Indus Valley Times

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ

 Breaking News

ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ

July 30
19:31 2026

ଅକ୍ଷୟ ରାଉତଙ୍କ ରିପୋର୍ଟ
ଯାଜପୁର,୩୦/୭ : ଯାଜପୁର ଜିଲ୍ଲାରେ ଚଳିତ ଲଗାଣ ବର୍ଷା ଓ ବୈତରଣୀ, କାଣୀ, ବ୍ରାହ୍ମଣୀ, ଖରସ୍ରୋତା ନଦୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଦଶରଥପୁର, ଯାଜପୁର, ବରୀ, ରସୁଲପୁର, କୋରେଇ, ଧର୍ମଶାଳା, ବଡ଼ଚଣା ଓ ବିଞ୍ଝାରପୁର ବ୍ଲକର ଲୋକମାନେ ପ୍ରଭାବିତ ହେବା ସହ ବିଲବାଡ଼ି ଜଳ ପ୍ଳାବିତ ହୋଇଅଛି।
ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଦଶରଥପୁର, ବରୀ, ବିଞ୍ଝାରପୁର ଅଞ୍ଚଳ ଗସ୍ତ କରି ବନ୍ୟା ସମସ୍ୟା ଅନୁଧ୍ୟାନ କରିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି।
ବ ନ୍ୟା ପରିସ୍ଥିତି କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଭିନ୍ନ ବ୍ଲକ୍ ପାଇଁ ବରିଷ୍ଠ ଅଧିକାରୀ ମାନଙ୍କୁ ନିୟୋଜିତ କରିଛନ୍ତି।
ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ, ଶ୍ରୀ ଯୁଧିଷ୍ଠିର ନାଏକଙ୍କୁ ଦଶରଥପୁର ବ୍ଲକ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ ଶ୍ରୀ ଶିବାନନ୍ଦ ସ୍ବାଇଁଙ୍କୁ ବରୀ ବ୍ଲକ୍, ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଲମ୍ବୋଦର ଖୁଣ୍ଟିଆଙ୍କୁ ବିଞ୍ଝାରପୁର ବ୍ଲକ୍, ଉପ ଜିଲ୍ଲାପାଳ, ଶ୍ରୀ ତାପସ ରଞ୍ଜନ ଦେହୁରୀଙ୍କୁ ରସୁଲପୁର ବ୍ଲକ ଓ ଧର୍ମଶାଳା ବ୍ଲକ୍, ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ଶ୍ରୀ ସପନ କୁମାର ନନ୍ଦଙ୍କୁ କୋରେଇ ବ୍ଲକ, ଦାନଗଦି ବ୍ଲକ, ସୁକିନ୍ଦା ବ୍ଲକ୍ ଓ ବ୍ୟାସନଗର ମ୍ୟୁନିିସିପାଲିଟି, ଅତିରିକ୍ତ ଉପ ଜିଲ୍ଲାପାଳ, ପଲ୍ଲବୀ ରାଣୀ ରାଜଙ୍କୁ ବଡ଼ଚଣା ବ୍ଲକ ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କୁ ଯାଜପୁର ମ୍ୟୁନସିପାଲିଟିର ବନ୍ୟା ପରିସ୍ଥିତି ଅନୁଧ୍ୟାନ କରି ଉଦ୍ଧାର କାର୍ଯ୍ୟର ତଦାରଖ କରିବା ନିମନ୍ତେ ନିୟୋଜିତ କରାଯାଇଛି।
