Indus Valley Times

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

 Breaking News

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି

ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି
October 15
21:23 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଖମନଖୋଲ ପଞ୍ଚାୟତ ପୁରୁଭଟ୍ଟା କ୍ଲଷ୍ଟର ର ରାଇପାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ ଅନୁଷ୍ଠିତ ହୋଇଯାଇଛି ।
ପୁରୁଭଟ୍ଟା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ଫତେସିଂହ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର‌୍ୟ୍ୟକ୍ରମ ରେ କ୍ଲଷ୍ଟରର ମୋଟ ୭ ଟି ବିଦ୍ୟାଳୟ ରୁ ୧୫୦ ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇ ତର୍କ, ବକ୍ତୃତା, ଚିତ୍ରାଙ୍କନ, ହସ୍ତାକ୍ଷର ଲିଖନ, ସୃଜନ ଶୀଳ ଲିଖନ, ପ୍ରବନ୍ଧ ଲିଖନ, ସଂଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ।
ରାଇପାଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ରୂପେଶ କୁମାର ଷଡ଼ଙ୍ଗୀ ଙ୍କ ସଭାପତିତ୍ୱ ରେ ଆୟୋଜିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଚାନ୍ଦୁଲାଲ ମଲ୍ଲିକ ଯୋଗ ଦେଇ ଦୀପ ଧୂପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଲଣ୍ଡାଗାଁ କ୍ଲଷ୍ଟର ଆଞ୍ଚଳିକ ସାଧନ କର୍ମୀ ସଂଯୋଜକ ରମେଶ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ରହି ସୁରଭି କାର୍ଯ୍ୟକ୍ରମ ର ଉଦେଶ୍ୟ ଏବଂ ଆନନ୍ଦମୟ ଶିକ୍ଷା ପିଲାଙ୍କ ପ୍ରତିଭା କୁ ବିକଶିତ କରିଥିବା ମତ ରଖିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ଵ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏଥିରେ କ୍ଲଷ୍ଟର ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ।
ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀକୁ ନେଇ ତିବ୍ର ଅସନ୍ତୋଷ
ବାଲିଗୁଡା ,୧୫/୧୦: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଠାରେ ଥିବା ବିଜୟ ହାଇସ୍କୁଲକୁ ଜୁନିୟର କଲେଜ ମଞ୍ଜୁରୀ କରିଥିବା ନିଷ୍ପତିକୁ ତିବ୍ର ବିରୋଧ କରିବା ସହ ଖୁବ ଶୀଘ୍ର ଏହି ନିଷ୍ପତ୍ତି କୁ ସରକାର ପ୍ରତିହାର କରନ୍ତୁ ବୋଲି ଅଭିଭାବକ, ଜିଲ୍ଲା ବିକାଶ ପରିଷଦ ଓ ବୁଦ୍ଧିଜୀବି ମାନେ ଦାବୀ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ରାଜ୍ୟ ସରକାର ଜୁନିୟର କଲେଜ ଖୋଲିବା ନେଇ ବିଜ୍ଞାପନ ନୀତି ନିୟମ ପ୍ରକାରେ ୧୨୮ ଟି ଜୁନିୟର କଲେଜ ଖୋଲିବା ପାଇଁ ସରକାର ଙ୍କ ଅନ ଲାଇନ ମାଧ୍ୟମରେ ଆବେଦନ କରିଥିଲେ । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ବାଧ୍ୟତା ମୂଳକ ରହିଥିବା ବେଳେ ମାତ୍ର ୪ ଜଣକୁ ହିଁ ମାଧ୍ୟମିକ ବିଦ୍ୟାଳୟ ଖୋଲିବା ପାଇଁ ଅନୁମତି ମିଳିଥିଲା ।ଇତି ମଧ୍ୟରେ ୩ ମାସ ହେବ ଶିକ୍ଷା ବର୍ଷ ସରିଥିବା ବେଳେ ଓ ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ନଥିବା ରାଇକିଆ ହବାକ ଉଚ୍ଚ ବିଦ୍ୟାଳୟ କୁ କିଭଳି ମାଧ୍ୟମିକ ବିଦ୍ୟାଳୟ ଗଠନ ପାଇଁ ଅନୁମତି ମିଳିଲା ତାହାକୁ ନେଇ ଉଠିଛି ପ୍ରଶ୍ନ । ପୂର୍ବରୁ ରାଇକିଆ ଠାରେ ୫ ଟି ମାଧ୍ୟମିକ ବିଦ୍ୟାଳୟ ରହିଛି ।
ସରକାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ କୁ ମାଧ୍ୟମିକ ବିଦ୍ୟାଳୟ ରେ ପରିଣତ କରୁଥିବା ବେଳେ ସେଥିରେ ଥିବା ସିଟ ପୂରଣ ହେଉ ନଥିବା ସ୍ଥଳେ ପୁଣି ଏକ ଉଚ୍ଚ ବିଦ୍ୟାଳୟ କୁ କିପରି ମାଧ୍ୟମିକ ବିଦ୍ୟାଳୟ କୁ ଅନୁମତି ପ୍ରଦାନ କରି ଉଚ୍ଚ ମାନର ଶିକ୍ଷା ଓ ଶିକ୍ଷା ନୀତି ସହ କାହିଁକି ଖେଳ ଖେଳୁଛନ୍ତି ତାହାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଏକ ନିରପେକ୍ଷ ତଦନ୍ତ କରିବାକୁ ଅଭିଭାବକ, ଜିଲ୍ଲା ବିକାଶ ପରିଷଦ ଓ ବୁଦ୍ଧିଜୀବି ମହଲ ରୁ ଦାବୀ ହୋଇଛି ।
\” ଏକ ଭାରତ ଶ୍ରେଷ୍ଠ ଭାରତ\” କାର‌୍ୟ୍ୟକ୍ରମରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ : ବାରଖମା ଦଳ ବିଜୟୀ
ବାଲିଗୁଡା, ୧୫/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖାମା ପଞ୍ଚାୟତ ସ୍ଥିତ ସ୍ପୋର୍ଟସ୍ କ୍ଲବ୍ ଗ୍ରାଉଣ୍ଡରେ \”ଏକ ଭାରତ ଶ୍ରେଷ୍ଠ ଭାରତ\” କାର‌୍ୟ୍ୟକ୍ରମ ଉପଲକ୍ଷେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ୧୩୬ ବିଏସଏଫ ବାଟାଲିୟନ ଦଳ ଏବଂ ବାରଖାମା ସ୍ପୋର୍ଟସ୍ କ୍ଲବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା କ୍ଷ ବିଏସଏଫ କମାଣ୍ଡର ନିର୍ମଳ ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଆୟୋଜିତ ଏହି କ୍ରିକେଟ୍ ମ୍ୟାଚ ରେ ବାରଖାମା ସ୍ପୋର୍ଟସ୍ କ୍ଲବ୍ ୨ ୱିକେଟରେ ଜିତି ଟ୍ରଫି ହାସଲ କରିଥିବା ଜଣାପଡିଛି।
ପୋଲିସ କବଜାରେ ଆଠ ଜଣିଆ ଡକାୟତି ଗ୍ୟାଙ୍ଗ: ନଗଦ ଟଙ୍କା ସହ ମୋବାଇଲ ଓ ବାଇକ ଜବତ

