Indus Valley Times

ନିର୍ବାଚିତ ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ ଜଣଙ୍କ ନାଁରେ ଅପରାଧିକ ମାମଲା,୧୫ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି: ଏଡିଆର୍

 Breaking News

ନିର୍ବାଚିତ ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ ଜଣଙ୍କ ନାଁରେ ଅପରାଧିକ ମାମଲା,୧୫ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି: ଏଡିଆର୍

ନିର୍ବାଚିତ ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ ଜଣଙ୍କ ନାଁରେ ଅପରାଧିକ ମାମଲା,୧୫ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି: ଏଡିଆର୍
May 18
10:40 2022

ଭୁବନେଶ୍ବର,୧୮/୩: ନିକଟରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି। ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭) ଲାଗିଥିବା ସେମାନେ ସତ୍ୟପାଠରେ ଜଣାଇଛନ୍ତି।
ରାଜ୍ୟର ୮୫୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ୭୨୬ଜଣ ସଭ୍ୟଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର୍) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। ବାକି ୧୨୫ଜଣ ସଭ୍ୟଙ୍କ ସତ୍ୟପାଠ ୱେବସାଇଟ୍ରେ ଅପଲୋଡ୍ ହୋଇନଥିବାରୁ ସେମାନଙ୍କ ତଥ୍ୟ ଜଣାପଡ଼ିନି। ଏଡିଆର୍ ରିପୋର୍ଟ ଅନୁଯାୟୀ, ୬୫ଜଣ (୯%) ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ, ମହିଳାଙ୍କ ବିରୋଧରେ ଅପରାଧ ଇତ୍ୟାଦି ମାମଲା ରହିଛି। ୧୨ଜଣ ସଭ୍ୟଙ୍କ ନାଁରେ କେବଳ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରହିଛି।
ଚଳିତ ନିର୍ବାଚନରେ ବିଜେଡିର ୯୦% ପ୍ରାର୍ଥୀ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିବାବେଳେ ଅଧିକ ଅପରାଧ ରେକର୍ଡ ଥିବା ସଭ୍ୟ ବି ବିଜେଡିର। ବିଜେଡିର ୬୬୧ଜଣ ନିର୍ବାଚିତ ସଭ୍ୟଙ୍କ ମଧ୍ୟରୁ ୬୬ଜଣ (୧୦%) ବିଜେଡିର, ୩୭ଜଣ ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୬ଜଣ (୧୬%), କଂଗ୍ରେସର ୨୨ଜଣ ସଭ୍ୟଙ୍କ ମଧ୍ୟରୁ ୭ଜଣ (୩୨%), ଜେଏମ୍ଏମ୍ର ୩ଜଣଙ୍କ ମଧ୍ୟରୁ ଜଣେ (୩୩%), ସିପିଆଇ(ଏମ୍)ର ଜଣେ ସଦସ୍ୟ ନିର୍ବାଚିତ ହୋଇଥିବାବେଳେ ଜଣେ (୧୦୦%), ୨ଜଣ ସ୍ବାଧୀନ ସଭ୍ୟଙ୍କ ମଧ୍ୟରୁ ଜଣେ (୫୦%)ଙ୍କ ନାମରେ ଅପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ସେହିପରି ଗୁରୁତର ଅପରାଧିକ ମାମଲା ଥିବା ନିର୍ବାଚିତ ସଭ୍ୟଙ୍କ ମଧ୍ୟରେ ବି ବିଜେଡି ଆଗୁଆ ଅଛି। ବିଜେଡିର ୫୩ଜଣ (୮%), ବିଜେପିର ୪ଜଣ (୧୧%), କଂଗ୍ରେସର ୬ଜଣ (୨୭%), ଜେଏମ୍ଏମ୍ର ଜଣେ (୩୩%), ଜଣେ ସ୍ବାଧୀନ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।
ଅନ୍ୟପକ୍ଷରେ ୭୨୬ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୯୫ଜଣ (୧୩%) କୋଟିପତି ଅଛନ୍ତି। ବିଜେଡିର ୯୦ଜଣ (୧୪%), ବିଜେପିର ୩ଜଣ (୮%), କଂଗ୍ରେସର ୨ଜଣ (୯%) ସଭ୍ୟ କୋଟିପତି ଅଛନ୍ତି। ଚଳିତ ନିର୍ବାଚନରେ ଅଧିକ କୋଟିପତି ପ୍ରାର୍ଥୀ ଥିବାରୁ ନିର୍ବାଚିତ ସଭ୍ୟଙ୍କର ହାରାହାରି ସମ୍ପତ୍ତି ୫୬.୬୦ଲକ୍ଷ ଟଙ୍କାର ବୋଲି ଜଣାପଡ଼ିଛି। ବାଲେଶ୍ବର ଜିଲ୍ଲା ସୋରୋ-୧ ଜୋନ୍ର ସଭ୍ୟ ରେବତୀ ନାୟକଙ୍କର ସର୍ବାଧିକ ୧୮କୋଟି ୬୮ଲକ୍ଷ ୫୭ହଜାର ୪୫୦ଟଙ୍କାର ସମ୍ପତ୍ତି ଥିବାବେଳେ ଖୋର୍ଦ୍ଧା ଜିଲ୍ଲ ଚିଲିକା-୨ ଜୋନ୍ର ସଭ୍ୟ ରୀନା ବେହେରାଙ୍କର କିଛି ସମ୍ପତ୍ତି ନଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। େରବତୀ ଧନୀ ହୋଇଥିଲେ ବି ତାଙ୍କ ନାଁରେ ଅଧିକ ଋଣ ଅଛି। ତାଙ୍କ ନାଁରେ ୬କୋଟି ୮୭ଲକ୍ଷ୬୯ହଜାର ୮୮୦ଟଙ୍କା ଋଣ ରହିଛି।
ଏଡିଆର୍ ରିପୋର୍ଟ ଅନୁଯାୟୀ, ୪୫୧ଜଣ (୬୨%) ପ୍ରାର୍ଥୀ ୫ମରୁ ଦ୍ବାଦଶ ଶ୍ରେଣୀ ମଧ୍ୟରେ ପାଠ ପଢ଼ିଛନ୍ତି। ୨୫୬ ଜଣ (୩୫%) ପ୍ରାର୍ଥୀ ସ୍ନାତକ ଏବଂ ଏହାଠାରୁ ଅଧିକ ପାଠ ପଢ଼ିଛନ୍ତି। ୬ଜଣ ସଭ୍ୟ ଡିପ୍ଲୋମା ପଢ଼ିଛନ୍ତି। ୭ଜଣ କେବଳ ପଢ଼ି ଜାଣିଛନ୍ତି ବୋଲି ଉଲ୍ଲେଖ କରିଥିବାବେଳେ ୬ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ତଥ୍ୟ ଦେଇନାହାନ୍ତି। ୮୮ଜଣ ପ୍ରାର୍ଥୀଙ୍କ ବୟସ ୫୧ରୁ ୭୦ବର୍ଷ ବୟସ ମଧ୍ୟରେ ହୋଇଥିବାବେଳେ ୩୭୩ଜଣ ପ୍ରାର୍ଥୀ ସେମାନଙ୍କର ବୟସ ନେଇ ସତ୍ୟପାଠରେ ସୂଚନା ଦେଇନାହାନ୍ତି। ଏଡିଆର୍ ପକ୍ଷରୁ ବିଶ୍ଲେଷଣ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୩୮୫ଜଣ ମହିଳା ଅଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031