Indus Valley Times

ବିଜେଡି-ବିଜେପି ଭିତରେ ପଡିଲା ହାତଗଣ୍ଠି, ଭିତିରିଆ ସମ୍ପର୍କର ଦ୍ୱାହି ଦେଇ କଟାକ୍ଷ କଲା କଂଗ୍ରେସ

 Breaking News

ବିଜେଡି-ବିଜେପି ଭିତରେ ପଡିଲା ହାତଗଣ୍ଠି, ଭିତିରିଆ ସମ୍ପର୍କର ଦ୍ୱାହି ଦେଇ କଟାକ୍ଷ କଲା କଂଗ୍ରେସ

ବିଜେଡି-ବିଜେପି ଭିତରେ ପଡିଲା ହାତଗଣ୍ଠି, ଭିତିରିଆ ସମ୍ପର୍କର ଦ୍ୱାହି ଦେଇ କଟାକ୍ଷ କଲା କଂଗ୍ରେସ
January 25
15:05 2024

ଭୁବନେଶ୍ୱର,୨୫/୧ : ତେଲଙ୍ଗାନାର ଥିଓରୀ ଓଡ଼ିଶାରେ ଆପଣାଇଛି କଂଗ୍ରେସ। ତେଲଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରି କଂଗ୍ରେସ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଓଡ଼ିଶାରେ ବିଜେଡିର ଓ ବିଜେପିର ବାହାଘର କରୁଛି।
ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ଭିତିରିଆ ମଧୁର ସଂପର୍କ ଥିବା ଅଭିଯୋଗ ଆଣି ଉଭୟଙ୍କ ବାହାଘର କରୁଛି କଂଗ୍ରେସ। ଏପରି ଢଙ୍ଗରେ ବିବାହ କରି ବିଜେଡି ଓ ବିଜେପିକୁ କଟାକ୍ଷ କରିଛି।
ବିବାହ ପାଇଁ କଂଗ୍ରେସ ପକ୍ଷରୁ ନିମନ୍ତ୍ରଣ କାର୍ଡ ବଣ୍ଟା ଯାଇଛି। ଏହାସହ ବାହାଘରର ତାରିଖ, ଲଗ୍ନ ମଧ୍ୟ ଏହି କାର୍ଡରେ ଉଲ୍ଲେଖ କରାଯାଇଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନରେ ବେଦୀ କରାଯାଇଥିବା ବେଳେ ଆଜି ହିଁ ବରାନୁଗମନ ହୋଇଛି। ବରଯାତ୍ରୀମାନେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି।
ବିବାହ ପାଇଁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବେଦୀ ତିଆରି ହୋଇଥିଲା। ମୁରୁଜ ପଡ଼ିଥିଲା। ଥାଳିରେ ବିବାହ ସାମଗ୍ରୀ ସଜା ହୋଇଥିଲା। ପୁରୋହିତ ଥିଲେ। ହୋମଯଜ୍ଞ ଆୟୋଜନ ହୋଇଥିଲା। ବାହାଘର ଗୀତ ବାଜିଥିଲା। ବର ଓ କନ୍ୟା ବେଶରେ ଉଭୟ ଦଳର ନେତାଙ୍କ ବେଶରେ ପ୍ରତିନିଧି ପହଞ୍ଚିଥିଲେ।
ଛାତ୍ର କଂଗ୍ରେସର ସଭାପତି ୟାସିର ନବାଜ କହିଛନ୍ତି, ୨୫ ବର୍ଷ ହେଲା ବିଜେପି ଓ ବିଜେଡି ଏକ ହୋଇ ଅଛନ୍ତି। ଏବେ ବାହାଘରର ସମୟ ଆସିଛି। ତେଣୁ ଉଭୟଙ୍କ ବାହାଘର କରାଯାଉଛି।
