ଅସରାଏ ବର୍ଷାରେ ଆଣ୍ଠୁଏ ଉଚ୍ଚରେ ପାଣି: ଯାତାୟାତ ଠପ,ଦୁର୍ଦ୍ଦଶା ଭୋଗୁଛନ୍ତି ଅଙ୍ଗନୱାଡ଼ି ଓ ବିଦ୍ୟାଳୟ ଛାତ୍ରଛାତ୍ରୀ
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୮/୬: ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି ଖୋରଧା ପଞ୍ଚାୟତ ସମିତି ଅଧୀନସ୍ଥ ପଲ୍ଲାତୋଟାପଡ଼ା ଗ୍ରାମପଞ୍ଚାୟତ ର ୧୪ ନମ୍ବର ୱାର୍ଡର ବାସିନ୍ଦା।
ଲୋକେଶ୍ୱରଦେବ ଙ୍କ ମନ୍ଦିରଠାରୁ ଅଙ୍ଗନୱାଡ଼ି କେନ୍ଦ୍ର ପର୍ଯ୍ୟନ୍ତ ସଂଯୋଗ କରୁଥିବା ରାସ୍ତାଟି ଦୀର୍ଘ ପନ୍ଦର ବର୍ଷରୁ ଅଧିକ ସମୟ ଧରି ନିର୍ମାଣ କିମ୍ବା ମରାମତି ହୋଇନଥିବାରୁ ଏହାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି।
ସ୍ଥାନୀୟ ଲୋକଙ୍କ ଅଭିଯୋଗ, ବର୍ଷ ବର୍ଷ ଧରି ରାସ୍ତାଟିର ରକ୍ଷଣା ବେକ୍ଷଣ କରାଯାଇନାହିଁ। ଫଳରେ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚରେ ପାଣି ପ୍ରବାହିତ ହେଉଛି ଏବଂ ଯାତାୟାତ ସମ୍ପୂର୍ଣ୍ଣ ବ୍ୟାହତ ହେଉଛି।
ଏହି ରାସ୍ତା ଦେଇ ପ୍ରତିଦିନ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଉଥିବା ଛୋଟ ଛୋଟ ଶିଶୁ, ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ, ମହିଳା, ବୃଦ୍ଧ ଓ ସାଧାରଣ ଲୋକ ଯାତାୟାତ କରିଥାନ୍ତି।
କିନ୍ତୁ ବର୍ଷା ଦିନରେ ରାସ୍ତାଟି ଏକ ପୋଖରୀର ଭ୍ରମ ସୃଷ୍ଟି କରୁଥିବାରୁ ପିଲାମାନଙ୍କୁ ପାଣି ଭିତରେ ପଶି ବିଦ୍ୟାଳୟ ଓ ଅଙ୍ଗନୱାଡ଼ିକୁ ଯିବାକୁ ପଡ଼ୁଛି। ଅନେକ ସମୟରେ ଛୋଟ ପିଲାମାନେ ଖାଲ ଖମାରେ ପଡ଼ି ଆହତ ହେଉଥିବାର ମଧ୍ୟ ଅଭିଯୋଗ ରହିଛି।
ଅଭିଭାବକମାନେ ନିଜ ସନ୍ତାନଙ୍କ ସୁରକ୍ଷାକୁ ନେଇ ସର୍ବଦା ଚିନ୍ତାରେ ରହୁଛନ୍ତି। ରାସ୍ତାରେ ବଡ଼ ,ବଡ଼ ଖାଲଖମା ସୃଷ୍ଟି ହୋଇଥିବାରୁ ଦୁଇଚକିଆ ଓ ଚାରିଚକିଆ ଯାନ ଚଳାଚଳ କରିବା ବିପଦଜନକ ହୋଇପଡ଼ିଛି।
ବର୍ଷା ସମୟରେ ଏହି ଗର୍ତ୍ତଗୁଡ଼ିକ ପାଣିରେ ଲୁଚି ରହୁଥିବାରୁ ଦୁର୍ଘଟଣାର ଆଶଙ୍କା ଅଧିକ ବଢ଼ିଯାଉଛି। ଅସୁସ୍ଥ ବ୍ୟକ୍ତିଙ୍କୁ ହସ୍ପିଟାଲ ନେବା କିମ୍ବା ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଯିବା ମଧ୍ୟ କଷ୍ଟକର ହେଉଥିବା ସ୍ଥାନୀୟ ଲୋକ କହିଛନ୍ତି।
