Indus Valley Times

ପୁଣି ପାଣିମୋରା ଇଥାନଲ୍ କାରଖାନା ବିରୋଧରେ ଆନ୍ଦୋଳନ : ମାଲିକ ଅନୀଲ କାନୋଡିଆଙ୍କ ପକେଟ୍ ରେ ସରକାର

 Breaking News

ପୁଣି ପାଣିମୋରା ଇଥାନଲ୍ କାରଖାନା ବିରୋଧରେ ଆନ୍ଦୋଳନ : ମାଲିକ ଅନୀଲ କାନୋଡିଆଙ୍କ ପକେଟ୍ ରେ ସରକାର

ପୁଣି ପାଣିମୋରା ଇଥାନଲ୍ କାରଖାନା ବିରୋଧରେ ଆନ୍ଦୋଳନ : ମାଲିକ ଅନୀଲ କାନୋଡିଆଙ୍କ ପକେଟ୍ ରେ ସରକାର
June 27
10:05 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ସୁବର୍ଣ୍ଣପୁର ୨୭/୬ : ସୁବର୍ଣ୍ଣପୁର ଜିଲ୍ଲାର ତରଭା ବ୍ଲକର ପାଣିମୋରା ଗ୍ରାମରେ ଥିବା ‘ ମାସ୍ ବାଇଓ ଫୁଏଲ୍ ପ୍ରା. ଲିଃ.’ ନାମକ ଇଥାନଲ୍ କାରଖାନା ବିରୁଦ୍ଧରେ ପୁଣି ଥରେ ସ୍ଥାନୀୟ ଗ୍ରାମବାସୀମାନଙ୍କ ପକ୍ଷରୁ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି।
କାରଖାନାରୁ ନିର୍ଗତ ଦୁର୍ଗନ୍ଧ ଓ ବିକଟାଳ ଶବ୍ଦରେ ଅତିଷ୍ଠ ହୋଇ କାରଖାନା କର୍ତ୍ତୃପକ୍ଷ କୌଣସି କଥା ନ ଶୁଣିବାରୁ ବାଧ୍ୟ ହୋଇ ଗତ ୨୪ ତାରିଖ ଦିନ ପାଣିମୋରା ଗ୍ରାମବାସୀ ମାନେ ପୁଣିଥରେ ମୁଖ୍ୟ ପ୍ରବେଶ ଦ୍ବାର ଆଗରେ ଗାତ ଖୋଳିଦେଇ କାରଖାନାକୁ ବନ୍ଦ କରିଦେଇଥିଲେ।
ଖବର ପାଇ ତରଭା ଥାନାଧିକାରୀ ଅନୀତା କିଡୋ,ତରଭା ତହସିଲଦାର , ଅତିରିକ୍ତ ତହସିଲଦାର ପ୍ରମୁଖ ଅଧିକାରୀମାନେ ଯାଇ ଆନ୍ଦୋଳନକାରୀ ଙ୍କୁ ବୁଝାଇବାକୁ ଚେଷ୍ଟାକରି ବିଫଳ ହେବାରୁ ସୁବର୍ଣ୍ଣପୁର ଏସ୍ ପି ନାରାୟଣ ନାଏକ ଓ ଡିଏସ୍ ପି ପହଞ୍ଚି ସନ୍ଧ୍ୟାରେ ତରଭା ଥାନା ପରିସରରେ କାରଖାନା ପରିଚାଳକ,ସ୍ଥାନୀୟ ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସମେତ ଆନ୍ଦୋଳନକାରୀ ଗ୍ରାମବାସୀ ମାନଙ୍କର ମୁଖିଆଙ୍କ ସହ ବସି ସମାଧାନ କରିଛନ୍ତି। ଗ୍ରାମବାସୀମାନେ କାରଖାନାରୁ ନିର୍ଗତ ଦୂଷିତ ଜଳର ନିଷ୍କାସନର ଉପଯୁକ୍ତ ବ୍ୟବସ୍ଥା,ଦୁର୍ଗନ୍ଧର ନିରାକରଣ,ଶବ୍ଦପ୍ରଦୂଷଣ ବନ୍ଦ, କାରଖାନା ସ୍ଥାପନ ବେଳେ ଦିଆଯାଇଥିବା ସ୍ଥାନୀୟ ଗ୍ରାମବାସୀ ଙ୍କୁ କାରଖାନାରେ ନିଯୁକ୍ତି ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଆଦି ୫ ଦଫା ଦାବି ପୂରଣ କରିବା ପାଇଁ ଜଣାଇଛନ୍ତି।
