Indus Valley Times

ମନ୍ଦିର ଲୁଟେରା ସମେତ ୩ ଗହଣା ବେପାରି ଗିରଫ : ୬ ଜିଲ୍ଲା ପୁଲିସର ନିଦ ହଜାଇ ଦେଇଥିଲା ସୁଶାନ୍ତ

 Breaking News

ମନ୍ଦିର ଲୁଟେରା ସମେତ ୩ ଗହଣା ବେପାରି ଗିରଫ : ୬ ଜିଲ୍ଲା ପୁଲିସର ନିଦ ହଜାଇ ଦେଇଥିଲା ସୁଶାନ୍ତ

ମନ୍ଦିର ଲୁଟେରା ସମେତ ୩ ଗହଣା ବେପାରି ଗିରଫ : ୬ ଜିଲ୍ଲା ପୁଲିସର ନିଦ ହଜାଇ ଦେଇଥିଲା ସୁଶାନ୍ତ
March 11
12:31 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୧/୩: ନୟାଗଡ଼ ଟାଉନ ଥାନା ପୁଲିସକୁ ବଡ଼ ସଫଳତା। ମାସେ ହେଲା ପୁଲିସର ନିଦ ହଜାଇ ଦେଇଥିବା ମନ୍ଦିର ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ସମେତ ଚାରି ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଛି।
ଗିରଫ ହୋଇଥିବା ଲୁଟେରାମାନେ ହେଲେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅଧୀନ ଅଇଁଳାଚୁଆଁ ଗାଁର ସୁଶାନ୍ତ କର୍ମୀ (୨୭), ସୁବର୍ଣ୍ଣପୁaର ଜିଲ୍ଲା ତରଭା ଥାନା ଅଧୀନ ଗଡ଼ଭିତର ଭାଁର ଲକ୍ଷ୍ମୀନାରାୟଣ ନାୟକ (୩୪), ସାହିଲ ପାତ୍ର (୨୬), ବଲାଙ୍ଗୀର ଥାନା ଅଧୀନ ବ୍ରାହ୍ମଣୀପଡ଼ା ଗାଁର ଗୌରହରି ମହାନ୍ତି। ଏମାନଙ୍କ ନିକଟରୁ ପୁଲିସ ଠାକୁର ପିନ୍ଧୁଥିବା ୮ଟି ଚିତା (୩୨ ଗ୍ରାମ୍), ରୁପା ମୁକୁଟ, ରୁପା ନାଗ ସାପ, ନାକ ଚଣା, ଚିତା (୧୫୦୦ ଗ୍ରାମ୍), ଗୋଟିଏ ମୋବାଇଲ ଫୋନ୍, ଦୁଇଟି ଲୁହା ରଡ୍, ବ୍ୟାଗ୍, ୪୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏସପି ଏସ୍.ସୁଶ୍ରୀ ସୂଚନା ପ୍ରଦାନ କରିଛନ୍ତି। ଅଇଁଳାଚୁଆଁ ଗାଁର ସୁଶାନ୍ତ ହିଁ ମୁଖ୍ୟ ଅଭିଯୁକ୍ତ। ସୁଶାନ୍ତ ନାଁରେ କେବଳ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୧ଟି ମାମଲା ରହିଥିବା ବେଳେ ସାହିଲ ନାଁରେ ଗୋଟିଏ ଓ ଲକ୍ଷ୍ମୀନାରାୟଣ ନାଁରେ ୩ଟି ମାମଲା ରହିଛି ବୋଲି ଏସପି ସୂଚନା ପ୍ରଦାନ କରିଛି। ଅନ୍ୟମାନଙ୍କ ମଧ୍ୟରେ ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସନାତନ କାଲୋ, ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟ ଓ ଟାଉନ ଥାନା ଇନସପେକ୍ଟର ରଶ୍ମୀ ରଂଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ସୋସିଆଲ ମିଡିଆରୁ ପଢ଼ୁଥିଲା ମନ୍ଦିର ଇତିହାସ
ଗୁଗୁଲରେ ଗ‌ୋଟିଏ ଗୋଟିଏ ଜିଲ୍ଲା ସମ୍ପର୍କରେ ସେ ଅନୁସନ୍ଧାନ କରିବା ସହ ‌ସେଠାରେ ଥିବା ପ୍ରସିଦ୍ଧ ମନ୍ଦିରର ଇତିହାସକୁ ସୁଶାନ୍ତ ଭଲ ଭାବେ ପଢ଼େ। ଏହାପରେ ଜିପିଏସ୍ ବ୍ୟବହାର କରି ସେ ସେଠାରେ ପହଞ୍ଚେ। ଏହା ପୂର୍ବରୁ ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ବାଟକୁ ସେ ଭଲ ଭାବେ ଦେଖିଥାଏ। ସିସିଟିଭିରୁ ବର୍ତ୍ତିବା ପାଇଁ ସେ ମୁହଁରେ କପଡ଼ା ବାନ୍ଧି ଭିତରକୁ ପଶେ।
ଏହାପରେ ଠାକୁରଙ୍କୁ ମୁଣ୍ଡିଆ ମାରି ନିଜ କାମ ପାଇଁ ଭୁଲ ମାଗିବା ପରେ ସେ ଚୋରି କରେ। ମନ୍ଦିରରୁ କଳାକନା ବୁଲାଇ ସାରିବା ପରେ ସେ ସେଠାରୁ ଅତି ଆରାମରେ ଖସି ଯାଉଥିଲା। ଏହାପରେ ଉକ୍ତ ‌ଚୋରି ସାମଗ୍ରୀକୁ ସେ ଗିରଫ ହୋଇଥିବା ଏହି ତିନି ଜଣଙ୍କୁ ଦେଉଥିଲା।