କେବଳ ରାସ୍ତା ନୁହେଁ, ଏହି ଅଞ୍ଚଳର ଆଲୋକ ବ୍ୟବସ୍ଥା ମଧ୍ୟ ଅତ୍ୟନ୍ତ ବେହାଲ। ପଞ୍ଚାୟତ ପକ୍ଷରୁ କେତେକ ବିଦ୍ୟୁତ ଖୁଣ୍ଟରେ ଷ୍ଟ୍ରିଟ ଲାଇଟ୍ ଲଗାଯାଇଥିଲେ ମଧ୍ୟ ସେଥିରୁ ଅଧାରୁ ଅଧିକ ଲାଇଟ ଦୀର୍ଘଦିନ ଧରି ଅଚଳ ଅବସ୍ଥାରେ ପଡ଼ିରହିଛି।
ସନ୍ଧ୍ୟା ହେଲେ ସମଗ୍ର ରାସ୍ତା ଅନ୍ଧକାରରେ ବୁଡ଼ି ରହୁଛି। ଫଳରେ ମହିଳା, ବୃଦ୍ଧ ଓ ଛାତ୍ରଛାତ୍ରୀ ମାନେ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି। ଅନ୍ଧାର ସହ ଖରାପ ରାସ୍ତା ଯୋଗୁଁ ଯେକୌଣସି ସମୟରେ ଅଘଟଣ ଘଟିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, ରାସ୍ତା ପାର୍ଶ୍ୱରେ ବର୍ଷାଜଳ ନିଷ୍କାସନ ପାଇଁ କୌଣସି ଡ୍ରେନେଜ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷାରେ ମଧ୍ୟ ପାଣି ରାସ୍ତା ଉପରେ ଜମି ରହୁଛି। ଦୀର୍ଘ ସମୟ ଧରି ପାଣି ଜମି ରହିବା ଫଳରେ ରାସ୍ତା ଅଧିକ କ୍ଷତିଗ୍ରସ୍ତ ହେବା ସହ ମଶା ଓ ବିଭିନ୍ନ ରୋଗର ପ୍ରକୋପ ବୃଦ୍ଧି ପାଇବାର ଆଶଙ୍କା ମଧ୍ୟ ଦେଖାଦେଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଏହି ସମସ୍ୟା ସମ୍ପର୍କରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ବହୁବାର ଆକର୍ଷଣ କରାଯାଇଛି। ମୌଖିକ ଓ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ।
ଜନପ୍ରତିନିଧି ଓ ପ୍ରଶାସନ ପରସ୍ପର ଉପରେ ଦାୟିତ୍ୱ ଠେଲୁଥିବା ବେଳେ ସାଧାରଣ ଲୋକ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ପରିସ୍ଥିତିକୁ ନେଇ ସ୍ଥାନୀୟ ବାସିନ୍ଦାମାନେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
ତୁରନ୍ତ ଉକ୍ତ ରାସ୍ତାର ନିର୍ମାଣ, ବର୍ଷାଜଳ ନିଷ୍କାସନ ପାଇଁ ସୁଦୃଢ଼ ଡ୍ରେନେଜ ବ୍ୟବସ୍ଥା, ଅଚଳ ଷ୍ଟ୍ରିଟ୍ ଲାଇଟ ମରାମତି ସହିତ ଅଧିକ ସଂଖ୍ୟାରେ ଷ୍ଟ୍ରିଟ ଲାଇଟ ଲଗାଇବା ଏବଂ ଅଞ୍ଚଳର ସାମଗ୍ରିକ ଭିତ୍ତିଭୂମି ବିକାଶ ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।
ଲୋକଙ୍କ ମତରେ, ବିକାଶର ପ୍ରକୃତ ଚିତ୍ର ସେତେବେଳେ ପ୍ରତିଫଳିତ ହେବ, ଯେତେବେଳେ ଗାଁର ସାଧାରଣ ଲୋକଙ୍କ ପାଇଁ ମୌଳିକ ସୁବିଧା ସୁନିଶ୍ଚିତ ହେବ।