ଏହି ଦାବି ଗୁଡ଼ିକୁ ଆଗାମୀ ୫ ଦିନ ମଧ୍ୟରେ ପୂରଣ କରାଯିବାକୁ କାରଖାନା କର୍ତ୍ତୃପକ୍ଷ ସମୟ ମାଗିଛନ୍ତି।ଏବେ କାରଖାନା ବନ୍ଦ ରହିଛି ଓ ଅବରୋଧ ହଟାଇ ଦିଆଯାଇଛି।ଦିଲ୍ଲୀରୁ ମାଲିକ ଅନୀଲ କାନୋଡିଆ ଓ ତାଙ୍କ ବାପା ଆସି ଦାବିପୂରଣ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ସମସ୍ତ ଦାବି ପୂରଣ ନହେଲେ,ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ,ଗତ ୨୦୨୨ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ଏହାର ଭିତ୍ତିପ୍ରସ୍ତର ସ୍ଥାପନ ଓ ଗତ ୧ ମାର୍ଚ୍ଚ ୨୦୨୪ ତାରିଖରେ ଏହା ଉଦ୍ଘାଟନ ହୋଇଥିଲା।
ଏହି କାରଖାନାଟି ଆରମ୍ଭରୁ ଅଦ୍ୟାବଧି ବିଭିନ୍ନ ନିୟମ ବହିର୍ଭୂତ କାମ,ଚରମ ଅବ୍ୟବସ୍ଥା ଓ ପ୍ରତିଶ୍ରୁତିର ଉଲଂଘନ କରି ଆସୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।
ଦୀର୍ଘ ତିନି ବର୍ଷ ହେବ କାରଖାନା କର୍ତ୍ତୃପକ୍ଷ , ପ୍ରଶାସନ ଓ ସରକାର ଗ୍ରାମବାସୀ ଙ୍କ ଅସୁବିଧା କୁ ଅଣଦେଖା କରି ତାଙ୍କର ମାନବ ଅଧିକାର କୁ କ୍ଷୁର୍ଣ୍ଣ କରୁଥିବା ଯୋଗୁଁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିବା କହିଛନ୍ତି।
କାରଖାନା ସ୍ଥାପନ ବେଳେ ବିଧାୟକ ନିରଞ୍ଜନ ପୂଜାରୀ କାରଖାନାରେ ପାଣିମୋରା ସମେତ ଆଖପାଖ ଗ୍ରାମର ଯୁବକ ଓ ବାସିନ୍ଦାଙ୍କୁ ୫୦ ପ୍ରତିଶତ ନିଯୁକ୍ତି ସୁଯୋଗ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଯାହା ପାଣିର ଗାର ହୋଇଛି।ରାଣ ମେଣ୍ଟାଇବା ପରି ଗ୍ରାମର ମାତ୍ର ୨/୪ ଜଣଙ୍କୁ ମୂଲିଆ ପରି କାମ ଦିଆଯାଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।
ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ,ପ୍ରାୟ ୨୦୦ ମିଟର ଦୂରରେ ଥିବା ପାଣିମୋରା ଗ୍ରାମର ଗ୍ରାମବାସୀମାନେ କାରଖାନା ର ପ୍ରବଳ ଦୁର୍ଗନ୍ଧ ଯୋଗୁଁ ଓ ପ୍ରଦୂଷିତ କାରଖାନାର ନିର୍ଗତ ପାଣି ଆସି ଜଳାଶୟରେ ମିଶୁଥିବାରୁ ସେଇ ପାଣି ବ୍ୟବହାର କରି ଲୋକେ ବିଭିନ୍ନ ରୋଗର ଶିକାର ହେଉଛନ୍ତି।
