Indus Valley Times

‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଧାୟକଙ୍କୁ ମିଳିବ ଏହି ସୁବିଧା

 Breaking News

‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଧାୟକଙ୍କୁ ମିଳିବ ଏହି ସୁବିଧା

‘ଏମ୍‌.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ବିଧାୟକଙ୍କୁ ମିଳିବ ଏହି ସୁବିଧା
August 13
18:36 2025

ଭୁବନେଶ୍ୱର, ୧୩/୮ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ‘ଏମ.ଏଲ.ଏ ଲ୍ୟାଡ଼’ ଓ ‘ସିଏମ୍-ଏସ୍.ଏ’ ର ସରଳୀକୃତ ଗାଇଡଲାଇନ ଉନ୍ମୋଚିତ କରିବା ସହିତ ଏମ.ଏଲ.ଏ ଲ୍ୟାଡ ୱେବ୍ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି।
ଆଜି କ୍ୟାବିନେଟ୍ ବୈଠକ ଆରମ୍ଭ ହେବା ପୂର୍ବରୁ ସମସ୍ତ କ୍ୟାବିନେଟ୍ ସହଯୋଗୀ ମାନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଉନ୍ମୋଚିତ କରିଛନ୍ତି। ଏହା ସହ ଉଗଇ ର ସରଳୀକୃତ ଗାଇଡଲାଇନ ମଧ୍ୟ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ନୂତନ ନିର୍ଦ୍ଦେଶାବଳୀ ପ୍ରଶାସନିକ ପ୍ରକ୍ରିୟାରେ ସରଳତା ଆଣିବା ସହିତ ଜନସାଧାରଣଙ୍କ ପାଇଁ ଅତି ଆବଶ୍ୟକ ଓ ଛୋଟ ଛୋଟ ମୌଳିକ ଭିତ୍ତିଭୂମି ଗୁଡିକୁ ଶୀଘ୍ର ଓ ସ୍ବଚ୍ଛତାର ସହ ସମ୍ପାଦନ କରିବାରେ ସହାୟକ ହେବ ।
ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶରେ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀର ସରଳୀକରଣ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପରିବର୍ତ୍ତିତ ନିର୍ଦ୍ଦେଶାବଳୀ ସ୍ୱଚ୍ଛ, ସରଳ ଓ ସମୟ ଉପଯୋଗୀ ହୋଇପାରିଛି ।
ଏହି ପୋର୍ଟାଲ ମାଧ୍ୟମରେ ବିଧାୟକମାନେ ସେମାନଙ୍କର ନିର୍ବାଚନ ମଣ୍ଡଳୀରେ ସୁପାରିଶ କରିଥିବା ସମସ୍ତ ପ୍ରକଳ୍ପର ବାସ୍ତବ ସ୍ଥିତି ବିଷୟରେ ଅବଗତ ହୋଇପାରିବେ। ଜନସାଧାରଣଙ୍କ ପାଇଁ ଯୋଜନା ସମ୍ୱନ୍ଧୀୟ ସବିଶେଷ ତଥ୍ୟ ଏହି ପୋର୍ଟାଲରେ ଉପଲବ୍ଧ ହେବ ।
ଏହା ସହିତ ବିଧାନସଭା ଅଞ୍ଚଳର ଜନସାଧାରଣ ମଧ୍ୟ ସେମାନଙ୍କ ବିଧାୟକଙ୍କ ଦ୍ଵାରା ସୁପାରିଶ କରାଯାଇଥିବା ପ୍ରକଳ୍ପଗୁଡିକର ତଥ୍ୟ ଏହି ପୋର୍ଟାଲ ଜରିଆରେ ଅବଗତ ହୋଇପାରିବେ। ପ୍ରକଳ୍ପର ସୁପାରିଶଠାରୁ କାର୍ଯ୍ୟାଦେଶ ମିଳିବା ପର‌୍ୟ୍ୟନ୍ତ ସମୟ ଅବଧି ୩୦ ଦିନ ରଖାଯାଇଛି ।
ସୂଚନା ଯୋଗ୍ୟ ଯେ, ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଯୋଜନା ୧୯୯୭-୯୮ରୁ ଆରମ୍ଭ ହୋଇ ଜନସାଧାରଣଙ୍କ ଛୋଟ ଛୋଟ କିନ୍ତୁ ନିତ୍ୟାନ୍ତ ଆବଶ୍ୟକୀୟ ଭିତ୍ତିଭୂମି ଗଠନ କରିବାରେ ଏକ ମଜବୁତ୍ ମାଧ୍ୟମ ହୋଇପାରିଛି ।
ପର୍ଯ୍ୟାୟକ୍ରମେ, ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ଏହି ଅନୁଦାନ ୫ ଲକ୍ଷରୁ ୩ କୋଟି ଟଙ୍କାକୁ ବୃଦ୍ଧି ପାଇ, ୨୦୨୫-୨୬ ଆର୍ଥିକ ବର୍ଷରେ ଏହା ପ୍ରତ୍ୟେକ ବିଧାନସଭା କ୍ଷେତ୍ର ପାଇଁ ୫ କୋଟି ଟଙ୍କା ହିସାବରେ ବ୍ୟୟ ବରାଦ କରାଯାଇଅଛି।
ଏହି ନୂତନ ଗାଇଡଲାଇନ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରସ୍ତୁତ କରାଯାଇଛି । ଏଥିପାଇଁ ବିଧାନସଭା କମିଟି ସଦସ୍ୟ ଓ ମାନ୍ୟବର ବିଧାୟକମାନଙ୍କ ପରାମର୍ଶ ନିଆଯାଇଛି, ପଡୋଶୀ ରାଜ୍ୟ ଗୁଡିକର ‘ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ନିର୍ଦ୍ଦେଶାବଳୀ’ର ଅଧ୍ୟୟନ କରାଯାଇଛି ଏବଂ କ୍ଷେତ୍ରସ୍ତରରେ ଉପୁଜୁଥ‌ବା ସମସ୍ୟାଗୁଡିକର ମଧ୍ୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଉନ୍ନୟନ କମିଶନର ଅନୁ ଗର୍ଗ ଏହି ନୂତନ ସରଳୀକୃତ ଗାଇଡ ଲାଇନ ଓ ୱେବ୍ ପୋର୍ଟାଲ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031