Indus Valley Times

ପ୍ରେମିକା ଘରେ ପ୍ରେମିକଙ୍କୁ ହତ୍ୟା; ମାରି ଜାଳିଦେଲେ

 Breaking News

ପ୍ରେମିକା ଘରେ ପ୍ରେମିକଙ୍କୁ ହତ୍ୟା; ମାରି ଜାଳିଦେଲେ

ପ୍ରେମିକା ଘରେ ପ୍ରେମିକଙ୍କୁ ହତ୍ୟା; ମାରି ଜାଳିଦେଲେ
September 17
17:23 2026

ଦେବଗଡ଼, ୧୭/୯ : ବୁଧବାର ସନ୍ଧ୍ୟା ୫ଟାରେ ମାଆକୁ ଜଣାଇ ବାହାରକୁ ଗଲା ପୁଅ। ଆଉ ରାତି ପ୍ରାୟ ୧୧ଟାରେ ବଡ଼ ପୁଅ ପାଖକୁ ମେସେଜ ଆସିଲା ଯେ ତୁମ ଭାଇକୁ ପୋଡ଼ି ମାରି ଦେଉଛନ୍ତି।
ଏହା କହିଛନ୍ତି ଦେବଗଡ଼ ଜିଲ୍ଲା ରିଆମାଳ ସଦର ଥାନାରେ ବିଭତ୍ସ ହତ୍ୟାକାଣ୍ଡର ଶିକାର ହୋଇଥିବା ଯୁବକଙ୍କ ବାପା। ସେପଟେ ମୁଖ୍ୟ ଅଭିଯୁକ୍ତ ଝିଅର ବାପା ଯୁବକଙ୍କୁ ହତ୍ୟା କରିଥିବା ଥାନାରେ ସ୍ଵୀକାର କରିଛନ୍ତି। ଆଉ କହିଛନ୍ତି, ମୋ ଝିଅ ସହ ପ୍ରେମ ସଂପର୍କକୁ ନେଇ ଯୁବକ ମୋ ଘରର ସୁଖ ଶାନ୍ତି ଛଡ଼ାଇ ନେଇଥିଲା।
ସେପ୍ଟେମ୍ବର ୧୫ ଦେବଗଡ଼ ଜିଲ୍ଲା ରିଆମାଳ ସଦର ଥାନା ଲକ୍ଷ୍ମୀ ଛକରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ପ୍ରେମିକା ଘରେ ପ୍ରେମିକକୁ ନିର୍ମମ ଭାବେ ହତ୍ୟା କରି ଜାଳି ଦିଆଯାଇଛି। ପ୍ରଥମେ ପିଟିପିଟି ରକ୍ତାକ୍ତ କରିବା ପରେ ଏପରି ଅବସ୍ଥାରେ ଜୀବନ୍ତ ଜାଳିଦେଇଥିବା ଅଭିଯୋଗ ହୋଇଛି। ମୃତ ଯୁବକ ହେଲେ ନିକଟସ୍ଥ ବାବରାକୋଟ ଗାଁର ସିଲୁ ରାୟ। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣା ପଡ଼ିଛି।
ପୋଡ଼ି ମାରି ଦେଲେ
ସିଲୁ ବୁଧବାର ବିଳମ୍ବିତ ରାତି ପ୍ରାୟ ୧୦ଟା ୩୦ରେ ପ୍ରେମିକାଙ୍କୁ ଭେଟିବା ପାଇଁ ରିଆମାଳ ଲକ୍ଷ୍ମୀ ଛକଠାରେ ଥିବା ତାଙ୍କ ବାସଭବନକୁ ଯାଇଥିଲେ । ଏତିକି ବେଳେ ସେମାନଙ୍କ ପରିବାର ଲୋକେ ଦେଖି ଦେଇଥିଲେ। ଏହା ପରେ ସେମାନେ ସିଲୁଙ୍କୁ ଆକ୍ରମଣ କରିବା ସହ ପିଟିପିଟି ରକ୍ତାକ୍ତ କରିଦେଇଥିଲେ । ଏପରିକି ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଖବରପାଇ ରିଆମାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରେମିକାଙ୍କ ସହ ତାଙ୍କ ବାପା ଓ ମାଆଙ୍କୁ ଅଟକ ରଖିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାର ପୃଷ୍ଠଭୂମୀ
ମୃତକ ରିଆମାଳ ଥାନା ଅନ୍ତର୍ଗତ ବାବରାକୋଟ ଗ୍ରାମର ମୋହନ ଚନ୍ଦ୍ର ରାୟଙ୍କ ପୁଅ ୨୯ ବର୍ଷ ବୟସ୍କ ସିଲୁ ରାୟ। ସିଲୁ ଇଞ୍ଜିନିୟରିଙ୍ଗ ପାଠ ପରେ କିଛି ବର୍ଷ ସ୍ଥାନୀୟ ଅଞ୍ଚଳରେ କାର‌୍ୟ୍ୟ କରିଥିବା ବେଳେ ଚାରି ମାସ ତଳେ ମୁମ୍ବାଇ ଯାଇ ଏକ ବେସରକାରୀ ସଂସ୍ଥାରେ କାର‌୍ୟ୍ୟରତ ଥିଲେ। ଗତକାଲି ପୂର୍ବାହ୍ନ ସମୟରେ ସେ ମୁମ୍ବାଇରୁ ଫେରିଥିଲେ। ସ୍ଥାନୀୟ ଲୋକଙ୍କ ଅନୁସାରେ ଯୁବତୀ ଓ ସିଲୁ ୪ରୁ ୫ ବର୍ଷ ହେବ ପରସ୍ପରକୁ ଭଲ ପାଉଥିଲେ। ସଂପର୍କ ନିବିଡ଼ ହେବା ସହ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ମଧ୍ୟ ଗଢି ଉଠିଥିଲା। ଏପରିକି ଉଭୟ ଏକାଠି ହୋଇ ବୁଲୁ। ସିଲୁ ରାୟ ଯୁବତୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିପାଇଁ ପ୍ରେମିକା ଘରକୁ ଆସୁଥିବା କିଛି ପ୍ରସ୍ତାବକୁ ମଧ୍ୟ ସେ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ପ୍ରେମିକାଙ୍କ ବାପା ଏବଂ ପ୍ରେମିକ ସିଲୁ ରାୟଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ଝଗଡ଼ା ହୋଇଛି।
ସିଲୁ ରାୟ ଘଟଣା ପୂର୍ବରୁ ମଧ୍ୟ ଚାରି ପାଞ୍ଚ ଥର ପ୍ରେମିକାଙ୍କ ଘରକୁ ଯାଇଥିବା ଏବଂ ସେଠାରେ ଝିଅର ପରିବାର ଲୋକଙ୍କ ସହ ଝଗଡ଼ା, ମାରପିଟ୍ ମଧ୍ୟ ହୋଇଥିଲା। ମାମଲା ଥାନାରେ ମଧ୍ୟ ପହଞ୍ଚିଥିଲା। ସେ ସମୟରେ ଉଭୟ ପକ୍ଷଙ୍କୁ ବୁଝାସୁଝା କରି ପଠାଇ ଦେଇଥିଲେ ରିଆମାଳ ଥାନା। ସ୍ଥାନୀୟ ଲୋକଙ୍କ ଅନୁସାରେ ସିଲୁ ରାୟ ବିବାହ ପ୍ରସ୍ତାବ ଆଣୁଥିବା ପୁଅ ପକ୍ଷଙ୍କୁ ଧମକ ଚମକ ଦେଇ ଦୁଇ ଥର ବାହାଘର ଭାଙ୍ଗିଥିଲେ। ଅନ୍ୟପଟେ ପ୍ରେମିକ ଓ ପ୍ରେମିକାଙ୍କ ମିଳାମିଶା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଥିଲା।
ସେପ୍ଟେମ୍ବର ୧୬ ପାଲଟିଲା ଶେଷ ରାତ୍ରି
ତେବେ ପୂର୍ବଥର ପରି ସେପ୍ଟେମ୍ବର ୧୬ ବୁଧବାର ବିଳମ୍ବିତ ରାତ୍ରିରେ ସିଲୁ ରାୟ ପ୍ରେମିକାଙ୍କ କହିବା ଅନୁସାରେ ତାଙ୍କ ଘରକୁ ଯାଇଥିଲେ। ହେଲେ ସେହି ରାତି ତାଙ୍କ ପାଇଁ ଶେଷ ରାତି ହେବ ବୋଲି ଜାଣି ନ ଥିଲେ। ସେପଟେ ସିଲୁଙ୍କ କାର‌୍ୟ୍ୟକଳାପରେ ଅତିଷ୍ଠ ପ୍ରେମିକାଙ୍କ ବାପା ସିଲୁଙ୍କୁ ଘରେ ଝିଅ ସହ ଦେଖି ରାଗରେ ଜର୍ଜରିତ ହୋଇ ଉଠିଥିଲେ। ଆଉ ପରିବାର ଲୋକ ମିଶି ସିଲୁଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ପେଟ୍ରୋଲ ଢାଳି ହତ୍ୟା କରିଛନ୍ତି।
ଘଟଣାର ସୂଚନା ମିଳିବା ମାତ୍ରେ ରିଆମାଳ ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ପ୍ରେମିକାଙ୍କ ବାପା ସହ ମାଅ ଏବଂ ଖୋଦ୍ ପ୍ରେମିକାଙ୍କୁ ଥାନାକୁ ନେଇ ପଚରା ଉଚୁରା ଚଳାଇଛି। ଦେବଗଡ଼ ଅତିରିକ୍ତ ଏସପି ଧୀରଜ ଚୋପଦାର ଗଣାମଧ୍ୟମକୁ କହିଛନ୍ତି ଯେ, ପ୍ରେମ ବ୍ୟାପାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି। ପ୍ରେମିକ ସିଲୁ ରାୟ ଓ ଯୁବତୀ ପରସ୍ପରକୁ ଭଲ ପାଉଥିଲେ। ସିଲୁ ରାୟ ପ୍ରେମିକାକୁ ବିବାହ କରିବାକୁ ଚାହୁଁଥିଲା। ଏଥିପାଇଁ ପ୍ରେମିକା ପାଇଁ ଆସିଥିବା ଦୁଇ ତିନୋଟି ପ୍ରସ୍ତାବକୁ ସେ ଭାଙ୍ଗି ଦେଇଥିଲା। ଏହାକୁ ନେଇ ମୃତକ ଏବଂ ଅଭିଯୁକ୍ତ ପରିବାର ମଧ୍ୟରେ ଝଗଡ଼ା ଲାଗି ରହିଥିଲା। ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଝିଅର ବାପା ନରୋତ୍ତମ ବେହେରା ବୋଲି ଅତିରିକ୍ତ ଏସପି କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031