ବାଲିଗୁଡା, ୧୫/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗଗଡ଼ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ପୋଲିସ କବଜାରେ ଆଠ ଜଣିଆ ଡକାୟତି ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
ସାରଙ୍ଗଗଡ଼ ଥାନା ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗୁଟିଙ୍ଗିଆର କାଦପିଡା ଡ୍ୟାମ ନିକଟରେ କ୍ୟାମ୍ପ କରି ରହୁଥ‌ିବା ସମ୍ବଲପୁର ଅଞ୍ଚଳର ଯାଯାବର ମାନଙ୍କ ଠାରୁ ଉକ୍ତ ଡକାୟତି ଗ୍ୟାଙ୍ଗ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ନଗଦ ଦଶ ହଜାର ପାଞ୍ଚ ଶହ ଟଙ୍କା,ଏକ ମଟର ସାଇକେଲ ଓ ମୋବାଇଲ ଲୁଟି ନେଇଥିଲେ।
ଯାଯାବର ମାନଙ୍କ ପକ୍ଷରୁ ଅଭିଯୋଗ ପରେ ସାରଙ୍ଗଗଡ଼ ଥାନା ପୋଲିସ ତତ୍ପରତା ଦେଖାଇ ଅନୁସନ୍ଧାନ କରି ସମସ୍ତ ଆଠ ଜଣ ଡକାୟତି ଗ୍ୟାଙ୍ଗଙ୍କୁ ଗିରଫ କରିବା ସହ ଲୁଟ୍ କରିଥିବା ଟଙ୍କା, ମଟର ସାଇକେଲ, ମୋବାଇଲ ଓ ସେମାନେ ବ୍ୟବହାର କରି ଥିବା ଟାଟା ଏସି ପିକଅପ ଭ୍ୟାନ୍ ନଂ ଓଡି-୧୧ -ଟି -୭୮୭୯ ଭ୍ୟାନ୍ ଟିକୁ ଜବତ କରିଥିଲେ।
ଗିରଫ ଅଭିଯୁକ୍ତ ହେଲେ ସାରଙ୍ଗ ଗଡ଼ ଥାନା ଅଧୀନରେ ଥୂବା ଦାସିଗୁଡାର ଗୁଡୁ ଓରଫ ଗୁଚ୍ଚାକେଶ ପ୍ରଧାନ (୨୫),ଜିରିଡିକିଆର ରବି ଚନ୍ଦ୍ର ପ୍ରଧାନ(୫୫), ପାଟ୍ଟଖଣ୍ଡା ସାହିର ଉମାକାନ୍ତ ସାହୁର ଦୁଇ ପୁଅ ପିଣ୍ଟୁ ଓରଫ ହରେକୃଷ୍ଣ ସାହୁ (୨୫) ଓ ଚିଣ୍ଟୁ ଓରଫ ହୃଷୀକେଶ ସାହୁ (୨୨), ଅଶୋକ ନଗର ହରିଜନ ସାହିର ମାନସ ନାୟକ (୩୭), ଓମ୍ କୁମାର ମୁଖି (୧୮),ଦୀପକ ମୁଖୂ (୨୮) ଓ ନାବାଳକ ସଲାଗୁଡାର ରାକେଶ କୁମାର ବେହେରା (୧୭) ଆଠ ଜଣ ଡକାୟତକୁ କୋର୍ଟ ଚାଲାଣ କରିଛି। ତେବେ ଏନେଇ ଥାନା ଅଧିକାରୀ ବଧୁଲିକା ବିଶ୍ବାଳ ଥାନା କେସ ନମ୍ବର ୧୮୭/୨୫ ରେ ଏକ ମାମଲା ରୁଜୁ କରି ଦଫା ୩୧୦(୨) ଓ ୧୦୯ ବିଏନଏସ ଧାରାରେ ଏସଆଇ ଅନୀଲ କୁମାର ପଲେଇ ତଦନ୍ତ ଭାର ଗ୍ରହଣ କରିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930