Indus Valley Times

ନାଁ ନନେଇ କଟାକ୍ଷ କଲେ ଅପରାଜିତା, ”ଯୋ ଡରଗୟା, ୱ ମରଗୟା”

 Breaking News

ନାଁ ନନେଇ କଟାକ୍ଷ କଲେ ଅପରାଜିତା, ”ଯୋ ଡରଗୟା, ୱ ମରଗୟା”

ନାଁ ନନେଇ କଟାକ୍ଷ କଲେ ଅପରାଜିତା, ”ଯୋ ଡରଗୟା, ୱ ମରଗୟା”
March 27
18:40 2024

ଭୁବନେଶ୍ୱର, ୨୭/୩: ବିଜେଡି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୭୧ଜଣ ବିଧାୟକ ଓ ୯ଜଣ ସାଂସଦ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। କଂଗ୍ରେସ ବିଧାୟକ ସୁରେଶ ରାଉତରାୟଙ୍କ ପୁଅ ମନ୍ମଥ ଆଜି ବିଜେଡିରେ ମିଶିବାର ମାତ୍ର ୩ଘଣ୍ଟା ମଧ୍ୟରେ ତାଙ୍କୁ ବିଜେଡି ଭୁବନେଶ୍ୱରରୁ ସାଂସଦ ପ୍ରାର୍ଥୀ କରାଇଛି।
ତେବେ ଆଜି ସୁରଙ୍କ ପୁଅ ମନ୍ମଥଙ୍କ ମିଶ୍ରଣପର୍ବରେ ଭୁବନେଶ୍ୱରର ୩ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ କୁମାର ରାଉତଙ୍କ ସମେତ ଦଳର ଦୁଇ ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଓ ଶ୍ରୀମୟୀ ମିଶ୍ରଙ୍କ ଅନୁପସ୍ଥିତି ଭୁବନେଶ୍ୱର ବିଜେଡିରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଛି। ଏପଟେ ଶ୍ରୀମୟୀଙ୍କ ବଦଳରେ ସୁରଙ୍କ ପୁଅକୁ ବିଜେଡି ସାଂସଦ ପ୍ରାର୍ଥୀ କରିବାକୁ ନେଇ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କଟାକ୍ଷ କରିଛନ୍ତି। ‘ଜୋ ଡରଗୟା ୱେ ମରଗୟା’ ବୋଲି କହି ବିଜେଡିକୁ କଟାକ୍ଷ କରିବା ସହ ଜଣେ ମହିଳାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ବୁଲାଇ ପୁଣି ତାଙ୍କୁ ପ୍ରାର୍ଥୀ ନକରିବା ବିଜେଡିର ମହିଳାଙ୍କ ପ୍ରତି ୟେ କି ସମ୍ମାନ ବୋଲି କହିବାକୁ ପଛାଇନାହାନ୍ତି।
ସୂଚନା ଅନୁସାରେ, ସୁରଙ୍କ ପୁଅ ମନ୍ମଥ ଆଜି ଶଙ୍ଖ ଭବନ ଯାଇ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି। ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ରଙ୍କ ସମେତ ଜଟଣୀ ବିଧାୟକ ପ୍ରାର୍ଥୀ ବିଭୂତିଭୂଷଣ ବଳବନ୍ତରାୟ ତାଙ୍କୁ ଦଳରେ ସ୍ୱାଗତ କରିଥିଲେ। ଶଙ୍ଖ ଭବନରେ ମିଶ୍ରଣପର୍ବ ହେଉଥିଲେ ମଧ୍ୟ ରାଜଧାନୀ ଭୁବନେଶ୍ୱରର ୩ ବିଧାୟକ ଅନୁପସ୍ଥିତ ରହିଥିଲେ।
