଳିତ ପ୍ରୟାସରେ ବୌଦ୍ଧକୁ ଏକ ନିଶାମୁକ୍ତ ଜିଲ୍ଲାରେ ପରିଣତ କରିବାକୁ ସେ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ବି.କେ. ମାମିନା ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ଆଲୋକପାତ କରି ଉପସ୍ଥିତ ସମସ୍ତଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ପାଠ କରାଇଥିଲେ। ବକ୍ତାମାନେ ନିଶାମୁକ୍ତିକୁ କେବଳ ବ୍ୟକ୍ତିଗତ ନୁହେଁ, ବରଂ ପାରିବାରିକ, ସାମାଜିକ ଓ ନୈତିକ ଦାୟିତ୍ୱ ବୋଲି ମତ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବ୍ରହ୍ମକୁମାରୀ ସଂସ୍ଥାର ଭାଇ-ଭଉଣୀମାନଙ୍କ ସମେତ ବିଭିନ୍ନ ସରକାରୀ ଅଧିକାରୀ, ଶିକ୍ଷାବିତ୍, ସମାଜସେବୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଓ ବହୁ ସଂଖ୍ୟକ ସଚେତନ ନାଗରିକ ଉପସ୍ଥିତ ରହି ନିଶାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ସଂକଳ୍ପ ବ୍ୟକ୍ତ କରିଥିଲେ।
ଶେଷରେ ସମସ୍ତଙ୍କୁ ନିଜେ ନିଶାମୁକ୍ତ ରହିବା ସହ ପରିବାର ଓ ସମାଜକୁ ନିଶାମୁକ୍ତ କରିବା ଦିଗରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରାଯାଇଥିଲା। ବ୍ରହ୍ମକୁମାରୀ ସଂସ୍ଥାର ଭାଇ-ଭଉଣୀମାନଙ୍କ ଏଭଳି ସମାଜ ସେବା କାର୍ଯ୍ୟକ୍ରମ ଵିଶେଷ ଜନାଦୃତ ହୋଇପାରିଛି ।