ଧରାପକାଇ ଦେଲା ସ୍ମାର୍ଟ ସିଟିର ଏଆଇ କ୍ୟାମେରା

ଚୋରିରେ ସୁଶାନ୍ତ ଏତେ ପେଶାଦର ଥିଲା ଯେ, ପୁଲିସ ତାକୁ ଯେପରି ଖୋଜିନପାଇବ ସେମିତି ବ୍ୟବସ୍ଥା କରିଥିଲା। ସିସିଟିଭିରେ ମୁହଁ ଲୁଚାଇବା, ଚୋରି ସ୍ଥଳକୁ କୌଣସି ପ୍ରକାର ଗାଡ଼ି ନନେବା ଓ ବିଶେଷ କରି ମୋବାଇଲ ବ୍ୟବହାର ନ କରିବା ଉପରେ ସେ ଜୋର ଦେଇଥିଲା। ମାତ୍ର ଯେତେବେଳେ ଗୋଟିଏ ସିସିଟିଭିରୁ ପୁଲିସକୁ ସୁରାକ୍ ମିଳିଥିଲା, ଏହାକୁ ଆଧାର କରି ପୁଲିସ ବିଭିନ୍ନ ଅଞ୍ଚଳ ଘାଣ୍ଟିଥିଲା। ସିସିଟିଭିରୁ ମିଳିଥିବା ଫୁଟେଜ୍ ସହ ରାଜଧାନୀ ସ୍ମାର୍ଟ ସିଟିରେ ଲାଗିଥିବା ଏଆଇ କ୍ୟାମେରାକୁ ମିଶାଇ ଚୋରର ସମ୍ପୂର୍ଣ୍ଣ ଚିତ୍ର ବାହାର କରାଯାଇଥିଲା। ସୁଶାନ୍ତ ଭୁବନେଶ୍ବର ରାସ୍ତାରେ କେଉଁଆଡ଼େ ଯାଇଥିଲା, ଏହାର ତଦନ୍ତ କରାଯାଇଥିଲା। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳକୁ ଚୋରର ଫଟୋ ଦିଆଯାଇଥିଲା। ଏହାପରେ ସୁବର୍ଣ୍ଣପୁରରୁ ତାକୁ ଗିରଫ କରାଯାଇଥିଲା।
ସାପ ଭୟରେ ଶିବ ମନ୍ଦିରରୁ ଚୋରି କରୁନଥିଲା
ସୁଶାନ୍ତ ସବୁ ମନ୍ଦିରରୁ ଚୋରି କରୁଥିଲା। ମାତ୍ର ଶିବ ମନ୍ଦିରକୁ ପ୍ରବେଶ କରୁନଥିଲା। ଶିବ ଲିଙ୍ଗ ନିକଟରେ ଥିବା ସାପକୁ ସେ ବହୁତ ଭୟ କରୁଥିଲା। ଫଳରେ ସେଠାରୁ ସେ ଚୋରି କରିବାକୁ ଆଦୌ ସାହସ କରିପାରୁନଥିଲା ବୋଲି ପୁଲିସକୁ କହିଛି। ମାତ୍ର ଅନ୍ୟ ଯେତେକ ମନ୍ଦିରରୁ ସେ ଚୋରି କରୁଥିଲା, ସବୁଠି ଠାକୁରଙ୍କୁ ଭୁଲ ମାଗୁଥିବାରୁ ପାପ କିଛି ହେଉନଥିଲା ବୋଲି ସେ କହିଛନ୍ତି। ବିଭିନ୍ନ ଜିଲ୍ଳାର ପୁଲିସ ତାକୁ ଖୋଜୁଥିବା ବେଳେ ନୟାଗଡ଼ ପୁଲିସ ତାକୁ ଗିରଫ କରିବାକୁ ସକ୍ଷମ ହୋଇଥିବାରୁ ସେ ଆଶ୍ଚର‌୍ୟ୍ୟ ହୋଇଯାଇଛି।
ରିମାଣ୍ଡରେ ନେବେ ଅନ୍ୟ ଜିଲ୍ଲା ପୁଲିସ
କେବଳ ନୟାଗଡ଼ରୁ ନୁହେଁ କନ୍ଧମାଳ, ସୁବର୍ଣ୍ଣପୁର, ଖୋର୍ଦ୍ଧା, ବୌଦ୍ଧ ଓ ଅନୁଗୁଳ ଜିଲ୍ଳା‌ରେ ଥିବା ଏକାଧିକ ମନ୍ଦିରରୁ ସୁଶାନ୍ତ ଚୋରି କରିଥିବା ପୁଲିସ ବର୍ତ୍ତମାନ ସୁଦ୍ଧା ଜାଣିବାକୁ ପାଇଛି। ଏଣୁ ଏହି ଜିଲ୍ଲାର ପୁଲିସ ଚାହିଁଲେ ସୁଶାନ୍ତକୁ ରିମାଣ୍ଡରେ ନେଇ ପଚରାଉଚରା କରିପାରେ ବୋଲି ଏସପି କହିଛନ୍ତି। ବିଶେଷ କରି ନୟାଗଡ଼ ଟାଉନ ଥାନା ଇନସପେକ୍ଟର ରଶ୍ମୀ ରଂଜନ ମହାପାତ୍ରଙ୍କ ନେତୃତ୍ବରେ ଗଠନ କରାଯାଇଥିବା ସ୍କ୍ବାଡର କଠିନ ପରିଶ୍ରମ ଓ ଏସଡିପିଓ ଜ୍ୟୋତି ରଞ୍ଜନ ସାମନ୍ତରାୟଙ୍କ ସ୍କାଡକୁ ପରାମର୍ଶ ଯୋଗୁଁ ଏହି ଚୋର ନିକଟରେ ପହଞ୍ଚି ହେଲା। ଯାହାକି ନୟାଗଡ଼ ପୁଲିସର ଏକ ବଡ଼ ସଫଳତା ବୋଲି ଏସପି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31