Indus Valley Times

୧୫୭ ସେବା ସମବାୟ ସମିତରୁ ୭୯ରେ ପହଞ୍ଚିଲା ସାର;ଅଧିକ ବର୍ଷା ଯୋଗୁଁ ମକା ଓ ହରଡ଼ ଚାଷ ପ୍ରଭାବିତ

 Breaking News

୧୫୭ ସେବା ସମବାୟ ସମିତରୁ ୭୯ରେ ପହଞ୍ଚିଲା ସାର;ଅଧିକ ବର୍ଷା ଯୋଗୁଁ ମକା ଓ ହରଡ଼ ଚାଷ ପ୍ରଭାବିତ

୧୫୭ ସେବା ସମବାୟ ସମିତରୁ ୭୯ରେ ପହଞ୍ଚିଲା ସାର;ଅଧିକ ବର୍ଷା ଯୋଗୁଁ ମକା ଓ ହରଡ଼ ଚାଷ ପ୍ରଭାବିତ
August 02
09:27 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨/୮ : ମୌସୁମୀ ସହ ଲଘୁଚାପ ଜନିତ ଲଗାଣ ବର୍ଷା ପାଇଁ ଜିଲ୍ଲାରେ ଖରିଫ୍ ଚାଷ କାର୍ଯ୍ୟ ଜୋରଦାର ଚାଲିଛି। ଧାନ ବିହନ ରୋଇବା କାର୍ଯ୍ୟ ଶେଷ ପର୍ଯ୍ୟାୟ ପହଞ୍ଚିଛି। ମାତ୍ର ଲଗାଣ ବର୍ଷା ଯୋଗୁଁ ଏଥର ମକା ଓ ହରଡ଼ ଫସଲ ଚାଷ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।
ଏହାସହ ବର୍ଷା ପାଇଁ ଧାନ ଚାଷୀମାନେ ମଧ୍ୟ ବିଲରେ ସାର ପକାଇ ପାରୁ ନାହାନ୍ତି। ଫଳରେ ସାରର ଯେତିକି ଚାହିଦା ରହିବା କଥା, ତାହା ବର୍ତ୍ତମାନ ସୁଦ୍ଧା ହୋଇ ନାହିଁ।
ଚାଷୀମାନେ ଯେପରି ସୁରୁଖୁରୁରେ ସାର ପାଇବେ ସେଥିପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି ବୋଲି ଜିଲ୍ଲା କୃଷି ଅଧିକାରୀ ଗୌରୀ ଶଙ୍କର ମିଶ୍ର ସୂଚନା ପ୍ରଦାନ କରିଛନ୍ତି।
ଯେହେତୁ ସାରର ଚାହିଦା ବଢ଼ି ନାହିଁ, ସେଥିପାଇଁ କଳାବଜାରିରେ ଭୟ ବର୍ତ୍ତମାନ ପର୍ଯ୍ୟନ୍ତ ନାହିଁ। ତଥାପି ଏଥିପ୍ରତି ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ରଖାଯିବା ସହ ପଦକ୍ଷେପ ନିଆଯାଉଛି।
କୃଷି ଅଧିକାରୀ ଶ୍ରୀ ମିଶ୍ରଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଜିଲ୍ଲାରେ ମୋଟ୍ ୧,୨୪,୫୮୦ ହେକ୍ଟର ଚାଷ ଜମିରେ ଖରିଫ ଚାଷ କରାଯାଉଛି।
ସେଥିମଧ୍ୟରୁ କେବଳ ୯୯,୧୯୦ ହେକ୍ଟର ଚାଷ ଜମି‌ରେ ଧାନ ଚାଷ କରାଯାଉଛି। ବାକି ଜମିରେ ମକା ଓ ହରଡ଼ ଭଳି ଅନ୍ୟାନ୍ୟ ଖରିଫ୍ ଫସଲ ଚାଷ କରାଯାଏ। ବର୍ଷା ଲାଗି ରହିବା ଦ୍ବାରା ମାଟି ଓଦା ରହୁଛି। ଏଣୁ ଯେହେତୁ ପାଗ ଅନୁକୂଳ ହେଉ ନାହିଁ, ସେଥିପାଇଁ ଏହି ଚାଷ ଗୁଡ଼ିକ ବାଧାପ୍ରାପ୍ତ ହେଉଛି।
