Indus Valley Times

ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

 Breaking News

ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ
August 17
15:14 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଭୁବନେଶ୍ୱର, ୧୭/୮: ଦେଶପ୍ରେମ, ଜାତୀୟ ଏକତା ଓ ସ୍ୱାଧୀନତା ସଂଗ୍ରାମର ବୀର ସହିଦମାନଙ୍କ ସ୍ମୃତିଚାରଣ ମଧ୍ୟରେ ଓଡ଼ିଶା ସାମ୍ବାଦିକ ୟୁନିୟନ (ଓୟୁଜେ) ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଭୁବନେଶ୍ୱର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟ କର୍ମକର୍ତ୍ତାଙ୍କ ସହିତ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମ୍ବାଦିକ ମାନେ ଏକତ୍ରିତ ହୋଇ ସ୍ୱାଧୀନତାର ମୂଲ୍ୟବୋଧକୁ ସ୍ମରଣ କରିଥିଲେ।
ରାଜ୍ୟ ସଭାପତି ତଥା ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ଅନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଉପସ୍ଥିତ ସମସ୍ତେ ଜାତୀୟ ପତାକା ପ୍ରତି ସମ୍ମାନ ପ୍ରଦର୍ଶନ କରିବା ସହ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ଓ ବୀର ସହିଦମାନଙ୍କୁ ଶ୍ରଦ୍ଧାର ସହ ସ୍ମରଣ କରିଥିଲେ।
ଏହି ଅବସରରେ ଶ୍ରୀଯୁକ୍ତ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶର ସ୍ୱାଧୀନତା କେବଳ ଏକ ଐତିହାସିକ ଘଟଣା ନୁହେଁ, ଏହା ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ସଂଘର୍ଷ ଓ ଆତ୍ମବଳିଦାନର ଫଳ।
ବ୍ରିଟିଶ ଶାସନର ଅତ୍ୟାଚାର ବିରୋଧରେ ଦେଶର ଅଗଣିତ ବୀର ଯୋଦ୍ଧା ନିଜ ଜୀବନକୁ ବାଜି ଲଗାଇଥିଲେ। ସେମାନଙ୍କ ତ୍ୟାଗ ଓ ଦେଶ ପ୍ରେମକୁ ଆମେ କେବେ ଭୁଲିପାରିବା ନାହିଁ। ଆଜିର ପିଢ଼ି ସେହି ତ୍ୟାଗରୁ ପ୍ରେରଣା ନେଇ ଦେଶର ଏକତା, ଅଖଣ୍ଡତା, ଗଣତନ୍ତ୍ର ଓ ସାମ୍ବିଧାନିକ ମୂଲ୍ୟବୋଧର ସୁରକ୍ଷା ପାଇଁ ଆଗେଇ ଆସିବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଥିଲେ।
ସେ ଆହୁରି କହିଥିଲେ ଯେ, ଗଣମାଧ୍ୟମ ଗଣତନ୍ତ୍ରର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ। ସାମ୍ବାଦିକମାନଙ୍କ ଉପରେ ସତ୍ୟ ଓ ନିରପେକ୍ଷ ଖବର ଲୋକଙ୍କ ନିକଟରେ ପହଞ୍ଚାଇବାର ବଡ଼ ଦାୟିତ୍ୱ ରହିଛି।
ସମାଜର ଅବହେଳିତ, ନିଷ୍ପେଷିତ ଓ ସମସ୍ୟା ଗ୍ରସ୍ତ ଲୋକଙ୍କ ସ୍ୱରକୁ ପ୍ରଶାସନ ଓ ସରକାରଙ୍କ ନିକଟରେ ପହଞ୍ଚାଇବା ସହ ଜନସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗକୁ ନିର୍ଭୀକ ଭାବେ ଉଠାଇବା ସାମ୍ବାଦିକତାର ମୂଳ ଦାୟିତ୍ୱ ବୋଲି ସେ ଉଲ୍ଲେଖ କରିଥିଲେ।
