ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ବୌଦ୍ଧ ଗସ୍ତ,ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଅନୁଷ୍ଠାନ ପରିଦର୍ଶନ, କାର୍ଯ୍ୟର ଅଗ୍ରଗତି ସମୀକ୍ଷା
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୩/୮: ମାନ୍ୟବର କନ୍ଧମାଳ ଲୋକସଭା ସାଂସଦ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ବୌଦ୍ଧ ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ, କୃଷି ସେବା କେନ୍ଦ୍ର ଓ ସାମାଜିକ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି।
ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଗୁଣାତ୍ମକ ମାନ ବଜାୟ ରଖି ସମ୍ପୂର୍ଣ୍ଣ କରିବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ସାଂସଦଙ୍କ ଏହି ଗସ୍ତ ସମୟରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ,କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀ କହ୍ନାଇ ଚରଣ ଡାଙ୍ଗ, ବୌଦ୍ଧ ଜିଲ୍ଲାପାଳ ଶ୍ରୀ ବିଭୂତି ଭୂଷଣ ନାଏକ, ସାଂସଦଙ୍କ ପ୍ରତିନିଧି ଶ୍ରୀ ଯୁଗଳ କିଶୋର ସାମଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରତ୍ୟୁଷ ପ୍ରିୟଦର୍ଶୀ ରଥଙ୍କ ସମେତ ବିଭିନ୍ନ ଜନ ପ୍ରତିନିଧି, ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗସ୍ତର ପ୍ରାରମ୍ଭରେ ସାଂସଦ ବାଉଁଶୁଣୀ ଠାରେ ନିର୍ମାଣାଧୀନ ବାଉଁଶୁଣୀ–ବୀରମହାରାଜପୁର ସେତୁ ନିର୍ମାଣସ୍ଥଳ ପରିଦର୍ଶନ କରି କାର୍ୟ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ।
ସେତୁ ନିର୍ମାଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ସହ ମୁଖ୍ୟ ରାସ୍ତା ସହ ଏହାର ସଂଯୋଗୀକରଣ ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରି ଶୀଘ୍ର ଶେଷ କରିବାକୁ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସାଂସଦ ବାଉଁଶୁଣୀସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ନୂତନ ଅତିରିକ୍ତ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ପରେ ସେ ତେଲିବନ୍ଧ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହ ଚନ୍ଦ୍ରପୁର ସାଗର ପରିଦର୍ଶନ କରିଥିଲେ।
ଚନ୍ଦ୍ରପୁର ସାଗରର ପ୍ରାକୃତିକ ପରିବେଶ ଓ ବିଶାଳ ଜଳରାଶିକୁ ଦୃଷ୍ଟିରେ ରଖି ଏହାକୁ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ପାଇଁ ସାଂସଦ ପରାମର୍ଶ ଦେଇଥିଲେ।
ସେହିପରି ତେଲିବନ୍ଧରୁ ଚନ୍ଦ୍ରପୁର ରାସ୍ତା କାର୍ଯ୍ୟ ପରିଦର୍ଶନ କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଜହ୍ନାପଙ୍କଠାରେ ସାଂସଦ ଏକ ମାର୍କେଟ କମ୍ପ୍ଲେକ୍ସ ଉଦ୍ଘାଟନ କରିଥିଲେ। ପରେ ଖୁଣ୍ଟବନ୍ଧସ୍ଥିତ ପ୍ୟାକ୍ସ ପରିଦର୍ଶନ କରି ସ୍ଥାନୀୟ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ବିଭିନ୍ନ ସମସ୍ୟା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ବିଶେଷକରି ଫାର୍ମର ରେଜିଷ୍ଟ୍ରି ପ୍ରକ୍ରିୟାରେ କୃଷକମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସେମାନଙ୍କୁ ଆବଶ୍ୟକ ସମସ୍ତ ସହଯୋଗ ଓ ସହାୟତା ଯୋଗାଇ ଦେବାକୁ ସମ୍ପୃକ୍ତ କର୍ମଚାରୀମାନଙ୍କୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ସାଂସଦ ବୌଦ୍ଧ–ଧଳପୁର ରାସ୍ତା ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ।
ରାସ୍ତା ନିର୍ମାଣରେ ଗୁଣାତ୍ମକ ମାନ ସହ କୌଣସି ସାଲିସ ନକରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସେ ସମ୍ପୃକ୍ତ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ପରେ ସାଂସଦ ବଡ଼ବନ୍ଧ ଆଦିବାସୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରୀମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ। ଏହି ଅବସରରେ ସେ ଛାତ୍ରୀମାନଙ୍କ ସହ ଆତ୍ମୀୟତାର ସହ ଆଲୋଚନା କରି ସେମାନଙ୍କ ପାଠପଢ଼ା, ରହଣି ଓ ଅନ୍ୟାନ୍ୟ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।
ଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ସହ ସଂସ୍କାର ଓ ମୂଲ୍ୟବୋଧ ପ୍ରଦାନ କରି ଭବିଷ୍ୟତରେ ସୁନାଗରିକ ଭାବେ ଗଢ଼ି ତୋଳିବାକୁ ସେ ଶିକ୍ଷକ- ଶିକ୍ଷୟିତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ।
ଗସ୍ତର ଶେଷ ପର୍ଯ୍ୟାୟରେ ସାଂସଦ ବୀରନରସିଂହପୁର ବାଳାଶ୍ରମ ପରିଦର୍ଶନ କରି ସେଠାରେ ରହୁଥିବା ୪୪ ଜଣ ଅସହାୟ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ।
ସେମାନଙ୍କ ସହ ଆଲୋଚନା କରି ସେମାନଙ୍କର ସମସ୍ୟା, ଶିକ୍ଷା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଆସନ୍ତା ଗଣେଶ ପୂଜା ଉପଲକ୍ଷେ ସାଂସଦ ସମସ୍ତ ଅନ୍ତେବାସୀଙ୍କୁ ନୂତନ ପୋଷାକ ବଣ୍ଟନ କରିଥିଲେ।
ମନୋଯୋଗ ସହକାରେ ପାଠ ପଢ଼ି ଜୀବନରେ ସଫଳତା ହାସଲ କରିବା ସହ ଭବିଷ୍ୟତରେ ବୌଦ୍ଧ ଜିଲ୍ଲାର ନାମ ଗୌରବାନ୍ୱିତ କରିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
ସାଂସଦଙ୍କ ସମଗ୍ର ପରିଦର୍ଶନ କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ଅଧିକାରୀ, ବିଭାଗୀୟ ଯନ୍ତ୍ରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।