ପ୍ରଚଣ୍ଡ ଶବ୍ଦ ଯୋଗୁଁ ଲୋକେ ଶୋଇପାରୁ ନାହାଁନ୍ତି ।ବୁଢାବୁଢୀ,ଶିଶୁ,ଗର୍ଭବତୀ ମହିଳା ଓ ରୋଗଗ୍ରସ୍ତ ଙ୍କ ଉପରେ ଏହାର ବହୁତ କୁପ୍ରଭାବ ପଡୁଛି।
କିଛିମାସ ତଳେ ନିକଟସ୍ଥ ଅରଖପଦର ଗ୍ରାମର ଜଣେ ଯୁବକ ମେସିନରେ ପଡିଯାଇ ଖଣ୍ଡବିଖଣ୍ଡିତ ହୋଇ ମୃତ୍ୟୁବରଣ କରିବାରୁ ଗ୍ରାମବାସୀମାନେ କାରଖାନା ବିପକ୍ଷରେ ଆନ୍ଦୋଳନାତ୍ମକ ପଦକ୍ଷେପ ନେଇଥିଲେ।
ଶେଷରେ ଉକ୍ତ ମୃତଶ୍ରମିକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଥିବା କୁହାଯାଏ।ତେବେ କେବଳ ଏଇ ଏକମାତ୍ର ଶ୍ରମିକ ବା କର୍ମଚାରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଘଟଣା ନୁହେଁ,ଏଭଳି ଅନେକ ଘଟଣା ଦୁର୍ଘଟଣା ଏହି କାରଖାନା ମଧ୍ୟରେ ଘଟିଥିବା ଚର୍ଚ୍ଚା ହୁଏ।ଯାହାକି ତଦନ୍ତ ସାପେକ୍ଷ।
କାରଖାନାର ଶ୍ରମିକ ସୁରକ୍ଷା ବିଶୃଙ୍ଖଳିତ।ଅନେକ ମହିଳା ଓ ପୁରୁଷ ଶ୍ରମିକ ଏହି କାରଖାନା ରେ କାମ କରୁଥିବା ବେଳେ କାରଖାନା ରୁ ନିର୍ଗତ ହେଉଥିବା ଦୂଷିତ ଜଳ ର ଦୁର୍ଗନ୍ଧ,ଧୂଆଁ,ଧୂଳି,କାଦୁଅ,ତୀବ୍ର ଶବ୍ଦ ଏମାନଙ୍କ ସ୍ୱାସ୍ଥ୍ୟ ପକ୍ଷେ କେତେ ହିତକାରକ ଚିନ୍ତାଜନକ।ଏହି କାରଖାନାକୁ ରାଜ୍ୟ ବାହାରର ଶହଶହ ଟ୍ରକ୍ ଯାତାୟାତ କରୁଥିବା ବେଳେ ଧୂଳି ଯୋଗୁଁ ପ୍ରଦୂଷଣ ହେଉଛି।
ଏହି ଇଥାନଲ ପ୍ରସ୍ତୁତି ନିମନ୍ତେ ଚାଉଳଖୁଦ,ମକା ଓ ଆଖୁ କୁ ବ୍ୟବହାର କରୁଥିବା ବେଳେ କୁଆଡେ଼ ୟୁରିଆ ସାର ର ମଧ୍ୟ ଆବଶ୍ୟକତା ଥିବା ଚର୍ଚ୍ଚା ରୁ ଜଣାପଡେ।ୟୁରିଆ ସାର ଆଖପାଖର ଚାଷୀଙ୍କ ପାଇଁ ସରକାର ରିହାତିରେ ଯୋଗାଇ ଦେଉଥିବା ବେଳେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ବା ଡିଲରଙ୍କୁ କାରଖାନାର କେତେକ ସ୍ଥାନୀୟ ପରିଚାଳକଙ୍କ ଜରିଆରେ ଏହି ସାର କଳାବଜାରରେ କିଣାଯାଉଥିବା ଚର୍ଚ୍ଚା ହେଉଛି।
କାରଖାନାର ଏସବୁ ଅନିୟମିତତା ସମ୍ପର୍କରେ ପଚାରିବାରୁ ପାଣିମୋରା ଗ୍ରାମ କମିଟିର ସଭାପତି ଧ୍ରୁବ ଚରଣ ନାଏକ କହନ୍ତି, କାରଖାନାରୁ ନିର୍ଗତ ଦୁଷିତ ପାଣି ଯୋଗୁଁ ପ୍ରାୟ ୧୦ ଏକର ଚାଷ ଜମିରେ ଆଉ ଫସଲ ହେଉନାହିଁ।
