Indus Valley Times

୫.୩୦ କୋଟି ସ୍ବାକ୍ଷର ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର; ଗୋବଂଶକୁ ସାମ୍ବିଧାନିକ ଓ ସମାନ ଆଇନଦାବି

 Breaking News

୫.୩୦ କୋଟି ସ୍ବାକ୍ଷର ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର; ଗୋବଂଶକୁ ସାମ୍ବିଧାନିକ ଓ ସମାନ ଆଇନଦାବି

୫.୩୦ କୋଟି ସ୍ବାକ୍ଷର ସହ ରାଷ୍ଟ୍ରପତିଙ୍କୁ ସ୍ମାରକପତ୍ର; ଗୋବଂଶକୁ ସାମ୍ବିଧାନିକ ଓ ସମାନ ଆଇନଦାବି
July 27
22:37 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୨୭/୭ : ଗୋବଂଶର ସୁରକ୍ଷା, ସଂରକ୍ଷଣ ଓ ସମ୍ବର୍ଦ୍ଧନା କୁ ଜାତୀୟ ପ୍ରାଥମିକତା ଦେବା ଦାବିରେ ସାରା ଦେଶରେ ଚାଲିଥିବା \’ଗୌ ସମ୍ମାନ ଆହ୍ୱାନ ଅଭିଯାନର ଅଂଶ ସ୍ୱରୂପ ସୋମବାର ଖୋରଧା ଜିଲ୍ଲାପାଳ କାର୍ଯ୍ୟାଳୟରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଅଭିଯାନର ପ୍ରତିନିଧିମାନେ କହିଛନ୍ତି ଯେ, ଦେଶର ୫,୧୦୦ରୁ ଅଧିକ ତହସିଲରୁ ସଂଗୃହୀତ ୫ କୋଟି ୩୦ ଲକ୍ଷରୁ ଅଧିକ ନାଗରିକଙ୍କ ସ୍ୱାକ୍ଷର ଏହି ଅଭିଯାନକୁ ସମର୍ଥନ କରୁଛି।
ସେମାନଙ୍କ ମତରେ, ଏହି ବିପୁଳ ଜନସମର୍ଥନ ଗୋବଂଶର ସୁରକ୍ଷା ପ୍ରତି ସାଧାରଣ ଲୋକଙ୍କ ଆଗ୍ରହ ଓ ସଚେତନତାର ପ୍ରତିଫଳନ। ପ୍ରତିନିଧିମାନେ ସୂଚନା ଦେଇଛନ୍ତି ଯେ, ଚଳିତ ବର୍ଷ ଏପ୍ରିଲ ୨୭ ତାରିଖରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପଠାଯାଇଥିଲା।
କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ପଦକ୍ଷେପ ସମ୍ପର୍କରେ ସୂଚନା ମିଳିନଥିବାରୁ ପୁନର୍ବାର ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିସହ ପୂର୍ବରୁ ସଂଗୃହୀତ ଜନ ସମର୍ଥନର ଡିଜିଟାଲ୍ ରେକର୍ଡ, ଗବେଷଣାମୂଳକ ତଥ୍ୟ ଓ ବିଭିନ୍ନ ଆଇନଗତ ଦଲିଲ ମଧ୍ୟ ସଂଲଗ୍ନ କରାଯାଇଛି। ସ୍ମାରକ ପତ୍ରରେ ଗୋବଂଶକୁ \’ରାଷ୍ଟ୍ରମାତା\’ କିମ୍ବା \’ରାଷ୍ଟ୍ର ଆରାଧ୍ୟ\’ ଭାବେ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ କରିବା ସହ କେନ୍ଦ୍ର ସ୍ତରରେ ସ୍ୱତନ୍ତ୍ର ଗୋସେବା ମନ୍ତ୍ରଣାଳୟ ଗଠନ କରିବାକୁ ଦାବି କରାଯାଇଛି।
ସେହିପରି ସମଗ୍ର ଦେଶରେ ଗୋବଂଶର ସୁରକ୍ଷା, ସଂରକ୍ଷଣ ଓ କଲ୍ୟାଣ ପାଇଁ ଏକ ସମନ୍ୱିତ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ମଧ୍ୟ ଦାବି ରଖାଯାଇଛି।
ଅଭିଯାନକାରୀଙ୍କ କହିବା ଅନୁଯାୟୀ, ଭାରତୀୟ କୃଷି ବ୍ୟବସ୍ଥା, ପରିବେଶ ସୁରକ୍ଷା, ଜୈବ ବିବିଧତା ଓ ଗ୍ରାମୀଣ ଅର୍ଥନୀତିରେ ଦେଶୀ ଗୋବଂଶର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
କିନ୍ତୁ ଗୋବଂଶ ପରିତ୍ୟାଗ, ବେଆଇନ ପରିବହନ, ଚୋରାଚାଲାଣ, ସଡ଼କ ଦୁର୍ଘଟଣା, ପର୍ଯ୍ୟାପ୍ତ ଆଶ୍ରୟ ବ୍ୟବସ୍ଥାର ଅଭାବ ଓ ବେଆଇନ ଭାବେ ହତ୍ୟା ଭଳି ବିଭିନ୍ନ କାରଣରୁ ଦେଶୀ ଗୋବଂଶ ପ୍ରଜାତିର ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି।
