Indus Valley Times

ଚତୁର୍ଥ ଦିନରେ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ସଂକଟରେ ରାସ୍ତାରୁ ରୋଷେଇଘର

 Breaking News

ଚତୁର୍ଥ ଦିନରେ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ, ସଂକଟରେ ରାସ୍ତାରୁ ରୋଷେଇଘର

July 11
11:02 2025

ଭୁବନେଶ୍ୱର,୧୧/ ୭ : ତିନିଦିନ ଧରି ୬ଦଫା ଦାବିରେ ଡ୍ରାଇଭର ମହାସଂଘ ଆନ୍ଦୋଳନ ଚଳାଇଛି। ମହାସଂଘର ପ୍ରାୟ ୫ଲକ୍ଷ ସଦସ୍ୟ ଗାଡ଼ି ଷ୍ଟିଅରିଂ ଛାଡ଼ିବା ଯୋଗୁ ଯାତାୟାତ ଓ ପରିବହନ କ୍ଷେତ୍ରରେ ସଙ୍କଟ ସୃଷ୍ଟି ହୋଇଛି। ପେଟ୍ରୋଲ ସଙ୍କଟ ଅନୁଭବ କରି ପ୍ରାୟ ସବୁ ଟାଙ୍କିରେ ଗାଡ଼ିଗୁଡ଼ିକର ଲମ୍ବା ଧାଡ଼ି ରହୁଛି। ଅନ୍ୟପକ୍ଷ ରେ ଭୁବନେଶ୍ୱର ବରମୁଣ୍ଡା ସମେତ ରାଜ୍ୟ ପ୍ରାୟ ସମସ୍ତ ବସ୍‌ଷ୍ଟାଣ୍ଡରେ ବସ୍‌ଗୁଡ଼ିକ ଅଟକି ରହିଥିବାବେଳେ ଲୋକେ ନିଜ ଗନ୍ତବ୍ୟସ୍ଥଳକୁ ଯାଇ ନ ପାରି ଦୁର୍ଦ୍ଦଶା ଭୋଗୁଛନ୍ତି।
ପରିବହନ ବ୍ୟବସ୍ଥାରେ ସୁଧାର ଆସୁ ନ ଥିବାରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଦର ବଢ଼ିବାରେ ଲାଗିଛି।
ଅନ୍ୟପକ୍ଷରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ଶୁକ୍ରବାର(୧୧ ତାରିଖ) ରହିଥିବା ବେଳେ ଡ୍ରାଇଭର ମହାସଂଘ ଚଳାଇଥିବା ଆନ୍ଦୋଳନକୁ ନେଇ ରାଜ୍ୟ ରାଜନୀତି ଜୋର୍ ଧରିଛି। ଡ୍ରାଇଭର ମହାସଂଘକୁ ଗୋଟିଏ ଦିନ ପାଇଁ ଆନ୍ଦୋଳନ ସ୍ଥଗିତ ରଖିବା ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ନିବେଦନ କରିଛନ୍ତି। ଏହାସହିତ ସେ କହିଛନ୍ତି, ଏହି ଆନ୍ଦୋଳନ ପଛରେ ସରକାରୀ ଷଡ଼ଯନ୍ତ୍ର ରହିଛି। ଗୁରୁବାର ଅପରାହ୍ନରେ ପିସିସି ସଭାପତି ଦାସ ଖବରଦାତା ସମ୍ମିଳନୀରେ କହିଛନ୍ତି, କଂଗ୍ରେସର ‘ସମ୍ବିଧାନ ବଞ୍ଚାଅ’ ମହାସମାବେଶରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଯୋଗଦେବାର କାର‌୍ୟ୍ୟକ୍ରମ ରହିଛି। ଏନେଇ ପୂର୍ବରୁ ଘୋଷଣା ହୋଇଛି। କଂଗ୍ରେସର ସମାବେଶକୁ ସଫଳ କରିବା ପାଇଁ ରାଜ୍ୟସାରା ଲୋକେ ରାଜଧାନୀକୁ ଆସିବାକୁ ଚାହୁଁଛନ୍ତି। ହେଲେ ଏଥିରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ବାଧା ସୃଷ୍ଟି କରୁଛି। ଏହି ଆନ୍ଦୋଳନ ପଛରେ ସରକାରଙ୍କ ପ୍ରଚ୍ଛନ୍ନ ହାତ ରହିଛି। ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ଭାଜପା ପକ୍ଷରୁ ମହାସଂଘର ଆନ୍ଦୋଳନକୁ ସରକାର କାହିଁକି ପୂରଣ କରୁନାହାନ୍ତି ବୋଲି ଯୁକ୍ତି ବାଢୁଥିଲେ। ହେଲେ ଏବେ ଏହି ଆନ୍ଦୋଳନ ଏକ ପ୍ରକାର ପ୍ରାୟୋଜିତ। କଂଗ୍ରେସକୁ ଟାର୍ଗେଟ କରି ଓଡ଼ିଶା ଲୋକଙ୍କୁ ହଇରାଣ କରିବା ପାଇଁ ଏହା ସୁଚିନ୍ତିତ ଯୋଜନା। ହେଲେ ଲୋକେ ଏହାକୁ ବରଦାସ୍ତ କରିବେ ନାହିଁ। ରାଜ୍ୟରେ ଏବେ ଘଡ଼ିସନ୍ଧି ମୁହୂର୍ତ୍ତରେ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି। ରାହୁଲ ଆସିଲେ ଓଡ଼ିଶାରେ ଏକ ନୂଆ ରାଜନୈତିକ ବାତାବରଣ ସୃଷ୍ଟି ହେବ। ହେଲେ ଏହାକୁ ଭଣ୍ଡୁର କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ସେହିପରି ବିଜେଡି ନେତ୍ରୀ ତଥା ବିରୋଧୀଦଳ ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପୂର୍ବରୁ ବିରୋଧୀ ଦଳରେ ଥିବାବେଳେ ଡ୍ରାଇଭର ସଂଘର ଦାବି ଯୁକ୍ତିଯୁକ୍ତ ବୋଲି କହୁଥିଲେ। ସଂଘର ଦାବି ପୂରଣ କରିବାକୁ ସରକାରଙ୍କଠାରେ ଦାବି ରଖିଥିଲେ। ସଂଘର ଦାବି ଯୁକ୍ତିଯୁକ୍ତ, ତେଣୁ ସରକାର ତୁରନ୍ତ ପୂରଣ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାଜପା ମୁଖପାତ୍ର ଦିଲୀପ ମଲ୍ଲିକ କହିଛନ୍ତି, କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତାହା ସମ୍ପୂର୍ଣ୍ଣ ଭାବେ ଭିତ୍ତିହୀନ। ସରକାରଙ୍କୁ ବଦ୍‌ନାମ କରିବାକୁ ଚାହୁଁଛନ୍ତି ବିରୋଧୀ। କଂଗ୍ରେସ ଏବେ ଯାଏ ଡ୍ରାଇଭର ମହାସଂଘକୁ ଆନ୍ଦୋଳନରୁ ଓହରିବାକୁ ଥରେ ହେଲେ କହିନାହିଁ। ବିରୋଧୀମାନେ ହିଁ ଡ୍ରାଇଭର ମହାସଂଘ ଆନ୍ଦୋଳନ ପଛରେ ଅଛନ୍ତି ବୋଲି ସେ କହିଛନ୍ତି।
ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଡ୍ରାଇଭର ସଂଘର ଦାବିକୁ ସରକାର ବିଚାର କରୁଛନ୍ତି। ସେମାନଙ୍କର ଦାବି ଖୁବ୍‌ଶୀଘ୍ର ପୂରଣ ହେବ। ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ଆଦୌ ସଙ୍କଟ ନାହିଁ। ଭୁବନେଶ୍ବରକୁ ୧୫୦ ତେଲ ଟ୍ୟାଙ୍କର ଆସିଥିବାବେଳେ କଟକକୁ ୭୬ ଟ୍ୟାଙ୍କର ଆସିଛି। ସବୁ ସହରକୁ ତେଲ ପଠାଯାଇଛି। ତେଲର କଳାବଜାରକୁ ରୋକିବାପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି କଳାବଜାର ହେବା ନଜରକୁ ଆସିବ ସେଠାରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930