ନୟାଗଡ଼ରେ ଚାଷୀମାନେ ଧାନ ଚାଷକୁ ବେଶ୍ ଗୁରୁତ୍ବ ପ୍ରଦାନ କରିଥାନ୍ତି। ଚାଷୀମାନେ ଏବେ ରୁଆ ଓ ବେଉଷଣରେ ବ୍ୟସ୍ତ ରହିଛନ୍ତି। ବର୍ତ୍ତମାନ ସାର‌ର ସେତେଟା ଆବଶ୍ୟକତା ପଡ଼ିନଥିବା ବେଳେ ଏବେ ଧୀରେ ଧୀରେ ସାରର ଚାହିଦା ବଢ଼ିବ। ଏଣୁ ସେତେବେଳେ ବଜାରରେ ସାର କଳାବଜାରି ଜୋରଦାର କରାଯିବ।
ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମୁତାବକ ଏକ ଜିଲ୍ଲା ସ୍ତରୀୟ ସ୍କ୍ବାଡ୍ ଓ ବ୍ଲକ୍ ସ୍ତରରେ ତହସିଲଦାରଙ୍କ ନେତୃତ୍ବରେ ଆଉ ଏକ ସ୍କ୍ବାଡ୍ ଗଠନ କରାଯାଇଛି। ଏହି ଦୁଇଟି ସ୍କ୍ବାଡ୍ ସମସ୍ତ ସମବାୟ ସମିତିରେ ପହଞ୍ଚି ସାରର ଅବସ୍ଥା ଯାଞ୍ଚ କରିବେ। ଯେଉଁମାନେ ଚାଷୀମାନଙ୍କୁ ଠକିବେ, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜିଲ୍ଲାରେ ଖରିଫ୍ ଚାଷ ପାଇଁ ମୋଟ୍ ୧୯ ହଜାର ମେଟ୍ରିକ୍ ଟନ୍ ସାରର ଆବଶ୍ୟକତା ରହିଛି। ସେଥିମଧ୍ୟରେ ୟୁରିଆ ୮ ହଜାର ମେଟ୍ରିକ୍ ଟନ୍, ଡିଏପି ୨ ହଜାର ମେଟ୍ରିକ୍ ଟନ୍ ଓ ପଟାସ୍ ୫୦୦ ମେଟ୍ରିକ୍ ଟନ୍ ସମେତ ଅନ୍ୟ ସାର ରହିଛି। ମାତ୍ର ଯେହେତୁ ଚାଷୀମାନେ ୟୁରିଆ ଓ ଡିଏପି ଅଧିକ ଆବଶ୍ୟକତା କରନ୍ତି, ସେଥିପାଇଁ ଏହି ଦୁଇଟି କିସମ ସାରରେ ଅଧିକ କଳାବଜାରି କରାଯାଏ। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୩ ହଜାର ମେଟ୍ରିକ୍ ଟନ୍ ସାର ମହଜୁଦ୍ ରହିଛି। ବାକି ସାର ଖୁବଶୀଘ୍ର ଉପଲବ୍ଧ ହୋଇଯିବ ବୋଲି କୃଷି ବିଭାଗ ପକ୍ଷରୁ କୁହାଯାଇଛି।
ଜିଲ୍ଲାରେ ଥିବା ୧୫୭ ସେବା ସମବାୟ ସମିତିରୁ ୭୯ଟିରେ ସାର ପହଞ୍ଚି ଯାଇଥିବା ଜଣାପଡ଼ିଛି। ସପ୍ତାହକ ମଧ୍ୟରେ ସମସ୍ତ ସମିତିକୁ ସାର ପହଞ୍ଚାଇ ଦିଆଯିବ।
ଏଣୁ କିଛି କିଛି ସ୍ଥାନରେ ଚାଷୀମାନେ ସାର କଳାବଜାରିର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ଏମିତିକି ଲାଇସେନ୍ସ୍ ପାଇନଥିବା କିଛି ଦୋକାନି ବେଆଇନ ଭାବେ ସାର ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଏଣୁ ଏ ଦିଗ ପ୍ରତି ଜିଲ୍ଲା କୃଷି ବିଭାଗ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031