ଅବକାରୀ ବିଭାଗ କମିଶନର ତଥା ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଶ୍ରୀମତୀ ପି. ଅନ୍ୱେଷା ରେଡ୍ଡୀ ବନ୍ୟା ପ୍ରଭାବିତ ବରୀ ଅଞ୍ଚଳ ପରିଦର୍ଶନ କରିବା ସହ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ରିଲିଫ୍ ଓ ଉଦ୍ଧାର କାର‌୍ୟ୍ୟର ସମୀକ୍ଷା ଓ ତଦାରଖ କରୁଛନ୍ତି।
ଜିଲ୍ଲା ଜରୁରୀ କାଳୀନ ବିଭାଗ ପକ୍ଷରୁ ଆଜି ଅପରାହ୍ନ ୪.୦୦ ଘଟିକା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାରେ ୦୮ ଟି ବ୍ଲକ୍ ଯଥା: ଯାଜପୁର, କୋରେଇ, ଦଶରଥପୁର, ବିଞ୍ଝାରପୁର, ବରୀ, ରସୁଲପୁର, ଧର୍ମଶାଳା ଓ ବଡ଼ଚଣା ବ୍ଲକ୍ ପ୍ରଭାବିତ ହୋଇଛି।
ସମୁଦାୟ ୯୭ ଟି ଗ୍ରାମ ପଞ୍ଚାୟତ, ୨୭୫ ଟି ଗ୍ରାମ ଓ ଯାଜପୁର ମ୍ୟୁନସିପାଲିଟି ପ୍ରଭାବିତ ହୋଇଛି। ୦୧ ଗୋଟି ୱାର୍ଡ ପ୍ରଭାବିତ ହୋଇଛି ।
୧,୩୭,୦୧୦ ଜଣ ଲୋକ ପ୍ରଭାବିତ ହୋଇଥିବା ବେଳେ ୩୫,୫୭୨ ଜଣଙ୍କୁ ଉଦ୍ଧାର କରାଯାଇ ୧୦୮ ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି। ୯୧ ଟି ରିଲିଫ ସେଣ୍ଟର୍ ରେ ଲୋକମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଉଛି।
ସମୁଦାୟ ୫୨,୮୩୫ ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ, ୨୦,୨୦୬.୩ ହେକ୍ଟର ଶସ୍ୟ କ୍ଷେତ୍ର ବନ୍ୟା ଜଳ ଯୋଗେ ପ୍ରଭାବିତ ହୋଇଛ।
୨୯୮.୮୩ କ୍ୱିଣ୍ଟାଲ୍ ଚୁଡ଼ା, ୪୪.୧୩ କ୍ୱିଣ୍ଟାଲ୍ ଗୁଡ଼ ୧୬ ଟି ପଲିଥିନ୍ ରୋଲ୍, ୭୫ କେ.ଜି ମୁଢ଼ି, ୩୦୦ ପ୍ୟାକେଟ୍ ବିସ୍କୁଟ, ୩୦୦ ପ୍ୟାକେଟ୍ ଦିଆସିଲି ଏବଂ ୩୦୦ ପ୍ୟାକେଟ୍ ମହମବତୀ ବଣ୍ଟା ସରିଛି। ୦୮ ଟି ମେଡିକାଲ ଟିମ୍ ନିୟୋଜିତ ହୋଇଥିବା ବେଳେ ୦୪ ଟି ଭେଟେନାରି ଟିମ୍ ନିୟୋଜିତ କରାଯାଇଛି ।
୦୧ ଟି ଏନ୍.ଡି.ଆର୍.ଏଫ୍ ଟିମ୍, ୦୪ ଟି ଓଡ଼୍ରାଫ୍ ଟିମ୍ ଏବଂ ୧୨ ଟି ଅଗ୍ନିଶମ ସେବା ଟିମ୍ ନିୟୋଜିତ କରାଯାଇଛି।
ନଦୀଗୁଡ଼ିକର ଜଳସ୍ତରକୁ ନେଇ ଆଶ୍ୱସ୍ତିକର ଖବର ମିଳିଛି। ବୈତରଣୀ ନଦୀର ଜଳସ୍ତର ଆଜି ଅପରାହ୍ଣ ୪ଟାରେ ଅଖୁଆପଦାଠାରେ ୧୮.୦୦ ମିଟରକୁ ହ୍ରାସ ପାଇ ବିପଦ ସଙ୍କେତ (୧୮.୩୩ ମିଟର) ତଳକୁ ଖସିଆସିଛି।
ସେହିପରି ବ୍ରାହ୍ମଣୀ ନଦୀର ଜଳସ୍ତର ଅପରାହ୍ଣ ୩ଟାରେ ଜେନାପୁରଠାରେ ୬୫.୯୦ ଫୁଟ୍ ରହିଛି, ଯାହାକି ବିପଦ ସଙ୍କେତ (୬୭ ଫୁଟ୍) ଠାରୁ କମ୍। ନଦୀଗୁଡ଼ିକରେ ଜଳସ୍ତର କମୁଥିଲେ ହେଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031