ମହାନଦୀରେ ଛୋଟ ବନ୍ୟା ସ୍ଥିତି; ମୁଣ୍ଡଳୀରେ ବଢ଼ିବ ଜଳପ୍ରବାହ, ୮–୧୦ ଘଣ୍ଟା ରହିବ ପ୍ରଭାବ – ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ଵର, ୨୫/୮: ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିର ଖବର। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ପ୍ରମୁଖ ନଦୀଗୁଡ଼ିକରେ ବର୍ତ୍ତମାନ ବନ୍ୟା ବିପଦ ଟଳିଯାଇଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନଥିବା ବେଳେ ବଂଶଧାରାର ଉପର ମୁଣ୍ଡରେ ସୃଷ୍ଟି ହୋଇଥିବା ଆକସ୍ମିକ ବନ୍ୟା ସ୍ଥିତିରେ ସୁଧାର ଆସିଛି। ତେବେ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି।
ହୀରାକୁଦ ଡ୍ୟାମରୁ ବର୍ତ୍ତମାନ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ଫଳରେ ମହାନଦୀ ଅବବାହିକାରେ ଏକ ଛୋଟ ଧରଣର ବନ୍ୟା ଆଶଙ୍କା ରହିଥିବା ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ। ସେପଟେ ଉପରମୁଣ୍ଡ ବର୍ଷା ଯୋଗୁଁ ୧୬ଟି ଗେଟ୍ ଦେଇ ହୀରାକୁଦରୁ ଛଡ଼ାଯାଉଛି ପାଣି।
ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀ ନିକଟରେ ୬.୫୦ ଲକ୍ଷରୁ ୬.୭୦ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବାର ସମ୍ଭାବନା। ଆଗାମୀ ୩ ଦିନ ରାଜ୍ୟରେ ଭାରି ବର୍ଷାର ସମ୍ଭାବନା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ। ଜଳ ସଂପଦ ବିଭାଗର ଇଆଇସି ଦିଲୀପ ରାଉତଙ୍କ କହିବା ଅନୁଯାୟୀ, ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିଲେ ବି ଏହାକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ। ବର୍ତ୍ତମାନର ଆକଳନ ଅନୁସାରେ ୮ ରୁ ୧୦ ଘଣ୍ଟା ପର୍ୟ୍ୟନ୍ତ ଏହି ବନ୍ୟାଜଳର ପ୍ରଭାବ ରହିବ।
ସେହିପରି ବଂଶଧାରା ନଦୀର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଯେଉଁ ଜଳବନ୍ଦୀ ଓ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ତାହା ଏବେ ଧୀରେ ଧୀରେ କମିବାରେ ଲାଗିଛି। ଆଗାମୀ ୭୨ ଘଣ୍ଟା ପର୍ୟ୍ୟନ୍ତ ବଡ଼ ବର୍ଷାର ସମ୍ଭାବନା ନଥିବାରୁ ନଦୀଗୁଡ଼ିକର ଜଳସ୍ତର ଶୀଘ୍ର ସ୍ୱାଭାବିକ ଅବସ୍ଥାକୁ ଫେରିଆସିବ।