ସେ କହିଥିଲେ ଓଡ଼ିଶାର ଏକମାତ୍ର ସଂଗଠନ ଓୟୁଜେ ଯେକି ସାମ୍ବାଦିକ ମାନଙ୍କ ସମସ୍ୟା ସମ୍ପର୍କରେ ଅହରହ ସଂଗ୍ରାମ ଜାରୀ ରଖିଛି। ରାଜ୍ୟ ସାଧାରଣ ସମ୍ପାଦକ
କିଷାନ ରାଉତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସେ ସ୍ୱାଧୀନତା ଦିବସର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସ୍ୱାଧୀନତା ପରେ ଦେଶ ଗଠନରେ ସାଧାରଣ ନାଗରିକଙ୍କ ଭୂମିକା ଉପରେ ମତ ରଖିଥିଲେ।
ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ସମାଜରେ ଭାଇଚାରା, ସହନଶୀଳତା ଓ ପରସ୍ପର ସମ୍ମାନର ଭାବନାକୁ ମଜବୁତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ସେହିପରି ସମ୍ପାଦକ ବିଶ୍ୱରଂଜନ ଆଚାର୍ଯ୍ୟ ୮୦ ତମ ସ୍ୱାଧୀନତା ଦିବସ ପାଳନ ସମ୍ପର୍କରେ ନିଜର ମତ ପ୍ରକାଶ କରିଥିବା ବେଳେ ଅନ୍ୟତମ ବରିଷ୍ଠ ସଦସ୍ୟ ପ୍ରମୋଦ ସାମନ୍ତରାୟ ସ୍ୱାଧୀନତା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ।
ସ୍ୱାଧୀନତା ସଂଗ୍ରାମର ଦୀର୍ଘ ଇତିହାସ, ସ୍ୱାଧୀନତା ସଂଗ୍ରାମୀଙ୍କ ଅସୀମ ତ୍ୟାଗ ଏବଂ ସ୍ୱାଧୀନ ଭାରତର ନାଗରିକ ଭାବେ ଆମର କର୍ତ୍ତବ୍ୟ ଉପରେ ସେ ଆଲୋଚନା କରିଥିଲେ। ଦେଶର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ଆଗାମୀ ପିଢ଼ିକୁ ଦେଶପ୍ରେମ, ଶୃଙ୍ଖଳା ଓ ଦାୟିତ୍ୱବୋଧର ବାର୍ତ୍ତା ପହଞ୍ଚାଇବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଉପସ୍ଥିତ ସାମ୍ବାଦିକ ମାନେ ସ୍ୱାଧୀନତାର ସୁରକ୍ଷା ସହ ଗଣତନ୍ତ୍ରରେ ସ୍ୱାଧୀନ ଓ ଦାୟିତ୍ୱଶୀଳ ଗଣମାଧ୍ୟମର ଭୂମିକା ନେଇ ମତ ବିନିମୟ କରିଥିଲେ।
ସାମ୍ବାଦିକତା କେବଳ ଖବର ପରିବେଷଣରେ ସୀମିତ ନ ରହି ଜନସାଧାରଣଙ୍କ ସମସ୍ୟା, ସରକାରୀ ଯୋଜନାର ବାସ୍ତବ ସ୍ଥିତି ଏବଂ ସମାଜର ବିଭିନ୍ନ ଅସଙ୍ଗତିକୁ ଲୋକଲୋଚନକୁ ଆଣିବାରେ ଅଧିକ ସକ୍ରିୟ ହେବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା।
ଏହି ଅବସରରେ କୋଷାଧ୍ୟକ୍ଷ ଅମୂଲ୍ୟ ସ୍ୱାଇଁ, ପ୍ରସନ୍ନ ପାଇକରାୟ, ଚିନ୍ମୟ ମହାପାତ୍ର, ସୁଧାଂଶୁ ପରିଡ଼ା ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ଥିଲେ।
ଶେଷରେ ଦେଶର ଏକତା ଓ ଅଖଣ୍ଡତା ଅକ୍ଷୁଣ୍ଣ ରଖିବା, ସମ୍ବିଧାନର ମର୍ଯ୍ୟାଦାକୁ ସମ୍ମାନ କରିବା ଏବଂ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ସମସ୍ତେ ସଂକଳ୍ପ ନେଇଥିଲା।
ସ୍ୱାଧୀନତା ଦିବସର ଏହି ଆୟୋଜନ ଓୟୁଜେ ର ସାମ୍ବାଦିକ ମହଲରେ ଦେଶପ୍ରେମ ଓ ସାମାଜିକ ଦାୟିତ୍ୱବୋଧର ଏକ ସୁନ୍ଦର ବାର୍ତ୍ତା ଦେଇଥିଲା।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930