Indus Valley Times

ତୃତୀୟ ଦିନରେ ପହଞ୍ଚିଲା ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

 Breaking News

ତୃତୀୟ ଦିନରେ ପହଞ୍ଚିଲା ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ

July 10
11:11 2025

ଭୁବନେଶ୍ୱର,୧୦/୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଥିବା ବେଳେ ରାଜ୍ୟରେ ପେଟ୍ରୋଲ, ଡିଜେଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରାୟତଃ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଧର୍ମଘଟ ଯୋଗୁଁ ରାଜ୍ୟର ଅନେକ ପେଟ୍ରୋଲ ପମ୍ପରେ ତୈଳ ସଙ୍କଟ ଦେଖାଦେଇଛି, ଏବଂ ଘରୋଇ ବସ୍ ଚଳାଚଳ ବନ୍ଦ ରହିଥିବାରୁ ଯାତ୍ରୀମାନେ ମଧ୍ୟ ଚରମ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଓଡ଼ିଶା ଡ୍ରାଇଭର ମହାସଂଘ ନିଜର ୬ ଦଫା ଦାବି ପୂରଣ ନେଇ ଅଟଳ ରହିଛି। ସଂଘର ସାଧାରଣ ସମ୍ପାଦକ ମହେନ୍ଦ୍ର ପରିଡ଼ା କହିଛନ୍ତି, “ଆମେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଛୁ, କିନ୍ତୁ ସରକାରଙ୍କଠାରୁ ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ଆନ୍ଦୋଳନ ଜାରି ରହିବ।” ଡ୍ରାଇଭରଙ୍କ ଦାବି ମଧ୍ୟରେ ରହିଛି ମାଗଣା ଚିକିତ୍ସା, ବୀମା ସୁବିଧା, ପେନସନ ଯୋଗାଣ ଏବଂ ନୂଆ ମୋଟର ଯାନ ଆଇନରେ ସଂଶୋଧନ।
ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ତୈଳ ଟ୍ୟାଙ୍କର, ଟ୍ରକ ଓ ଅନ୍ୟାନ୍ୟ ପରିବହନ ଗାଡ଼ି ଅଟକି ରହିଛି। ବାଲେଶ୍ୱର, କଟକ ଓ ପାରାଦୀପ ଅଞ୍ଚଳରେ ଶହ ଶହ ଗାଡ଼ି ରାସ୍ତାରେ ଅଟକି ରହିଥିବା ସୂଚନା ମିଳିଛି। ପେଟ୍ରୋଲିୟମ୍ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ ଚେତାବନୀ ଦେଇ କହିଛନ୍ତି, “ଅନେକ ପେଟ୍ରୋଲ ପମ୍ପରେ ତୈଳ ଖାଲି ହେଉଛି। ଯଦି ଏହି ସ୍ଥିତି ଜାରି ରହେ, ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରବଳ ତୈଳ ସଙ୍କଟ ଦେଖାଦେବ।”
ଘରୋଇ ବସ୍ ଚଳାଚଳ ବନ୍ଦ ହେବା ଯୋଗୁଁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ଭଳି ସହରରେ ଯାତ୍ରୀମାନେ ବସ୍ ଷ୍ଟାଣ୍ଡରେ ଅପେକ୍ଷା କରୁଛନ୍ତି, କିନ୍ତୁ ବସ୍ ମିଳୁନଥିବାରୁ ଅସୁବିଧାରେ ପଡ଼ିଛନ୍ତି। ଏହା ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ଔଷଧ, ଖାଦ୍ୟ ଓ ଏଲପିଜି ଯୋଗାଣ ମଧ୍ୟ ବାଧାପ୍ରାପ୍ତ ହେଉଛି, ଯାହା ସାଧାରଣ ଜନଜୀବନକୁ ଆହୁରି ଜଟିଳ କରୁଛି।
ରାଜ୍ୟ ସରକାର ଏହି ସଙ୍କଟର ସମାଧାନ ପାଇଁ ଡ୍ରାଇଭର ମହାସଂଘ ସହ ଆଲୋଚନା ଜାରି ରଖିଛନ୍ତି। ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, “ଆମେ ଡ୍ରାଇଭରଙ୍କ ଦାବିକୁ ଗୁରୁତ୍ୱ ଦେଉଛୁ ଏବଂ ଶୀଘ୍ର ଏକ ସମାଧାନରେ ପହଞ୍ଚିବାକୁ ଚେଷ୍ଟା କରୁଛୁ।” ତେବେ, ଡ୍ରାଇଭର ମହାସଂଘ ସରକାରଙ୍କଠାରୁ ଲିଖିତ ଆଶ୍ୱାସନ ନ ମିଳିବା ଯାଏ ଆନ୍ଦୋଳନ ପ୍ରତ୍ୟାହାର କରିବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି।
ଏହି ଧର୍ମଘଟ ଯୋଗୁଁ ରାଜ୍ୟରେ ଅର୍ଥନୈତିକ କାର‌୍ୟ୍ୟକଳାପ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। ସାଧାରଣ ଜନତା ଓ ବ୍ୟବସାୟୀ ସମୁଦାୟ ସରକାର ଓ ଡ୍ରାଇଭର ସଂଘ ମଧ୍ୟରେ ଶୀଘ୍ର ଆଲୋଚନା ମାଧ୍ୟମରେ ଏକ ସମାଧାନ ନେଇ ଆସିବାକୁ ଦାବି କରୁଛନ୍ତି। ଯଦି ଏହି ସ୍ଥିତି ଲମ୍ବା ଚାଲୁ ରହେ, ତେବେ ରାଜ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ସହ ଅନ୍ୟାନ୍ୟ ସମସ୍ୟା ଆହୁରି ତୀବ୍ର ହେବାର ଆଶଙ୍କା ରହିଛି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930