ଏପରିକି ଦଳର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ରବୀନ୍ଦ୍ର ଜେନା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷିକା ଶ୍ରମୟୀ ମିଶ୍ରଙ୍କୁ ମଧ୍ୟ ଦେଖିବାକୁ ମିଳିନଥିଲା। ସୁରଙ୍କ ପୁଅ ମିଶିବାର କିଛି ଘଣ୍ଟା ମଧ୍ୟରେ ତାଙ୍କୁ ଦଳ ସାଂସଦ ପ୍ରାର୍ଥୀ ଘୋଷଣା କରିବା ଏବେ ପରୋକ୍ଷରେ ବିଜେପିକୁ ସୁହାଇବା ଭଳି ହୋଇଛି।
ମନ୍ମଥଙ୍କ ନିଜସ୍ୱ ସଂଗଠନ ନଥିବାବେଳେ ପିତା ସୁର ରାଉତରାୟଙ୍କ ସଂଗଠନକୁ ଆଧାର କରି ସେ ନିଜର ରାଜନୀତିକ କ୍ୟାରିୟର ଆଗକୁ ନେବାକୁ ପ୍ରୟାସ କରିଛନ୍ତି। ତେବେ ସୁର ତାଙ୍କ ସପକ୍ଷରେ ପ୍ରଚାର କରିବେ ନାହିଁ ଓ କଂଗ୍ରେସରେ ଶେଷପର‌୍ୟ୍ୟନ୍ତ ରହିବେ ବୋଲି କହିଛନ୍ତି। ସୁରଙ୍କ ଏଭଳି ସନ୍ଦେହଜନକ ଆଚରଣକୁ ଯଦିଓ ଉଭୟ ବିଜେଡି ଓ କଂଗ୍ରେସ ସହଜରେ ବିଶ୍ୱାସକୁ ନେବେନି ମାତ୍ର ମନ୍ମଥଙ୍କୁ ବିଜେଡି ଏବେ କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ କଲା ତାକୁ ନେଇ ଦଳୀୟ ମହଲରେ ପ୍ରଶ୍ନ ଉଠିଛି।
ବିଜେଡି ନିଜର ସାଂସଦ ପ୍ରାର୍ଥୀ ଭାବେ ଶ୍ରୀମୟୀ ମିଶ୍ରଙ୍କୁ ଗତ ଅକ୍ଟୋବର-ନଭେମ୍ବର ମାସରୁ ଆଗକୁ ଆଣି ନିର୍ବାଚନମଣ୍ଡଳୀ ବୁଲାଉଥିଲା। ଦଳର ବିଧାୟକମାନେ ମଧ୍ୟ ତାଙ୍କୁ ସାଂସଦ ପ୍ରାର୍ଥୀ ଭାବେ ସାଧାରଣ ଭୋଟରଙ୍କ ପାଖରେ ଉପସ୍ଥାପିତ କରିଥିଲେ। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କଠୁ ଆରମ୍ଭ କରି ବିଭୂତିଭୂଷଣ ବଳବନ୍ତରାୟ, ରାଜେନ୍ଦ୍ର ସାହୁ ଓ ଅନନ୍ତ ନାରାୟଣ ଜେନା ପ୍ରମୁଖ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ବିଜେଡିର ସାଂସଦ ପ୍ରାର୍ଥୀ ବୋଲି ଘୋଷଣା କରିବାକୁ ପଛାଇନଥିଲେ।
ଦଳର ଆଗଧାଡ଼ିର କର୍ମୀ,ନେତା ଓ ବିଶେଷକରି ମହିଳା ଭୋଟରମାନଙ୍କ ମଧ୍ୟରେ ଶ୍ରୀମୟୀଙ୍କ ଗ୍ରହଣୀୟତା ବୃଦ୍ଧି ପାଇଥିବାବେଳେ ଅଚାନକ ମନ୍ମଥଙ୍କୁ ଦଳ ସାଂସଦ ପ୍ରାର୍ଥୀ ଭାବେ ଆଗକୁ ଆଣିଛି।
ଏହାପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ିନି। ମାତ୍ର ଦଳରେ ଏଭଳି ପଦକ୍ଷେପ ନେଇ ନିଜର ଭାବମୂର୍ତ୍ତି ଉପରେ ଦାଗ ଲଗାଇଛି ତାହା ଜଳଜଳ ହୋଇ ପଦାରେ ପଡ଼ିଛି। ମହିଳା କାର୍ଡ ଖେଳୁଥିବା ବିଜେଡି ନିଜର ଜଣେ ନେତ୍ରୀଙ୍କୁ ଆଗକୁ ଆଣି ସାଂସଦ ପ୍ରାର୍ଥୀ ଭାବେ ପ୍ରାୟ ୪ମାସ ବୁଲାଇବା ପରେ ତାଙ୍କ ବଦଳରେ ଅନ୍ୟଜଣକୁ ଟିକେଟ୍ ଦେବାକୁ ବିଜେଡି କର୍ମୀ ଓ ନେତାମାନେ ସହଜରେ ଗ୍ରହଣ କରିପାରୁନଥିବା ଚର୍ଚ୍ଚା ହେଉଛି।
