ବୌଦ୍ଧ ଜିଲ୍ଲାରେ “ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅବସରରେ ମାନ୍ୟବର ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ
କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୯/୬ : ଓଡ଼ିଶା ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ “ବୌଦ୍ଧରେ ବିକାଶର ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଅନ୍ତର୍ଗତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ଦୁଇ ବର୍ଷର ସଫଳତା ଓ ବୌଦ୍ଧ ଜିଲ୍ଲାର ବିକାଶ ଚିତ୍ର ଉପସ୍ଥାପନ କରିଥିଲେ।
ମାନ୍ୟବର ମନ୍ତ୍ରୀ କହିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି। ରାଜ୍ୟ ଓ କେନ୍ଦ୍ରର କଲ୍ୟାଣକାରୀ ସରକାରଙ୍କ ସମନ୍ୱିତ ପ୍ରୟାସରେ ଓଡ଼ିଶା ବିକାଶର ନୂତନ ଉଚ୍ଚତା ଛୁଇଁଛି। ଚଳିତ ବର୍ଷ ଓଡ଼ିଶା ପାଇଁ ରେଳ ବଜେଟରେ ୧୦,୯୨୯ କୋଟି ଟଙ୍କାର ପ୍ରାବଧାନ କରାଯାଇଥିବା ବେଳେ ରାଜ୍ୟରେ ବୃହତ ବନ୍ଦର, ଜାହାଜ ନିର୍ମାଣ କ୍ଲଷ୍ଟର, ଜାତୀୟ ରାଜପଥ ଓ ଗ୍ରୀନଫିଲ୍ଡ କୋଷ୍ଟାଲ ହାଇୱେ ପରି ପ୍ରକଳ୍ପ ଗୁଡ଼ିକ ବିକାଶର ମାଇଲଖୁଣ୍ଟ ପାଲଟିଛି।
ବୌଦ୍ଧ ଜିଲ୍ଲାରେ ନୂତନ ମଡେଲ ବସଷ୍ଟାଣ୍ଡ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂତନ କୋଠା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୬ଟି ନୂତନ ସଡ଼କ ଓ ୧୨ଟି ସେତୁ ନିର୍ମାଣ କରାଯାଇଛି।
କୃଷି କ୍ଷେତ୍ରରେ ଜିଲ୍ଲାରେ ପିଏମ୍-କିଷାନ ଯୋଜନାରେ ୪୯୨୫୦ ଓ ସିଏମ୍-କିଷାନ ଯୋଜନା ମାଧ୍ୟମରେ ୫୩୫୩୮ଜଣ ଚାଷୀ ଉପକୃତ ହୋଇଥିବା ବେଳେ ଗତ ଖରିଫ ଋତୁରେ ୪୪,୮୯୮ ଜଣ ଚାଷୀଙ୍କଠାରୁ ୨୦.୭୨ ଲକ୍ଷ କ୍ୱିଣ୍ଟାଲ ଧାନ କ୍ରୟ କରାଯାଇଛି ।
ମହିଳା ସଶକ୍ତିକରଣ କ୍ଷେତ୍ରରେ ସୁଭଦ୍ରା ଯୋଜନା ଅଧୀନରେ ବୌଦ୍ଧ ଜିଲ୍ଲାର ୧.୧୦ ଲକ୍ଷ ମହିଳା ଆର୍ଥିକ ସହାୟତା ପାଇଥିବା ବେଳେ ୨୮,୩୦୦ ଲକ୍ଷପତି ଦିଦି ସୃଷ୍ଟି ହୋଇଛନ୍ତି ।
ସ୍ୱାସ୍ଥ୍ୟ କ୍ଷେତ୍ରରେ ବୌଦ୍ଧ ଜିଲ୍ଲାର ସଫଳତା ଉଲ୍ଲେଖ କରି ମନ୍ତ୍ରୀ କହିଥିଲେ ଯେ, ଆଇଡିଏସପି କାର୍ଯ୍ୟକ୍ରମରେ ବୌଦ୍ଧ ସାରା ଭାରତରେ ପ୍ରଥମ ସ୍ଥାନ ହାସଲ କରିଛି।
ଉଚ୍ଚ ଟିକାକରଣ ହାର, ମାତୃ ଓ ଶିଶୁ ମୃତ୍ୟୁ ହାର ହ୍ରାସ, ପରିବାର ନିୟୋଜନ ଏବଂ ସିକିଲ ସେଲ ଆନିମିଆ ନିୟନ୍ତ୍ରଣରେ ଜିଲ୍ଲାର ଉଲ୍ଲେଖନୀୟ ସଫଳତା ରହିଛି। ୧୩୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶୀଘ୍ର ଲୋକାର୍ପିତ ହେବ ବୋଲି ସେ କହିଥିଲେ।
ଶିକ୍ଷା କ୍ଷେତ୍ରରେ ବୌଦ୍ଧ ଜିଲ୍ଲାରେ ୬ଟି ପିଏମ୍ ଶ୍ରୀ ବିଦ୍ୟାଳୟ ଓ ୫ଟି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରାଯାଇଥିବା ବେଳେ ୪୧,୫୧୦ ଜଣ ଏସ୍ସି, ଏସ୍ଟି, ଓବିସି ଓ ଏସ୍ଇବିସି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଓ ବିଭିନ୍ନ ସହାୟତା ଯୋଗାଇ ଦିଆଯାଇଥିବା ସେ ସୂଚନା ଦେଇଥିଲେ।
ଆବାସ, ଖାଦ୍ୟ ସୁରକ୍ଷା ଓ ପରିବହନ କ୍ଷେତ୍ରରେ ମଧ୍ୟ ବୌଦ୍ଧ ଜିଲ୍ଲା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ପିଏମ୍ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୧୭,୬୪୧ ଘର ଏବଂ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୨,୨୦୫ ଘର ମଞ୍ଜୁର ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୧.୧୪ ଲକ୍ଷରୁ ଅଧିକ ପରିବାର ଉପକୃତ ହେଉଛନ୍ତି।
ଜିଲ୍ଲାର ୬୭ଟି ଗ୍ରାମ ପଞ୍ଚାୟତକୁ ୯ଟି ମୁଖ୍ୟମନ୍ତ୍ରୀ ବସ ସେବା ସହ ସଂଯୋଗ କରାଯାଇଛି। ମନ୍ତ୍ରୀ ଶ୍ରୀ ଜେନା କହିଥିଲେ ଯେ, ବିକାଶ, ସୁଶାସନ ଓ ଜନକଲ୍ୟାଣର ଏହି ଯାତ୍ରା ଆଗାମୀ ଦିନରେ ଅଧିକ ଗତିଶୀଳ ହେବ ଏବଂ ସମୃଦ୍ଧ ଓଡ଼ିଶା ଗଠନରେ ବୌଦ୍ଧ ଜିଲ୍ଲାର ଭୂମିକା ଅଧିକ ସୁଦୃଢ଼ ହେବ।
ଏହି ସାମ୍ବାଦିକ ସମ୍ମିଳନୀରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ-ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ପରିବହନ ଅଧିକାରୀ ସୁଷମ ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା , ବିଭିନ୍ନ ବିଭାଗର ଅଧିକାରୀ ଏବଂ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ମନ୍ତ୍ରୀ ସାମ୍ବାଦିକ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ ।






