Indus Valley Times

ବନ୍ୟା ବିପର୍ଯ୍ୟୟ ମୁକାବିଲାରେ ଯୁଦ୍ଧକାଳୀନ ତତ୍ପରତା ; ଖୋରଧା ବ୍ଲକରେ ପ୍ରାୟ ୧୨ ଶହ ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

 Breaking News

ବନ୍ୟା ବିପର୍ଯ୍ୟୟ ମୁକାବିଲାରେ ଯୁଦ୍ଧକାଳୀନ ତତ୍ପରତା ; ଖୋରଧା ବ୍ଲକରେ ପ୍ରାୟ ୧୨ ଶହ ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ

ବନ୍ୟା ବିପର୍ଯ୍ୟୟ ମୁକାବିଲାରେ ଯୁଦ୍ଧକାଳୀନ ତତ୍ପରତା ; ଖୋରଧା ବ୍ଲକରେ ପ୍ରାୟ ୧୨ ଶହ ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ
August 02
19:16 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨/୮ : ଲଗାଣ ବର୍ଷା ଓ ନଦୀ-ନାଳର ଜଳସ୍ତର ବୃଦ୍ଧି ପରେ ଖୋରଧା ବ୍ଲକର ବିଭିନ୍ନ ନିମ୍ନାଞ୍ଚଳ ଗ୍ରାମରେ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ ଓ ଉଦ୍ଧାର କାର୍ଯ୍ୟକ୍ରମ ଜୋରଦାର କରାଯାଇଛି।
ବିଶେଷକରି ଖୋରଧା ବ୍ଲକର ନରଣଗଡ଼ ଓ ଓରବରସିଂହ ଗ୍ରାମ ପଞ୍ଚାୟତର ବନ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପ୍ରାୟ ୧,୧୯୪ ଜଣ ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିବା ବେଳେ ପରିସ୍ଥିତି ଉପରେ ଜିଲ୍ଲା ପ୍ରଶାସନ କଡ଼ା ନଜର ରଖିଛି।
ଖୋରଧା ବ୍ଲକ ପ୍ରଶାସନ ସୂଚନା ଅନୁଯାୟୀ, ଲଗାତାର ବର୍ଷା ଫଳରେ ବହୁ ସ୍ଥାନରେ ରାସ୍ତାଘାଟ, ଚାଷଜମି ଓ ଜନବସତି ଜଳମଗ୍ନ ହୋଇପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଶିଶୁ, ବୃଦ୍ଧ, ମହିଳା ଏବଂ ଦୈନିକ ମଜୁରିଆଙ୍କୁ ପ୍ରାଥମିକତା ଦେଇ ଖାଦ୍ୟ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି। ରିଲିଫ କାର୍ଯ୍ୟକ୍ରମ ଅନ୍ତର୍ଗତ ନରଣଗଡ଼ ପଞ୍ଚାୟତର ଓରମି ଗ୍ରାମରେ ୩୨୦ ଜଣ (୨୨୦ ଜଣ ବୟସ୍କ ଓ ୧୦୦ ଜଣ ଶିଶୁ)ଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି। ସେହିପରି ମାନପୁର ଗ୍ରାମରେ ୧୫୦ ଜଣ, ଧବପୁର ସରକାରୀ ବିଦ୍ୟାଳୟରେ ଖୋଲାଯାଇଥିବା ଅସ୍ଥାୟୀ ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଥିବା ୧୫୦ ଜଣ ବନ୍ୟାପୀଡ଼ିତଙ୍କୁ ମଧ୍ୟ ଖାଦ୍ୟ ଯୋଗାଇ ଦିଆଯାଇଛି। ଅନ୍ୟପଟେ ଓରବରସିଂହ ଗ୍ରାମ ପଞ୍ଚାୟତର ହିରିମୂଳ ଗ୍ରାମରେ ୧୭୪ ଜଣ ଏବଂ ଦୁର୍ଗାପୁର ଓ ଡିହଖଳା ଗ୍ରାମର ୪୦୦ ଜଣ ବନ୍ୟାପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି।