ସେ ଆହୁରି କହିଛନ୍ତି, ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ। କେନ୍ଦ୍ରର ସମସ୍ତ ବିଲ୍କୁ ପାର୍ଲାମେଣ୍ଟରେ ସମର୍ଥନ କରୁଛି ବିଜେଡି। ଓଡ଼ିଶାରେ ବିଜେଡି ଯାହା କରୁଛି ବିଜେପି ତାକୁ ସମର୍ଥନ କରୁଛି। ସେମାନଙ୍କ ସଂପର୍କ ଏତେ ନିବିଡ ଯେ ରାଜ୍ୟସଭାକୁ ସାଂସଦ ପଠାଇଲା ବେଳେ ମଧ୍ୟ ଉଭୟ ମିଶି ପଠାଉଛନ୍ତି। ବାହାରେ ବିଜେପି ଓ ବିଜେଡି ଡ୍ରାମା କରୁଛନ୍ତି। ଭିତରେ କୋଳାକୋଳି ହୋଇକି ଅଛନ୍ତି।
ଜଗନ୍ନାଥର ମାଟି ଓଡ଼ିଶା। ଏଠି ଲିଭ୍ ଇନ୍ ରିଲେସନ ଗ୍ରହଣୀୟ ନୁହେଁ। ବିଜେପି ଓ ବିଜେଡି ଲିଭ୍ ଇନ୍ ରିଲେସନରେ ଏତେ ବର୍ଷ ରହିବା ଠିକ୍ ନୁହେଁ। ଏଥିପାଇଁ ଉଭୟଙ୍କ ବିବାହ କରାଯାଉଛି। ବିଜେଡି ଓ ବିଜେପି ଏକ। ସେମାନେ ସାଧାରଣ ଲୋକଙ୍କ ପାଇଁ କେବେ ରାଜରାସ୍ତାକୁ ଓହ୍ଲାଇବେ ନାହିଁ। ଏଥିପାଇଁ ଛାତ୍ର କଂଗ୍ରେସ ପକ୍ଷରୁ ସେମାନଙ୍କୁ ବିବାହ କରାଯାଇ ସେମାନଙ୍କୁ ଏକ କରାଯାଉଛି।
ତେଲଙ୍ଗାନାରେ ବିଆରଏସ ଓ ବିଜେପିର ବିବାହ ହୋଇଥିଲା। ସେହିପରି ଓଡ଼ିଶାରେ ମଧ୍ୟ ବିଜେପି ଓ ବିଜେଡି ବିବାହ କରାଯାଉଛି। ଦୁଇ ଦଳ ଶଙ୍ଖ ଭବନରେ ଯାଇ ରୁହନ୍ତି। ନ ହେଲେ ବିଜେପି ତାର କାର‌୍ୟ୍ୟାଳୟକୁ ଶଙ୍ଖ ଭବନକୁ ଉଠାଇ ନେଉ। ଉଭୟ ଦଳ ମିଶି ଓଡ଼ିଶାକୁ ଖୋଳ କରି ଦେଲେଣି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
କଂଗ୍ରେସ କରୁଥିବା ବିବାହକୁ ନେଇ ବିଜେଡି ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେପି ନିଜର ମନ୍ତବ୍ୟ ରଖିଛି। ରାଜ୍ୟ ବିଜେପିର ଉପସଭାପତି ବିରଞ୍ଚି ତ୍ରିପାଠୀ କହିଛନ୍ତି, କଂଗ୍ରେସର ବୁଦ୍ଧି ଭ୍ରଷ୍ଟ ହୋଇଗଲାଣି। କଂଗ୍ରେସ ଓଡ଼ିଶାରୁ ସମ୍ପୂର୍ଣ୍ଣ ଦେଶରୁ ବିଲୁପ୍ତ ହେବାର ସ୍ଥିତିରେ ପହଞ୍ଚିଲାଣି। ଏଥିପାଇଁ କଂଗ୍ରେସର ମାନସିକ ଉଦବେଗ ପ୍ରତିଫଳନ ହେଉଛି। କଂଗ୍ରେସ ଏପରି ନାଟକ କରି ଚର୍ଚ୍ଚାକୁ ଆସିବାକୁ ଚାହୁଁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031