Indus Valley Times

୧୦ ବରିଷ୍ଠ IAS ଅଧିକାରୀ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ନିଯୁକ୍ତ, ୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

 Breaking News

୧୦ ବରିଷ୍ଠ IAS ଅଧିକାରୀ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ନିଯୁକ୍ତ, ୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା

୧୦ ବରିଷ୍ଠ IAS ଅଧିକାରୀ ‘ଭୋଟର ତାଲିକା ପର୍ଯ୍ୟବେକ୍ଷକ’ ନିଯୁକ୍ତ, ୫ରେ ପ୍ରକାଶ ପାଇବ ଚିଠା ଭୋଟର ତାଲିକା
July 03
17:23 2026

ଭୁବନେଶ୍ୱର, ୩/୭: ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (Special Intensive Revision) ପ୍ରକ୍ରିୟାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ (ECI) ବଡ଼ ପଦକ୍ଷେପ ନେଇଛନ୍ତି।
ରାଜ୍ୟର ୧୦ ଜଣ ବରିଷ୍ଠ IAS ଅଧିକାରୀଙ୍କୁ ଇଲେକ୍ଟୋରାଲ ରୋଲ ଅବଜରଭର ଭାବେ ନିଯୁକ୍ତ କରାଯାଇଛି।
୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ Qualifying Date) ଭାବେ ଧରି ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟ ଏହି ଅଧିକାରୀମାନେ ତଦାରଖ କରିବେ।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି। ପ୍ରତ୍ୟେକ ଅବଜରଭରଙ୍କୁ ଦୁଇରୁ ଚାରିଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଛି, ଯେଉଁଠାରେ ସେମାନେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ନିରୀକ୍ଷଣ କରିବେ।
ନିଯୁକ୍ତ ଅଧିକାରୀମାନଙ୍କ ମଧ୍ୟରେ ରାଜେଶ ପ୍ରଭାକର ପାଟିଲଙ୍କୁ ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର, ଅରବିନ୍ଦ ଅଗ୍ରୱାଲଙ୍କୁ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ, ବଲୱନ୍ତ ସିଂହଙ୍କୁ କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା, ବି. ପରମେଶ୍ୱରନଙ୍କୁ ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ, ଡା. ବିଜୟ କେତନ ଉପାଧ୍ୟାୟଙ୍କୁ ଦେବଗଡ଼, ସମ୍ବଲପୁର ଓ ବରଗଡ଼ ଦାୟିତ୍ୱ ଦିଆଯାଇଛି।
ସେହିପରି ଡି. ପ୍ରସନ୍ନ କୁମାର ରେଡ୍ଡୀଙ୍କୁ ଗଞ୍ଜାମ, ଗଜପତି ଓ ରାୟଗଡ଼ା, ସୁଧାଂଶୁ ମୋହନ ସାମଲଙ୍କୁ କଟକ, ଢେଙ୍କାନାଳ ଓ ଅନୁଗୁଳ, ରଶ୍ମିତା ପଣ୍ଡାଙ୍କୁ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଭୁବନେଶ୍ୱର, ମହମ୍ମଦ ସାଦିକ ଆଲମଙ୍କୁ ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି, ଏବଂ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ଦାୟିତ୍ୱ ମିଳିଛି।
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ଅବଜରଭର ସଂଶୋଧନ ଅବଧି ମଧ୍ୟରେ ଅତି କମରେ ତିନିଥର ନିଜ ଦାୟିତ୍ୱରେ ଥିବା ଜିଲ୍ଲା ଗସ୍ତ କରିବେ। ସେମାନେ ବିଭିନ୍ନ ବିଧାନସଭା କ୍ଷେତ୍ରର ମତଦାନ କେନ୍ଦ୍ର ପରିଦର୍ଶନ କରିବା ସହ ସାଂସଦ, ବିଧାୟକ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ କରିବେ। ଭୋଟର ତାଲିକାକୁ ନେଇ ସାଧାରଣ ଲୋକଙ୍କ ଅଭିଯୋଗ ମଧ୍ୟ ସେମାନେ ସିଧାସଳଖ ଭାବେ ଶୁଣିବେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଜରଭରଙ୍କ ଗସ୍ତ କାର୍ଯ୍ୟକ୍ରମ ଓ ଯୋଗାଯୋଗ ନମ୍ବର ସର୍ବସାଧାରଣଙ୍କ ପାଇଁ ପ୍ରକାଶ କରାଯିବ।
କୌଣସି ଜିଲ୍ଲାରେ ଭୋଟର ନାମ ବାଦ କିମ୍ବା ନୂଆ ନାମ ଯୋଗ ୧ ପ୍ରତିଶତରୁ ଅଧିକ ହେଲେ କିମ୍ବା କୌଣସି ବିଧାନସଭା କ୍ଷେତ୍ରରେ ଏହା ୩ ପ୍ରତିଶତ ଅତିକ୍ରମ କଲେ, ସେହି ମାମଲାକୁ ଅବଜରଭରମାନେ ବ୍ୟକ୍ତିଗତ ଭାବେ ଯାଞ୍ଚ କରିବେ।
ଗସ୍ତ ଓ ସମୀକ୍ଷା ଶେଷ ହେବା ପରେ ସମସ୍ତ ଅବଜରଭର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିସ୍ତୃତ ରିପୋର୍ଟ ଦାଖଲ କରିବେ। ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଏହି ପ୍ରକ୍ରିୟାରେ କୌଣସି ଯୋଗ୍ୟ ଭୋଟରଙ୍କ ନାମ ବାଦ ନହେଉ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରେ ସ୍ଥାନ ନପାଉ, ସେଥିପାଇଁ ସ୍ୱଚ୍ଛତା ଓ ନିରପେକ୍ଷତାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ।
ସୂଚନାଯୋଗ୍ୟ, ୫ ଜୁଲାଇ ୨୦୨୬ରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ।
ଏହା ପରେ ୫ ଜୁଲାଇରୁ ୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ସାଧାରଣ ଲୋକ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ମାଧ୍ୟମରେ ନୂଆ ନାମ ସାମିଲ, ନାମ ବାଦ କିମ୍ବା ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲ କରିପାରିବେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031