ଏହାକୁ ମିଶାଇ ଗୋଟିଏ ଦିନରେ ମୋଟ ୧,୧୯୪ ଜଣ ଲୋକ ପ୍ରଶାସନ ପକ୍ଷରୁ ଖାଦ୍ୟ ସହାୟତା ପାଇଛନ୍ତି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଏହି ସମସ୍ତ ରିଲିଫ୍ କାର୍ଯ୍ୟ ଚାଲିଥିବା ବେଳେ ରାଜସ୍ୱ, ପଞ୍ଚାୟତିରାଜ ଓ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଭାବିତ ଅଞ୍ଚଳରେ ନିୟୋଜିତ କରାଯାଇଛି।
ପ୍ରତ୍ୟେକ ଗ୍ରାମର ସ୍ଥିତି ସମୀକ୍ଷା କରି ବିପନ୍ନ ପରିବାର ଚିହ୍ନଟ ସହ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରାଯାଉଛି।
ପ୍ରଶାସନ ପକ୍ଷରୁ ଜଳସ୍ତର ଉପରେ ଚବିଶ ଘଣ୍ଟିଆ ନଜର ରଖିବା ସହ ଯେକୌଣସି ନୂତନ ଜଳାବଦ୍ଧତା କିମ୍ବା ନଦୀବନ୍ଧ କ୍ଷୟ ସମ୍ପର୍କିତ ସୂଚନା ତୁରନ୍ତ ପହଞ୍ଚାଇବାକୁ କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆବଶ୍ୟକ ପଡ଼ିଲେ ଉଦ୍ଧାରକାରୀ ଦଳ ତୁରନ୍ତ ମୁତୟନ କରାଯିବା ପାଇଁ ପ୍ରସ୍ତୁତ ରହିଥିବା ମଧ୍ୟ କୁହାଯାଇଛି।
ଏପଟେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନେ ପ୍ରଶାସନର ତୁରନ୍ତ ରିଲିଫ୍ ପଦକ୍ଷେପକୁ ସ୍ୱାଗତ କରିଥିଲେ ମଧ୍ୟ ବର୍ଷକୁ ବର୍ଷ ସମାନ ସମସ୍ୟାର ପୁନରାବୃତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରତ୍ୟେକ ବର୍ଷା ଋତୁରେ ନିମ୍ନାଞ୍ଚଳ ଗ୍ରାମଗୁଡ଼ିକ ଜଳମଗ୍ନ ହେଉଥିବାରୁ ଡ୍ରେନେଜ୍ ବ୍ୟବସ୍ଥାର ଦୁର୍ବଳତା, ପ୍ରାକୃତିକ ଜଳନିଷ୍କାସନ ପଥର ଅବରୋଧ ଏବଂ ନାଳ-ନଦୀର ପଙ୍କୋଦ୍ଧାର କାର୍ଯ୍ୟ ପ୍ରତି ଅବହେଳାକୁ ଦାୟୀ କରିଛନ୍ତି।
ସ୍ଥାନୀୟ ବାସିନ୍ଦାଙ୍କ ମତରେ, କେବଳ ରିଲିଫ ବଣ୍ଟନ ନୁହେଁ, ବରଂ ନଦୀବନ୍ଧର ସୁଦୃଢ଼ୀକରଣ, ଆଧୁନିକ ଡ୍ରେନେଜ୍ ବ୍ୟବସ୍ଥାର ବିକାଶ, ପ୍ରାକୃତିକ ଜଳପଥର ପୁନରୁଦ୍ଧାର ଓ ସ୍ଥାୟୀ ବନ୍ୟା ନିୟନ୍ତ୍ରଣ ପଦକ୍ଷେପ ଗ୍ରହଣ କରାଗଲେ ଭବିଷ୍ୟତରେ ଏପରି କ୍ଷତିକୁ ବହୁ ପରିମାଣରେ ରୋକାଯାଇପାରିବ।
ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ପରିସ୍ଥିତି ସ୍ୱାଭାବିକ ନହେବା ପର‌୍ୟ୍ୟନ୍ତ ରିଲିଫ୍ କାର୍ଯ୍ୟ ଜାରି ରହିବ। ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରହିଛି ଏବଂ କ୍ଷେତ୍ରସ୍ତରରୁ ମିଳୁଥିବା ରିପୋର୍ଟ ଆଧାରରେ ଅଧିକ ସହାୟତା ଯୋଗାଇ ଦିଆଯିବ।
ବନ୍ୟାପ୍ରବଣ ଅଞ୍ଚଳର ବାସିନ୍ଦାଙ୍କୁ ସତର୍କ ରହିବା, ପ୍ରଶାସନ ପକ୍ଷରୁ ଜାରି ପରାମର୍ଶ ପାଳନ କରିବା ଏବଂ କୌଣସି ଜରୁରୀ ପରିସ୍ଥିତି ଦେଖାଦେଲେ ତୁରନ୍ତ ସ୍ଥାନୀୟ ପ୍ରଶାସନକୁ ସୂଚନା ଦେବାକୁ ଅପିଲ କରାଯାଇଛି।
ପ୍ରତ୍ୟେକ ବନ୍ୟାପୀଡ଼ିତ ପରିବାର ସୁରକ୍ଷିତ ଭାବେ ପୁନର୍ବାସିତ ହୋଇ ସାଧାରଣ ଜୀବନକୁ ଫେରିବା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସରକାରୀ ସହାୟତା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31