ଏହା ଜାତୀୟ ସ୍ତରରେ ଚିନ୍ତାର ବିଷୟ ପାଲଟିଥିବାରୁ ଏକ ସମନ୍ୱିତ ନୀତି ପ୍ରଣୟନର ଆବଶ୍ୟକତା ରହିଛି ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ସ୍ମାରକପତ୍ରରେ ସମ୍ବିଧାନର ଅନୁଚ୍ଛେଦ-୪୮ ଓ ଅନୁଚ୍ଛେଦ ୫୧(କ)(ଗ) ର ଉଲ୍ଲେଖ କରାଯାଇଛି। ଅନୁଚ୍ଛେଦ-୪୮ରେ କୃଷି ଓ ପଶୁପାଳନର ବୈଜ୍ଞାନିକ ବିକାଶ ସହ ଦେଶୀ ପ୍ରଜାତିର ସଂରକ୍ଷଣ ଓ ଗାଈ, ବାଛୁରୀ ଓ ଦୁଗ୍ଧ ଏବଂ କୃଷିକାର୍ଯ୍ୟରେ ବ୍ୟବହୃତ ପଶୁଙ୍କ ବଧ ନିଷେଧ ପାଇଁ ରାଜ୍ୟକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ରହିଥିବା ଦର୍ଶାଯାଇଛି।
ଏହି ସାମ୍ବିଧାନିକ ବ୍ୟବସ୍ଥାକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ ସମଗ୍ର ଦେଶରେ ଏକ ସମାନ ଆଇନର ଆବଶ୍ୟକତା ଥିବା ଅଭିଯାନ ପକ୍ଷରୁ କୁହାଯାଇଛି। ସ୍ମାରକପତ୍ରରେ ଆହୁରି ମଧ୍ୟ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନନ୍ଦିଶାଳା ସ୍ଥାପନ, ପ୍ରତ୍ୟେକ ଜିଲ୍ଲାରେ ଆଧୁନିକ ଗୋଶାଳା, ଜାତୀୟ ଓ ରାଜ୍ୟ ରାଜପଥରେ ଗୋବଂଶ ପାଇଁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ସେବା, ଆହତ ପଶୁଙ୍କ ପାଇଁ ଟ୍ରମା କେୟାର କେନ୍ଦ୍ର, ବିଦ୍ୟାଳୟ ସ୍ତରରେ \’ଗୋ ବିଜ୍ଞାନ\’ ପାଠ୍ୟକ୍ରମ ପ୍ରଚଳନ ଏବଂ ଗୋଚର ଜମି ସୁରକ୍ଷା ସହ ଚାରା ଉତ୍ପାଦନ ଓ ବଣ୍ଟନ ପାଇଁ ଜାତୀୟ ଚାରା ନୀତି ପ୍ରଣୟନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଅଭିଯାନ ର ପ୍ରତିନିଧିମାନେ କହିଛନ୍ତି ଯେ, ଏହି ଅଭିଯାନ କୌଣସି ନିର୍ଦ୍ଦିଷ୍ଟ ସଂସ୍ଥା କିମ୍ବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ନୁହେଁ।
ଦେଶର ବିଭିନ୍ନ ପ୍ରାନ୍ତର ସାଧୁ-ସନ୍ଥ, ସମାଜସେବୀ, କୃଷକ ଓ ଗୋସେବା ସମର୍ଥକମାନଙ୍କ ସ୍ୱେଚ୍ଛାକୃତ ସହଯୋଗରେ ଏହା ପରିଚାଳିତ ହେଉଛି। ଏହାର ଲକ୍ଷ୍ୟ କେବଳ ଗୋବଂଶର ସଂରକ୍ଷଣ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଓ ପାରମ୍ପରିକ ପଶୁପାଳନକୁ ପ୍ରୋତ୍ସାହନ ଦେବା ବୋଲି ସେମାନେ କହିଛନ୍ତି।
ଏହି ସ୍ମାରକପତ୍ର ସହ ୫.୩୦ କୋଟିରୁ ଅଧିକ ସମର୍ଥକଙ୍କ ସ୍ୱାକ୍ଷର, ବିଭିନ୍ନ ଆଇନଗତ ଓ ଗବେଷଣାମୂଳକ ଦଲିଲ ଏବଂ ୧୦,୬୦୦ରୁ ଅଧିକ ପୃଷ୍ଠାର ସହାୟକ ତଥ୍ୟ ସମ୍ବଳିତ ଏକ ଡିଜିଟାଲ୍ ଷ୍ଟୋରେଜ୍ ଡିଭାଇସ୍ ମଧ୍ୟ ସଂଲଗ୍ନ କରାଯାଇଛି।
ଦେଶବ୍ୟାପୀ ଏହି ଅଭିଯାନର ଅଂଶ ଭାବେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟକୁ ସମାନ ପ୍ରକାରର ସ୍ମାରକପତ୍ର ପ୍ରେରଣ କରାଯାଉଥିବା ବେଳେ ରାଷ୍ଟ୍ରପତି ଏହି ଦାବିଗୁଡ଼ିକୁ ସହାନୁଭୂତିର ସହ ବିଚାର କରି କେନ୍ଦ୍ର ସରକାରଙ୍କୁ ଆବଶ୍ୟକ ବୈଧାନିକ ଓ ପ୍ରଶାସନିକ ପଦକ୍ଷେପ ନେବା ପାଇଁ ପରାମର୍ଶ ଦେବେ ବୋଲି ଅଭିଯାନକାରୀମାନେ ଆଶା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930