ଦେହରେ ଏହି ପାଣି ଲାଗିଲେ କୁଣ୍ଡାଇ ହୋଇ ଚର୍ମରୋଗ ହେଉଛି।ଏହି କାରଖାନା ଗ୍ରାମବାସୀ ଙ୍କ କୌଣସି ଉପକାରରେ ଆସୁନାହିଁ।ବରଂ କ୍ଷତି କରୁଛି।ଗ୍ରାମର ଅନ୍ୟତମ ମୁଖିଆ ଅକ୍ଷୟ କୁଅଁର ମଧ୍ୟ ସମାନ ଅଭିଯୋଗ ପ୍ରକାଶ କରନ୍ତି ଓ କାରଖାନା କର୍ତ୍ତୃପକ୍ଷ ପୁଲିସ ପ୍ରଶାସନ ଆଗରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କଲେ,ଆଗକୁ ଆନ୍ଦୋଳନ ବଢିବ ବୋଲି ପ୍ରକାଶ କରିଛନ୍ତି।
କାରଖାନା ମଝିରେ ମାତ୍ର ପ୍ରାୟ ୪ ଏକର ଜମି କମ୍ପାନୀ କିଣିନେଇ ପାଣିମୋରା ଜଙ୍ଗଲ ନାଁ\’ରେ ରହିଥିବା କେତେ,କେଉଁ କିସମର ଜମିରେ କାରଖାନା ବସାଇଛି।ତହସିଲ ବିଭାଗ ଅନୁସନ୍ଧାନ କଲେ,ଜଣାପଡିବ।
ତେବେ କାରଖାନା ମାଲିକ ଅନୀଲ କାନୋଡିଆ ସ୍ଥାନୀୟ ଗ୍ରାମବାସୀ ସାଧାରଣ ଲୋକଙ୍କୁ ଭ୍ରୂକ୍ଷେପ କରନ୍ତି ନାହିଁ।ସେ ବଲାଙ୍ଗୀରରୁ ପ୍ରତିଦିନ ଏକ ବସ୍ ରେ କର୍ମଚାରୀଙ୍କ ପାଇଁ ଯାତାୟାତର ବ୍ୟବସ୍ଥା କରିଛନ୍ତି ଓ ସେ କେଉଁଠି ରହନ୍ତି,କେହି ଜାଣନ୍ତି ନାହିଁ।କିଏ କହେ ସେ ପ୍ରାୟ ଦିଲ୍ଲୀରେ ରହନ୍ତି ଓ ମଝିରେ ମଝିରେ ଏଠିକି ଆସନ୍ତି। କେବେ ତରଭା ନିକଟସ୍ଥ ଘେଷରାମୁଣ୍ଡା ରେ ତ କେତେବେଳେ ବଲାଙ୍ଗୀର ର କୋଉ ଲଜ କିମ୍ବା ଗେଷ୍ଟ ହାଉସ ରେ ଲୁଚି ରହୁଥିବା ଚର୍ଚ୍ଚା ହୁଏ।
ଉପରୋକ୍ତ ବିଷୟରେ ଜାଣିବା ପାଇଁ କାରଖାନା କୁ ଯାଇ ବିନା ତଥ୍ୟ ରେ ଫେରିବାକୁ ପଡ଼ିଥିଲା।ଫୋନ କଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରି ନ ଥିଲା।ତେଣୁ କମ୍ପାନୀର ଏହି କାରଖାନା ସମ୍ପର୍କରେ ସବିଶେଷ ତଥ୍ୟ ବା ତାଙ୍କର ମତାମତ ନିଆଯାଇ ପାରିନାହିଁ।
କୁହାଯାଏ ସେ ସବୁକଥା ଉପରମହଲରେ କରନ୍ତି।
ପୁଲିସ,ପ୍ରଶାସନ,ବିଧାୟକ,ସାଂସଦ,ରାଜନେତା ସମସ୍ତେ କୁଆଡେ ତାଙ୍କ ପକେଟ୍ ରେ।ପୂର୍ବତନ ସରକାରଙ୍କ ଠାରୁ ଚଳିତ ସରକାର ମଧ୍ୟ ଗଣମାଧ୍ୟମରେ ପ୍ରକାଶିତ ଅଭିଯୋଗ କୁ ନଜରଅନ୍ଦାଜ କରି ଆସୁଛନ୍ତି।ନିକଟରେ ମୁଖ୍ୟମନ୍ତ୍ରୀଙ୍କ ସୋନପୁର ଜିଲ୍ଲା ଗସ୍ତ ବେଲେ ଜିଲ୍ଲା କୁ ଏକନମ୍ବର ଜିଲ୍ଲାରେ ପରିଣତ କରିବା ର ଘୋଷଣା ଏଭଳି କାରଖାନା ର ଦୌରତ୍ମ୍ୟ ରୁ ସଙ୍କେତ ମିଳେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31