Indus Valley Times

ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

 Breaking News

ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ

ଭକ୍ତିରେ ଉଛୁଳିଲା ବଡଦାଣ୍ଡ; ସାଆନ୍ତଙ୍କ ଅପେକ୍ଷାରେ ଭକ୍ତ
July 16
11:58 2026

ପୁରୀ, ୧୬/୭ : ‘ରଥଯାତ୍ରା’ର ଅନ୍ୟ ପ୍ରମୁଖ ଆକର୍ଷଣ ମହାପ୍ରଭୁଙ୍କର ପହଣ୍ଡି ବିଜେ ନୀତି ଆରମ୍ଭ ହୋଇଯାଇଛି। ପ୍ରଥମେ ଚକ୍ରରାଜ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ହୋଇଛି। ଘଣ୍ଟ, ଘଣ୍ଟା, କାହାଳୀ ଓ ହରିବୋଲ ଧ୍ୱନି ମଧ୍ୟରେ ଶ୍ରୀମନ୍ଦିର ପରିସର ଏବଂ ସିଂହଦ୍ବାର ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ସେବାୟତମାନେ ପାରମ୍ପରିକ ରୀତିନୀତି ଅନୁଯାୟୀ ସୁଦର୍ଶନଙ୍କୁ ରଥକୁ ପହଣ୍ଡି କରାଇଛନ୍ତି। ପ୍ରଭୁ ସୁଦର୍ଶନ ମା’ ସୁଭଦ୍ରାଙ୍କ ରଥ ‘ଦର୍ପଦଳନ’ରେ ବିରାଜମାନ କରିଛନ୍ତି। ବଡ଼ ଠାକୁରଙ୍କ ପହଣ୍ଡି ଜାରି ରହିଛି।
ଶ୍ରୀଜିଉମାନଙ୍କୁ ଧାଡ଼ି ପହଣ୍ଡିରେ ରଥାରୁଢ଼ କରାଯିବ। ସୁଦର୍ଶନଙ୍କ ପଛେପଛେ ମହାପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀଜଗନ୍ନାଥ ଆସୁଛନ୍ତି।
ସିଂହଦ୍ୱାରରେ ୩ ରଥ ମହାପ୍ରଭୁଙ୍କ ସମ୍ମତି ସୂଚକ ଆଜ୍ଞାମାଳ ବିଜେ ହେବା ପରେ ଗତକାଲି ଅପରାହ୍‌ଣରେ ରଥଖଳାରୁ ତିନି ରଥ ନନ୍ଦିଘୋଷ, ଦର୍ପଦଳନ ଓ ତାଳଧ୍ବଜକୁ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖ ରଥ ଚକଡ଼ାକୁ ଟଣାଯାଇଥିଲା।
ସୁରକ୍ଷାକର୍ମୀ ଓ ଶ୍ରଦ୍ଧାଳୁମାନେ ମିଳିତ ଭାବେ ରଥକୁ ଟାଣି ଆଣିଥିବା ବେଳେ ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ବଡ଼ଦେଉଳର ରତ୍ନବେଦୀରୁ କୋଟି କୋଟି ଭକ୍ତଙ୍କ ଗହଣକୁ ଓହ୍ଲାଇ ଆସିବେ ବ୍ରହ୍ମାଣ୍ଡ ଠାକୁର।
ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁସାରେ ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। ଏହାପରେ ସକାଳ ୭ଟାରେ ସୂର୍ଯ୍ୟପୂଜା, ୮ଟାରେ ସକାଳ ଧୂପ ଏବଂ ୯ଟାରେ ତିନି ରଥର ପ୍ରତିଷ୍ଠା ନୀତି ଶେଷ ହୋଇଥିଲା। ଶ୍ରୀବିଗ୍ରହମାନଙ୍କ ବହୁ ପ୍ରତୀକ୍ଷିତ ପହଣ୍ଡି ବିଜେ ନୀତି ସକାଳ ୯ଟା ୩୦ ମିନିଟ୍‌ରେ ଆରମ୍ଭ ହୋଇଛି। ଦିନ ସାଢ଼େ ୧୨ଟାରେ ଶେଷ ହେବ ବୋଲି ଆଶା କରାଯାଉଛି।
ପହଣ୍ଡି ଶେଷ ହେବା ପରେ ଦିନ ୨ଟାରୁ ୩ଟା ମଧ୍ୟରେ ତିନି ରଥରେ ଛେରା ପହଁରା ସେବା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏହାପରେ ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଚାରଫିଟା ଏବଂ ଘୋଡ଼ା-ସାରଥୀ ଲାଗିବା କାର୍ଯ୍ୟ କରାଯିବ। ସମସ୍ତ ପ୍ରସ୍ତୁତି ସରିବା ପରେ ଅପରାହ୍ଣ ୪ଟା ସମୟରେ ରଥଟଣା ଆରମ୍ଭ ହେବ ଏବଂ ଭକ୍ତମାନେ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ରଥ ଟାଣିବେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031