ଶ୍ରୀମୟୀଙ୍କୁ ଟିକେଟ ନଦେବା ଦଳୀୟ ଷଡ଼ଯନ୍ତ୍ର ବୋଲି ଆଶଙ୍କା କରି ଆଜିର ମିଶ୍ରଣପର୍ବକୁ ଦଳର ଭୁବନେଶ୍ୱର ତିନି ବିଧାୟକଙ୍କ ସମେତ ରବୀନ୍ଦ୍ର ଓ ଶ୍ରୀମୟୀ ବର୍ଜନ କରିଥିବା ଜଣାପଡ଼ିଛି।
ତେବେ ପ୍ରଶ୍ନ ଉଠୁଛି, ସାଧାରଣ ଲୋକଙ୍କ ସମେତ ଦଳର ଆଗଧାଡ଼ିର କର୍ମୀ ଓ ନେତାମାନଙ୍କ ପାଖରେ ଶ୍ରୀମୟୀଙ୍କୁ ଦଳର ସାଂସଦ ପ୍ରାର୍ଥୀ ଭାବେ ପରିଚିତ କରାଇଥିବା ବିଧାୟକମାନେ ଏବେପୁଣି କିଭଳି ଆଉଜଣକ ସପକ୍ଷରେ ପ୍ରଚାର କରିବେ। ଶ୍ରୀମୟୀଙ୍କ ଭଳି ଦଳର ଜଣେ ଆଗଧାଡ଼ିର ମହିଳା ଚେହେରାଙ୍କୁ କାହିଁକି ଟିକେଟ୍ ରେସରୁ ବାଦ୍ ଦିଆଗଲା ।
ସେ ନେଇ ତୃଣମୂଳସ୍ତରରେ କର୍ମୀଙ୍କୁ ଜବାବ ଦେବା ବିଜେଡି ନେତାମାନଙ୍କ ପକ୍ଷରେ ସମ୍ଭବପର ହୋଇନପାରେ। ଅବଶ୍ୟ ମନ୍ମଥଙ୍କ ମିଶ୍ରଣପରେ ଜଟଣୀରୁ ବିଭୂତିଙ୍କ ଜିତିବା ସମ୍ଭାବନା ବଢ଼ିଛି, କିନ୍ତୁ ସାଂସଦ ପ୍ରାର୍ଥୀ ଭାବେ ସେ ବିଜେଡିରେ ଗ୍ରହଣୀୟ ହେବାର ସମ୍ଭାବନା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି।
ବିଜେଡିରେ ମନ୍ମଥଙ୍କ ମିଶ୍ରଣ ଓ ସାଂସଦ ପ୍ରାର୍ଥୀ କରାଯିବା ଉପରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ନାଟକୀୟ ଶୈଳୀରେ ବିଜେଡିକୁ କଟାକ୍ଷ କରିଛନ୍ତି। ‘ଜୋ ଡରଗୟା ୱୋ ମରଗୟା’ କହି ସେ ବିଜେଡିକୁ ତାଚ୍ଛଲ୍ୟ କରିବାକୁ ପଛାଇନାହାନ୍ତି। ଅପରାଜିତା କହିଛନ୍ତି ଯେ, ବିଗତ କିଛିଦିନ ହେବ ଜଣେ ମହିଳାଙ୍କୁ ପ୍ରାର୍ଥୀ କରାଯାଉଥିବା କୁହାଯାଉଥିଲା। ଏମିତିକି ସମ୍ପୃକ୍ତା ମହିଳା ବି ସଂସଦୀୟ କ୍ଷେତ୍ରରେ ବୁଲାବୁଲି ଆରମ୍ଭ କରିଥିଲେ। ଏବେ ସମ୍ପୃକ୍ତ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ଜଣେ ମହିଳାଙ୍କୁ ହଟାଇ ଆଉ ଜଣଙ୍କୁ ପ୍ରାର୍ଥୀ କରାଯିବା ଉଚିତ୍ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଶ୍ରୀମୟୀଙ୍କ ପ୍ରତି ସହାନୁଭୂତି ଦେଖାଇବା ସହ ମହିଳାଙ୍କ ସମ୍ମାନ କଥା କହି ଅପରାଜିତା ନିଜ ସପକ୍ଷରେ ମହିଳା ଭୋଟବ୍ୟାଙ୍କକୁ ନେବାକୁ ମାଷ୍ଟରଷ୍ଟ୍ରୋକ ମାରିଥିବା ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930