Indus Valley Times

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ମଧୁବାବୁ ପେନ୍‌ସନ୍ ଯୋଜନା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ: ୩,୮୦୩ ନୂତନ ହିତାଧିକାରୀ ସାମିଲ

 Breaking News

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ମଧୁବାବୁ ପେନ୍‌ସନ୍ ଯୋଜନା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ: ୩,୮୦୩ ନୂତନ ହିତାଧିକାରୀ ସାମିଲ

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ମଧୁବାବୁ ପେନ୍‌ସନ୍ ଯୋଜନା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ: ୩,୮୦୩ ନୂତନ ହିତାଧିକାରୀ ସାମିଲ
November 13
20:17 2026

କ୍ରିଷ୍ନପଦୋ ରାୟଙ୍କ ରିପୋର୍ଟ
ମାଲକାନଗିରି, ୧୩/୧୧ : ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ୱାରା ରାଜ୍ୟ ସ୍ତରରେ ‘ମଧୁବାବୁ ପେନ୍‌ସନ୍ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍ ର ଶୁଭାରମ୍ଭ ପରେ, ଗୁରୁବାର ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ଭତ୍ତା ପ୍ରଦାନ ଉତ୍ସବ ସ୍ଥାନୀୟ ସଂସ୍କୃତି ଭବନଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ମୋଟ ୩,୮୦୩ ଜଣ ନୂତନ ଯୋଗ୍ୟ ହିତାଧିକାରୀଙ୍କୁ ମଧୁବାବୁ ପେନ୍‌ସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବା ବେଳେ, ଆଜିର ଉତ୍ସବରେ ଉପସ୍ଥିତ ଥିବା ୫୪୦ ଜଣ ହିତାଧିକାରୀଙ୍କୁ ଆନୁଷ୍ଠାନିକ ଭାବେ ଭତ୍ତା ବଣ୍ଟନ କରାଯାଇଛି।
କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ଏହି ନୂତନ ଭତ୍ତା ପ୍ରଦାନ ଏବଂ ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍‌ର ଉପକାରିତା ସମ୍ପର୍କରେ ସୂଚନା ଦେଇଥିଲେ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ହିତାଧିକାରୀମାନଙ୍କୁ ଭତ୍ତା ବଣ୍ଟନ କରିଥିଲେ।
ଏହି ଅବସରରେ ଶ୍ରୀ ମାଡକାମୀ କହିଛନ୍ତି ସମାଜର ଶେଷ ଧାଡ଼ିରେ ଥିବା ଗରିବ, ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ସାମାଜିକ ଓ ଆର୍ଥିକ ସୁରକ୍ଷା ଯୋଗାଇ ଦେବା ଆମ ସରକାରଙ୍କ ମୂଳ ଲକ୍ଷ୍ୟ। ଏକୀକୃତ ପେନ୍‌ସନ୍ ପରିଚାଳନା ପୋର୍ଟାଲ୍ ମାଧ୍ୟମରେ ଏବେ ଭତ୍ତା ପ୍ରଦାନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଓ ସରଳ ହୋଇପାରିଛି, ଯାହାଦ୍ୱାରା କୌଣସି ଯୋଗ୍ୟ ହିତାଧିକାରୀ ସରକାରୀ ସୁବିଧାରୁ ବଞ୍ଚିତ ହେବେ ନାହିଁ।
ସେହିପରି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିରଞ୍ଜନ ହାଲଦାର ଏବଂ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଦାଶରଥି ସରାବୁ ମିଳିତ ଭାବେ ମତବ୍ୟକ୍ତ କରି କହିଛନ୍ତି ଯେ ମାଲକାନଗିରି ଭଳି ଏକ ଉପାନ୍ତ ଜିଲ୍ଲାର ୩,୮୦୩ ଜଣ ନୂତନ ହିତାଧିକାରୀ ଏହି ଯୋଜନାରେ ଯୋଡ଼ି ହେବା ଜିଲ୍ଲା ପାଇଁ ଏକ ବଡ଼ ସଫଳତା।
ଏହା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ସମ୍ମାନର ସହ ବଞ୍ଚିବା ପାଇଁ ନୂତନ ସାହସ ଯୋଗାଇବ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପାଦିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଏବଂ ଆନନ୍ଦ ରାଓଙ୍କ ସମେତ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମସ୍ତ କର୍ମଚାରୀ ଏବଂ ବହୁ ସଂଖ୍ୟାରେ ହିତାଧିକାରୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30