Indus Valley Times

ବାଲିଗୁଡାଠାରୁ ସାଡିଙ୍ଗିଆ ରାସ୍ତା ଅବସ୍ଥା ଅତି ଶୋଚନୀୟ ପୋଲ ମଝିରେ ବଡ଼ ଗର୍ତ୍ତ ସୃଷ୍ଟି: ଦୁର୍ଘଟଣା ଆଶଙ୍କା

 Breaking News

ବାଲିଗୁଡାଠାରୁ ସାଡିଙ୍ଗିଆ ରାସ୍ତା ଅବସ୍ଥା ଅତି ଶୋଚନୀୟ ପୋଲ ମଝିରେ ବଡ଼ ଗର୍ତ୍ତ ସୃଷ୍ଟି: ଦୁର୍ଘଟଣା ଆଶଙ୍କା

December 01
12:51 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା, ୧/୧୨ : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି ।
ସେଥି ମଧ୍ୟରେ ରାସ୍ତା ଘାଟ ସମସ୍ୟା ନ କହିବା ଭଲ । ବାଲିଗୁଡ଼ା ସହରରେ ଥିବା ୧୩ ଟି ଯାକ ୱାର୍ଡ଼ର ରାସ୍ତା ଗୁଡିକ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ରହିଛି, ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ୱାର୍ଡ଼ ବାସୀଙ୍କ ତରଫରୁ ମୌଖିକ ଓ ଲିଖିତ ଭାବେ ଜଣା ଯାଇଥିଲେ ହେଁ ଅଦ୍ୟାବଧି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ ।
ଯେତେବେଳେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସେହି ଗୋଟିଏ ଉତ୍ତର ମିଳେ ଯେ, ରାସ୍ତା ମରାମତି ପାଇଁ ଅର୍ଥ ଓ ଅନୁମତି ମଗାଯାଇଛି, ଆସିଲେ ମରାମତି କରାଯିବ ।
ଏହି ବିଷୟ ଶୁଣି ଶୁଣି ଅଞ୍ଚଳବାସୀଙ୍କ କାନ ବଧିର ହୋଇଗଲାଣି,ହେଲେ ମରାମତି ର ନା\’ ଗନ୍ଧ ନାହିଁ । ଏହିଭଳି ଏକ ଗୁରୁତର ରାସ୍ତା ମରାମତି ପାଇଁ ଦୀର୍ଘ ଦିନ ହେଲା ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବାଲିଗୁଡ଼ା ସହରର ଇଲେକ୍ଟ୍ରିସାହି ଠାରୁ ଫିରିଙ୍ଗିଆ ବ୍ଲକର ସାଡ଼ିଙ୍ଗିଆ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲାଣି ।
ଯାହାକି, ରାସ୍ତା ତମାମ ଖାଲ ଖମା ସହ ମେଟାଲ ବାହାରି ରହିଥିବା ବେଳେ ଇଲେକ୍ଟ୍ରି ସାହି ସହ ଖଜୁରୀନାଳସାହିକୁ ସଂଯୋଗ କରୁଥିବା କଲଭର୍ଟ ପୋଲରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି।
ଯାହାଫଳରେ, ଯାନବାହାନ ଯାତାୟାତ ସମୟରେ ସାମାନ୍ୟ ଏପଟ ସେପଟ ହେଲେ ସିଧା ଖାଲରେ ପଡ଼ିବା ସହ ଏକ ବଡ଼ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଛି ।
ଏହି ରାସ୍ତା ଦେଇ ବାଲିଗୁଡ଼ା ବ୍ଲକର ୪ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଦୈନିକ ଯାତାୟାତ କରୁଥିବା ବେଳେ ଦୁଇଟି ସରକାରୀ ବିଦେଶୀ ମଦ ଦୋକାନ ସହ ଖଡ଼ଗ ନଦୀ ଠାରେ ଟେଣ୍ଡର ନଦୀ ବାଲି ଡିପୋ ରହିଛି । ଏହି ନଦୀ ବାଲି ଡିପୋ ଥିବା ଯୋଗୁଁ ଅନବରତ ବାଲି ବୋଝେଇ ହାଇଓ୍ବା ଯାଉଛି ।
ଏଥିସହିତ ଏହି ରାସ୍ତାରେ ସରକାରୀ ଯାତ୍ରୀବାହୀ ବସ୍, ସ୍କୁଲ୍ ବସ୍ ସମେତ ଦୈନନ୍ଦିନ ଶତାଧିକ ଅଟୋ, ମୋଟରସାଇକେଲ ଯାତାୟତ କରୁଛି ।
ସେପଟେ ଉକ୍ତ ପୋଲରେ ଖାଲ ରହିଥ‌ିବାରୁ ସମ୍ପୃକ୍ତ ସ୍ଥାନକୁ ସାହି ଲୋକେ ଜରି ଓ ବାଉଁଶ ଦେଇ ଗୁଡ଼େଇ ରଖିଛନ୍ତି । ରାତି ଅନ୍ଧାରରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି ।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମ ସୁନ୍ଦର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା କାମ ପାଇଁ ସରକାରଙ୍କ ତରଫରୁ ଅର୍ଥ ଆସିଲେ କାମ ହେବ । ହେଲେ କେବେ ଅର୍ଥ ମଞ୍ଜୁର ହେବ ଓ କାମ କେବେ ହେବ ଏବଂ ଅଞ୍ଚଳର ସମସ୍ୟା କେବେ ଦୂର ହେବ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଛି କରିଛି।
ଏଣୁ ଏ ସମସ୍ତ ବିଷୟ ପ୍ରତି ଶୁଭ ଦୃଷ୍ଟି ଦେଇ କିପରି ଯଥାଶୀଘ୍ର ଉକ୍ତ ରାସ୍ତା ସହ ବାଲିଗୁଡ଼ା ଏନଏସି ଅଞ୍ଚଳର ସବୁ ୱାର୍ଡ଼ର ରାସ୍ତା ଗୁଡ଼ିକ ତୁରନ୍ତ ମରାମତି ହେବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31